ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ୧୨ ଜିଲ୍ଲା ପାଇଁ ୟେଲୋ ଆଲର୍ଟ, ବିଜୁଳି ଘଡ଼ଘଡ଼ି ସହ ହେବ କୁଆପଥର ମାଡ଼

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷାର ପ୍ରକୋପ ଅଧିକ ରହିଛି। ଗତ ୩୬ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ାରେ ରାଜ୍ୟର ସର୍ବାଧିକ ୪୬ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଭବାନୀପାଟଣାରେ ୨୪, ବଲାଙ୍ଗୀରରେ ୨୩, ସୋନପୁର ୧୭, ସମ୍ବଲପୁର ୨୦ ଓ ଅନଗୁଳରେ ୧୧ ମିମି ବର୍ଷା ହୋଇଛି। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ରାଜଧାନୀରେ ମଧ୍ୟ ବର୍ଷାର ପ୍ରଭାବ ଆରମ୍ଭ ହୋଇଯାଇଛି।

ଏହି ବର୍ଷା ୧୫ ତାରିଖ ପର୍ଯ୍ୟନ୍ତ ଜାରି ରହିବା ସହିତ ଆସନ୍ତା ୨ ଦିନ ଏହାର ପ୍ରଭାବ ଅଧିକ ରହିବ ବୋଲି ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚଆର ବିଶ୍ବାସ କହିଛନ୍ତି। ବୁଧବାର କାଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୋନପୁର, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ଅନଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଓ ସମ୍ବଲପୁର ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ କୁଆପଥର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର କହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ସେହିପରି ଗୁରୁବାର ପାଇଁ ମଧ୍ୟ ବିଭିନ୍ନ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ପଶ୍ଚିମ ସୀମାନ୍ତର ଜିଲ୍ଲାରେ ମେଘୁଆ ପାଗ ଆରମ୍ଭ ହୋଇଯାଇଛି। ୧୨-୧୫ ପର୍ଯ୍ୟନ୍ତ ସାରା ରାଜ୍ୟରେ ପାଗ ମେଘୁଆ ରହିବ। ମଙ୍ଗଳବାରଠାରୁ ରାଜ୍ୟକୁ ବଙ୍ଗୋପସାଗରୀୟ ପବନ ବହିବା ଆରମ୍ଭ ହୋଇଛି। ୧୬ରୁ ପୁଣି ଉତ୍ତରା ପବନ ବହିବା ସହିତ ତାପମାତ୍ରା କିଛି କମିବ। ମଙ୍ଗଳବାର ରାତିରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ସଂଲଗ୍ନ ଜିଲ୍ଲାରେ ହାଲୁକା ବର୍ଷା ହେବ। ବୁଧବାର ରାତି ସାରା ରାଜ୍ୟରେ ଅନେକ ସ୍ଥାନରେ ହାଲୁକା ବର୍ଷା ହେବ। ୧୩ ଓ ୧୪ରେ ସବୁଠାରୁ ଅଧିକ ବର୍ଷା ହେବ। ୧୫ ପର୍ଯ୍ୟନ୍ତ ସମୁଦାୟ ବର୍ଷା ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ହାରାହାରି ୪୦ ମିମି ଓ ସ୍ଥାନେ ସ୍ଥାନେ ୫୦ ମିମିରୁ ଅଧିକ ବର୍ଷା ହୋଇପାରେ । ୧୬-୧୯ ପାଗ ଶୁଖୁଲା ଓ ଖରାଟିଆ ରହିବ । ୧୨-୧୪ ପାଗ ଦିନରେ କୋହଲା ରହିବ । ୧୨ ରାତିରୁ ୧୫ ରାତି ପର୍ଯ୍ୟନ୍ତ ଘନ କୁହୁଡ଼ି ହେବା ସହିତ ୨୦ କିମ୍ବା ୨୧ରେ ପୁଣି ମେଘୁଆ ପାଗ ହେବାର ସମ୍ଭାବନା ରହିଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।

ପାଣିପାଗ କେନ୍ଦ୍ରର ସୂଚନାକୁ ଆଧାର କରି ରାଜ୍ୟ ସ୍ଵତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଛି । ଏହା ସହିତ ଅମଳ ହୋଇସାରିଥ୍‌ ଫସଲକୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ଚାଷୀମାନଙ୍କୁ ଏସଆରସି ପରାମର୍ଶ ଦେଇଛନ୍ତି। ରବି ଫସଲର ବୁଣାବୁଣିକୁ କିଛି ଦିନ ପାଇଁ ସ୍ଥଗିତ ରଖିବାକୁ କୁହାଯାଇଥିବା ବେଳେ ସୋରିଷ ଚାଷୀମାନେ ବିଲରେ ପାଣି ନ ମଡ଼ାଇବାକୁ କୁହାଯାଇଛି ।

Leave A Reply

Your email address will not be published.