ହୃଦ୍ଘାତ ଚିକିତ୍ସା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କଲା ମାର୍ଗଦର୍ଶିକା; ହବ୍ ଆଣ୍ଡ ସ୍ପୋକ୍ ମଡେଲରେ ହେବ କାର୍ଯ୍ୟାନ୍ୱୟନ

ଭୁବନେଶ୍ୱର: ବିଳମ୍ବରେ ହେଲେ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ହୃଦଘାତର ଚିକିତ୍ସା ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି। ରାଜ୍ୟ ସରକାର ହୃଦରୋଗର ଚିକିତ୍ସା ପାଇଁ ବହୁ ପୂର୍ବରୁ ପଦକ୍ଷେପ ନେଇଥିବା ବେଳେ ବର୍ତ୍ତମାନ ଭାରତ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ପଦକ୍ଷେପ ନିଆଯିବ। ମାର୍ଗଦର୍ଶିକାରେ କୁହାଯାଇଛି ଯେ ସ୍ୱାସ୍ଥ୍ୟ କେନ୍ଦ୍ରରେ ହୃଦରୋଗର ଚିକିତ୍ସା ନିମନ୍ତେ ଭିତ୍ତିଭୂମି ସୃଷ୍ଟି ଏବଂ ମାନବ ସମ୍ବଳର ଆବଶ୍ୟକତା ସମ୍ପର୍କରେ ରାଜ୍ୟ ସରକାର ଅନୁଧ୍ୟାନ କରି ପଦକ୍ଷେପ ନେବେ। ଏଥିପାଇଁ ମୁଖ୍ୟତଃ ଏମ୍ଡି, ମେଡିସିନ୍/ଏମ୍ବିବିଏସ୍ ଡାକ୍ତର, ଇସିଜି ଟେକ୍ନିସିଆନ୍ ଏବଂ ଷ୍ଟାଫ୍ ନର୍ସଙ୍କୁ ନିଯୁକ୍ତ କରାଯିବ।
ସେହିପରି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଉପକରଣ, ଜରୁରୀକାଳୀନ ଔଷଧ ମହଯୁଦ ରଖିବା ସହିତ ଥ୍ରୋମ୍ବୋଲିସିସ୍ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯିବ। ସ୍ୱାସ୍ଥ୍ୟ କେନ୍ଦ୍ରରେ ଇସିଜି ବ୍ୟବସ୍ଥା ସହିତ ଚେଷ୍ଟ ପେନ୍ କ୍ଲିନିକ୍ ରହିବ। ଏଥିସହ କ୍ୟାଥ୍ ଲ୍ୟାବ୍, କ୍ରିଟିକାଲ କେୟାର ୟୁନିଟ୍ (ସିସିୟୁ) ଆଦି ରହିବ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି। ହୃଦ ରୋଗର ନିଦାନ ଏବଂ ଚିକିତ୍ସା ପାଇଁ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦିଆଯିବ। ଡାକ୍ତର ଏବଂ ମେଡିକାଲ ଅଫିସରମାନଙ୍କୁ ଇ-ସଞ୍ଜୀବନୀ ପୋର୍ଟାଲ ମାଧ୍ୟମରେ ପ୍ରଶିକ୍ଷଣ ଦିଆଯାଇ ପାରିବ। ଏଥିପାଇଁ ମୁଖ୍ୟତଃ ଏମ୍ସ୍ କିମ୍ବା ତତୁଲ୍ୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ସହାୟତା ନିଆଯାଇ ପାରିବ। ଆବଶ୍ୟକସ୍ଥଳେ ରାଜ୍ୟ ସରକାର ହୃଦରୋଗର ଚିକିତ୍ସା ପାଇଁ ରିଫ୍ରେସର କୋର୍ସ ଆରମ୍ଭ କରିବା ପାଇଁ ପଦକ୍ଷେପ ନେବେ। ପ୍ରଶିକ୍ଷିତ ଡାକ୍ତର ଏବଂ କର୍ମଚାରୀ ପ୍ରଥମ ଚିକିତ୍ସକ ଭାବେ କାର୍ଯ୍ୟ କରିବେ। ସମସ୍ତ ରୋଗୀଙ୍କୁ ମାଗଣାରେ ଔଷଧ ପ୍ରଦାନ କରାଯିବ। ନିଦାନ ଏବଂ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଇସିଜି ମେସିନ୍, ଟ୍ରୋପୋନିନ୍ କେୟାର ଉପକରଣ, ମଲ୍ଟି ପାରା ମନିଟର୍, ଡେଫିବ୍ରିଲେଟର୍, ଜିପିଏସ୍ ଯୁକ୍ତ ସ୍ମାର୍ଟଫୋନ ଆଦି ବ୍ୟବସ୍ଥା କରାଯିବ।
