୭୬ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କରି କ’ଣ କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପଢନ୍ତୁ ସମ୍ପୁର୍ଣ୍ଣ ଭାଷଣ

ମୋର ପ୍ରିୟ ଦେଶବାସୀ, 

ନମସ୍କାର !

୭୬ ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଦେଶରେ ଏବଂ ଦେଶ ବାହାରେ ରହୁଥିବା ସମସ୍ତ ଭାରତୀୟଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ଆପଣମାନଙ୍କୁ ସମ୍ବୋଧିତ କରି ମୁଁ ଅତ୍ୟନ୍ତ ଆନନ୍ଦିତ । ଭାରତ ଏକ ସ୍ୱାଧୀନ ରାଷ୍ଟ୍ରଭାବେ ୭୫ ବର୍ଷ ପୂରଣ କରୁଛି । ଅଗଷ୍ଟ ୧୪ ତାରିଖ “ଦେଶ ବିଭାଜନ ବିଭୀଷିକା ସ୍ମରଣ ଦିବସ” ଭାବେ ପାଳିତ ହେଉଛି । ସାମାଜିକ ସଦଭାବର ପ୍ରୋତ୍ସାହନ, ଏକତା ରକ୍ଷା ଓ ଜନତାଙ୍କ ସଶକ୍ତୀକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏହି ଦିବସ ପାଳନର ଉଦ୍ଦେଶ୍ୟ । ଆସନ୍ତା କାଲିର ଦିନଟିରେ ଆମେ ଉପନିବେଶବାଦୀ ଶାସନର ଶୃଙ୍ଖଳରୁ ମୁକ୍ତ ହୋଇ ଆମ ଭାଗ୍ୟର ପୁନନିର୍ମାଣ ନିଷ୍ପତ୍ତି ନେଇଥିଲୁ । ଆମେ ସମସ୍ତେ ସେହି ମହାନ ଦିବସଟିକୁ ପାଳନ କରିବା ବେଳେ ସ୍ୱାଧୀନ ଭାରତ ପାଇଁ ଅତୁଳନୀୟ ତ୍ୟାଗ ସ୍ୱୀକାର କରିଥିବା ଏବଂ ପ୍ରାଣବଳୀ ଦେଇଥିବା ଅଗଣିତ ନରନାରୀଙ୍କ ନିକଟରେ ନତମସ୍ତକ । ସେମାନଙ୍କ ପାଇଁ ସ୍ୱାଧୀନ ଭାରତରେ ବଞ୍ଚିବାକୁ ଆଜି ଆମେ ସମର୍ଥ ହୋଇଛୁ ।

ଏହା କେବଳ ଆମ ପାଇଁ ଉତ୍ସବ ପାଳନର ଅବସର ନୁହେଁ, ଗଣତନ୍ତ୍ରରେ ବିଶ୍ୱାସ କରୁଥିବା ବିଶ୍ୱର ପ୍ରତ୍ୟେକଙ୍କ ନିମନ୍ତେ ଏହା ଏକ ମହାର୍ଘ୍ୟ ଦିନ । ଭାରତ ଯେତେବେଳେ ସ୍ୱାଧୀନତା ଲାଭ କଲା, ସେତେବେଳେ ଅନେକ ଆନ୍ତର୍ଜାତିକସ୍ତରର ନେତା ଓ ବିଶେଷଜ୍ଞ ଭାରତରେ ଗଣତାନ୍ତ୍ରିକ ସରକାରର ସଫଳତା ଘେନି ସନ୍ଦେହ ପ୍ରକଟ କରିଥିଲେ । ଏଥିପାଇଁ ସେମାନେ ଅନେକ କାରଣ ଦେଖିଥିଲେ ଯାହା ସେମାନଙ୍କ ସଂଶୟ ବଢ଼ାଇଥିଲା । ସେହି ସମୟରେ ଗଣତନ୍ତ୍ର କେବଳ ଆର୍ଥିକ ଦୃଷ୍ଟିରୁ ଅଗ୍ରସର ଦେଶମାନଙ୍କ ମଧ୍ୟରେ ସୀମିତ ଥିଲା । ଭାରତ ଦୀର୍ଘକାଳର ବିଦେଶୀ ଶାସନରେ ଶୋଷିତ ହୋଇ ଦାରିଦ୍ର୍ୟ ଓ ଅଶିକ୍ଷା ମଧ୍ୟରେ ବୁଡି ରହିଥିଲା । ଆମେ ଭାରତବାସୀ ସେହି ସଂଶୟବାଦୀଙ୍କୁ ଭୁଲ ପ୍ରମାଣିତ କରିପାରିଥିଲୁ । ଭାରତ ମାଟିରେ ଗଣତନ୍ତ୍ର କେବଳ ଚେର ମାଡି ନାହିଁ, ଏହା ମଧ୍ୟ ସମୃଦ୍ଧ ହୋଇଛି ।

