ସାଇନୋସାଇଟିସ୍ ସମସ୍ୟା କ’ଣ? କ’ଣ ଏହାର ଲକ୍ଷଣ, କେମିତି କରିବେ ଘରୋଇ ଉପଚାର …..

ସାଇନୋସାଇଟିସ୍ ବା ସାଇନସ୍ ହେଉଛି କଫଜନିତ ଏକ ରୋଗ, ଯାହାକି ଆଲର୍ଜି, ଭୂତାଣୁଜନିତ ସଂକ୍ରମଣ କିମ୍ବା ଅତ୍ୟଧିକ ଥଣ୍ଡା ଯୋଗୁଁ ହୋଇଥାଏ। ଶୀତଦିନରେ ସାଇନସ୍ ସମସ୍ୟା ଅଧିକ ଦେଖାଯାଏ। ସାଇନସ୍ ହେଲେ, ନିଃଶ୍ବାସ ନେବାରେ କଷ୍ଟ ହେବା ସହ କଫ ଜମିଯାଏ। ଏହାଦ୍ବାରା ଅଧିକ ମୁଣ୍ଡବିନ୍ଧା ମଧ୍ୟ ହୋଇଥାଏ।
ସାଇନସ୍ କ’ଣ
ପ୍ରଥମେ ଜାଣିବାକୁ ହେବ ଯେ, ସାଇନସ୍ କ’ଣ। ମସ୍ତିଷ୍କରେ ଛୋଟ ଛୋଟ ଛିଦ୍ର ରହିଛି, ଯାହାକୁ ସାଇନସ୍ ବୋଲି କୁହାଯାଏ। ଏହିସବୁ ଛିଦ୍ର ମସ୍ତିଷ୍କକୁ ଅମ୍ଳଜାନ ଯୋଗାଇବା ସହ ନିଃଶ୍ବାସ ନେବା ଏବଂ ମସ୍ତିଷ୍କକୁ ହାଲ୍କା ରଖିବାରେ ସହାୟକ ହୋଇଥାଏ। ଯେତେବେଳେ ଏହିସବୁ ଛିଦ୍ର ଭିତରେ କଫ ଭରିଯାଏ, ସେତେବେେଳ ନିଃଶ୍ବାସ ନେବାରେ ଅସୁବିଧା ହୁଏ ଏବଂ ମୁଣ୍ଡ ଭାରି ଲାଗିଥାଏ ଏବଂ ମୁଣ୍ଡବିନ୍ଧା ହୁଏ। ଏହାକୁ ଡାକ୍ତରୀ ଭାଷାରେ ସାଇନୋସାଇଟିସ୍ ବା ସାଧାରଣ ଭାଷାରେ ସାଇନସ୍ ବୋଲି କୁହାଯାଏ। ଦିନକୁ ଦିନ ସଂକ୍ରମଣଜନିତ ପରିବେଶ ଯୋଗୁଁ ଏହି ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ନାକରେ ହାଡ଼ ବଢ଼ୁଥିଲେ ମଧ୍ୟ ସାଇନୋସାଇଟିସ୍ ହେବାର ଆଶଙ୍କା ଦେଖାଦିଏ। ଫିଲ୍ଡ ଜବ୍ କରୁଥିବା କିମ୍ବା ପ୍ରଦୂଷିତ ପରିବେଶରେ ରହୁଥିବା ଲୋକମାନେ ଏହି ସ୍ବାସ୍ଥ୍ୟ ସମସ୍ୟାରେ ଅଧିକ ପ୍ରଭାବିତ ହୋଇଥାନ୍ତି।
ସାଇନସ୍ର ଲକ୍ଷଣ
