ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦେଶରେ ବେକାରୀ ଚିତ୍ର ବିକଳ , ଦୁଇ ବର୍ଷରେ ୯୧୪୦ ବେକାରଙ୍କ ଆତ୍ମହତ୍ୟା

ଭୁବନେଶ୍ୱର : ପ୍ରତିଶ୍ରୁତି ଦେଇଥିଲେ ୨ କୋଟି ନିଯୁକ୍ତି। ନିଯୁକ୍ତି ତ ମିଳିଲା ନାହିଁ, ଦେଶରେ ବେକାରୀ ବଢିବଢି ଚାଲିଲା। ପରିସ୍ଥିତି ଏପରି ହେଲା ଯେ ନିଯୁକ୍ତି ନ ପାଇ ହଜାର ହଜାର ବେକାର ଜୀବନ ହାରିଲେ। ୨୦୧୪ର ଏହି ପ୍ରତିଶ୍ରୁତି ଏବେ ୨୦୨୨କୁ ବଦଳି ଯାଇଛି। ଆଗାମୀ ୩ ବର୍ଷରେ ୩୦ ଲକ୍ଷ ନିଯୁକ୍ତି ଦେବାକୁ ବଜେଟ୍‍ ଅଭିଭାଷଣରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ମାତ୍ର ବିଡ଼ମ୍ବନା ହେଉଛି ଏଥିପାଇଁ ନିର୍ଦ୍ଦିଷ୍ଟ ଲକ୍ଷ୍ୟଭେଦୀ ଯୋଜନା ନାହିଁ କିମ୍ବା ବଜେଟରେ ଅର୍ଥ ବରାଦ ହୋଇନାହିଁ। ଦେଶରେ ଚାକିରି ନ ପାଇ ବେକାରମାନେ ଆତ୍ମହତ୍ୟା କରୁଛନ୍ତି। ଏହି କଠୋର ସତ୍ୟକୁ ବିଳମ୍ବରେ ହେଲେ ମଧ୍ୟ ମାନିଛନ୍ତି କେନ୍ଦ୍ର ସରକାର। ୨୦୧୮ରୁ ୨୦୧୯ ମସିହା ମଧ୍ୟରେ ଦେଶବ୍ୟାପୀ ବେକାରୀ ଏବଂ ଦେବାଳିଆପଣ କିମ୍ବା ଋଣଭାର ଯୋଗୁଁ ୨୫ ହଜାର ୨୩୧ ଜଣ ଆତ୍ମହତ୍ୟା କରିଛନ୍ତି।

ତନ୍ମଧ୍ୟରୁ ବେକାରୀ ସମସ୍ୟା ପାଇଁ ୯୧୪୦ ଜଣ ଆତ୍ମହତ୍ୟା କରିଥିବା ବେଳେ ଋଣଗ୍ରସ୍ତ ହୋଇ ୧୬୦୯୧ ଜଣ ଜୀବନ ହାରିଛନ୍ତି।ଏହି ସାଂଘାତିକ ତଥ୍ୟ ସଂସଦରେ ରଖିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ। ଦେଶରେ ବାର୍ଷିକ ୨ କୋଟି ନିଯୁକ୍ତି ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା କେନ୍ଦ୍ର ସରକାର କିପରି ଦେଶର ଯୁବବର୍ଗଙ୍କୁ ନିରାଶ କରିଛନ୍ତି ତାହା ଏହି ତଥ୍ୟରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ରାୟଙ୍କ ତଥ୍ୟ ଅନୁଯାୟୀ ୨୦୨୦ ମସିହାରେ ବେକାରୀ ଯୋଗୁଁ ଦେଶବ୍ୟାପୀ ସର୍ବାଧିକ ୩୫୪୮ ଜଣ ଆତ୍ମହତ୍ୟା କରିଛନ୍ତି। ସେହିପରି ୨୦୧୯ରେ ୨୮୫୧ ଜଣ ଆତ୍ମହତ୍ୟା କରିଥିବା ବେଳେ ୨୦୧୮ରେ ୨୭୪୧ ଜଣ ବେରୋଜଗାର ଜୀବନ ହାରିଛନ୍ତି। ସମାନ ଭାବେ ଦେବାଳିଆପଣ କିମ୍ବା ଋଣଭାର ଯୋଗୁଁ ମଧ୍ୟ ବିଗତ ୩ ବର୍ଷରେ ୧୬ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଛି।

୨୦୨୦ ମସିହାରେ ଦେବାଳିଆପଣ କିମ୍ବା ଋଣଭାର ପାଇଁ ୫୨୧୩ ଜଣ ନିଜ ଜୀବନ ହାରି ଥିବାବେଳେ ୨୦୧୯ରେ ସର୍ବାଧିକ ୫୯୦୮ ଜଣଙ୍କ ଜୀବନ ଯାଇଛି। ୨୦୧୮ରେ ଏହି ସଂଖ୍ୟା ୪୯୭୦ ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି। ଅନ୍ୟପକ୍ଷରେ ଏପରି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାର ନିଯୁକ୍ତି ସୁଯୋଗ ସୃଷ୍ଟି ସହ ମାନସିକ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱାରୋପ କରିଥିବା କହିଛନ୍ତି। ଦେଶର ଅନେକ ବିତ୍ତଶାଳୀ ଲୋକ ସରକାରଙ୍କ ଆଖିରେ ଧୂଳି ଦେଇ ହଜାର ହଜାର କୋଟି ଟଙ୍କାର ଋଣ ନେଇ ବିଦେଶରେ ଆରାମ କରୁଛନ୍ତି। କମ୍ପାନୀ ଟିକସ ଓ ସରଚାର୍ଜକୁ ହ୍ରାସ କରି କେନ୍ଦ୍ର ସରକାର ଶିଳ୍ପପତିଙ୍କ ପାଇଁ ସୁନା ପୁଅ ସାଜିଛନ୍ତି। ମାତ୍ର ଗରିବ ଲୋକ ଋଣଭାର ଯୋଗୁଁ ଆତ୍ମହତ୍ୟା କରୁଛି।

ବାର୍ଷିକ ୨ କୋଟି ନିଯୁକ୍ତି ପ୍ରଦାନ ପ୍ରତିଶ୍ରୁତି ଦେଇ ୨୦୧୪ରେ ଏନଡିଏ ସରକାର କ୍ଷମତାକୁ ଆସିଥିଲେ। ମାତ୍ର ତାହା ପୂରଣ କରିବାକୁ କେନ୍ଦ୍ର ସରକାର ଅସମର୍ଥ ହୋଇଥିବା ବେଳେ ବିଭିନ୍ନ ସରକାରୀ ସଂସ୍ଥାଗୁଡ଼ିକର ଘରୋଇ କରଣ କରିବାରେ ଲାଗିଛନ୍ତି। ସେହିପରି ଚଳିତ ବଜେଟରେ ଆଗାମୀ ୫ ବର୍ଷରେ କେନ୍ଦ୍ର ସରକାର ୬୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ମାତ୍ର ନିଯୁକ୍ତି କ୍ଷେତ୍ର ଏବଂ ଏ ନେଇ ବ୍ୟୟବରାଦ ସମ୍ପର୍କରେ କେନ୍ଦ୍ର ସରକାର ପଦଟିଏ ଉଲ୍ଲେଖ କରି ନାହାନ୍ତି।

Leave A Reply

Your email address will not be published.