ବିଶ୍ୱର ଅନେକ ସୁପ୍ରତିଷ୍ଠିତ ଗଣତାନ୍ତ୍ରିକ ରାଷ୍ଟ୍ରରେ ମହିଳାମାନେ ଭୋଟ ଦେବାର ଅଧିକାର ପାଇବାକୁ ଦୀର୍ଘକାଳ ପର୍ଯ୍ୟନ୍ତ ଲଢ଼େଇ କରିଥିଲେ । ଭାରତ, କିନ୍ତୁ ଏହାର ସାଧାରଣତନ୍ତ୍ର ଗଠନ କାଳରୁ ସାର୍ବଜନୀନ ସାବାଳକ ଭୋଟ ଅଧିକାର ବ୍ୟବସ୍ଥା ପ୍ରବର୍ତ୍ତନ କରି ପୁରୁଷଙ୍କ ସହିତ ମହିଳାଙ୍କୁ ମତଦାନର ଅଧିକାର ପ୍ରଦାନ କରିଥିଲା । ଅତଏବ ଆଧୁନିକ ଭାରତର ନିର୍ମାତାମାନେ ଦେଶର ପ୍ରତ୍ୟେକ ସାବାଳକ ନାଗରିକଙ୍କୁ ରାଷ୍ଟ୍ର ନିର୍ମାଣର ସମ୍ମିଳିତ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ସୁଯୋଗ ପ୍ରଦାନ କରିଥିଲେ । ତେଣୁ ଗଣତନ୍ତ୍ରର ବାସ୍ତବ କ୍ଷମତା ଆବିଷ୍କାର କରିବାରେ ସମଗ୍ର ବିଶ୍ୱକୁ ଦିଗଦର୍ଶନ ଦେବାର ଶ୍ରେୟ ଭାରତକୁ ଯାଏ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ।

ଏହା ତତ୍କାଳୀୟ ନଥିଲା ବୋଲି ମୁଁ ବିଶ୍ୱାସ କରେ । ସଭ୍ୟତାର ଆରମ୍ଭରୁ ଏହି ମାଟିର ସାଧୁସନ୍ଥଗଣ ମାନବତାର ଯେଉଁ ବିଚାର ଓ ଦୃଷ୍ଟି ବିକଶିତ କରିଥିଲେ ସେଥିରେ ସାର୍ବଜନୀନ ସମାନତା ଗୁରୁତ୍ୱ ପାଇଥିଲା । ଏହି ସମାନତା ବାସ୍ତବରେ ଏକତା । ମହାନ ମୁକ୍ତି ସଂଗ୍ରାମ ଏବଂ ମହାତ୍ମା ଗାନ୍ଧିଙ୍କ ଭଳି ନେତା ଆଧୁନିକ ସମୟ ପାଇଁ ଆମ ପ୍ରାଚୀନ ମୂଲ୍ୟବୋଧକୁ ପୁନଃ ଆବିଷ୍କାର କରିଥିଲେ । ତେଣୁ ଆମ ଗଣତନ୍ତ୍ରରେ ଭାରତୀୟ ବୈଶିଷ୍ଟ୍ୟ ରହିଛି ଓ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଗାନ୍ଧିଜୀ ବିକେନ୍ଦ୍ରୀକରଣ ଏବଂ ଲୋକଙ୍କୁ କ୍ଷମତା ପ୍ରଦାନର ଦୃଢ଼ ସମର୍ଥକ ଥିଲେ ।

ଗତ ୭୫ ସପ୍ତାହ ଧରି ଆମ ଦେଶ ଆମକୁ ସ୍ୱାଧୀନତା ଦେଇଥିବା ମହାନ ବିଚାର ଓ ଆଦର୍ଶର ସ୍ମୃତିଚାରଣ କରିଆସୁଛି । ସେଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଛି । ଦାଣ୍ଡିଯାତ୍ରାର ସ୍ମୃତିକୁ ପୁନଃ ଜାଗରିତ କରିବା ପାଇଁ ତାହାର ଏକ ପୁନରାବୃତ୍ତି କରାଯାଇ ୨୦୨୧ ମାର୍ଚ୍ଚରେ ଆମେ “ଆଜାଦୀର ଅମୃତ ମହୋତ୍ସବ” ପାଳନ ଆରମ୍ଭ କରିଥିଲୁ । ଏପରି ଏକ ଉତ୍ସବ ଆୟୋଜନ କରି ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇଥିବା ଆମର ଏକ ଯୁଗାନ୍ତକାରୀ ଘଟଣା ଓ ସଂଗ୍ରାମକୁ ସ୍ମରଣ କରିବା ସହିତ ଆମେ ଏହା ସହିତ ଜଡିତ ମୁକ୍ତିସଂଗ୍ରାମୀ ଓ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛୁ । ଏହି ଉତ୍ସବ ଭାରତର ଜନତାଙ୍କ ପାଇଁ ଉତ୍ସର୍ଗୀକୃତ । ଆତ୍ମନିର୍ଭର ଭାରତ ନିର୍ମାଣର ସଂକଳ୍ପ ମଧ୍ୟ ଏହି ମହୋତ୍ସବର ଅଂଶ ବିଶେଷ । ଜନତାଙ୍କ ଦ୍ୱାରା ହାସଲ କରାଯାଇଥିବା ସଫଳତା ଆଧାରରେ ‘ଆତ୍ମନିର୍ଭର ଭାରତ’ ନିର୍ମାଣର ପ୍ରୟାସ ଆରମ୍ଭ ହୋଇଛି । ଦେଶର ବିଭିନ୍ନ ଭାଗରେ ଏହି ଅବସରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ସବୁ ବୟସର ଲୋକେ ଆଗ୍ରହର ସହିତ ସାମିଲ ହୋଇଛନ୍ତି । “ହର ଘର ତିରଙ୍ଗା ଅଭିଯାନ” ସହିତ ଏହି ମହା ଉତ୍ସବ ଆଗେଇ ଚାଲିଛି । ଦେଶର କୋଣ ଅନୁକୋଣରେ ଭାରତୀୟ ତ୍ରିରଙ୍ଗା ଧ୍ୱଜା ଫରଫର ହୋଇ ଉଡୁଛି । ଏବେ ସମଗ୍ର ଦେଶରେ ସ୍ୱାଧୀନତା ଆନ୍ଦୋଳନର ଉତ୍ସାହ ଓ ଚେତନାର ଯେଉଁ ପୁନଃ ପ୍ରକାଶ ଘଟିଛି ତାହା ଦେଖିଥିଲେ ଆମ ସହିଦମାନେ ଅବଶ୍ୟ ଉଲ୍ଲସିତ ହୋଇଥାନ୍ତେ ।

ଆମ ଗୌରବୋଜ୍ଜ୍ୱଳ ମୁକ୍ତି ସଂଗ୍ରାମ ଦେଶର ବିରାଟ ଭୂଖଣ୍ଡର ବିଭିନ୍ନ ପ୍ରାନ୍ତରେ ସଂଘଟିତ ହୋଇଥିଲା । ମୁକ୍ତି ସଂଗ୍ରାମୀମାନେ ଅତ୍ୟନ୍ତ ସାହସର ସହିତ ଏହି ଲଢ଼େଇ ଲଢ଼ିଥିଲେ । ଅନେକ ମହାନ ମୁକ୍ତିସଂଗ୍ରାମୀ ନିଜର ଦାୟୀତ୍ୱ ସଫଳତାର ସହ ନିର୍ବାହ କରି ନୂତନ ପିଢ଼ିକୁ ଜାଗରଣର ଆଲୋକବର୍ତ୍ତିକା ହସ୍ତାନ୍ତର କରିଥିଲେ । ସେମାନେ ଯେଉଁ ବୀରତ୍ୱ ପ୍ରଦର୍ଶନ କରିଥିଲେ ତାହାର ଲେସମାତ୍ର ଚିହ୍ନ ଛାଡିଯାଇନଥିଲେ । ଏହି ପ୍ରକ୍ରିୟାରେ ଅନେକ ବୀର, ମୁକ୍ତିସଂଗ୍ରାମୀ ବିସ୍ମୃତ ହୋଇଯାଇଛନ୍ତି । ସେମାନଙ୍କ ଜୀବନୀ ଓ କାର୍ଯ୍ୟାବଳୀ ବିଷୟରେ କୌଣସି ସୂଚନା ମିଳେନାହିଁ । ବିଶେଷ କରି ଦେଶର କୃଷକ ଓ ଆଦିବାସୀ ସମୁଦାୟଙ୍କ ମଧ୍ୟରେ ଏଭଳି ଅଧିକ ସଂଗ୍ରାମୀ ଓ ବୀର ବିସ୍ମୃତ ହୋଇଛନ୍ତି । ଅତଏବ ନଭେମ୍ବର ୧୫କୁ “ଜନଜାତୀୟ ଗୌରବ ଦିବସ” ଭାବେ ପାଳନ କରିବାକୁ ସରକାର ଗତବର୍ଷ ଯେଉଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ତାହା ସ୍ୱାଗତଯୋଗ୍ୟ । ଆମର ଆଦିବାସୀ ବୀର ମୁକ୍ତିସଂଗ୍ରାମୀମାନେ କେବଳ ସ୍ଥାନୀୟ ବା ଆଞ୍ଚଳିକ ସ୍ତରରେ ପ୍ରସିଦ୍ଧ ନୁହଁନ୍ତି, ସେମାନେ ସମଗ୍ର ଦେଶକୁ ଅନୁପ୍ରେରିତ କରନ୍ତି ।

ପ୍ରିୟ ଦେଶବାସୀ,

ଭାରତ ଭଳି ଏକ ପ୍ରାଚୀନ ଦେଶ ପାଇଁ ୭୫ ବର୍ଷ ଅତିକ୍ରମ କରିବା, ଆଖିର ପଲକ ପକାଇବା ଭଳି ସମୟ । ତେବେ ବ୍ୟକ୍ତି ହିସାବରେ ଆମ ପାଇଁ ଏହା ଏକ ଯୁଗ, ଗୋଟେ ସମଗ୍ର ଜୀବନକାଳ । ଆମ ଗହଣରେ ଥିବା ବରିଷ୍ଠ ନାଗରିକମାନେ ସେମାନଙ୍କ ଜୀବନ କାଳରେ ନାଟକୀୟ ପରିବର୍ତ୍ତନ ଦେଖିଛନ୍ତି । ସ୍ୱାଧୀନତା ଲାଭ ପରେ ସବୁ ପିଢ଼ି କିପରି କଠୋର ପରିଶ୍ରମ କରିଛି ତାହା ସେମାନେ ଦେଖିବାକୁ ପାଇଛନ୍ତି ଏବଂ ଆମେ କିପରି ବଡବଡ ଆହ୍ୱାନ ଓ ସମସ୍ୟାର ସମ୍ମୁଖୀନ ହୋଇ ନିଜେ ନିଜର ଭାଗ୍ୟ ନିଅନ୍ତା ହୋଇ ପାରିଛନ୍ତି ସେମାନେ ତାହା ଦେଖିଛନ୍ତି । ଏହି ପ୍ରକ୍ରିୟାରେ ଆମେ ପାଇଥିବା ଶିକ୍ଷା ଆମକୁ ରାଷ୍ଟ୍ରରେ ପରବର୍ତ୍ତୀ ଯାତ୍ରାକାଳ ‘ଅମୃତ କାଳ’ ପାଇଁ ବିଶେଷ ସାହାଯ୍ୟ କରିବ । ସ୍ୱାଧୀନତାର ଏକଶତ ବର୍ଷ ପୂର୍ତ୍ତି ପାଇଁ ଆମକୁ ଆସନ୍ତା ୨୫ ବର୍ଷ ବା ‘ଅମୃତ କାଳ’ ନିମନ୍ତେ ପ୍ରସ୍ତୁତ ହେବାକୁ ପଡିବ ।

୨୦୪୭ ସୁଦ୍ଧା ଆମେ ଆମ ମୁକ୍ତି ସଂଗ୍ରାମୀମାନଙ୍କର ସ୍ୱପ୍ନକୁ ସଂପୂର୍ଣ୍ଣ ଭାବେ ସାକାର କରିପାରିବା । ବାବା ସାହେବ ଆମ୍ବେଦକରଙ୍କ ନେତୃତ୍ୱରେ ଯେଉଁମାନେ ସମ୍ବିଧାନ ପ୍ରଣୟନ କରିଥିଲେ ସେମାନଙ୍କ ଦୂରଦୃଷ୍ଟି ଓ ଲକ୍ଷ୍ୟକୁ ପୂର୍ଣ୍ଣାଙ୍ଗ ରୂପ ଦେଇପାରିବା । ଆମେ ଆତ୍ମନିର୍ଭର ଭାରତ ନିର୍ମାଣ ପଥେ ଏବେ ଅଗ୍ରସର । ଆମେ ସେହି ଭାରତ ନିର୍ମାଣ କରିବାରେ ପ୍ରୟାସୀ ଯାହା ନିଜର ସମ୍ପୂର୍ଣ୍ଣ ସାମର୍ଥ୍ୟକୁ ବିନିଯୋଗ କରିପାରିବ ।

ନିକଟ ଅତୀତରେ ବିଶେଷ କରି କୋଭିଡ ପରବର୍ତ୍ତୀ ସମୟରେ ଏକ ଉତଥାନମୁଖୀ ନୂଆ ଭାରତକୁ ସମଗ୍ର ବିଶ୍ୱ ଦେଖିବାକୁ ପାଇଛି । ମହାମାରୀ ମୁକାବିଲାରେ ଆମ ଉଦ୍ୟମ ସର୍ବତ୍ର ଚର୍ଚିତ ଓ ପ୍ରଶଂସିତ । ଦେଶରେ କରୋନା ମହାମାରୀ ଟିକା ତିଆରି କରି ମାନବ ଇତିହାସର ସର୍ବବୃହତ ଟିକାଦାନ ଅଭିଯାନ ଆମେ ଭାରତରେ ଆରମ୍ଭ କରିଛୁ । ଟିକା ପ୍ରଦାନ କ୍ଷେତ୍ରରେ ଗତ ମାସରେ ଆମେ ୨୦୦ କୋଟି ସଂଖ୍ୟା ଅତିକ୍ରମ କରିଛୁ । ମହାମାରୀ ମୁକାବିଲାରେ ଆମର ସଫଳତା ଅନେକ ବିକଶିତ ଦେଶଙ୍କଠାରୁ ଅଧିକ ଭଲ । ଏହି ସଫଳତା ପାଇଁ ଆମେ ଆମର ବୈଜ୍ଞାନିକ, ଡାକ୍ତର, ସେବିକା, ପାରାମେଡିକ୍ସ ତଥା ଟିକାଦାନରେ ସଂପୃକ୍ତ କର୍ମଚାରୀମାନଙ୍କ ନିକଟରେ କୃତଜ୍ଞ ।

ମହାମାରୀ ସମଗ୍ର ବିଶ୍ୱର ଜନଜୀବନ ଓ ଅର୍ଥନୀତିକୁ ଉଜାଡି ଦେଇଛି । ଏବେ ସମଗ୍ର ବିଶ୍ୱ ବିଗିଡି ଯାଇଥିବା ଅର୍ଥନୀତିକୁ ସୁଧାରିବା ପାଇଁ ସଂଗ୍ରାମ କରୁଥିବା ବେଳେ ଭାରତ ବିଭିନ୍ନ ପଦକ୍ଷେପ ଗ୍ରହଣ କରି ଆପଣାର ଅର୍ଥନୀତିକୁ ଠିକଣାବାଟକୁ ଆଣି ଅଭିବୃଦ୍ଧି ପଥେ ଆଗେଇ ଚାଲିଛି । ଭାରତ ଏବେ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରେ ଅନ୍ୟତମ । ଭାରତର ଷ୍ଟାର୍ଟଅପ ପରିତନ୍ତ୍ରର ସ୍ଥିତି ବିଶ୍ୱରେ ବହୁ ଉପରେ । ଆମ ଦେଶରେ ଷ୍ଟାର୍ଟଅପ ଗୁଡିକର ସଫଳତା ବିଶେଷ କରି ୟୁନିକର୍ଣ୍ଣର ସଂଖ୍ୟା ବୃଦ୍ଧି ଭାରତର ଶିଳ୍ପ ପ୍ରଗତିର ଜ୍ୱଳନ୍ତ ଉଦାହରଣ । ବୈଶ୍ୱିକ ଧାରାକୁ ଭାଙ୍ଗି ଭାରତର ଅର୍ଥନୀତିକ ଅଭିବୃଦ୍ଧିକୁ ବଢ଼ାଇବାର ଶ୍ରେୟ ଆମ ସରକାର ଏବଂ ନୀତି-ନିର୍ମାତା ପାଇବାକୁ ହକଦାର । ଗତ କେଇ ବର୍ଷ ମଧ୍ୟରେ ଦେଶରେ ଭୌତିକ ଓ ଡିଜିଟାଲ ଭିତ୍ତିଭୂମି ନିର୍ମାଣରେ ଅଭୂତପୂର୍ବ ବିକାଶ ଘଟିଛି । ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା ମାଧ୍ୟମରେ ଜଳ, ସ୍ଥଳ ଓ ଆକାଶ ପଥରେ ସମଗ୍ର ଦେଶ ଯୋଡି ହୋଇଯାଇଛି । ଏହା ଫଳରେ ସମଗ୍ର ଦେଶରେ ପରିବହନ ସୁବିଧା ଉଲ୍ଲେଖନୀୟ ଭାବେ ବଢ଼ିଛି । ଆମ ଅଭିବୃଦ୍ଧି ସଫଳତାର ପଛରେ ରହିଛନ୍ତି ଦେଶର ଶ୍ରମିକ, କୃଷକ ଓ ଉଦ୍ୟୋଗୀମାନେ । କୃଷକ ଶ୍ରମିକଙ୍କ କଠୋର ଶ୍ରମ ଏବଂ ଉଦ୍ୟୋଗୀୀମାନଙ୍କ ବ୍ୟାବସାୟିକ ବିଚକ୍ଷଣତା ଦେଶ ପାଇଁ ଧନ ସମ୍ପଦ ସୃଷ୍ଟି କରୁଛି । ଆହୁରି ଆନନ୍ଦର ବିଷୟ ହେଲା ଅଭିବୃଦ୍ଧି ସମାବେଶୀ ହୋଇଛି ଏବଂ ଆଞ୍ଚଳିକ ବୈଷମ୍ୟ ହ୍ରାସ ପାଉଛି ।

ଏହା କେବଳ ଆରମ୍ଭ ମାତ୍ର । ଦୀର୍ଘମିଆଦି ଅଭିବୃଦ୍ଧି ହାସଲ ଓ ଆର୍ଥିକ ପ୍ରଗତି ପାଇଁ ଅନେକ ଅର୍ଥନୀତିକ ସଂସ୍କାର ଓ ସରକାରୀ ନୀତି କାର୍ଯ୍ୟକାରୀ ହେଉଛି । ଉଦାହରଣ ସ୍ୱରୂପ ଡିଜିଟାଲ ଇଣ୍ଡିଆ, ଜ୍ଞାନ ଅର୍ଥନୀତିର ଆଧାରଶୀଳା ତିଆରି କରୁଛି । ‘ଜାତୀୟ ଶିକ୍ଷା ନୀତି’ ପରବର୍ତ୍ତୀ ପିଢ଼ିର ଶିଳ୍ପ ବିପ୍ଳବ ପାଇଁ ନୂଆ ଲୋକଶକ୍ତି ତିଆରି କରିବାକୁ ଉଦ୍ଦିଷ୍ଟ । ଏହି ଶିକ୍ଷାନୀତି ଯେଉଁ ନୂଆ ଶିକ୍ଷିତ ପିଢ଼ି ସୃଷ୍ଟି କରିବ ସେମାନେ ବିକାଶ ସହିତ ଆମ ଐତିହ୍ୟକୁ ପୁନଃ ସଂଯୋଜିତ କରିବେ ।

ଅର୍ଥନୀତିକ ସଫଳତା ମଧ୍ୟ ଜୀବନକୁ ସହଜ ଓ ସୁଗମ କରିବାର ବାଟ ଦେଖାଉଛି । ଅର୍ଥନୀତିକ ସଂସ୍କାର ସହିତ ନିର୍ଭୁଲ ଭାବେ ଅଭିନବ କଲ୍ୟାଣକାରୀ ଯୋଜନା ଓ କାର୍ଯ୍ୟକ୍ରମକୁ ସଂଶ୍ଳିଷ୍ଟ କରାଯାଇଛି । ନିଜର ଘର ଖଣ୍ଡିଏ ପାଇବା ଗରିବଙ୍କର ଆଉ ସ୍ୱପ୍ନ ହୋଇ ରହିନାହିଁ । ଅଧିକରୁ ଅଧିକ ବାସହୀନଙ୍କ ପାଇଁ ଏହା ଏକ ବାସ୍ତବତାରେ ପରିଣତ ହୋଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଫଳତା ଏହି ପରିପ୍ରେକ୍ଷୀରେ ପ୍ରଶଂସନୀୟ । ସେହିଭଳି ‘ଜଳ ଜୀବନ ମିଶନ’ ମାଧ୍ୟମରେ ‘ହରଘର ଜଲ୍’ ଯୋଜନାରେ ସବୁ ଘରକୁ ଟ୍ୟାପ ପାଣି ଯୋଗାଇ ଦିଆଯାଉଛି ।

ଏହିସବୁ ଯୋଜନା ଓ ଅନ୍ୟାନ୍ୟ ଅନୁରୂପ କାର୍ଯ୍ୟକ୍ରମ ମାଧ୍ୟମରେ ନିର୍ଦ୍ଦିଷ୍ଟ ଭାବେ ଗରିବଙ୍କ ସହିତ ସମସ୍ତଙ୍କୁ ମୌଳିକ ସୁବିଧାସୁଯୋଗ ଯୋଗାଇ ଦେବାକୁ ଲକ୍ଷ୍ୟ ରଖି ସରକାର କାମ କରୁଛନ୍ତି । ଦରିଦ୍ର, ବଞ୍ଚିତ, ଅବହେଳିତ ଓ ଅଭାବୀ ଲୋକଙ୍କ ପ୍ରତି ଏବେ ଅଧିକ ସହାନୁଭୂତି ଓ ଗୁରୁତ୍ୱ ପ୍ରଦାନ କରାଯାଉଛି । ଆମର କେତେକ ଜାତୀୟ ମୂଲ୍ୟବୋଧକୁ ସମ୍ବିଧାନରେ ସ୍ଥାନିତ କରାଯାଇ ତାହାକୁ ନାଗରିକଙ୍କ ମୌଳିକ କର୍ତ୍ତବ୍ୟ ବର୍ଗରେ ଅନ୍ତର୍ଭୁକ୍ତ କରାଯାଇଛି । ମୁଁ ସବୁ ନାଗରିକଙ୍କୁ ଅନୁରୋଧ କରୁଛି ସେମାନେ ନିଜର ମୌଳିକ କର୍ତ୍ତବ୍ୟ ବିଷୟରେ ଅବଗତ ହୋଇ ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରନ୍ତୁ । ଏହା ଦ୍ୱାରା ଆମ ଦେଶ ନୂଆ ଶିଖର ଛୁଇଁପାରିବ ।

ପ୍ରିୟ ଦେଶବାସୀ,

ଆମେ ସ୍ୱାସ୍ଥ୍ୟସେବା, ଶିକ୍ଷା, ଅର୍ଥନୀତି ସହିତ ଆହୁରି ଅନେକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଦେଖୁଛୁ । ଏହି ପରିବର୍ତ୍ତନ ପ୍ରକ୍ରିୟାର ମୂଳରେ ରହିଛି ସୁଶାସନର ଲକ୍ଷ୍ୟ । ଯେତେବେଳେ ‘ଦେଶ ଆଗ’ ବିଚାରରେ କାମ ହେଉଛି, ତାହାର ପ୍ରଭାବ ନିଶ୍ଚିତ ଭାବେ ପ୍ରତ୍ୟେକ ନିଷ୍ପତ୍ତି ଓ ପ୍ରତ୍ୟେକ କ୍ଷେତ୍ରରେ ପଡିବା ସ୍ୱଭାବିକ । ଏହା ମଧ୍ୟ ବିଶ୍ୱରେ ଭାରତର ସ୍ଥିତି ଉପରେ ପ୍ରଭାବ ପକାଉଛି ।

