ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୁପ୍ରିମ କୋର୍ଟ ଆଦେଶର ଉଲ୍ଲଙ୍ଘନ : ଗାଁଠୁ ସହର ମାଳମାଳ ମୋବାଇଲ୍‍ ଟାୱାର

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଗାଁଠାରୁ ସହର ପର୍ଯ୍ୟନ୍ତ ଯେଉଁଠି ଦେଖିବ ମାଳ ମାଳ ମୋବାଇଲ ଟାୱାର। ଜନଗହଳି ଭିତରେ ହେଉ କି ଗାଁ ଭିତରେ ସହରର ଘର ଉପରେ ଏବଂ ଜନବହୁଳ ସ୍ଥାନରେ ଏହି ମୋବାଇଲ ଟାୱାର ରହିଛି। ଏହି ଟାୱାର ଦ୍ୱାରା ୩ଶହ ମିଟର ପରିଧି ଭିତରେ ରହୁଥିବା ଲୋକମାନଙ୍କ ଜୀବନ ପ୍ରତି ବିପଦ ରହିଥିବା ଆଇଏଆର୍‍ସି ତଥ୍ୟ ପ୍ରଦାନ କରିଥିଲେ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟର ନୀତିନିୟମକୁ ଉଲ୍ଲଙ୍ଘନ କରି ଏହି ଟାୱାର ନିର୍ମାଣ କରାଯାଇଛି। ଢେଙ୍କାନାଳ ଜିଲ୍ଲାରେ ୨୦୧୧ ଜନସଂଖ୍ୟା ଅନୁସାରେ ୧୧ଲକ୍ଷ ୯୨,୮୮୧ ଲୋକ ବସବାସ କରୁଥିବାର ଜଣାପଡ଼ିଛି। ଜିଲ୍ଲାରେ ମୋଟ ୮ଟି ବ୍ଲକ ରହିଥିବା ବେଳେ ୨୧୨ଟି ପଞ୍ଚାୟତ ଓ ୧ ହଜାର ୮୧ଟି ଗ୍ରାମ ରହିଛି।

ଏହି ଗ୍ରାମ ଗୁଡିକରେ ଯେଉଁଠି ଦେଖିବ ସେଠି ବିଭିନ୍ନ ଟେଲିକମ ସଂସ୍ଥାର ମୋବାଇଲ ଟାୱାର ନିର୍ମାଣ କରାଯାଇଛି। ଲୋକମାନେ କିଛି ନ ବୁଝି ଟଙ୍କା ଲୋଭରେ ଏହି ଟାୱାର ନିର୍ମାଣ କରିବାକୁ ଅନୁମତି ଦେଉଛନ୍ତି। କିନ୍ତୁ ଏହି ତଥ୍ୟ ଅନୁସାରେ ଏହି ଟାୱାରରୁ ଯେଉଁ ଇଲୋକଟ୍ରୋମ୍ୟାଗନେଟିକ ବିକିରିଣ ସୃଷ୍ଟି ହୋଇଥାଏ ତାହା ୩ ଶହ ମିଟର ବ୍ୟାସାର୍ଦ୍ଧରେ ରହୁଥିବା ଲୋକମାନଙ୍କ ଜୀବନ ପ୍ରତି ବିପଦ ରହିଛି। ଏହି ଇଲୋକ୍‍ଟ୍ରୋମ୍ୟାଗନେଟିକ ବିକିରଣ ଯୋଗୁ ସ୍ମୃତି ଶକ୍ତିରେ ହ୍ରାସ ହେବା ସହିତ ଏକାଗ୍ରତାର ଅଭାବ, ହଜମ ଶକ୍ତି ହ୍ରାସ ଏପରିକି କ୍ୟାନସର ହେବାର ଆଶଙ୍କା ରହିଥାଏ। ଇଲୋକଟ୍ରୋମ୍ୟାଗନେଟିକ ରେଡିଏସନ ଦ୍ୱାରା ମୋବାଇଲ ଟାୱାର ନିକଟରେ ରହୁଥିବା ଲୋକମାନଙ୍କ ମଧ୍ୟରେ ଦୁଇ ପ୍ରକାର ରୋଗ ଦେଖାଯାଇଥାଏ। କିଛି ଲୋକଙ୍କର ମୋତିଆବିନ୍ଦୁ ହେବା ସହିତ ଏକାଗ୍ରତାରେ ହ୍ରାସ ହୋଇଥାଏ।

ମୋବାଇଲ ଟାୱାର ନିକଟରେ ରହୁଥିବା ଶିଶୁ ଏବଂ ଗର୍ଭବତୀଙ୍କ ମଧ୍ୟରେ ଅଧିକ ପ୍ରଭାବ ପଡ଼ିଥାଏ। ଗର୍ଭରେ ଥିବା ଶିଶୁର ମସ୍ତିଷ୍କ ଖପୁରୀ ହାଡ ହ୍ରାସ ପାଇଥାଏ। ମୋବାଇଲ ଟାୱାରରୁ ବାହାରୁଥିବା ବିକିରଣ ଦ୍ୱାରା ପଶୁ ପକ୍ଷୀମାନେ ପ୍ରଭାବିତ ହେବାସହିତ ସେମାନେ ରାସ୍ତା ଭୁଲି ଯାଇଥାନ୍ତି। ବିଶେଷ କରି ମହୁମାଛି ମାନେ ନିଜର ବସାକୁ ଫେରିବାରେ ବାଧା ସୃଷ୍ଟି ହୋଇଥାଏ। ଭାରତରେ ପ୍ରତି ବର୍ଗ କିଲୋମିଟର ମଧ୍ୟରେ ୯.୨ ୱାଟର ରେଡିଏସିନ ବା ବିକିରଣ ହୋଇଥାଏ ଯାହା ଅନ୍ୟ ଦେଶଠାରୁ ଯଥେଷ୍ଟ ଅଧିକ ବୋଲି ଗବେଷଣାରୁ ଜଣାପଡ଼ିଛି। ଇଣ୍ଟରନ୍ୟାସନାଲ୍‍ ଏଜେନ୍ସି ଫର ରିସର୍ଚ୍ଚ ଅନ୍‍ କ୍ୟାନସର ପ୍ରକାଶ କରିଛି ଯେ, ଏହି ବିକିରଣ ଦ୍ୱାରା କ୍ୟାନସର ହେବା ଭଳି ଉପାଦାନ ରହିଥାଏ।

ଏହି ରିସର୍ଚ୍ଚ ପେପରେ ଦର୍ଶାଯାଇଛି ଯେ, ଜନବସତି ଅଞ୍ଚଳରେ ମୋବାଇଲ ଟାୱାର ବସାଇବାକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିବା ସହିତ ଲୋକମାନେ ଟଙ୍କାକୁ ଦେଖି ନିଜ ଜୀବନକୁ ବିପଦରେ ନପକାଇବାକୁ କହିଛନ୍ତ। ଏହି ମୋବାଇଲ ଟାୱାରରୁ ସୃଷ୍ଟି ହେଉଥିବା ଇଲୋକଟ୍ରୋମ୍ୟାଗନେଟିକ ରେଡିଏସନ ଦ୍ୱାରା ମସ୍ତିଷ୍କ ଫୁଲିଯିବା, ନିଦ୍ରାହୀନତା, ଶ୍ରବଣଶକ୍ତି ହ୍ରାସ, ଉତ୍କଣ୍ଠା, ହାର୍ଟରେଟ୍‍ରେ ଅନିୟମିତତା, ବ୍ରେନ ଡିଜଅର୍ଡର, ମୁଣ୍ଡବ୍ୟଥା, ନିଦୁଆ ନିଦୁଆ ଲାଗିବା, ଅବସାଦ, ଆଣ୍ଠୁ ଗଣ୍ଠି ଯନ୍ତ୍ରଣା, କର୍କଟ ରୋଗ ହେବାର ଆଶଙ୍କା ରହିଥାଏ। ମୋବାଇଲର ବହୁଳ ବ୍ୟବହାର ଦ୍ୱାରା ବିଭିନ୍ନ ଟେଲିକମ କମ୍ପାନୀ ଗୁଡିକ ଜନଗହଳିପୂର୍ଣ୍ଣ ମୋବାଇଲ ଟାୱାର ବସାଇ ଲାଭବାନ ହେଉଥିବା ବେଳେ ସାଧାରଣ ଲୋକଙ୍କ ଜୀବନ ବିପଦରେ ପଡୁଛି।

ଜିଲ୍ଲାରେ ହଜାର ହଜାର ମୋବାଇଲ ଟାୱାର ରହିଥିବା ବେଳେ ଏହାର ନିୟନ୍ତ୍ରଣ ଏବଂ ନୀତିନିୟମକୁ ଉଲ୍ଲଙ୍ଘନ କରି ଏହା ନିର୍ମାଣ କରାଯାଉଥିବା ଜଣାପଡ଼ିଛି। ଢେଙ୍କାନାଳ ପୌରାଞ୍ଚଳରେ ଶତାଧିକ ମୋବାଇଲ ଟାୱାର ରହିଛି। ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟ, ରେଭୁନ୍ୟୁ କଲୋନୀ, ଟ୍ରେଜେରୀ କଲୋନୀ ଏବଂ ଗୁଡିଆନାଳୀରେ ମୋବାଇଲ ଟାୱାର ନ ବସାଇବା ପାଇଁ ସିନିୟର ସିଟିଜେନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ଏହାକୁ ନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବୁଧବାର ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସ୍ଥାନୀୟ ଲୋକ ତୀବ୍ର ବିରୋଧ କରିବାରୁ ପୌରସଂସ୍ଥା ଏହାର ଟେଣ୍ଡର ବାତିଲ କରିଦେଇଥିବା ଜଣାପଡ଼ିଛି। ସୁପ୍ରିମ କୋର୍ଟର ନୀତି ନିୟମକୁ ଉଲ୍ଲଙ୍ଘନ କରି ଏବଂ ଲୋକମାନଙ୍କର ମତାମତ ନ ନେଇ ହଜାର ହଜାର ମୋବାଇଲ ଟାୱାର କାର୍ଯ୍ୟକରୁଥିବା ଜଣାପଡ଼ିଛି।

Leave A Reply

Your email address will not be published.