ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜଣେ ଦୁର୍ଦ୍ଦର୍ଷ ଯୋଦ୍ଧା ଓ ବିଚକ୍ଷଣ ବିପ୍ଳବୀ ବୀର ସୁରେନ୍ଦ୍ର ସାଏ

ଆଜି ଓଡ଼ିଶାର ଅନ୍ୟତମ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମବାର୍ଷିକୀ। ସେ ଥିଲେ  ଜଣେ ଦୁର୍ଦ୍ଦର୍ଷ ଯୋଦ୍ଧା ଓ ବିଚକ୍ଷଣ ବିପ୍ଳବୀ।  ୧୮୫୭ ସିପାହୀ ବିଦ୍ରୋହର ୩୦ ବର୍ଷ ପୂର୍ବରୁ ରାଜଗାଦିର ଉତ୍ତରାଧିକାରିତ୍ୱ ନେଇ ସେ ବ୍ରିଟିଶ୍‌ ସରକାର ବିରୋଧରେ ‘ଉଲଗୁଲାନ’ (ଆନ୍ଦୋଳନ) ଆରମ୍ଭ କରିଥିଲେ । ଇଂରେଜମାନଙ୍କ ବିରୁଦ୍ଧରେ ନିରବଚ୍ଛିନ୍ନ ଲଢ଼େଇ କରି ସେ ତାଙ୍କ ଜୀବନ କାଳର ୩୭ବର୍ଷ କାରାଗାରରେ କାଟିଥିଲେ । ତାଙ୍କର ଅଦ୍ଭୁତ ସାଂଗଠନିକ ଶକ୍ତି, ଅସୀମ ପରାକ୍ରମ, ଅସାଧାରଣ ରଣକୌଶଳ ଇଂରେଜ ଶାସକଙ୍କୁ ଚକିତ କରିଥିଲା।

୧୮୦୯ ମସିହା ଆଜିର ଦିନରେ ସୁରେନ୍ଦ୍ର ସାଏଙ୍କ ଜନ୍ମ ସମ୍ବଲପୁରଠାରୁ ୪୦ କି.ମି ଦୂର ଖିଣ୍ଡା ଅଞ୍ଚଳରେ ହୋଇଥିଲା। ଖିଣ୍ଡାବଂଶୀୟ ଧରମ ସିଂହ ଓ ରେବତୀ ଦେବୀଙ୍କ ସାତ ପୁଅ ଓ ଗୋଟିଏ ଝିଅ ମଧ୍ୟରୁ ସୁରେନ୍ଦ୍ର ଥିଲେ ବଡ଼ । ସେ ଥିଲେ ସମ୍ବଲପୁରରେ ଚୌହାଣ ବଂଶର ଚତୁର୍ଥ ରାଜା ମଧୁକର ସାଏଙ୍କ ବଂଶଜ। ୧୮୨୭ରେ ଚୌହାଣ ବଂଶର ଶେଷ ରାଜା ନିଃସନ୍ତାନ ମହାରାଜ ସାଏଙ୍କ ମୃତ୍ୟୁ ପରେ ରାଜଗାଦିରେ ଅଧିଷ୍ଠିତ ହେବା ପାଇଁ ସୁରେନ୍ଦ୍ର ସାଏ ଥିଲେ ଯୋଗ୍ୟ ବ୍ୟକ୍ତି। କିନ୍ତୁ ବ୍ରିଟିଶ୍‌ କର୍ତ୍ତୃପକ୍ଷ ନାନା ଫନ୍ଦିଫିକର କରି ସୁରେନ୍ଦ୍ର ସାଏଙ୍କୁ ରାଜଗାଦିରୁ ଦୂରେଇ ରଖିବାରୁ ଜନଅସନ୍ତୋଷ ତୀବ୍ରତର ହୋଇ ସମ୍ବଲପୁର ବିପ୍ଳବର ରୂପ ନେଲା। ତାଙ୍କ ମୋଟ ଜୀବନ କାଳ ୭୫ ବର୍ଷ ମଧ୍ୟରୁ ୩୭ ବର୍ଷକାଳ ସେ କାରାଗାରରେ କାଟିଥିଲେ ।