ଭାରତ ଏବେ ଯେଉଁ ନୂଆ ଆତ୍ମବିଶ୍ୱାସ ପାଉଛି ତାହା ଆସୁଛି ତାହାର ଯୁବଶକ୍ତି, ଚାଷୀକୁଳ ଓ ମହିଳାବର୍ଗଙ୍କଠାରୁ । ସେମାନଙ୍କର ଉତ୍ସାହ ଓ ଶକ୍ତି ଭାରତକୁ ବେଗଗାମୀ କରାଉଛି । ଲିଙ୍ଗଗତ ଅସମାନତା ହ୍ରାସ ପାଉଛି ଏବଂ ମହିଳାମାନେ ଅନେକ ପ୍ରତିବନ୍ଧକ ଅତିକ୍ରମ କରି ଆଗକୁ ବଢ଼ୁଛନ୍ତି । ସାମାଜିକ ଓ ରାଜନୀତିକ ପ୍ରକ୍ରିୟାରେ ସେମାନଙ୍କ କ୍ରମବର୍ଦ୍ଧିଷ୍ଣୁ ଅଂଶଗ୍ରହଣ ନିର୍ଣ୍ଣାୟକ ସାବ୍ୟସ୍ତ ହେବ । ତୃଣମୂଳ ସ୍ତରରେ ପଞ୍ଚାୟତିରାଜ ଅନୁଷ୍ଠାନରେ ଏବେ ଆମ ଦେଶରେ ୧୪ ଲକ୍ଷରୁ ଅଧିକ ନିର୍ବାଚିତ ମହିଳା ପ୍ରତିନିଧି ରହିଛନ୍ତି ।

ଆମ ଝିଅମାନେ ଦେଶର ସବୁଠୁ ବଡ ଆଶା । ସେମାନଙ୍କ ମଧ୍ୟରୁ କେତେକ ନିକଟରେ ଶେଷ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ଜିଣି ଦେଶ ପାଇଁ ଗୌରବ ଆଣିଛନ୍ତି । ଏହା ଅବଶ୍ୟ ସତ୍ୟ ଯେ ଭାରତର କ୍ରୀଡାବିତମାନେ ବିଭିନ୍ନ ଆନ୍ତର୍ଜାତିକ କ୍ରୀଡା ପ୍ରତିଯୋଗିତାରେ ଉତ୍ତମ ପ୍ରଦର୍ଶନ କରି ଦେଶକୁ ଗର୍ବିତ କରୁଛନ୍ତି ଏହି ସବୁ ପଦକ ବିଜୟୀ କ୍ରୀଡାବିତମାନଙ୍କ ମଧ୍ୟରୁ ଏକ ବଡ ଭାଗ ସମାଜର ସୁବିଧାସୁଯୋଗରୁ ବଞ୍ଚିତ ଶ୍ରେଣୀ ଓ ବର୍ଗରୁ ଆସିଛନ୍ତି । ଲଢ଼ୁଆ ଯୁଦ୍ଧ ବିମାନର ବୈମାନିକ ହେବାଠାରୁ ମହାକାଶ ବିଜ୍ଞାନୀ ହେବା ପର୍ଯ୍ୟନ୍ତ ଆମ ଝିଅମାନେ ସଫଳତାର ନୂଆ ଉଚ୍ଚତା ଛୁଇଁଛନ୍ତି ।

ପ୍ରିୟ ନାଗରିକ,

ସ୍ୱାଧୀନତା ଦିବସ ପାଳନ ସହିତ ଆମେ ଆମର ଭାରତୀୟତାକୁ ମଧ୍ୟ ପାଳନ କରୁଛୁ । ଆମ ଦେଶ ବିବିଧତାରେ ପରିପୂର୍ଣ୍ଣ । ଏହା ସତ୍ତ୍ୱେ ଆମ ଭିତରେ କିଛି ସାଧାରଣ କଥା ଓ ସମାନତା ରହିଛି । ଏହି ସାଧାରଣ ସୂତ୍ର ଆମକୁ ଏକତା ସୂତ୍ରରେ ବାନ୍ଧିରଖି ଏକ ଭାରତ, ଶ୍ରେଷ୍ଠ ଭାରତ, ଚେତନାରେ କାମ କରିବାକୁ ଅନୁପ୍ରେରିତ କରୁଛି ।