ରୋଗୀଙ୍କ ସୁବିଧା ପାଇଁ ରାଜ୍ୟ ଅବା ଜିଲ୍ଲାସ୍ତରରେ ଏକ ୨୪ ଘଣ୍ଟିଆ ସୂଚନା କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ମାର୍ଗଦର୍ଶିକାରେ କୁହାଯାଇଛି। ଆବଶ୍ୟକସ୍ଥଳେ ସରକାରୀ ଘରୋଇ ଭାଗିଦାରୀ (ପିପିପି) ମୋଡ୍ରେ ସେବା ପ୍ରଦାନକାରୀ ସଂସ୍ଥାକୁ ନିଯୁକ୍ତ କରାଯାଇ ପାରିବ। ଯଦି ଜିଲ୍ଲା, ସବ୍ ଡିଭିଜନ୍ ଅବା ସିଏଚ୍ସି ସ୍ତରରେ ଚିକିତ୍ସା ସମ୍ଭବ ନ ହୁଏ ତା ହେଲେ ସମ୍ପୃକ୍ତ ରୋଗୀଙ୍କୁ ନିକଟସ୍ଥ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ ସମ୍ପୃକ୍ତ ଡାକ୍ତର/ମେଡିକାଲ ଅଫିସର ପଦକ୍ଷେପ ନେବେ। ରୋଗୀଙ୍କ ପରିବହନ ପାଇଁ ୧୦୮ ଆମ୍ବୁଲାନ୍ସ ବ୍ୟବହାର କରାଯିବ। ଗୁରୁତର ରୋଗୀଙ୍କ ପାଇଁ ଜୀବନ ରକ୍ଷାକାରୀ ସୁବିଧା ଥିବା ଆମ୍ବୁଲାନ୍ସ ବ୍ୟବହାର କରାଯିବ ଏବଂ ସେଥିରେ ଜଣେ ପ୍ରଶିକ୍ଷିତ ଫାର୍ମାସିଷ୍ଟ ରହିବେ। ସେହିପରି ୧୦୪ ସ୍ୱାସ୍ଥ୍ୟ ହେଲ୍ପ ଲାଇନ୍ ନମ୍ବରକୁ ମଧ୍ୟ ହୃଦରୋଗ ସେବା ସହିତ ସଂଯୋଗ କରାଯାଇ ପାରିବ।
ଏହି କାର୍ଯ୍ୟକ୍ରମ ସମ୍ପର୍କରେ ରାଜ୍ୟ ସରକାର ଜନସଚେତନତା ସୃଷ୍ଟି କରିବେ। ହୃଦରୋଗ ସମସ୍ୟା ନେଇ ଆସୁଥିବା ରୋଗୀଙ୍କର ଯଥାଶୀଘ୍ର ନିଦାନ ଆରମ୍ଭ ହେବା ଜରୁରୀ। ଯଦ୍ଦ୍ୱରା ହୃଦଘାତରୁ ସେମାନଙ୍କୁ ରକ୍ଷା କରାଯାଇ ପାରିବ। ହୃଦଘାତ ଲକ୍ଷଣ ଥିବା ରୋଗୀଙ୍କର ଅତିବେଶିରେ ଦୁଇ ଘଣ୍ଟା ମଧ୍ୟରେ ଚିକିତ୍ସା କରିବା ଜରୁରୀ। ପୂରା ବ୍ୟବସ୍ଥା ହବ୍ ଆଣ୍ଡ ସ୍ପୋକ୍ ମଡେଲରେ ପରିଚାଳିତ ହେବ। ଚିକିତ୍ସିତ ରୋଗୀଙ୍କର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅନୁଧ୍ୟାନ ପାଇଁ ଏଏନ୍ଏମ୍ ମାନଙ୍କୁ ନିୟୋଜିତ କରାଯିବ। ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ହୃଦଘାତର ଚିକିତ୍ସା ପାଇଁ ରାଜ୍ୟ ସରକାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ଆରମ୍ଭ କରି ମେଡିକାଲ କଲେଜରେ ବ୍ୟାପକ ବ୍ୟବସ୍ଥା କରିଛନ୍ତି। ସେହିପରି ସିଏଚ୍ସି ଏବଂ ପିଏଚ୍ସି ସ୍ତରରେ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା କରାଯାଇଛି।
ସୂୂଚନା ଯୋଗ୍ୟ ଯେ ଓଡ଼ିଶାରେ ହୃଦଘାତ ବୃଦ୍ଧି ପାଉଥିବା ନେଇ ‘ସକାଳ’ରେ ଏକାଧିକ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଥିଲା।