ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀରେ ଚାଲିଛି ଅଣ୍ଡରଓ୍ବାର୍ଲ୍ଡ କାରବାର, ନିଶା କାରବାରରେ ବିତ୍ତଶାଳୀଙ୍କ ପୁଞ୍ଜି !

ଟଙ୍କା ଲଗାଇ ପ୍ରୋତ୍ସାହିତ କରୁଛନ୍ତି ବଡ଼ବଡ଼ିଆ, ଯୁବବର୍ଗଙ୍କୁ ଫସାଉଛନ୍ତି ନିଶା ମାଫିଆ

ଭୁବନେଶ୍ବର: ‘ଭାଇ ଟଙ୍କା ଧାର୍ ଦିଅ। ମାସରେ ମୂଳ ଟଙ୍କା ସହ ଦୁଇଗୁଣା ଟଙ୍କା ଦେବି’ ଏମିତି କହି ଜଣେ ବିତ୍ତଶାଳୀ ବ୍ୟକ୍ତିଙ୍କ ଠାରୁ ୨ଲକ୍ଷ ଟଙ୍କା ଧାର୍ ଆକାରରେ ନେଇଥିଲେ। ପରବର୍ତ୍ତୀ ସମୟରେ ମୂଳ ଟଙ୍କା ସହ ୩ଲକ୍ଷ ଟଙ୍କା ଦେଇଥିଲେ ଧାର୍ ନେଇଥିବା ଯୁବକ। ଏହାକୁ ନେଇ ଜଣେ ବିତ୍ତଶାଳୀ ବ୍ୟକ୍ତି ଖୋଳତାଡ଼ କରିଥିଲେ। ସେଥିରୁ ଜଣାପଡ଼ିଥିଲେ ଯେ, ଯୁବକ ଜଣକ ତାଙ୍କ ଠାରୁ ନେଇଥିବା ଟଙ୍କାରେ ବ୍ରାଉନସୁଗର କାରବାର କରୁଥିଲେ। ଏହାପରେ ବିତ୍ତଶାଳୀ ବ୍ୟକ୍ତି ଉକ୍ତ ଯୁବକ ଅର୍ଥାତ୍ ବ୍ରାଉନସୁଗର ବେପାରୀଙ୍କୁ କାରବାର କରିବା ଲାଗି ଟଙ୍କା ଯୋଗାଇଥିଲେ । ଏଭଳି ଏକ ଘଟଣା ରାଜଧାନୀର ଲକ୍ଷ୍ମୀସାଗର ଥାନା ଅଧୀନ ହଳଦୀପଡ଼ିଆ ବସ୍ତିରୁ ପଦାକୁ ଆସିଥିଲା। ପୁଲିସ ନିଶା ବେପାରୀଙ୍କ ଠାରୁ ଏଭଳି ବିସ୍ଫୋରକ ବୟାନ ଶୁଣିଥିଲା। କିନ୍ତୁ ପୁଲିସ ବିତ୍ତଶାଳୀ ବ୍ୟକ୍ତିଙ୍କ ନିକଟରେ ପହଞ୍ଚି ନ ଥିଲା। ଏଭଳି ଭାବେ କିଛି ପ୍ରତିଷ୍ଠିତ ବିତ୍ତଶାଳୀ ବ୍ୟକ୍ତି ପ୍ରଚ୍ଛଦପଟ୍ଟରେ ରହି ସାରା ରାଜ୍ୟରେ ବ୍ରାଉନ ସୁଗାର କାରବାର ଚଳାଉଛନ୍ତି।  କିଛି ଯୁବକଙ୍କୁ ଟଙ୍କା ଦେବା ସହ ବ୍ରାଉନସୁଗରେ ଲିପ୍ତ କରି ସେଥୁରୁ ହେଉଥିବା ଲାଭାଂଶକୁ ନେଇଛନ୍ତି । ପୁଲିସ ଅନେକ ସମୟରେ ବ୍ରାଉନସୁଗର ବେପାର କରୁଥିବା ଛୋଟ ଛୋଟ ବେପାରୀଙ୍କୁ ଧରୁଛି ସତ ହେଲେ କାରବାରରେ ମୁଖ୍ୟ କାପୋର୍ଟଦାରଙ୍କ ନିକଟରେ ପହଞ୍ଚିପାରୁନି।

