ଅତିଷ୍ଠ କରୁଛି ଅଘୋଷିତ ବିଦ୍ୟୁତ କାଟ, ଲାଇନ୍ କଟିବାର କାରଣ କାହାକୁ ଜଣା ନାହିଁ

ସୋନପୁର: ଏବେ ସୋନପୁରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇ ଯାଇଛି । ଦିନ ୧୨ଟା ପରେ ତାତି ଅସମ୍ଭାଳ ହେବାକୁ ବସିଲାଣି । ହେଲେ ଏହାଠୁ ବି ସହରବାସୀଙ୍କୁ ଅଧିକ ଦୁଃଖ ଦାୟକ ସାଜିଲାଣି ଅଘୋଷିତ ବିଦ୍ୟୁତ କାଟ । ଦ୍ବିପହର ହୋଇଗଲେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ ହେଉଛି । କାରଣ ସଂପର୍କରେ ପଚାରିଲେ ବିଦ୍ୟୁତ ବିଭାଗ କାର୍ଯ୍ଯାଳୟରୁ ସନ୍ତୋଷଜନକ ଉତ୍ତର ମିଳୁନାହିଁ । କୌଣସି ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଫୋନ ଯୋଗେ କାରଣ ପଚାରିଲେ କେଉଁଠି ସମସ୍ୟା ଥିବ ଶୀଘ୍ର ଲାଇନ୍ ଆସି ଯିବ ବୋଲି କୁହନ୍ତି। ତେବେ ଏହା ସତ୍ତ୍ବେ ମଧ୍ୟ ବହୁ ସମୟ ଯାଏଁ ଲାଇନ୍ ଆସେ ନାହିଁ ।

ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ଅଧିକ ହଇରାଣ ହେଉଛନ୍ତି ଗରିବ ଗୁରୁବା ମାନେ । ବିଜୁଳି ଚାଲିଗଲେ ମଧ୍ୟ ଧନୀଶ୍ରେଣୀର ଲୋକେ ବିଶେଷ ଅସୁବିଧାରେ ପଡନ୍ତି ନାହିଁ ଇନଭର୍ଟରରେ କାମ ଚଳାଇ ଦିଅନ୍ତି । ହେଲେ ଗରିବ ଖଟିଖିଆ ମାନେ କାମଧନ୍ଦାରୁ ଆସି ଖାଇପିଇ ଟିକେ ବିଶ୍ରାମ କରିବାକୁ ଗଲାବେଳେ ବିଜୁଳି ଚମ୍ପଟ । ବିଦ୍ୟୁତ ଯୋଗାଣ ସୁବ୍ୟବସ୍ଥିତ ପାଇଁ ଟାଟା କମ୍ପାନୀ ଧ୍ୟାନ ନଦେଇ ବକେୟା ଥିବା ଲୋକଙ୍କ ବିଦ୍ୟୁତ ଯୋଗାଣ ବିଚ୍ଛିନ୍ନ କରିବାରେ ଅଧିକ ସମୟ ଦେଉଥିବା ଲୋକେ ଅଭିଯୋଗ କରୁଛନ୍ତି । କୌଣସି ଅଭାବ ଅସୁବିଧା ବିଷୟରେ ଜଣାଇଲେ ମଧ୍ୟ କିଛି ନଶୁଣି କର୍ମଚାରୀ ମାନେ ଖୁଣ୍ଟକୁ ଚଢି ଲାଇନ୍ କାଟି ଦେଉଛନ୍ତି । କମ୍ପାନୀ ପକ୍ଷରୁ ଜୁଲୁମ୍ କରାଯାଉଛି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ସହରରେ ଏଭଳି ବିଦ୍ୟୁତ କାଟ ଅବ୍ୟାହତ ରହିଲେ ଏକ ବଡ ଧରଣର ଆନ୍ଦୋଳନକୁ ଏଡାଇ ଦିଆଯାଇ ନପାରେ ।

ଏଥିସହିତ ପଢ଼ନ୍ତୁ
Leave a comment