କମିବ କାଳବୈଶାଖୀ; ବଢ଼ିବ ତାପମାତ୍ରା

ଭୁବନେଶ୍ୱର : ରାଜ୍ୟରେ ପୁଣି ତାପମାତ୍ରା ବଢ଼ିବ। ଗୁରୁବାର ରାଜ୍ୟର କିଛି ଅଞ୍ଚଳରେ କାଳବୈଶାଖୀ ପ୍ରଭାବ ଦେଖାଯିବ। ଏହାପରେ କାଳବୈଶାଖୀର ପ୍ରଭାବ କମିବା ସହିତ ତାପମାତ୍ରା ବୃଦ୍ଧି ପାଇବ। ବର୍ତ୍ତମାନ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟର ମାତ୍ରା ଗୋଟିଏ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ଆଉ ସମସ୍ତ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଛି। ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବାରିପଦାରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୨.୪ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ସେହିପରି ଝାରସୁଗୁଡ଼ାରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିବା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‍ଆର ବିଶ୍ୱାସ କହିଛନ୍ତି ଯେ ଗୁରୁବାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବାର ଆଶଙ୍କା ରହିଛି। ଏଥିପାଇଁ ଏହି ୧୩ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ଶୁକ୍ରବାରଠାରୁ କାଳବୈଶାଖୀର ପ୍ରଭାବ ହ୍ରାସ ପାଇବ ଯଦିଓ କିଛି ସ୍ଥାନରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବର୍ଷା କିଛି ସ୍ଥାନରେ ଏହାର ପ୍ରଭାବ ରହିବ, କିନ୍ତୁ ଯଥେଷ୍ଟ କମ୍‍ ରହିବ ବୋଲି କେନ୍ଦ୍ର ସୂଚନା ଦେଇଛି। ଡ. ବିଶ୍ୱାସଙ୍କ କହିବା ଅନୁଯାୟୀ କାଳବୈଶାଖୀ ଯୋଗୁଁ ଆସନ୍ତା ୨-୩ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ମାତ୍ର ଏହାପରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ୨-୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିପାରେ ବୋଲି ସେ କହିଛନ୍ତି। ଅନ୍ୟପଟେ ଗତ ୩୬ ଘଣ୍ଟାରେ ରାଜ୍ୟ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହୋଇଛି।

Leave a comment