ସଚିନଙ୍କ ପରେ ଦ୍ୱିତୀୟ ଭାରତୀୟ ଖେଳାଳି ଭାବେ ବଡ଼ ମାଇଲଖୁଣ୍ଟ ଛୁଇଁଲେ ବିରାଟ କୋହଲି

ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ପୁଣି ଏକ ବଡ଼ ମାଇଲଖୁଣ୍ଟ ଛୁଇଁଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ବିରାଟ ଗୋଟିଏ ପରେ ଗୋଟିଏ ପୂର୍ବ ରେକର୍ଡ ଭାଙ୍ଗିବା ସହ ନୂଆ ରେକର୍ଡ ସ୍ଥାପନ କରିଚାଲିଛନ୍ତି। ଆଜି ଦିଲ୍ଲୀରେ ଭାରତ-ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଭାରତ ବିଜୟ ହାସଲ କରିଥିବା ବେଳେ ଏହି ମ୍ୟାଚର ଦ୍ବିତୀୟ ଇଂନିସରେ ବିରାଟ କୋହଲି ୧୨ ରନ୍ କରିବା ପରେ ବିଶ୍ବର ଷଷ୍ଠ ଖେଳାଳି ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୨୫,୦୦୦ ରନ୍ ପୂରଣ କରିଛନ୍ତି । ଏହି ମାଇଲଖୁଣ୍ଟ ହାସଲ କରିବାରେ ସଚିନ ତେନ୍ଦୁଲକରଙ୍କ ପରେ କୋହଲି ହେଉଛନ୍ତି ଦ୍ୱିତୀୟ ଭାରତୀୟ ଖେଳାଳି। ଏହାଛଡ଼ା ସେ ଦ୍ରୁତତମ ୨୫ ହଜାର ରନ୍ କରିବାର ରେକର୍ଡ କରିଛନ୍ତି ।
କୋହଲି ମାତ୍ର ୫୪୯ ଇନିଂସରେ ଅନ୍ତର୍ଜାତୀୟ କ୍ୟାରିୟରରେ ୨୫ ହଜାର ରନ୍ କରିଚନ୍ତି। ଏଥିସହ ସେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି। ତେନ୍ଦୁଲକର ତାଙ୍କର ୫୭୭ତମ ଇନିଂସରେ ୨୫,୦୦୦ ଅନ୍ତର୍ଜାତୀୟ ରନ୍ କରିଥିଲେ । ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଏହି ଲକ୍ଷ୍ୟରେ ପହଞ୍ଚିବା ପାଇଁ ୫୮୮ ଇନିଂସ ନେଇଥିଲେ । କୋହଲି ୩୧,୩୧୩ ବଲର ସମ୍ମୁଖୀନ ହେବା ପରେ ଅନ୍ତର୍ଜାତୀୟ କ୍ରିକେଟ୍ ରେ ୨୫,୦୦୦ ରନ୍ ପୂରଣ କରିଛନ୍ତି।
𝐌𝐢𝐥𝐞𝐬𝐭𝐨𝐧𝐞 𝐔𝐧𝐥𝐨𝐜𝐤𝐞𝐝! 🔓
Congratulations @imVkohli on reaching 2️⃣5️⃣0️⃣0️⃣0️⃣ international runs in international cricket! 🫡
Simply sensational 👏🏻👏🏻#TeamIndia | #INDvAUS | @mastercardindia pic.twitter.com/Ka4XklrKNA
— BCCI (@BCCI) February 19, 2023
ମ୍ୟାଚ୍ ଦୃଷ୍ଟିରୁ ବିରାଟ କୋହଲି ସମସ୍ତ ତିନୋଟି ଫର୍ମାଟରେ ଏପର୍ଯ୍ୟନ୍ତ ୪୯୨ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । କୋହଲି ଏପର୍ଯ୍ୟନ୍ତ ଟେଷ୍ଟରେ ୮୧୯୫ ରନ୍ କରିଥିବାବେଳେ ଦିନିକିଆରେ ୧୨,୮୦୯ ରନ୍ କରିଛନ୍ତି। ସେହିପରି ଟି-୨୦ରେ କୋହଲି ଏପର୍ଯ୍ୟନ୍ତ ୪୦୦୮ ରନ୍ ସଂଗ୍ରହ କରିଛନ୍ତି। ବର୍ତ୍ତମାନ ସୁଦ୍ଧା କେବଳ ୬ ଜଣ ଖେଳାଳି ଅନ୍ତର୍ଜାତୀୟ କ୍ରିକେଟରେ ୨୫,୦୦୦ ରନ୍ ପୂରଣ କରିଛନ୍ତି । ସଚିନ ତେନ୍ଦୁଲକର, ବିରାଟ କୋହଲି ଏବଂ ରିକି ପଣ୍ଟିଂଙ୍କ ବ୍ୟତୀତ କୁମାର ସାଙ୍ଗାକାରା, ମାହେଲା ଜୟବର୍ଦ୍ଧନେ ଏବଂ ଜ୍ୟାକ କଲିସ ମଧ୍ୟ ଏହି ମାଇଲଖୁଣ୍ଟର ଅଧିକାରୀ ହୋଇଛନ୍ତି । ତେବେ ଏକବିଂଶ ଶତାବ୍ଦୀରେ ଡେବ୍ୟୁ କରିବା ପରେ ବିରାଟ କୋହଲି ଏହି ଲକ୍ଷ୍ୟ ଛୁଇଁବାରେ ପ୍ରଥମ ଖେଳାଳି ହୋଇଛନ୍ତି ।