ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆହୁରି ତତାଇବ ଗ୍ରୀଷ୍ମ ପ୍ରବାହ, କାଳବୈଶାଖୀ ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର, ୨୭ା୩ (ସମିସ): ରାଜ୍ୟରେ ପାରଦ ଉପରମୁହାଁ ହୋଇରହିଛି। ଆଜି ଭୁବନେଶ୍ୱର ସମେତ ଚାରିଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ନିକଟରେ ରହିଥିଲା। ଆସନ୍ତା ୫ ଦିନ ମଧ୍ୟରେ ପଶ୍ଚିମ ଓଡ଼ିଶାରେ ତାତି ବଢ଼ିବ। କିନ୍ତୁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ ଘଡ଼ି ସହ ଝଡ଼ ବର୍ଷାର ସମ୍ଭାବନା ରହିଛି। ଆଜି ସଂଧ୍ୟା ସମୟରେ ଅଧିକାଂଶ ଜିଲ୍ଲାରେ ପାଗ ବଦଳିଛି। କଟକ ଓ ଭୁବନେଶ୍ୱରରେ କାଳବୈଶାଖୀ ବର୍ଷା ହୋଇଛି। ଆଗକୁ ମଧ୍ୟ ଏପରିସ୍ଥିତି ଲାଗି ରହିବ। ଏବେ ରାଜ୍ୟରେ ପ୍ରାକ୍‍ ମୌସୁମି ଘଡ଼ଘଡ଼ି ବର୍ଷା ପରିସ୍ଥିତି ସୃଷ୍ଟି ହେଉଛି। ଏହାର ପ୍ରଭାବରେ କିଛି ଜିଲ୍ଲାରେ ଆକାଶ ମେଘୁଆ ରହିବା ସହ କାଳବୈଶାଖୀ ହେବାର ସମ୍ଭାବନା ଅଛି। ଆସନ୍ତା କିଛି ଦିନ ପାଇଁ ୧୦ରୁ ଅଧିକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ବଲାଙ୍ଗିର ଓ ବୌଦ୍ଧରେ ପାରଦ ୪୦ ଡିଗ୍ରୀ ଅତିକ୍ରମ କରିଥିଲା।  ଭୁବନେଶ୍ୱର, ସମ୍ବଲପୁର, ତାଳଚେର, ଟିଟିଲାଗଡ଼, ମାଲକାନଗିରି ଓ ନୟାଗଡ଼ରେ ତାପମାତ୍ରା ୪୦ ଡିଗ୍ରୀରୁ ସାମାନ୍ୟ କମ୍‍ ରହିଥିଲା। ଦିନ ତମାମ୍‍ ଅସହ୍ୟ ଗୁଳୁଗୁଳିରେ ସାଧାରଣ ଜୀବନ ଯାତ୍ରା ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ଖୋଲା ଆକାଶ ତଳେ କିଛି ସମୟ ଛିଡ଼ା ହେବା କାଠିକର ପାଠ। ତେବେ ସଂଧ୍ୟା ସମୟରେ କଟକ ଓ ଭୁବନେଶ୍ୱରରେ ଦେଖା ଦେଇଥିଲା କାଳ ବୈଶାଖୀ। ପ୍ରାୟ ୧୫ ମିନିଟ୍‍ ଧରି ଚାଲିଥିଲା କାଳବୈଶାଖୀର ତାଣ୍ଡବ। ଏଥିରେ ଦୈତନଗରୀରେ ଗଛ ଭାଙ୍ଗିବା ସହ ହୋର୍ଡିଂ ପଡ଼ିଥିବା ସୂଚନା ମିଳିଛି। ଏଥିରେ କିଛି ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ଦେଖାଯାଇଥିଲା। ପବନ ପରେ ବେଶ୍‍ କିଛି ସମୟ ଧରି ବର୍ଷା ହେବାରୁ ଅସହ୍ୟ ଗୁଳୁଗୁଳିରୁ ଆଶ୍ୱସ୍ତି ମିଳିଛି। ସେହିପରି ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ଆକାଶ ମେଘାଛନ୍ନ ରହିଥିଲା। କିନ୍ତୁ ବର୍ଷାର ଦେଖା ଦର୍ଶନ ମିଳିନଥିଲା।

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‍ଆର ବିଶ୍ୱାସ କହିଛନ୍ତି, କାଳବୈଶାଖୀ ବର୍ଷା ସତ୍ତ୍ବେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ତିନି ଦିନ ପରେ ଦିନ ବେଳା ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍‍ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଏହା ପରେ ପୁନର୍ବାର କିଛି ସ୍ଥାନରେ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ଅଛି। ଆସନ୍ତା କାଲି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କଟକରେ କାଳବୈଶାଖୀ ହୋଇପାରେ। ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ଏବଂ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି। ସେହିପରି କୋରାପୁଟ, ଗଜପତି, କନ୍ଧମାଳ, ଖୋର୍ଦ୍ଧା, ବୌଦ୍ଧ ଆଦି ଜିଲ୍ଲାରେ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇପାରେ। ସମ୍ବଲପୁର, ଅନୁଗୁଳ, ସୋନପୁର, ବଲାଙ୍ଗିର, କଳାହାଣ୍ଡି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଡ଼ ବିଶ୍ୱାସ କହିଛନ୍ତି।

Leave A Reply

Your email address will not be published.