ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶକ୍ତି ସ୍ବରୂପା ମା’ଙ୍କ ଆରାଧନା ପାଇଁ ଉଦ୍ଦିଷ୍ଟ ଦେବୀ ପୀଠ ଓ ମା’ଙ୍କ ମୃଣ୍ମୟୀ ପ୍ରତିମା ପୂଜା ପରମ୍ପରାରେ କ’ଣ ରହିଛି ପାର୍ଥକ୍ୟ…

ତନ୍ତ୍ର ଓ ଶକ୍ତି ଆରାଧନାର ଏକ ପବିତ୍ର ଭୂମି ଭାରତ। ଭାରତୀୟ ସଭ୍ୟତା, ସଂସ୍କୃତି ଓ ହିନ୍ଦୁଧର୍ମରେ ବହୁ ଦେବଦେବୀଙ୍କ ଉପାସନା ପ୍ରଚଳିତ। ଏ ଦୃଷ୍ଟିରେ ଦେଖିଲେ ଓଡ଼ିଶାରେ ଜୈନ, ବୌଦ୍ଧ, ଶୈବ, ଶାକ୍ତ, ବୈଷ୍ଣବ, ଆଦି ଧର୍ମଧାରା ପ୍ରାଧାନ୍ୟ ଲାଭ କରିଥିଲା। ତେବେ ତନ୍ତ୍ର ଓ ଶକ୍ତି ଆରାଧନା ଓଡ଼ିଶାରେ ବୌଦ୍ଧ ଧର୍ମର ବିକାଶ ପରେ ଆଦୃତି ଲାଭ କରିଥିଲା। ଓଡ଼ିଶାର ଗ୍ରାମାଞ୍ଚଳରେ ଶକ୍ତି ଓ ମହାଶକ୍ତିଙ୍କ ପୂଜା ପରମ୍ପରା ବହୁଳ ଭାବେ ଦେଖିବାକୁ ମିଳେ। କେଉଁଠି ଗଛ ମୂଳେ ତ କେଉଁଠି ମନ୍ଦିର ଭିତରେ ଅବା କେଉଁଠି ଗମ୍ଭୀରା ଭିତରେ ମା’ ପୂଜା ପାଉଛନ୍ତି। ଶକ୍ତି ଉପାସନାର ସାଧାରଣ ଜୀବନ ଯାତ୍ରାକୁ ଗଭୀର ଭାବେ ପ୍ରଭାବିତ କରିଛି। କେନ୍ଦ୍ରାପଡ଼ା, ଆଳି ଅଞ୍ଚଳର ପୂଜକ ବିକାଶ ରଞ୍ଜନ ଷଡ଼ଙ୍ଗୀଙ୍କ ମତରେ ଶକ୍ତି ସ୍ବରୂପା ମା’ଙ୍କ ଆରାଧନା ପାଇଁ ଉଦ୍ଦିଷ୍ଟ ଦେବୀ ପୀଠ ଓ ମା’ଙ୍କ ମୃଣ୍ମୟୀ ପ୍ରତିମା ପୂଜା ପରମ୍ପରା ମଧ୍ୟରେ କେତେକ ପାର୍ଥକ୍ୟ ରହିଛି।

ପୌରାଣିକ କଥାରେ ପାର୍ଥକ୍ୟ
ପୌରାଣିକ କଥାନୁସାରେ, ଦକ୍ଷଯଜ୍ଞରେ ମହାଦେବ ଶିବଙ୍କ ପାଇଁ ଅପମାନସୂଚକ ବାକ୍ୟ ସହି ନ ପାରି ସତୀ ଆତ୍ମଦାହ କରିଥିଲେ। ଅର୍ଦ୍ଧଦଗ୍ଧ ସତୀଙ୍କ ଶରୀରକୁ ନେଇ ଶିବଙ୍କ ବୈରାଗ୍ୟ ଭାବ ବଢ଼ିଚାଲିଥିଲା। ତ୍ରିମୂର୍ତ୍ତି ଖଣ୍ଡନ ଓ ସୃଷ୍ଟିକୁ ରକ୍ଷା କରିବାକୁ ଶ୍ରୀବିଷ୍ଣୁ ସୁଦର୍ଶନ ଚକ୍ରରେ ସତୀଙ୍କ ଶରୀରକୁ ଛିନ୍ନଭିନ୍ନ କରିଦେଇଥିଲେ। ସତୀଙ୍କ ଶରୀରାଂଶ ଯେଉଁସବୁ ସ୍ଥାନରେ ପଡ଼ିଥିଲା, ସେଠାରେ ଶକ୍ତିପୀଠ ବା ଦେବୀପୀଠମାନ ନିର୍ମାଣ ହେଲା। ମୃଣ୍ମୟୀ ଦେବୀପୀଠର ମହାତ୍ମ୍ୟ ଅନୁଯାୟୀ, ଧରାପୃଷ୍ଠକୁ ମହିଷାସୁରର ଅତ୍ୟାଚାରରୁ ରକ୍ଷା କରିବା ପାଇଁ ମା’ ଶକ୍ତି ଦୁର୍ଗା ରୂପ ନେଇଥିଲେ। ଯେଉଁଦିନ ମା’ ଦୁର୍ଗା ମହିଷାସୁରକୁ ବଧ କଲେ, ସେଦିନ ଥିଲା ଆଶ୍ବିନ ମାସର ଦଶମୀ ତିଥି। ତେଣୁ ଏହାର ପ୍ରତୀକ ଭାବେ ପ୍ରତିବର୍ଷ ଆଶ୍ବିନ ମାସର ଦଶମୀ ତିଥିକୁ ବିଜୟା ଦଶମୀ ଭାବେ ପାଳନ କରାଯାଉଛି। ଆଉ ଏକ ପୌରାଣିକ କଥା ଅନୁସାରେ ମୃଣ୍ମୟୀ ମୂର୍ତ୍ତି ପୂଜା ପରେ ରାବଣ ପୋଡ଼ିର ପରମ୍ପରା ଅଛି। କାରଣ ରାବଣକୁ ବଧ କରିବା ପାଇଁ ଶ୍ରୀରାମଚନ୍ଦ୍ର ନବଦିନ ବ୍ୟାପୀ ମା’ଙ୍କ ଆରାଧନା କରିଥିଲେ ଏବଂ ଦଶମୀ ଦିନ ରାବଣଙ୍କୁ ବଧ କରିଥିଲେ। ତେଣୁ ଏହାର ପ୍ରତୀକାତ୍ମକ କୁଶକ୍ତିର ବିନାଶ ପାଇଁ ଦଶହରା ସହିତ ରାବଣ ପୋଡ଼ି ଆଖ୍ୟାନ ଯୋଡ଼ାଯାଇଛି। ତେବେ ଦେବୀ ପୀଠରେ ଏଭଳି କୌଣସି ପରମ୍ପରା ନାହିଁ।

ପୂଜା ବିଧିରେ ପାର୍ଥକ୍ୟ
ଦେବୀ ପୀଠଗୁଡ଼ିକରେ ଷୋଡ଼ଶ ଦିନାତ୍ମକ ପୂଜା ବା ନବଦିନାତ୍ମକ ପୂଜା ଅନୁଷ୍ଠିତ ହୋଇଥାଏ। ତେବେ ପ୍ରତ୍ୟେକ ମୃଣ୍ମୟୀ ଦେବୀ ପୀଠରେ ତ୍ରିଦିନାତ୍ମକ ପୂଜା ବା ତିନିଧରି ପୂଜା ହୋଇଥାଏ। ମୃଣ୍ମୟୀ ପୀଠରେ ନବରାତ୍ରୀର ୬ଷ୍ଠ ଦିନରେ ବିଲ୍ବବରଣ ସହିତ ମା’ଙ୍କୁ ଆବାହନ କରାଯାଏ ଏବଂ ସପ୍ତମୀ ଦିନ ମା’ ଚକ୍ଷୁଦାନ ପାଇଥାନ୍ତି। ଏହାପରେ ଅଷ୍ଟମୀ, ନବମୀ ଓ ବିଜୟା ଦଶମୀ ପାଳନ କରାଯାଏ। ଏହାପରେ ମା’ଙ୍କ ବିସର୍ଜନ କରାଯାଏ। ସେପଟେ ପୀଠ ଦେବୀଙ୍କୁ ଆବାହନ କିମ୍ବା ବିସର୍ଜନ କରାଯାଏ ନାହିଁ। ଦେବୀ ପୀଠ ଓ ମୃଣ୍ମୟୀ ମୂର୍ତ୍ତିଙ୍କଠାରେ ହେଉଥିବା ପୂଜାବିଧି, ଚଣ୍ଡୀପାଠ, ମଙ୍ଗଳ ଆରତି ଓ ଉପଚାର ପୂଜା ସମାନ ଥାଏ।

ଦେବୀଙ୍କ ବେଶ
ଦେବୀପୀଠଗୁଡ଼ିକରେ ନବରାତ୍ରୀ ପୂଜା ସମୟରେ ପୀଠ ଦେବୀଙ୍କର ନବଦୁର୍ଗା ବେଶ ବା ୯ ଦିନରେ ୯ପ୍ରକାର ବେଶ ହୋଇଥାଏ। ସେପଟେ ମୃଣ୍ମୟୀ ଦେବୀ କେବଳ ଜୟଦୁର୍ଗା ବା ମହିଷାମର୍ଦ୍ଦିନୀ ବେଶରେ ପୂଜା ପାଇଥାନ୍ତି। ସ୍ଥଳ ବିଶେଷରେ ଯେଉଁ ମନ୍ଦିରମାନଙ୍କରେ ଷୋଡ଼ଶଦିନାତ୍ମକ ପୂଜା ବା ଷୋଳପୂଜା ହୁଏ, ସେଠାରେ ଦେବୀଙ୍କୁ ୧୬ ଦିନରେ ୧୬ଟି ବେଶ କରାଯାଏ।

