କିଛି ସମୟ ପାଇଁ କୋଟିପତି, ଶହେ ଟଙ୍କା ଉଠାଇବାକୁ ଯାଇ ଖାତାରେ ୨୭୦୦ କୋଟି ଥିବା ଦେଖିଲେ

କୌନଜ : ଉତ୍ତରପ୍ରଦେଶରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଜଣେ ଶ୍ରମିକ କିଛି ସମୟ ପାଇଁ କୋଟିପତି ପାଲଟି ଯାଇଛନ୍ତି! ସୂଚନା ଅନୁଯାୟୀ କୌନଜ ଛିବ୍ରାମୌଉ କୋୱାଲି ଥାନା ଅନ୍ତର୍ଗତ କମଲାପୁର ଗ୍ରାମର ଶ୍ରମିକ ବିହାରୀ ଲାଲ (୪୫) ସୋମବାର ନିଜ ବ୍ୟାଙ୍କ ଆକାଉଣ୍ଟରୁ ଶହେ ଟଙ୍କା ଉଠାଇବାକୁ ଯାଇଥିଲେ। ଟଙ୍କା ଉଠାଣ ପରେ ତାଙ୍କ ଆକାଉଣ୍ଟରେ ୨୭୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଥିବା ଏସଏମଏସ ଆସିଥିଲା। ଏହା ଜାଣିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ଏ ବିଷୟରେ ବ୍ୟାଙ୍କ ଅଫ ଇଣ୍ଡିଆ ଅଧିକାରୀଙ୍କୁ ଜଣାଇଥିଲେ ଏବଂ ଆକାଉଣ୍ଟକୁ ଚେକ୍ କରିବାକୁ କହିଥିଲେ।
ଏହା ଶୁଣି ବ୍ୟାଙ୍କ କର୍ମଚାରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବ୍ୟାଙ୍କ କର୍ମଚାରୀ ତାଙ୍କ ଆକାଉଣ୍ଟକୁ ତିନି ଥର ଚେକ୍ କରି ୨୭, ୦୭, ୮୫, ୧୩, ୯୮୫ ଟଙ୍କା ଆସିଥିବା କହିଥିଲେ। ଶ୍ରମିକ ରାଜସ୍ଥାନର ଇଟା କାରଖାନାରେ କାମ କରୁଥିଲେ। ସେ ଦିନକୁ ୬୦୦ରୁ ୮୦୦ ଟଙ୍କା ଆୟ କରୁଥିଲେ। ଏହା ଜାଣିବା ପରେ ସେ ଆବାକ ହୋଇଯାଇଥିଲେ। ତେବେ ଏହି ଖୁସି ବେଶି ସମୟ ପାଇଁ ରହି ନ ଥିଲା। ଅନ୍ୟ ଏକ କେନ୍ଦ୍ରରେ ଆକାଉଣ୍ଟ ଚେକ୍ କରିବା ପରେ ମାତ୍ର ୧୨୬ ଟଙ୍କା ଥିବା ଦେଖାଇ ଥିଲା। ବ୍ୟାଙ୍କ ତ୍ରୁଟି ଯୋଗୁଁ ଏପରି ହୋଇଥିଲା ବୋଲି ଜିଲ୍ଲା ପରିଚାଳକ ଅଭିଶେଖ ସିହ୍ନା କହିଥିଲେ।