ସେ ୧୮୨୭-୧୮୬୪ ମସିହା ଜାନୁଆରୀ ୨୩ ତାରିଖ ପର୍ଯ୍ୟନ୍ତ ବିଦ୍ରୋହର ବହ୍ନିକୁ ପ୍ରଜ୍ବଳତି କରି ରଖିଥିଲେ । ସୁରେନ୍ଦ୍ର ସାଏ ୧୮୨୭ରୁ ୧୮୪୦ ପର୍ଯ୍ୟନ୍ତ ୧୩ ବର୍ଷ ଓ ୧୮୫୭ରୁ ୧୮୬୪ ପର୍ଯ୍ୟନ୍ତ ୭ ବର୍ଷ ଏହିପରି ଦୁଇଟି ପର୍ଯ୍ୟାୟରେ ମୋଟରେ ୨୦ ବର୍ଷ ଇଂରେଜ ସରକାରଙ୍କ ବିରୁଦ୍ଧରେ ନିରବଚ୍ଛିନ୍ନ ଭାବରେ ଲଢ଼େଇ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଇଂରେଜମାନଙ୍କ ବିରୁଦ୍ଧରେ ତାଙ୍କର ସଂଗ୍ରାମ ୧୮୨୭-୧୮୪୦ ମସିହା ପର୍ଯ୍ୟନ୍ତ ବିକ୍ଷିପ୍ତ ଏବଂ ସୀମିତ ଥିଲା । କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟରେ ଏହା ଅଧିକ ସୁସଂଗଠିତ, ସୁସଂହତ ତଥା ବୀରତ୍ୱପୂର୍ଣ୍ଣ ଥିଲା।  ସେ ଘଞ୍ଚ ବନାନୀ, ପାର୍ବତ୍ୟ ଦୁର୍ଗ, ଗିରିଶୃଙ୍ଗକୁ ନିଜ ଆଶ୍ରୟସ୍ଥଳୀ ଭାବେ ବାଛି ନେଇଥିଲେ ।

ସୁରେନ୍ଦ୍ର ସାଏ ଇଂରେଜମାନଙ୍କ ମୁକାବିଲା ପାଇଁ ରଣନୀତି ଆପଣେଇ ଥିଲେ। ପାହାଡ଼ ଉପରୁ ପଥର ଖସାଇ ଇଂରେଜମାନଙ୍କ ଉପରେ ଅତର୍କିତ ଆକ୍ରମଣ କରୁଥିଲେ। ତାଲିମପ୍ରାପ୍ତ ଇଂରେଜ ସୈନ୍ୟମାନଙ୍କ ଯୁଦ୍ଧ କୌଶଳ ଏଥିରେ କାମ ଦେଇନଥିଲା। ତେବେ ବିଶ୍ୱାସଘାତକତାର ଶିକାର ହୋଇଥିଲେ ସୁରେନ୍ଦ୍ର ସାଏ। ତାଙ୍କ ଜନ୍ମଦିନ ୨୩ ଜାନୁଆରି ୧୮୬୪ ରେ ହିଁ ଦ୍ୱିତୀୟ ଥର ପାଇଁ ସେ ଗିରଫ ହୋଇଥିଲେ। ୮ ଜୁନ୍‍ ୧୮୬୫ରେ ଅସିରଗଡ଼ ଦୁର୍ଗରେ ତାଙ୍କୁ ବନ୍ଦୀ କରି ରଖାଯାଇଥିଲା। ଏହି ସମୟରେ ସେ ଅସୁସ୍ଥ ହୋଇପଡ଼ିଥିଲେ । ୨୮ ଫେବ୍ରୁଆରୀ ୧୮୮୪ରେ ଏହି ମହାନ ବୀରଙ୍କ ଜୀବନ ଦୀପ ନିର୍ବାପିତ ହୋଇଯାଇଥିଲା।

Leave A Reply

Your email address will not be published.