ଭୋଗ
ଦେବୀପୀଠରେ ଯେଉଁ ଭୋଗ ହୁଏ, ତାହା ବାହାରକୁ ଆସି ନ ଥାଏ ବା ମା’ଙ୍କ ପୂଜା ସମୟରେ ପୂଜକ ଓ ସେବାୟତଙ୍କ ବ୍ୟତୀତ ଅନ୍ୟ କେହି ରହିନଥାନ୍ତି। ଏହା ଗୁପ୍ତ ପୂଜା ଭାବେ ପରିଗଣିତ। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମୃଣ୍ମୟୀ ପୀଠରେ ଦଶହରା ହୋଇଥାଏ। ତେଣୁ ଏହି ଭୋଗ ସର୍ବସାଧାରଣରେ ବାଣ୍ଟି ଦିଆଯାଏ।

ନବରାତ୍ରୀରେ କନ୍ୟା ପୂଜା
ଶାରଦୀୟ ଦୁର୍ଗାପୂଜାର ଏକ ଗୁରୁତ୍ବପୂର୍ଣ୍ଣ ଦିଗ ହେଉଛି କୁମାରୀ ପୂଜା ବା କନ୍ୟା ପୂଜା। ସପ୍ତମୀ, ଅଷ୍ଟମୀ ଓ ନବମୀ ପୂଜା ଶେଷରେ କୁମାରୀ କନ୍ୟାଙ୍କୁ ନୂତନ ବସ୍ତ୍ର ପରିଧାନ କରାଇ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା କରାଯାଏ। ସ୍ତ୍ରୀୟଃ ସମସ୍ତାସ୍ତବ ଦେବୀ ଭେଦାଃ ସିଦ୍ଧାନ୍ତ ଅନୁସାରେ ସମସ୍ତ ନାରୀ ମହାମାୟାଙ୍କ ସ୍ବରୂପ ଅଟନ୍ତି । ଛୋଟ କନ୍ୟାଙ୍କୁ ‘ନାଗ୍ନିକା’ ବୋଲି କୁହାଯାଏ । ଏପରି କନ୍ୟା ନିର୍ବିକାର ହେବା କାରଣରୁ ଦୁର୍ଗାପୂଜାରେ ସେମାନଙ୍କୁ ପୂଜା କରାଯାଏ। କୁମାରିକା ପୂଜନର ପ୍ରଥମ ନିୟମ ହେଉଛି, ସାଧକଙ୍କୁ ଜ୍ଞାନ ପ୍ରାପ୍ତି ପାଇଁ ବ୍ରାହ୍ମଣ କନ୍ୟା, ବଳପ୍ରାପ୍ତି ପାଇଁ କ୍ଷତ୍ରିୟ କନ୍ୟା, ଧନପ୍ରାପ୍ତି ପାଇଁ ବୈଶ୍ୟ କନ୍ୟା ଏବଂ ଶତ୍ରୁ ବିଜୟ ମାରଣ ମୋହନ ତଥା ଉଚ୍ଚାଟନ ଆଦି ଅଭିଚାର ପ୍ରଧାନ କାର୍ଯ୍ୟ ସିଦ୍ଧି ନିମିତ୍ତ ଚଣ୍ଡାଳ କନ୍ୟାର ପୂଜନ କରାଯାଇଥାଏ । ଚାରିବର୍ଣ୍ଣର ସମନ୍ବୟ ପାଇଁ ଏପରି ବ୍ୟବସ୍ଥା କେବଳ ଆମ ସନାତନ ସଂସ୍କୃତିରେ ବିଦ୍ୟମାନ । ଦୁର୍ଗା ପୂଜା ସହିତ କୁମାରୀ ପୂଜାର ସଂପର୍କ ନିବିଡ଼। ପ୍ରଥମେ ପଶ୍ଚିମବଙ୍ଗରେ କୁମାରୀ ପୂଜା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଏହାର ପ୍ରସାର ଘଟିଥିଲା। ଏବେ ଭାରତ ବିଭିନ୍ନ ରାଜ୍ୟରେ ଶାରଦୀୟ ଦୁଗା ପୂଜା ଅବସରରେ କନ୍ୟା ପୂଜା ପ୍ରଥା ବେଶ୍ ଗୁରୁତ୍ବ ବହନ କରିଛି ।

Leave A Reply

Your email address will not be published.