ସାଇନସ୍ରେ ମୁଣ୍ଡ ବିନ୍ଧିବା ସହ ମଥା, ଗାଲର ହାଡ଼, ଗଳା ଓ ମାଢ଼ି ଆଦିରେ ଦରଜ ଓ ଯନ୍ତ୍ରଣା ଅନୁଭୂତ ହୋଇଥାଏ। ମୁଣ୍ଡ ଭାରି ଭାରି ଲାଗିଥାଏ। ସ୍ବରରେ ପରିବର୍ତ୍ତନ ହେବା ସହ ଥଣ୍ଡା ଓ ଜ୍ବର ଲାଗି ରହିଥାଏ। ଶୁଘିଂବା ଓ ସ୍ବାଦ ବାରିବାର ଶକ୍ତି ଦୁର୍ବଳ ହୋଇଯାଏ। ନାକରୁ ପାଣି ବୋହିବା ଏବଂ ନିଃଶ୍ବାସ ନେବାରେ କଷ୍ଟ ଆଦି ହେଉଛି ଏହାର ମୁଖ୍ୟ ଲକ୍ଷଣ। ଅନେକଙ୍କ କ୍ଷେତ୍ରରେ ସାଇନସ୍ ପାଇଁ ଦୁଇ
ସାଇନସ୍ର ପ୍ରକାରଭେଦ
ସାଇନସ୍କୁ ୩ ଭାଗରେ ବିଭକ୍ତ କରାଯାଇଛି। ଆକ୍ୟୁଟ୍ ସାଇନସ୍, ସବ୍ ଆକ୍ୟୁଟ୍ ସାଇନସ୍ ଓ ରିକ୍ୟୁରେଣ୍ଟ୍ ସାଇନସ୍। ଆକ୍ୟୁଟ୍ ସାଇନସ୍ରେ ହଠାତ୍ ନାକ ଜାମ୍ ହେବା କିମ୍ବା ନାକରୁ ପାଣି ବୋହିବା ସହିତ ମଥା, ନାକ ଓ ଆଖି ଉପର ଅଂଶ ଦରଜ ହୋଇଥାଏ। ଏହି ସମସ୍ୟା ପ୍ରାୟ ୧ ମାସ ପର୍ଯ୍ୟନ୍ତ ଲାଗି ରହିଥାଏ। ଏଥିରେ ନିଃଶ୍ବାସ ନଳୀର ଉପର ଅଂଶ ସଂକ୍ରମିତ ହୋଇଯାଏ। ସବ୍ ଆକ୍ୟୁଟ୍ ସାଇନସ୍ କ୍ଷେତ୍ରରେ ୨ ମାସ ପର୍ଯ୍ୟନ୍ତ ଥଣ୍ଡାଜନିତ ଲକ୍ଷଣ ଦେଖାଯାଏ। ଏହାକୁ କ୍ରନିକ୍ ସାଇନସ୍ ବୋଲି ମଧ୍ୟ କୁହାଯାଇପାରେ। ଏହା ପରବର୍ତ୍ତି ସମୟରେ ଆସ୍ଥମା ସମସ୍ୟାକୁ ଟାଣିଆଣେ। ଶିଶୁଙ୍କ କ୍ଷେତ୍ରରେ ସବ୍ ଆକ୍ୟୁଟ୍ ହେବାର ଆଶଙ୍କା ୮ରୁ ୧୦ ବର୍ଷ ମଧ୍ୟରେ ଅଧିକ ଥାଏ। ଲହରା କାଶ, ଆସ୍ଥମା କିମ୍ବା ଆଲର୍ଜି ସମ୍ପର୍କିତ କୌଣସି ରୋଗ ପୂର୍ବରୁ ଥିଲେ, ରିକ୍ୟୁରେଣ୍ଟ୍ ସାଇନସ୍ ଦେଖାଯାଏ। ଏହା ଏକ ଜଟିଳ ଅବସ୍ଥା ଏବଂ ଶୀଘ୍ର ଏହାର ଚିକିତ୍ସା କରିନେବା ଉଚିତ।
ଘରୋଇ ଉପଚାର
ସାଇନସ୍ରେ ମୁଣ୍ଡବିନ୍ଧା ହ୍ରାସ କରିବା କରିବା ପାଇଁ ନିଜେ ନିଜ ହିସାବରେ କିମ୍ବା ଔଷଧ ଦୋକାନୀଙ୍କୁ ପଚାରି ପେନ୍କିଲର୍ ଖାଇଦେବା ଉଚିତ ନୁହେଁ। ଥଣ୍ଡାଜନିତ ଲକ୍ଷଣକୁ ଦୂରେଇବା ପାଇଁ ଅନେକଜଣ ଆଣ୍ଟିବାୟୋଟିକ୍ର ସାହାରା ମଧ୍ୟ ନେଇଥାନ୍ତି। କିନ୍ତୁ ଏସବୁ ଆଦୌ କରିବା ଉଚିତ ନୁହେଁ। ସାଇନୋସାଇଟିସ୍ର ଲକ୍ଷଣ ଜଣାପଡ଼ୁଥିଲେ, ପ୍ରଥମେ ‘ଇଏନ୍ଟି’ ବିଭାଗର ଡାକ୍ତରଙ୍କ ସହ ପରାମର୍ଶ କରି, ଲକ୍ଷଣ ଅନୁସାରେ ଔଷଧ ଖାଇବା ଉଚିତ। କାରଣ ରୋଗୀର ଲକ୍ଷଣ ଓ ବୟସ ଅନୁସାରେ ଔଷଧ ଭିନ୍ନ ଥାଏ। ଏହା ବ୍ୟତୀତ ସାଇନସ୍ ଦୂର ପାଇଁ ଅନେକ ଘରୋଇ ଉପାୟ ମଧ୍ୟ ଅଛି। ଶରୀରରେ ଜଳୀୟ ଅଂଶ କମ୍ ହେଲେ ସାଇନସ୍ ସମସ୍ୟା ବୃଦ୍ଧି ପାଇଥାଏ। ତେଣୁ ଶରୀରକୁ ହାଇଡ୍ରେଡ୍ ରଖିବା ପାଇଁ ସଠିକ୍ ପରିମାଣରେ ପାଣି ପିଇବା ସହିତ ବିନା ଚିନିର ଜୁସ୍ ପିଇପାରିବେ।
କାରଣ ତରଳ ପଦାର୍ଥ କଫକୁ ବାହାର କରିଦେଇଥାଏ। ଆଲର୍ଜି ବା ସଂକ୍ରମଣରୁ ରକ୍ଷା ପାଇବାକୁ ହେଲେ, ଘରର ବେଡ୍ସିଟ୍, ପରଦା, ସୋଫା କଭର୍, କୁସନ୍ ଓ ମ୍ୟାଟ୍ ଆଦି ସଫାସୁତୁରା ରଖନ୍ତୁ। ଘରକୁ ବିଶୁଦ୍ଧ ପବନ ଆସିବା ପାଇଁ ଝରକା ଖୋଲନ୍ତୁ। କମ୍ ତାପମାତ୍ରାରେ ରହିବା, ଶୀତଦିନରେ ଭୋରୁ ମର୍ଣ୍ଣିଂୱାକ୍ ଯିବା କିମ୍ବା ସୁଇମିଙ୍ଗ୍ ଆଦିରୁ ବିରତ ରହିବା ଉଚିତ। ଗୋଟିଏ ବଡ଼ ପାତ୍ରରେ ଗରମ ପାଣି ନେଇ ସେଥିରେ ୩ ବୁନ୍ଦା ପିପର୍ମିଣ୍ଟ୍ ତେଲ, ୩ ବୁନ୍ଦା ନୀଳଗିରି ତେଲ ପକାଇ ବାମ୍ଫ ନେବା ପରେ ନିଃଶ୍ବାସ ନେବା ସହଜ ହୁଏ ଏବଂ ଆରାମ ଅନୁଭବ ହୋଇଥାଏ। ହଳଦୀ ଓ ଅଦାରେ ଆଣ୍ଟିଅକ୍ସିଡାଣ୍ଟ୍ ଓ ଆଣ୍ଟିଇନ୍ଫ୍ଲାମେଣ୍ଟାରୀ ଗୁଣ ଥିବାରୁ ହଳଦୀ ଓ ଅଦା ମିଶ୍ରିତ ଚା’ ପିଇପାରିବେ। ଏକ ଚାମଚ ମହୁ ସହିତ ତାଜା ଅଦାର ରସ ମିଶାଇ ରଖିଦିଅନ୍ତୁ। ଏହାକୁ ଦିନକୁ ୨-୩ ଥର ଖାଇପାରିବେ। ଶରୀରରେ ଜମି ରହିଥିବା କଫ ଦୂର ପାଇଁ ଗରମ ସୁପ୍ ବେଶ୍ ଲାଭଦାୟକ। ଶୀତଦିନରେ ଭେଜିଟେବୁଲ୍ ସୁପ୍ ପିଇବା ଦ୍ବାରା ସାଇନସ୍ ରୋଗୀଙ୍କୁ ଆରାମ ମିଳିଥାଏ।