ହାଜିରା ଦେଉ ନ ଥିବା ଜେଲ୍ ଫେରନ୍ତାଙ୍କୁ ଚେତାବନୀ, ଘରେପଶି ଉଠାଇନେବ ପୁଲିସ
ବସ୍ତି ବଦଳାଇବାରୁ ଅଡ଼ୁଆରେ ପଡ଼ୁଛି ପୁଲିସ

ଭୁବନେଶ୍ୱର: ଥାନାରେ ହାଜିରା ଦେଉ ନ ଥିବା ଜେଲ୍ ଫେରନ୍ତା ହୋଇଯାଆନ୍ତୁ ସାବଧାନ। ଠିକଣା ବଦଳାଇ ଲୁଚି ବୁଲିଲେ ମଧ୍ୟ ପୁଲିସ ନଜରରୁ ଆଉ ବର୍ତ୍ତି ପାରବେ ନାହିଁ। ଯେଉଁଠି ବି ରହିଲେ ପୁଲିସ ଘରେ ପଶି ଉଠାଇ ଆଣିବ। ଥାନାରେ ହାଜିରା ଦେଉ ନ ଥିବା ଜେଲ୍ ଫେରନ୍ତାଙ୍କ ପାଇଁ କଠୋର ହୋଇଛି କମିସନରେଟ୍ ପୁଲିସ। ଜେଲ୍ ଫେରନ୍ତା ହାଜିରା ଦେଉ ନ ଥିବା ଆସାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସବୁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିସିପି। ଏଭଳି ନିର୍ଦ୍ଦେଶ ପାଇବା ପରେ କମିସନରେଟ୍ ପୁଲିସର ସମସ୍ତ ଥାନା ଅଧିକାରୀ ସତର୍କ ହୋଇଯାଇଛନ୍ତି। ସେମାନେ ଥାନାର ପିଓପିଡି ଟିମ୍କୁ ଜେଲ୍ ଫେରନ୍ତାଙ୍କ ତାଲିକା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପିଓପିଡି ଟିମ୍ ଏବେ ଫାଇଲ୍ ଖୋଜି ଖୋଜି ଲିଷ୍ଟ କରୁଛି। ଯେଉଁମାନେ ଦେଉନାହାନ୍ତି ସେମାନଙ୍କର ଏକ ତାଲିକା କରାଯାଉଛି। ଆସନ୍ତା ସପ୍ତାହରୁ ସେମାନଙ୍କୁ ଉଠାଯିବ ବୋଲି ଜଣାପଡ଼ିଛି। କାରଣ ଯେଉଁମାନେ ଥାନାରେ ହାଜିରା ଦେଉନାହାନ୍ତି ସେମାନେ ବିଭିନ୍ନ ଅପରାଧରେ ଲିପ୍ତ ରହୁ୍ଥିବା ପୁଲିସ ସନ୍ଦେହ କରୁଛି। ଯେଉଁଥି ପାଇଁ ସେମାନେ ଥାନାରେ ହାଜିରା ଦେଉନାହାନ୍ତି।
ରାଜଧାନୀରେ ଗିରଫ ହେଉଥିବା ଅନେକ ଆସାମୀ ଜାମିନ୍ରେ ଆସି ଠିକଣା ବଦଳାଇ ଦେଉଛନ୍ତି। ଗୋଟିଏ ବସ୍ତିରୁ ଅନ୍ୟ ଏକ ବସ୍ତିକୁ ଚାଲି ଯାଉଛନ୍ତି। ସେମାନେ ଥାନାରେ ହାଜିରା ମଧ୍ୟ ଦେଉନାହାନ୍ତି। ପୁଲିସ ସେମାନଙ୍କ ଉପରେ ନଜର ରଖି ପାରୁନି। ପୁଲିସ ତା’ର ପୁରୁଣା ଠିକଣାରେ ଖୋଜିଲେ ମଧ୍ୟ ସେଠାରେ ଅନ୍ୟ କେହି ରହୁଥିବା ଦେଖିବାକୁ ପାଉଛନ୍ତି। ଅପରପକ୍ଷେ ସେମାନେ ଅନ୍ୟ ଥାନା ଅଞ୍ଚଳରେ ରହି ଅପରାଧ ଘଟାଉଛନ୍ତି।
ସହରରେ ଗତ କିଛିଦିନ ହେବ ଚେନ୍ ଲୁଟ୍, ଚୋରି ଆଦି ବଢ଼଼ି ଯାଇଥିବାରୁ ପୁଲିସ ପାଇଁ ଚିନ୍ତା ପଶିଛି। ତେଣୁ ଡିସିପି ପ୍ରତି ଥାନାରେ ହାଜିରା ଦେଉଥିବା ଅପରାଧୀଙ୍କ ତାଲିକା ଦେବାକୁ କୁହାଯାଇଛି। ଏପରିକି ସେମାନଙ୍କ ମଧ୍ୟରୁ କେଉଁମାନେ ଥାନାରେ ହାଜିରା ଦେଉନାହାନ୍ତି, ତାହାର ଯାଞ୍ଚ କରିବାକୁ କୁହାଯାଉଛି। ଯେଉଁମାନେ ହାଜିରା ଦେଉନାହାନ୍ତି ସେମାନଙ୍କ ଘରେ ପୁଲିସ ରାତି ଅଧିଆ ଚଢ଼ଉ କରିବା ପାଇଁ କୁହାଯାଇଛି। ଅପରପକ୍ଷେ ଅପରାଧୀ ଜେଲ୍ରୁ ଜାମିନ୍ ପାଇବା ପୂର୍ବରୁ ବେଲ୍ ବଣ୍ଡ୍ରେ ଚୁକ୍ତି କରିଥାଏ। ସେ ଜେଲ୍ରୁ ବାହାରିବା ପରେ ଆଉ ଅପରାଧ ଘଟାଇବ ନାହିଁ, ଏବଂ ପ୍ରତି ସପ୍ତାହରେ ଥାନାରେ ହାଜିରା ଦେବ। ନିଜର ଠିକଣା ପରିବର୍ତ୍ତନ କଲେ ପୁଲିସକୁ ଅବଗତ କରିବାକୁ ନିର୍ଦ୍ଦେଶ ରହିଛି। ହେଲେ ଅପରାଧୀମାନେ ଜେଲ୍ରୁ ବାହାରିବା ପରେ ବେଲ୍ ବଣ୍ଡ୍କୁ ଉଲ୍ଲଂଘନ କରି ପୁଣି ଅପରାଧ ଦୁନିଆରେ ପାଦ ଦେଉଛନ୍ତି। ତେଣୁ ନିୟମ ଉଲ୍ଲଂଘନ କରୁଥିବା ଅପରାଧୀଙ୍କ ବେଲ୍ ବଣ୍ଡ୍ ବାତିଲ୍ କରିବା ପାଇଁ କୋର୍ଟକୁ ଆବେଦନ କରିବ।
ଥାନାରେ ହାଜିରା କ’ଣ
ଅପରାଧୀଙ୍କ ଉପରେ ଲଗାମ ରଖିବା ପାଇଁ ଥାନାରେ ହାଜିରା ବ୍ୟବସ୍ଥା କରାଯାଇଛି। ଜେଲ୍ ଫେରନ୍ତା ଆସାମୀ ପ୍ରତି ସପ୍ତାହରେ ଥାନାକୁ ଯାଇ ହାଜିରା ଦେବେ। ଏହି ସମୟରେ ତଦନ୍ତକାରୀ ଅଫିସର ତାଙ୍କୁ ପଚରାଉଚରା କରିବା ପରେ ରେଜିଷ୍ଟ୍ରେସନ ବୁକ୍ରେ ଦସ୍ତଖତ କରାଇ ଛାଡ଼ିଦେବେ। ଏହା ହେବା ଦ୍ୱାରା ଆସାମୀର ଗତିବିଧି ଉପରେ ପୁଲିସ ନଜର ରହିବ। ସେମାନେ ଅପରାଧ କରିବା ପୂର୍ବରୁ ଅନେକ ଥର ଭାବିବାକୁ ପଡ଼ିବ। କୋର୍ଟରୁ ଜାମିନ୍ ପାଇବା ସମୟରେ ମଧ୍ୟ ଅଭିଯୁକ୍ତ ଥାନାରେ ହାଜିରା ଦେବା ପାଇଁ ଚୁକ୍ତି କରିଥାଏ। ହେଲେ କମିସନ୍ରେଟ୍ ପୁଲିସରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ସହରରେ ଥିବା ୪ହଜାରରୁ ଊର୍ଦ୍ଧ୍ବ ଜେଲ୍ ଅପରାଧୀ ଥାନାରେ ହାଜିରା ଦେଉନାହାନ୍ତି।