ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିର୍ବାଚନ ପ୍ରଚାରର ଆୟୁଧ ସାମାଜିକ ଗଣମାଧ୍ୟମ, କଲେଜ ପଢୁଆ ପିଲାଙ୍କ ଉପରେ ପ୍ରଚାର ଭାର

ଭୁବନେଶ୍ୱର : କରୋନା ପାଇଁ ନିର୍ବାଚନ ପ୍ରଚାର ଉପରେ ଅଙ୍କୁଶ ଲାଗିଥିବା ବେଳେ ପ୍ରଥମ ଥର ପାଇଁ ସାମାଜିକ ଗଣମାଧ୍ୟମ ଗୁରୁତ୍ୱ ବହନ କରିଛି। ସଂକ୍ରମଣ ଯୋଗୁଁ ବ୍ୟକ୍ତିଗତ ପ୍ରଚାର ବ୍ୟବସ୍ଥାକୁ କାଣ୍ଟଛାଣ୍ଟ କରି ସାମାଜିକ ଗଣମାଧ୍ୟମରେ ପ୍ରଚାର ପାଇଁ ପ୍ରାର୍ଥୀଙ୍କୁ ସ୍ୱାଧୀନତା ମିଳିଛି। ଏହା କିଛି ପ୍ରାର୍ଥୀଙ୍କ ପାଇଁ ଚିନ୍ତାର କାରଣ ସାଜି ଥିବା ବେଳେ ପାଠୁଆଙ୍କ ପାଇଁ ବରଦାନ ସାଜିଛି। ତିନି ପ୍ରମୁଖ ରାଜନୈତିକ ଦଳ ସାମାଜିକ ଗଣମାଧ୍ୟମର ବହୁଳ ବ୍ୟବହାର ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି।

ଚଳିତ ଥର ପ୍ରଚାରରେ କୋଭିଡ଼ କଟକଣା ଯୋଗୁଁ ପଞ୍ଚାୟତ ନିର୍ବାଚନରେ ପ୍ରଥମ ଥର ପାଇଁ ସାମାଜିକ ଗଣମାଧ୍ୟମର ବହୁଳ ବ୍ୟବହାର ହେଉଛି। ଆଉ ଆଗ ଭଳି ପୁଳା ପୁଳା କର୍ମୀଙ୍କୁ ଧରି ରାଲିରେ ଗାଁ ଗାଁ ବୁଲି ପ୍ରଚାର ସମ୍ଭବ ନୁହେଁ। ପ୍ରାୟ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍‍ ଥିବାରୁ ଅଧିକରୁ ଅଧିକ ଲୋକଙ୍କୁ ଫୋନ୍‍ ମାଧ୍ୟମରେ ପ୍ରଚାର ପାଇଁ ପ୍ରାର୍ଥୀ ଅଣ୍ଟା ଭିଡ଼ିଛନ୍ତି। ତେବେ ସାମାଜିକ ଗଣମାଧ୍ୟମରେ ପ୍ରଚାର ସମସ୍ତଙ୍କ ପାଇଁ ସହଜ ନୁହେଁ। ଅନେକ ପ୍ରାର୍ଥୀ ଗାଁରେ ପାଠୁଆ ପିଲା, ମୋବାଇଲ୍‍ ସମ୍ପର୍କରେ ଭଲ ଜ୍ଞାନ ଥିବା ପିଲାଙ୍କୁ ଖୋଜିବା ଆରମ୍ଭ କରିଛନ୍ତି। ବିଭିନ୍ନ ଉପାୟରେ ସାମାଜିକ ଗଣମାଧ୍ୟମର ବ୍ୟବହାର କରି ଅଧିକରୁ ଅଧିକ ଭୋଟରଙ୍କ ପାଖରେ ପହଞ୍ଚିବା ଉଦ୍ୟମରେ ଅଛନ୍ତି।

ସାଇବର୍‍ କାଫେ କିମ୍ବା କମ୍ପ୍ୟୁଟର ଗ୍ରାଫିକ୍‍ ଡିଜାଇନ୍‍, ମଲ୍ଟିମିଡିଆ ପାଠ ପଢ଼଼ିଥିବା ଲୋକଙ୍କ ପାଖରେ ଏବେ କାମର ଅଭାବ ନାହିଁ। ୫୦୦ରୁ ୫ ହଜାର ଟଙ୍କା ନେଇ ସେମାନେ ପ୍ରାର୍ଥୀଙ୍କ ପାଇଁ ଅନ୍‍ଲାଇନ୍‍ ପ୍ରଚାର ବ୍ୟବସ୍ଥା କରୁଛନ୍ତି। ବିଭିନ୍ନ ବଷୟବସ୍ତକୁ ନେଇ ପୋଷ୍ଟର, ଭିଡିଓ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ଏହା ପ୍ରସ୍ତୁତ ହେବା ପରେ ହ୍ୱାଟ୍ସଆପ୍‍ରେ ଲୋକଙ୍କ ପାଖକୁ ପଠାଇବା ଏବଂ ଫେସ୍‍ବୁକ୍‍ରେ ପୋଷ୍ଟ କରିବା ଦାୟିତ୍ୱ ମଧ୍ୟ ଦିଆଯାଉଛି। ପ୍ରତିଦିନ ନୂଆ ନୂଆ ପ୍ରଚାର ପୋଷ୍ଟର ଓ ଭିଡ଼ିଓ ପୋଷ୍ଟ କରିବା ପାଇଁ ପ୍ରାର୍ଥୀମାନେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିୟୋଜିତ କରିଛନ୍ତି। ଶାସକ ଦଳର ଆଶାୟୀ ପ୍ରାର୍ଥୀ ସରକାରଙ୍କର ସଫଳ କାର୍ଯ୍ୟକ୍ରମକୁ ଆୟୁଧ କରୁଥିବା ବେଳେ ବିରୋଧୀ ଦଳର ପ୍ରାର୍ଥୀ ସରକାରଙ୍କ ବିଫଳତାକୁ ଅସ୍ତ୍ର କରୁଛନ୍ତି। ସେହିପରି ସାମାଜିକ ଗଣମାଧ୍ୟମ ପ୍ରଚାରରେ ପୂର୍ବ ନିର୍ବାଚିତ ପ୍ରତିନିଧିଙ୍କ ବିଫଳତାକୁ ବିରୋଧୀ ପ୍ରାର୍ଥୀ ପ୍ରଚାରର ମାଧ୍ୟମ କରିଛନ୍ତି। ଏଥର ନିର୍ବାଚିତ ହେଲେ ନିଜ ଅଞ୍ଚଳ ପାଇଁ କ’ଣ କରିବେ, ସ୍ଥାନୀୟ ଅଞ୍ଚଳର ମୌଳିକ ସମସ୍ୟା ଆଦିକୁ ପ୍ରସଙ୍ଗ କରାଯାଉଛି। ବ୍ୟକ୍ତିଗତ ପ୍ରଚାର, ରାଲି, ଭୋଜି ଭାତରେ ଏଥର ଖର୍ଚ୍ଚ କମିଥିବା ବେଳେ ସାମାଜିକ ଗଣମାଧ୍ୟମ ପ୍ରଚାର ଶସ୍ତା ଓ ସହଜ ହେଉଛି।

Leave A Reply

Your email address will not be published.