ସବୁ କ୍ଷେତକୁ ପହଞ୍ଚିବ ପାଣି: ବହୁମୁଖୀ ଉଠା ଜଳସେଚନ ପ୍ରକଳ୍ପ ଉପରେ ଗୁରୁତ୍ୱ

ଅତିରିକ୍ତ ବଜେଟରେ ୨୦୦ କୋଟି ଟଙ୍କାର ବ୍ୟବସ୍ଥା

ଭୁବନେଶ୍ୱର: ରାଜ୍ୟରେ ଚାଷଜମିରେ ସେଚ ସାମର୍ଥ୍ୟ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଯାହାଫଳରେ ରାଜ୍ୟରେ ଚାଷୀ ଉପକୃତ ହେବା ସହ ଫସଲ ଉତ୍ପାଦନ ବହୁଗୁଣା ବୃଦ୍ଧି ପାଇଛି । ଅନୁରୂପ ଭାବେର ଚାଷୀ ପରିବାରର ଆୟ ମଧ୍ୟ ବୃଦ୍ଧି ପାଇଛି । ଏହିକ୍ରମରେ ବୃହତ୍‌ ଉଠାଜଳସେଚନ ପ୍ରକଳ୍ପ ମାଧ୍ୟମରେ ରାଜ୍ୟରେ ଯେପରି ଅଧିକରୁ ଅଧିକ ଚାଷ ଜମିରେ ପାଣି ପହଞ୍ଚିପାରିବ ସେନେଇ ରାଜ୍ୟ ସରକାର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି । ଆସନ୍ତା ଡିସେମ୍ବରରେ ଆଗତ ହେବାକୁ ଥିବା ଅତିରିକ୍ତ ବଜେଟରେ ବୃହତ୍‌ ଉଠାଜଳସେଚନ ପ୍ରକଳ୍ପ ପାଇଁ ସରକାର ଆଉ ୨୦୦ କୋଟି ଟଙ୍କାର ବ୍ୟବସ୍ଥା କରୁଥିବା ଜଣାପଡ଼ିଛି ।

ଚଳିତ ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟ ସରକାର ବୃହତ୍‌ ଉଠାଜଳସେଚନ ପ୍ରକଳ୍ପ ଅଧିନରେ ମୋଟ ୩୩୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା । ତନ୍ମଧ୍ୟରୁ ଗତ ସେପ୍ଟେମ୍ବର ଶେଷ ସୁଦ୍ଧା ପ୍ରାୟ ୧୬୦ କୋଟି ଟଙ୍କାର ବିନିଯୋଗ ସରିଛି । ରାଜ୍ୟ ଯୋଜନା ଅନୁଯାୟୀ ସରକାର ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଏହି ଯୋଜନା ଅଧୀନରେ ପ୍ରାୟ ୫୩୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି ବିନିମୟରେ ମୋଟ ୪ଟି ନୂଆ କ୍ଲଷ୍ଟର ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଯାହାଫଳରେ ରାଜ୍ୟର ଅଧିକରୁ ଅଧିକ ଚାଷଜମିରେ ସେଚ ସାମର୍ଥ୍ୟ ସୃଷ୍ଟି କରାଯାଇପାରିବ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ଆର୍ଥିକ ବର୍ଷ ଅର୍ଥାତ୍‌ ୨୦୨୧-୨୨ରେ ମୋଟ ୬୪ଟି ବୃହତ୍‌ ଉଠାଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସରିଥିବା ବେଳେ ଏହାଦ୍ୱାରା ୮୬ ହଜାର ହେକ୍ଟରରୁ ଉଦ୍ଧ୍ୱର୍ ଚାଷଜମି ପାଇଁ ସେଚ ସାମର୍ଥ୍ୟ ସୃଷ୍ଟି ହୋଇପାରିଥିଲା । ଏହି ଆୟକଟ୍‌ ମଧ୍ୟରୁ ଚଳିତ ଖରିଫ୍‌ରେ ପ୍ରାୟ ୨୪ଟି ପ୍ରକଳ୍ପରୁ ୨୨୫୭୦ ହେକ୍ଟରରୁ ଅଧିକ ଜଳ ଯୋଗାଣ ସମ୍ଭବ ହୋଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଚଳିତ ଆର୍ଥିକ ବର୍ଷରେ ମୋଟ ୨ ଲକ୍ଷ ୪୧ ହଜାର ୨୫୬ ହେକ୍ଟର ଚାଷଜମିକୁ ଜଳଯୋଗାଣ ଲକ୍ଷ୍ୟ ରଖାଯାଇଥିବା ବେଳେ ତନ୍ମଧ୍ୟରୁ ୧ ଲକ୍ଷ ୬୨ ହଜାର ୨୫୨ ହେକ୍ଟର ଚାଷଜମିକୁ ଜଳଯୋଗାଣ ସମ୍ଭବ ହୋଇପାରିଛି । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ବଳକା ଲକ୍ଷ୍ୟ ହାସଲ କରିବାକୁ ବିଭାଗୀୟ ରରେ ବେଶ୍‌ ଉଦ୍ୟମ କରାଯାଉଥିବା ଜଣାପଡ଼ୁଛି । ସେହିପରି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୁପ ରାଜ୍ୟ ସରକାର ଜଳଭଣ୍ଡାରର ଜଳକୁ ଉପଯୋଗ କରି ଉଠାଜଳସେଚନ ପ୍ରକଳ୍ପ ମାଧ୍ୟମରେ ଚାଷଜମିକୁ ଜଳ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି । ଏହିକ୍ରମରେ ଆସନ୍ତା ରବି ଋତୁରେ ମୋଟ ୪୦ ହଜାର ହେକ୍ଟର ଚାଷଜମିକୁ ଜଳ ଯୋଗାଇ ଦିଆଯିବ । ଏଥିପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ଜିଲ୍ଲାୱାରୀ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି । ଖୁବ୍‌ଶୀଘ୍ର ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇ ଯୋଜନାକୁ ବିଭାଗ ପକ୍ଷରୁ କାର୍ଯ୍ୟକାରୀ କରାଯିବ ।

Leave a comment