ବାଣପୁର ହିଂସା ଘଟଣା: ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ- ସସ୍ମିତ ପାତ୍ର

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଆଜି ଦୁଃଖଦ ଘଟଣା ଘଟିଯାଇଛି। ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ଯାଉଥିବା ବେଳେ ବ୍ଲକ ସାମ୍ନାରେ ଉପସ୍ଥିତ ଥିବା ଲୋକଙ୍କ ଉପରେ ବିଧାୟକଙ୍କ ଗାଡି ଚଢିଯାଇଥିଲା। ଉତ୍ତ୍ୟକ୍ତଲୋକେ ବିଧାୟକଙ୍କୁ ମାଡମାରୁଥିବା ବେଳେ ବିଧାୟକ ସେଠାରୁ ବର୍ତ୍ତିବା ପାଇଁ ଚେଷ୍ଟା କରିଥିବା ବେଳେ ଏଭଳି ଅମାନବୀୟ ଘଟଣା ଘଟିଛି। ଯେଉଁଥିରେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ କିଛି ପୁଲିସ କର୍ମୀ ଥିବା ଜଣାପଡିଛି। ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।
ଏଭଳି ହିଂସାକାଣ୍ଡକୁ ବିଜେଡି ପକ୍ଷରୁ ନିନ୍ଦା କରାଯାଇଛି। ପ୍ରଶାନ୍ତ ଜଗଦ୍ଦେବଙ୍କୁ ସସ୍ମିତ ପାତ୍ର କଡ଼ା ନିନ୍ଦା କରିଛନ୍ତି। ଆଇନ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ହେବ । ଦଳ ପକ୍ଷରୁ ଉଚିତ ସମୟରେ ଉଚିତ ପଦକ୍ଷେପ ନିଆଯିବ। ଏହି ଘଟଣାକୁ ଯେତେ ନିନ୍ଦା କଲେ ବି କମ ହେବ ବୋଲି ସସ୍ମିତ କହିଛନ୍ତି। ଆଜିର ଘଟଣା ଲୋମହର୍ଷଣକାରୀ ଓ ବୀଭତ୍ସ । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ। ଆହତଙ୍କ ଆଶୁ ଆରୋଗ୍ଯ କାମନା କରିଛନ୍ତି ସସ୍ମିତ ପାତ୍ର । ଏପରି କାର୍ଯ୍ଯ ପାଇଁ ପୂର୍ବରୁ ତାଙ୍କୁ ବିଜେଡିରୁ ନିଳମ୍ବନ କରାଯାଇଛି।
ସୂଚନା ଅନୁଯାୟୀ, ଉତ୍ତ୍ୟକ୍ତଲୋକଙ୍କ ମାଡ଼ରେ ବିଧାୟକ ମଧ୍ଯ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି।