ଶ୍ରୀମନ୍ଦିରକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ଅବହେଳା : ‘ଟେମ୍ପୁଲ ୩୬୦’ରେ ନାହିଁ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂଳ ପୀଠ ହେଉଛି ପୁରୀ। ଜଗନ୍ନାଥ ମନ୍ଦିର କଥା ଉଠିଲେ ପ୍ରଥମେ ପୁରୀ ଶ୍ରୀମନ୍ଦିରର ଛବି ପ୍ରତ୍ୟେକଙ୍କ ସାମ୍ନାକୁ ଆସିଯାଏ। ମହାପ୍ରଭୁଙ୍କ ସାନ୍ନିଧ୍ୟ ପାଇବା ପାଇଁ ପ୍ରତିଦିନ ହଜାର ହଜାର ଭକ୍ତ କାହିଁ କେତେଦୂର ଶ୍ରୀକ୍ଷେତ୍ର ଆସନ୍ତି। ହେଲେ ପୁରୀର ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନଥଙ୍କୁ ଅଣଦେଖା କରିଛି କେନ୍ଦ୍ର ସରକାର ସଂସ୍କୃତି ମନ୍ତ୍ରଣାଳୟ।
ଏହି ମନ୍ତ୍ରଣାଳୟ ପକ୍ଷରୁ ‘ଟେମ୍ପୁଲ ୩୬୦ ଡଟ୍ ଇନ୍’ ନାମରେ ଏକ ସାଇଟ୍ ଖୋଲାଯାଇଛି। ଘରେ ବସି ଯେ କେହି କମ୍ପ୍ୟୁଟର ଅବା ନିଜ ମୋବାଇଲ ଫୋନ ମାଧ୍ୟମରେ ଏହି ସାଇଟ୍କୁ ଯାଇ ଭାରତର ପ୍ରସିଦ୍ଧ ମନ୍ଦିର, ତୀର୍ଥ ଏବଂ ଚାରିଧାମ ଦର୍ଶନ କରିପାରିବେ। କୌଣସି ମନ୍ଦିରକୁ କ୍ଲିକ କରି ସେହି ମନ୍ଦିର ଏବଂ ଠାକୁରଙ୍କ ସିଧା ପ୍ରସାରଣ ମଧ୍ୟ ଦେଖିପାରିବେ। ପ୍ରତିଦିନ ସେହି ମନ୍ଦିରର ଆଳତିର ଲାଇଭ ଦର୍ଶନ ସହିତ ଯେ କେହି ଚାହିଁବେ ସମ୍ପୃକ୍ତ ମନ୍ଦିରର ପ୍ରସାଦକୁ ମଧ୍ୟ ଅର୍ଡର ଦେଇ ମଗାଇପାରିବେ। ସଂସ୍କୃତି ମନ୍ତ୍ରଣାଳୟର ଏହି ଭାବପୂର୍ଣ୍ଣ ଉପହାରରେ କିନ୍ତୁ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ପ୍ରତି ଅବହେଳା କରାଯାଇଛି। ଏହାର ହୋମ୍ ପେଜରେ ବିଭିନ୍ନ ମନ୍ଦିରର ନାମ ଫଟୋ ସହିତ ସମ୍ୟକ୍ ସୂଚନା ମଧ୍ୟ ରହିଛି। ଭାରତର ପ୍ରମୁଖ ବଡ଼ ବଡ଼ ମନ୍ଦିର ଏଥିରେ ସ୍ଥାନ ପାଇଛି। ମାତ୍ର ଜଗନ୍ନାଥପ୍ରେମୀ ଭକ୍ତଙ୍କ ପ୍ରତି କ୍ଷୋଭର ବିଷୟ ହେଉଛି ଏଥିରେ ଜଗନ୍ନାଥ ମନ୍ଦିର ଲେଖାଯାଇଛି। ହେଲେ ସେଥିରେ ପୁରୀ ଜଗନ୍ନାଥ ମନ୍ଦିର ଫଟେ କିମ୍ବା କୌଣସି ସୂଚନା ନାହିଁ। ସେଠାରେ ହରିଆନା ଗୁରୁଗାଓଁର ଜଗନ୍ନାଥ ମନ୍ଦିର ଫଟୋ ଏବଂ ସେ ମନ୍ଦିର ସମ୍ପର୍କରେ ତଥ୍ୟ ରହିଛି।
ଯାହାକୁ ନେଇ ଜଗନ୍ନାଥପ୍ରେମୀ ଭକ୍ତ, ବୁଦ୍ଧିଜୀବୀ କ୍ଷୋଭ ପ୍ରକାଶ କରିଛନ୍ତି। ପୁରୀର ବୁଦ୍ଧିଜୀବୀ ନାରାୟଣ ଦାଶ କହିଛନ୍ତି, ଅନ୍ୟ ଜଗନ୍ନାଥ ମନ୍ଦିର ଦେବାରେ ଆମର କୌଣସି ଆପତ୍ତି ନାହିଁ। କିନ୍ତୁ ଜଗନ୍ନାଥ ମନ୍ଦିର କହିଲେ ପ୍ରଥମେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ଗୁରୁତ୍ୱ ଦିଆଯିବା କଥା। ଯଦିଓ ଶ୍ରୀମନ୍ଦିର ଭିତରେ ଫଟୋ କିମ୍ବା ଭିଡ଼ିଓ ଉତ୍ତୋଳନ ବାରଣ ରହିଛି ବାହାରୁ ମନ୍ଦିର ଫଟୋ, ମହାପ୍ରସାଦ ଆଦି ଦିଆଯାଇପାରିଥାନ୍ତା। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଶ୍ରୀମନ୍ଦିର ପ୍ରତି ଏଭଳି ଅବହେଳା କରିବା ବାସ୍ତବିକ ନିନ୍ଦନୀୟ। ଏହାକୁ ଦୃଢ ଭାବେ ପ୍ରତିବାଦ କରାଯିବା ଦରକାର। ତୁରନ୍ତ କେନ୍ଦ୍ର ସରକାର ଏ ଦିଗରେ ଯତ୍ନବାନ ହୋଇ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ‘ଟେମ୍ପୁଲ ୩୬୦ ଡଟ୍ ଇନ୍’ରେ ସ୍ଥାନ ଦିଅନ୍ତୁ ବୋଲି ଦାବି କରିଛନ୍ତି ନାରାୟଣ।