ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରୁଷକୁ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କ ଠାରୁ ଅଲଗା କରିବା ପାଇଁ ଷଡ଼ଯନ୍ତ୍ର କରୁଛି ଆମେରିକା : ପୁଟିନ୍‌

ନୂଆଦିଲ୍ଲୀ : ୟୁକ୍ରେନରେ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ଗତକାଲି ଦି ହେଗ୍‌ସ୍ଥିତ ଆନ୍ତର୍ଜାତିକ ନ୍ୟାୟାଳୟ (ଆଇସିଜେ) ଦେଇଥିବା ନିର୍ଦ୍ଦେଶକୁ ରୁଷ ଗୁରୁବାର ପ୍ରତ୍ୟାଖ୍ୟାନ କରିଦେଇଛି। ଏହି ନିର୍ଦ୍ଦେଶନାମାକୁ ଉଭୟ ରୁଷ ଏବଂ ୟୁକ୍ରେନ କାର୍ଯ୍ୟକାରୀ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲା ବେଳେ ଅପରପକ୍ଷରୁ ସେଭଳି କୌଣସି ସଙ୍କେତ ମିଳିନଥିବା କ୍ରେମଲିନ ପ୍ରବକ୍ତା କହିଛନ୍ତି। ଫଳରେ ଆଇସିଜେ ଦେଇଥିବା ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯାଇନଥିବା ସେ କହିଛନ୍ତି। ଅପରପକ୍ଷରେ ଆମେରିକା ସିନେଟ ରୁଷ ରାଷ୍ଟ୍ରପତି ପୁତିନଙ୍କୁ ଯୁଦ୍ଧ ଅପରାଧୀ ଭାବେ ଘୋଷଣା କରିଥିବାରୁ ରୁଷ ଆମେରିକା ପ୍ରତି ଅତ୍ୟନ୍ତ କଠୋର ହୋଇପଡ଼ିଛି। ଆମେରିକା ସିନେଟର ଏଭଳି ଘୋଷଣା ପରେ ସମସ୍ତ ୟୁରୋପୀୟ ରାଷ୍ଟ୍ର ପୁତିନଙ୍କୁ ଯୁଦ୍ଧ ଅପରାଧୀ ଘୋଷଣା କରିବାକୁ ୟୁକ୍ରେନ ରାଷ୍ଟ୍ରପତି ଜେଲେଁସ୍କିଙ୍କ ଆହ୍ବାନ ପୁତିନଙ୍କୁ ଆହୁରି ବିବ୍ରତ କରିଛି। ଏହାବ୍ୟତୀତ ଆମେରିକା ନେତୃତ୍ବରେ ଏବେ ବହୁ ୟୁରୋପୀୟ ରାଷ୍ଟ୍ର ଆର୍ଥିକ ଦୃଷ୍ଟିରୁ ରୁଷକୁ ବାସନ୍ଦ କରିଥିବାରୁ ଏହାକୁ ନେଇ ମଧ୍ୟ ପୁତିନ ବିବ୍ରତ ହୋଇପଡ଼ିଛନ୍ତି ।

ଏହାକୁ ନେଇ ଆମେରିକା ସମେତ ୟୁକ୍ରେନକୁ ସହାୟତା କରୁଥିବା ସମସ୍ତ ପାଶ୍ଚାତ ରାଷ୍ଟ୍ରକୁ ରୁଷ ଚେତାବନୀ ଦେଇଛି। ୟୁକ୍ରେନ ପ୍ରସଙ୍ଗରେ ଏହି ସମସ୍ତ ରାଷ୍ଟ୍ର ରୁଷ ବିରୋଧରେ ଷଡଯନ୍ତ୍ର ଚଳାଇଥିବା ଦର୍ଶାଇ ରୁଷ ଆମେରିକାକୁ ଚେତାବନୀ ଦେଇ କହିଛି ଯେ, ତୁରନ୍ତ ଷଡ଼ଯନ୍ତ୍ର ବନ୍ଦ କର, ନହେଲେ ତୁମକୁ ଠିକଣା ଜାଗା ଦେଖାଇ ଦେବୁ। ରୁଷକୁ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କ ଠାରୁ ଅଲଗା କରିବା ପାଇଁ ଆମେରିକା ଷଡ଼ଯନ୍ତ୍ର କରୁଛି ବୋଲି ମସ୍କୋ ଅଭିଯୋଗ କରିଛି। ଏହି ପ୍ରସଙ୍ଗରେ ରୁଷିଆ ସୁରକ୍ଷା ପରିଷଦରର ଉପ ସଚିବ ଦିମିତ୍ରୀ ମେଦଭେଦେଭ୍ କହିଛନ୍ତି ଯେ, ଆମେରିକା ରୁଷିଆକୁ ତଳିତଳାନ୍ତ କରିବା ପାଇଁ ଘୃଣା ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର କରୁଛି। ହେଲେ ଆମେରିକାର ଏହି ଚାଲ୍ କେବେ ସଫଳ ହେବ ନାହିଁ। ଆମେ ଆମର ସବୁ ଶତ୍ରୁଙ୍କୁ ମୁକାବିଲା କରିବାର କ୍ଷମତା ରଖୁଛୁ ବୋଲି ଦିମିତ୍ରୀ କହିଛନ୍ତି। ବିଶେଷକରି ଏବେ ଆମେରିକା ସମତେ ବହୁ ୟୁରୋପୀୟ ରାଷ୍ଟ୍ର ରୁଷ ବିରୋଧରେ ଆର୍ଥିକ କଟକଣା ଜାରି କରିଥିବାରୁ ରୁଷ ଏବେ ଆର୍ଥିକ ଜଗତରେ ଏକ ଘରିକିଆ ହୋଇପଡ଼ିଛି।

ଏହାକୁ ନେଇ ରାଷ୍ଟ୍ରପତି ପୁତିନ ଏକପ୍ରକାର ଚିନ୍ତିତ ହୋଇପଡ଼ିଥିବା ବେଳେ ଆମେରିକା ପ୍ରତି କଠୋର ହୋଇପଡ଼ିଛନ୍ତି। ଗତ ଫେବୃଆରୀ ୨୪ ତାରିଖରେ ରୁଷ ୟୁକ୍ରେନ୍ ଉପରେ ଆକ୍ରମଣ କରିବା ପରେ ପରେ ଆମେରିକା ସମେତ ବହୁ ୟୁରୋପୀୟ ରାଷ୍ଟ୍ରଙ୍କ ସମେତ ଜାପାନ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ଭଳି ରାଷ୍ଟ୍ର ମଧ୍ୟ ରୁଷ ବିରୋଧରେ ନାନା ପ୍ରତିବନ୍ଧକ ଲଗାଇଛନ୍ତି। କିନ୍ତୁ ଆମେରିକା ୟୁକ୍ରେନ୍‌କୁ ହାତ କରି ରୁଷକୁ ପ୍ରତି ବିପଦ ସୃଷ୍ଟି କରିବାକୁ ଚେଷ୍ଟା କରୁଛି ବୋଲି ପୁତିନ କହିଛନ୍ତି। ଅପରପକ୍ଷରେ ରୁଷର ଆକ୍ରମଣକୁ ବହୁ ପାଶ୍ଚାତ ରାଷ୍ଟ୍ର ନିନ୍ଦା କରିବା ସହିତ ସେଠାରେ ତୁରନ୍ତ ନରସଂହାର ବନ୍ଦ କରିବାକୁ ଦାବି କରିଥିଲେ ହେଁ ଏଥÒରେ କୌଣସି ସୁଫଳ ମିଳିପାରି ନାହିଁ। ବରଂ ଦିନକୁ ଦିନ ରୁଷ ଆକ୍ରମଣ ତୀବ୍ର ହେବାରେ ଲାଗିଛି। ଗୁରୁବାର ସୁଦ୍ଧା ଯୁଦ୍ଧ ୨୨ ଦିନରେ ପହଞ୍ଚିଥିବା ବେଳେ ଏବେ ୟୁକ୍ରେନର ବହୁ ସହର ଧ୍ବଂସାଭିମୁଖୀ ହୋଇପଡ଼ିଛି।

ସେଠାରେ ସୃଷ୍ଟି ହୋଇଥିବା ମାନବ ସଙ୍କଟକୁ ନେଇ ଆମେରିକା , ବ୍ରିଟେନ, ଫ୍ରାନ୍ସ, ଆଲବେନିଆ, ନରୱେ ଏବଂ ଆର୍ୟଲାଣ୍ଡ ଆଦି ରାଷ୍ଟ୍ରଙ୍କ ପକ୍ଷରୁ ତୁରନ୍ତ ଜାତିସଂଘର ସୁରକ୍ଷା ପରିଷଦ ବୈଠକ ଡକାଇବାକୁ ଗୁରୁବାର ନିଷ୍ପତ୍ତି ହୋଇଛି। ଅନ୍ୟପକ୍ଷରେ ୟୁକ୍ରେନ ରାଷ୍ଟ୍ରପତି ଜେଲେଁସ୍କି ବୁଧବାର ଆମେରିକା ସଂସଦକୁ ସମ୍ବୋଧିତ କରିଥିଲା ବେଳେ ଗୁରୁବାର ଜର୍ମାନୀ ସଂସଦକୁ ଭର୍ଚୁଆଲ ମାଧ୍ୟମରେ ସମ୍ବୋଧିତ କରିଛନ୍ତି। ପୂର୍ବରୁ ଜର୍ମାନୀ ବର୍ଲିନ ପ୍ରାଚୀରକୁ ଭାଙ୍ଗିବାକୁ ସକ୍ଷମ ହୋଇଥିବା ବେଳେ ଏବେ ଆଉ ଏକ ପ୍ରାଚୀରକୁ ଭାଙ୍ଗିବାକୁ ଆଗେଇ ଆସୁ ବୋଲି ଅତ୍ୟନ୍ତ ଭାବାତ୍ମକ ଭାବେ ଜର୍ମାନୀ ସାଂସଦମାନଙ୍କୁ ଜେଲେଁସ୍କି ଆହ୍ବାନ ଜଣାଇଛନ୍ତି। ବିଶେଷକରି କେନ୍ଦ୍ରୀୟ ୟୁରୋପରେ ସ୍ବାଧୀନତା ଏବଂ ଦାସତ୍ବ ମଧ୍ୟରେ ରହିଥିବା ପ୍ରଭେଦ ପ୍ରାଚୀରକୁ ଉଲ୍ଲେଖ କରି ଜେଲେଁସ୍କି ଏହା କହିଛନ୍ତି। ରୁଷର ପ୍ରତିଟି ବୋମାବର୍ଷଣ ସହ ଏହି ପ୍ରାଚୀର ଆହୁରି ଉଚ୍ଚା ହୋଇଚାଲିଛି । ତେଣୁ ଆପଣମାନେ ଏହି ପ୍ରାଚୀରକୁ ଭାଙ୍ଗିଦିଅନ୍ତୁ ବୋଲି ଜର୍ମାନୀ ସାଂସଦଙ୍କ ଉଦ୍ଦେଶ୍ୟରେ ଜେଲେନସ୍କି କହିଛନ୍ତି ।

Leave A Reply

Your email address will not be published.