ଶାଳୀ ଘରୁ ଚୋରିକରି ଭିଣୋଇ ଗିରଫ
ଭୁବନେଶ୍ୱର : ଶାଳୀ ଘରୁ ସୁନା ଅଳଙ୍କାର ଚୋରି କରିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ମଞ୍ଚେଶ୍ୱର ଥାନା ପୁଲିସ ଗିରଫ କରିଛି। ଗିରଫ ଭିଣୋଇ ହେଲେ ଶ୍ରୀଲିଙ୍ଗରାଜ ଥାନା ଓଲ୍ଡଟାଉନର ଅଭିଷେକ ମହାପାତ୍ର(୩୨)। ତା’ ଠାରୁ ସୁନାଚେନ୍, ମୁଦି ଓ ବ୍ରେସ୍ଲେଟ୍ ଜବତ ହୋଇଛି। ଚୋରି ସୁନା ଅଳଙ୍କାରକୁ ସୁନା ଋଣ ସଂସ୍ଥାରେ ଜମା ରଖି ଟଙ୍କା ଆଣିଲେ। ଆଉ ଉକ୍ତ ଟଙ୍କାରେ ଆଇପିଏଲ୍ରେ ବେଟିଂରେ ଲଗାଉଥିବା ପୁଲିସ ଜାଣିବାକୁ ପାଇଛି। ପୁଲିସର କହିବା ଅନୁଯାୟୀ ମଞ୍ଚେଶ୍ୱର ଥାନା ପାଣ୍ଡରା ସ୍ଥିତ କାଳିଆନଗରରେ ରହୁଥିବା ବଟକୃଷ୍ଣ ପରିଡ଼ାଙ୍କ ଘରକୁ ଗତ ୮ ତାରିଖରେ ସଢ଼ୁ ଅଭିଷେକ ଓ ତାଙ୍କର ପତ୍ନୀ(ଦେଢ଼ଶାଶୂ) ବୁଲିବାକୁ ଆସିଥିଲେ।
ଆଉ ଘରେ ଅଳ୍ପ ଲୋକ ଥିବାର ସୁଯୋଗ ନେଇ ଅଭିଷେକ ସୁନାଚେନ, ମୁଦୀ ଓ ବ୍ରେସଲେଟ ଚୋରି କରି ନେଇ ଯାଇଥିଲେ। ଏନେଇ ବଟକୃଷ୍ଣ ସଢ଼ୁ ଅଭିଷେକଙ୍କୁ ପଚରାଉଚରା କରିବାରୁ ତାଙ୍କୁ ଖରାପ ଭାଷାରେ ଗାଳି କରିବା ସହିତ ଧମକ ଦେଇଥିଲେ। ଏନେଇ ସେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ଆଉ ତାଙ୍କୁ ଜେରା କରିବା ପରେ ସାମ୍ନାକୁ ଆସିଥିଲା ସତ। ଅଭିଯୁକ୍ତ ଅଭିଷେକ ସୁନାକୁ ଚୋରି କରିବା ପରେ ମଣପୁରମ ଆସେଟ ଫାଇନାନ୍ସ ଲିମିଟେଡ୍ରେ ବନ୍ଧକ ରଖି ୧ ଲକ୍ଷ ୬୯ ହଜାର ଟଙ୍କା ଉଠାଇ ନେଇଯାଇଥିଲେ। ତେବେ ଉକ୍ତ ଟଙ୍କାକୁ ନେଇ ଆଇପିଏଲରେ ବେଟିଂରେ ଲଗାଇଥିଲେ। ଆଉ କିଛି ଟଙ୍କାକୁ ନେଇ ସେ ମଉଜ କରୁଥିଳେ। ଉକ୍ତ ସୁନାକୁ ଋଣ ସଂସ୍ଥାରୁ ଶାଖା ପ୍ରବନ୍ଧକଙ୍କ ଠାରୁ ଜବତ କରାଯାଇଛି।