ଭାରତ ଏବେ ଅତ୍ୟନ୍ତ ମନୋରମ ଦେଶ । ଏହାର ପର୍ବତମାଳା, ନଦନଦୀ, ହ୍ରଦ, ଜଙ୍ଗଲ, ପଶୁପକ୍ଷୀ ଏହାକୁ ଦର୍ଶନୀୟ କରିଛନ୍ତି । ଅତଏବ ପରିବେଶ ପ୍ରତି ଯେତେବେଳେ ବିପଦ ଆସୁଛି ସେତେବେଳେ ଆମକୁ ତାହାର ମୁକାବିଲା କରି ଭାରତର ସୌନ୍ଦର୍ଯ୍ୟ ରକ୍ଷା କରିବାକୁ ଅଙ୍ଗୀକୃତ ହେବାକୁ ପଡିବ । ଜଳ, ମୃତ୍ତିକା ଓ ଜୈବ ବିବିଧତାର ସଂରକ୍ଷଣ ଆମ ପିଲାମାନଙ୍କ ପାଇଁ ଆମର ଏକ ଦାୟୀତ୍ୱ । ପ୍ରକୃତିମାତାର ଯତ୍ନ ଓ ସୁରକ୍ଷା ଭାରତୀୟ ସଂସ୍କୃତିର ଅଂଶ ବିଶେଷ । ଆମେ ଆମର ପାରମ୍ପରିକ ଜୀବନଶୈଳୀ ମାଧ୍ୟମରେ ଅବଶିଷ୍ଟ ବିଶ୍ୱକୁ ବାଟ ଦେଖାଇପାରିବା । ଯୋଗ ଓ ଆୟୁର୍ବେଦ ବିଶ୍ୱକୁ ଭାରତର ଅମୂଲ୍ୟ ଉପହାର । ଉଭୟର ଲୋକପ୍ରିୟତା ବିଶ୍ୱବ୍ୟାପୀ ବୃଦ୍ଧି ପାଉଛି ।

ପ୍ରିୟ ଦେଶବାସୀ,

ଆମେ ଆମ ଜୀବନରେ ଯାହା ସବୁ ପାଇଛୁ, ତାହା ଆମକୁ ଆମର ପ୍ରିୟ ଦେଶ ଯୋଗାଇଛି । ଅତଏବ ଦେଶର ନିରାପତ୍ତା, ପ୍ରଗତି ଓ ସମୃଦ୍ଧି ପାଇଁ ଆମେ ପ୍ରତିଦାନରେ ସବୁକିଛି ଦେବାପାଇଁ ଶପଥ ନେବା ଉଚିତ । ଏକ ଗୌରବୋଜ୍ୱଳ ଭାରତ ନିର୍ମାଣ ଦ୍ୱାରା ଆମ ସ୍ଥିତି ଅର୍ଥପୂର୍ଣ୍ଣ ଓ ଯଥାର୍ଥ ହେବ । କନ୍ନଡ ଭାଷା ମାଧ୍ୟମରେ ଭାରତୀୟ ସାହିତ୍ୟକୁ ସମୃଦ୍ଧି କରିଥିବା ପ୍ରଖ୍ୟାତ ଜାତୀୟ କବି କୁବେମ୍ପୁ ଲେଖିଥିଲେ-

“ନାନୁ ଅଲିୱେ, ନିନୁ ଅଲିୱେ

ନମ୍ମ ଏଲୁବୁଗାଲ ମେଲେ

ମୁଦୁବୁଡୁ- ମୁଦୁବୁଡୁ

ନବଭାରତଡ ଲିଲେ”

ଅର୍ଥାତ – ‘ମୁଁ ଚାଲିଯିବି, ତୁମେ ମଧ୍ୟ

ମାତ୍ର, ଆମ ଅସ୍ଥି ଉପରେ ନବ ଭାରତର ମହାନ ଗାଥା ଲେଖାଯିବ’

ମାତୃଭୂମି ଏବଂ ଏହାର ନାଗରିକମାନଙ୍କ ପାଇଁ ପ୍ରାଣୋତ୍ସର୍ଗ କରିବାକୁ ଏହା ଥିଲା ଏହି ମହାନ ଜାତୀୟ କବିଙ୍କର ଦେଶବାସୀଙ୍କୁ ଆହ୍ୱାନ । ୨୦୪୭ର ନୂଆ ଭାରତର ନିର୍ମାଣ କରିବାକୁ ଯାଉଥିବା ଦେଶର ଯୁବସମାଜକୁ ମୋର ବିଶେଷ ଅନୁରୋଧ ସେମାନେ ଏହି ଆଦର୍ଶକୁ ଅନୁସରଣ କରନ୍ତୁ ।

ଉଦବୋଧନ ଶେଷ କରିବା ପୂର୍ବରୁ ମୁଁ ଦେଶର ସଶସ୍ତ୍ରବାହିନୀ, ବିଭିନ୍ନ ଦେଶରେ ଥିବା ଦୂତାବାସର ଅଧିକାରୀ ଓ କର୍ମଚାରୀ ଏବଂ ବିଦେଶରେ ରହି ନିଜର ମାତୃଭୂମିକୁ ଗୌରବାନ୍ୱିତ କରିବାକୁ ଚେଷ୍ଟିତ ପ୍ରବାସୀ ଭାରତୀୟମାନଙ୍କୁ ସ୍ୱାଧୀନତା ଦିବସର ଅଭିନନ୍ଦନ ଜଣାଉଛି । ଆପଣମାନଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା ।

ଧନ୍ୟବାଦ,

ଜୟହିନ୍ଦ୍

Leave a comment