ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ୟୁରୋପୀୟ ରାଷ୍ଟ୍ରରେ ଅସହ୍ୟ ତାତି : ୨୩୭ ମୃତ, ବ୍ରିଟେନରେ ରେଡ୍‌ ଆଲର୍ଟ, ଲୋକଙ୍କୁ ଘରୁ ନ ବାହାରିବାକୁ ନିର୍ଦ୍ଦେଶ

ଲଣ୍ଡନ : ଭାରତରେ ପ୍ରବଳ ବର୍ଷା ଜାରି ରହିଥିବାବେଳେ ଅନେକ ୟୁରୋପୀୟ ରାଷ୍ଟ୍ରରେ ଅସହ୍ୟ ତାତି ହେଉଛି। ସିଂହଭାଗ ଦେଶ ଏବେ ଗ୍ରୀଷ୍ମ ପ୍ରକୋପର ସମ୍ମୁଖୀନ ହେଉଛନ୍ତି। ପ୍ରତି ବର୍ଷ ହଜାର ହଜାର ପର୍ଯ୍ୟଟକ ଗ୍ରୀଷ୍ମ ଛୁଟି ମନାଇବା ପାଇଁ ଏଠାକୁ ଆସିଥାନ୍ତି। କିନ୍ତୁ ଏବେ ୟୁରୋପ ତତଲା କଡେଇ ପାଲଟିଛି। ଅନେକ ଦେଶ ଏହାକୁ ଜାତୀୟ ସଙ୍କଟ ଘୋଷଣା କରିଛନ୍ତି। ବ୍ରିଟେନରେ ଜରୁରୀକାଳୀନ ସ୍ଥିତି ସୃଷ୍ଟି ହୋଇଛି। ଏଠାରେ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଗ୍ରୀଷ୍ମ ପ୍ରବାହରୁ ବର୍ତ୍ତିବା ଲାଗି ଲୋକମାନଙ୍କୁ ଚେତାବନୀ ଦିଆଯାଇଛି। ସ୍ପେନରେ ମରୁଡି ସ୍ଥିତି ସୃଷ୍ଟି ହୋଇଛି। ଏଥିଯୋଗୁଁ ଅନେକ ଜଙ୍ଗଲରେ ନିଆଁ ଲାଗିଯାଇଛି।  ଏହା ଫଳରେ ଦେଶର ହାରାହାରି ତାପମାତ୍ରା ବୃଦ୍ଧି ପାଇଛି।

ଦେଶରେ ଜଳବାୟୁ ସଙ୍କଟ ଆରମ୍ଭ ହୋଇଯାଇଥିବା ପାଣିପାଗ ବୈଜ୍ଞାନିକ କହିଛନ୍ତି। ଗ୍ରୀଷ୍ମ ପ୍ରବାହ ବଢ଼ିବା ଯୋଗୁ ସ୍ପେନରେ ୨୩୭ ଲୋକ ପ୍ରାଣ ହରାଇଲେଣି। ସ୍ପେନର କାର୍ଲୋସ ୩ ପ୍ରତିଷ୍ଠାନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଜଙ୍ଗଲ ନିଆଁ ଲିଭାଇବା କାର୍ଯ୍ୟରେ ପୁଲିସ, ଦମକଳ ବାହିନୀ ଏବଂ ସାଧାରଣ ନାଗରିକଙ୍କୁ ମୁତୟନ କରାଯାଇଛି। ଏଠାରେ ୪ ହଜାର ହେକ୍ଟର ଜଙ୍ଗଳ ଜଳି ଧ୍ବଂସ ହୋଇଯାଇଛି। ଅନେକ ସ୍ଥାନରେ ପାଣି ବୋମା ମଧ୍ୟ ପକାଯାଉଛି। ପର୍ତ୍ତୁଗାଲ, ଫ୍ରାନ୍ସ ଏବଂ କ୍ରୋଏସିଆ ଭଳି ଦେଶରେ ଜଙ୍ଗଲରେ ନିଆଁ ଲାଗିଯାଇଛି।ଏଥିଯୋଗୁଁ ସଙ୍କଟ ବୃଦ୍ଧି ପାଇଛି। ଏହା ଫଳରେ ତାପମାତ୍ରାରେ ଅହେତୁକ ବୃଦ୍ଧି ଦେଖାଦେଇଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏପରି ହୋଇଥିବା କୁହାଯାଉଛି। ବ୍ରିଟେନର ୨୦୧୯ ଜୁଲାଇ ୨୫ରେ ସର୍ବାଧିକ ତାପମାତ୍ରା (୩୮.୭ ଡିଗ୍ରୀ) ରେକର୍ଡ କରାଯାଇଥିଲା। କିନ୍ତୁ ଏବେ ଏହି ରେକର୍ଡ ଭାଙ୍ଗିଯାଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ବ୍ରିଟେନର ତାପମାତ୍ରା ୪୦ ଡିଗ୍ରୀ ପାର୍‌ କରିଛି। ସ୍ଥିତିର ଗମ୍ଭୀରତାକୁ ଦେଖି ଲୋକଙ୍କୁ ଘରୁ ନ ବାହାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଲୋକଙ୍କୁ ଅନେକ ସ୍ଥାନରୁ ଉଦ୍ଧାର କରି ସୁରକ୍ଷିତ ଭାବେ ଘରେ ଛଡାଯାଉଛି। ଦକ୍ଷିଣ-ପଶ୍ଚିମ ଫ୍ରାନ୍ସର ଲା ଟେଷ୍ଟେ-ଡି ବୁଚ୍‌ ଜଙ୍ଗଲରେ ନିଆଁ ଲାଗିଯାଇଛି। ଏହା ଫଳରେ ଏକ ରେଷ୍ଟୁରାଣ୍ଟ ଜଳି ଧ୍ବଂସ ହୋଇଯାଇଛି। ୨୨ ହଜାର ଏକର ଜଙ୍ଗଲରେ ନିଆଁ ଲାଗିଛି। ଏ ପର୍ଯ୍ୟନ୍ତ ୧୨ ହଜାର ଲୋକଙ୍କୁ ଉଦ୍ଧାର କରାଗଲାଣି। ଦମକଳ ବାହିନୀର ୩ ହଜାରରୁ ଊର୍ଦ୍ଧ୍ବ କର୍ମଚାରୀ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ପର୍ତ୍ତୁଗାଲ ଜଙ୍ଗଲରୁ ୧୬୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ଉଦ୍ଧାର କରାଯାଇଛି। ଜଙ୍ଗଲରେ ନିଆଁ ଲାଗିଥିବା ଯୋଗୁଁ ହଜାର ହଜାର ଲୋକ ଘର ଛାଡିବାକୁ ବାଧ୍ୟ ହୋଇଛନ୍ତି। ୨୦୧୭ ପରେ ପର୍ତ୍ତୁଗାଲରେ ଏପରି ସ୍ଥିତି ସୃଷ୍ଟି ହୋଇଛି। ନିଆଁଲିଭା କାର୍ଯ୍ୟରେ ଲାଗିଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଧ୍ବଂସ ହୋଇଯାଇଛି। ଏଥିରେ ପାଇଲଟ୍‌ଙ୍କ ମୃତ୍ୟୁ ହୋଇଛି। କିଛି ଦିନ ହେଲା ମରକୋର ଲାରାଟେ ଏବଂ ତାଜା ପ୍ରଦେଶର ଜଙ୍ଗଲ ଜଳୁଛି। ପ୍ରଶାସନ ଏଠାରୁ ୫୦୦ରୁ ଊର୍ଦ୍ଧ୍ବ ପରିବାରକୁ ଉଦ୍ଧାର କରିଛି।

Leave A Reply

Your email address will not be published.