କୋଲକାତା, ମିଆଁମାର, ବାଲଂଦେଶରୁ ବାଲେଶ୍ବର, ଜଳେଶ୍ବର ଓ ମୟୂରଭଞ୍ଜ ଦେଇ ରାଜଧାନୀକୁ ଆସୁଛି ବ୍ରାଉନସୁଗର। ପୂର୍ବରୁ ନିଜେ ନିଶା ବେପାରୀମାନେ ଅଳ୍ପ ପରିମାଣର ଅର୍ଥ ବିନିଯୋଗକରି ଛୋଟମୋଟ ବେପାର କରୁଥିଲେ। ଯେଉଁଥି ପାଇଁ ସେତେବେଳେ ମାତ୍ର ୧୦ରୁ ୧୫ ଗ୍ରାମ ବ୍ରାଉନସୁଗର ଜବତ କରାଯାଉଥିଲା। ଏବେ କିନ୍ତୁ ବହୁ ପ୍ରତିଷ୍ଠିତ ତଥା ବିତ୍ତଶାଳୀ ବ୍ୟକ୍ତି ଏଥିରେ କୋଟି କୋଟି ଟଙ୍କା ବିନିଯୋଗ କରୁଛନ୍ତି। ଯେଉଁଥିପାଇଁ ଏବେ ଏକାଥରକେ କିଲୋ କିଲୋ ବ୍ରାଉନସୁଗର ଜବତ ହେଉଛି।

ଅନ୍ୟପଟେ ଆଗରୁ ବ୍ରାଉନସୁଗରକୁ ସେବନ କରି ନିଶାଡ଼ି ଛୋଟ ଛୋଟ ସିନ୍ଧିଚୋରି ଘଟାଉଥିଲେ । କେଉଁଠି ମୋବାଇଲ ଲୁଟ୍ ତ ଆଉ କେଉଁଠି ଭ୍ୟାନିଟ୍ ବ୍ୟାଗ୍ ଝାମ୍ପି ନେଉଥିଲେ। କିନ୍ତୁ  ଏବେ ବ୍ରାଉନସୁଗର କାରବାରରେ ଇଞ୍ଜିନିୟର ଛାତ୍ରଙ୍କ ସମ୍ପୃକ୍ତି ରହିଛି। ଏଥିଲାଗି ବ୍ରାଉନସୁଗର କାରବାର ବଢ଼ିବା ସହ ସେବନକାରୀଙ୍କ ସଂଖ୍ୟା । ମଧ୍ୟ ବଢ଼ିଛି। ଏମିତିକି ବ୍ରାଉନସୁଗର ସେବନ କରିବା ଲାଗି ଚାହୁଁଥିଲେ ଘରେ ପହଞ୍ଚାଉଥିଲେ ଛାତ୍ର । ଏଭଳି ଭାବେ ବ୍ରାଉନସୁଗର କାରବାରରେ କମିସନରେଟ ପୁଲିସ ସମେତ ଓଡ଼ିଶା ପୁଲିସ ୧୦୦ରୁ ଊର୍ଦ୍ଧ୍ୱ ଶିକ୍ଷିତ ଯୁବକଙ୍କୁ ଗିରଫ କରିଥିଲା। କିଏ ଚାକିରି କରି ବ୍ରାଉନସୁଗର ବିକ୍ରି କରୁଥିଲା ତ ଆଉ କିଏ ପାଠ ପଢ଼ିବା ସମୟରେ ବ୍ରାଉନସୁଗର ବିକ୍ରି କରୁଥିଲେ। ଖାଲି ଛାତ୍ରଗୋଷ୍ଠୀ ନୁହେଁ ପୁଲିସ ମଧ୍ୟ ନିଶା କାରବାରରେ ପ୍ରଚ୍ଛଦପଟ୍ଟ ଭାବେ ରହୁଛନ୍ତି । ଏଭଳି ଭାବେ ବାଲେଶ୍ବର ଓ ଖୋର୍ଦ୍ଧାରୁ ନିଶା କାରବାରରେ ସମ୍ପୃକ୍ତି ଅଭିଯୋଗରେ ପୁଲିସ କର୍ମଚାରୀଙ୍କୁ ମଧ୍ୟ ଗିରଫ କରାଯାଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ବ୍ରାଉନସୁଗର ବେପାରୀ ପୁଲିସ ହାତରେ ଧରାପଡ଼ିଯିବା ଭୟରେ ବନ୍ଧୁକଧାରୀ ଏସକର୍ଟ ଜରିଆରେ ଚଳାଉଛନ୍ତି କାରବାର। ନିକଟରେ ନିଶା ବେପାରୀଙ୍କ ଠାରୁ ବନ୍ଧୁକ ସହ ବ୍ରାଉନ ସୁଗର ଜବତ କରାଯାଇଥିଲା।

ସେପଟେ ୨୦୨୧ରେ ରାଜଧାନୀରୁ ପ୍ରାୟ ୧ କିଲୋ ବ୍ରାଉନ ସୁଗର ଜବତ ହେଲାଣି । ସେହିପରି ୨୦୨୦ରେ ସର୍ବାଧିକ ୩୫କିଲୋ ୬୧୬ ଗ୍ରାମ, ୨୦୧୯ରେ ୨କିଲୋ ୬୪୭ ଗ୍ରାମ, ୨୦୧୮ରେ ୧କିଲୋ ୪୫ ଗ୍ରାମ ଓ ୨୦୧୭ରେ ୪୧୧ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି। ରାଜଧାନୀରୁ ବ୍ରାଉନସୁଗର କାରବାରରେ ରୋକ୍ ଲଗାଇବା ଲାଗି ଚଢ଼ଉ କରାଯାଉଥିବା ପୁଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ରାଜଧାନୀରୁ ବ୍ରାଉନ୍‌ସୁଗର କାରବାର ମୂଳୋତ୍ପାଟନ କରିବା ଲାଗି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଢ଼ାଞ୍ଚାରେ ନାର୍କୋଟିକ୍ସ ୟୁନିଟ୍ ୬ ଗଠନ କରାଯାଇଛି। ୩ଦିନ ତଳେ ରାଜ୍ୟ ସରକାର ଏହାକୁ ସବୁଜ ସଙ୍କେତ ଦେଇଥିଲେ। ଏହି ସ୍ଵତନ୍ତ୍ର ୟୁନିଟ୍‌ରେ ଜଣେ ଏସ୍‌ପି, ୩ଟି ଡିଏସ୍‌ପି ପାହ୍ୟାର ପଦବୀ ସହ ୨୭ଟି ନୂଆ ପଦବୀକୁ ମଞ୍ଜୁର କରିଛନ୍ତି। ସେହିପରି କମିସନରେଟ ପୁଲିସର ଥାନା ଗୁଡିକ ସମେତ କୁଇକ୍‌ ଆକ୍ସନ ଟିମ୍ (କ୍ୟୁଏଟି) ଓ ସ୍ପେଶାଲ ସ୍କାଡ ମଧ୍ୟ ତଦନ୍ତ କରି ବ୍ରାଉନସୁଗର  ଜବତ କରିବା ଲାଗି ଦାୟିତ୍ବ ଦିଆଯାଇଛି।

Leave A Reply

Your email address will not be published.