ରୁଷକୁ ଆଇସିଜେର ନିର୍ଦ୍ଦେଶ: ତୁରନ୍ତ ଯୁଦ୍ଧ ବନ୍ଦ କର

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ବୁଧବାର ଆର୍ନ୍ତଜାତିକ ନ୍ୟାୟାଳୟ(ଆଇସିଜେ) ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ରୁଷିଆ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ କୋର୍ଟ କହିବା ସହ ଏହି ନିର୍ଦ୍ଦେଶ ଉଭୟ ପକ୍ଷ ମାନିବାକୁ ବାଧ୍ୟ ବୋଲି କୋର୍ଟ କହିଛନ୍ତି। ଏହାସହିତ ରୁଷ ସମର୍ଥିତ କୌଣସି ପକ୍ଷ ୟୁକ୍ରେନରେ ସେମାନଙ୍କ ସେନାକୁ ଦଖଲ ଦେଇପାରିବେ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଗତ ଫେବୃଆରୀ ୨୪ ତାରିଖରେ ୟୁକ୍ରେନ ଉପରେ ରୁଷ ସେନା ଆକ୍ରମଣ ଆରମ୍ଭ କରିଥିଲା ବେଳେ ଇତିମଧ୍ୟରେ ଏହି ମହାସଂଗ୍ରାମ ୨୧ ଦିନରେ ପହଞ୍ଚିଛି। ରୁଷିଆ ସେନା ଘନ ଘନ ଆକ୍ରମଣ କରି ୟୁକ୍ରେନରେ ନରସଂହାର ଚଳାଇଛି ବୋଲି ଅଭିଯୋଗ ଆଣି ୟୁକ୍ରେନ ଆଇସିଜେର ଦ୍ବାରସ୍ଥ ହେବା ସହିତ ଅଦାଲତ ତୁରନ୍ତ ସାମୟିକ ଫଇସଲା ଶୁଣାନ୍ତୁ ବୋଲି ଆବେଦନ କରିଥିଲା। ତୁରନ୍ତ ଯୁଦ୍ଧ ବିରାମ ପ୍ରସଙ୍ଗରେ ଆଇସିଜେରେ ଭୋଟ ଗ୍ରହଣ କରାଯିବା ପରେ ୧୩-୨ ଭୋଟ ସହ ଯୁଦ୍ଧ ବନ୍ଦ ପାଇଁ ନିଷ୍ପତ୍ତି ହୋଇଥିଲା। ଏହିକ୍ରମରେ ଅଦାଲତଙ୍କ ଚୂଡ଼ାନ୍ତ ରାୟ ପ୍ରକାଶ ପାଇବା ପର୍ଯ୍ୟନ୍ତ ରୁଷ ଯୁଦ୍ଧ ବନ୍ଦ କରିବାକୁ କୁହାଯାଇଛି। ଆଇସିଜେରେ ଭାରତୀୟ ପ୍ରତିନିଧି ଭାବେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଦଳବୀର ଭଣ୍ଡାରୀଙ୍କ ସମେତ ମୋଟ ୧୫ ବିଚାରପତି ଏହି ପ୍ରସଙ୍ଗରେ ଗତ ୭ ତାରିଖରେ ଶୁଣାଣି ଶେଷ କରିଥିଲେ। ଶୁଣାଣି ବେଳେ ପ୍ରଥମେ ରୁଷିଆ ପ୍ରତିନିଧିତ୍ବ କରିନଥିବା ବେଳେ ପରବର୍ତ୍ତୀ ସମୟରେ ଲିଖିତ ଭାବେ ହାଜର ହୋଇଥିଲା। ଏହାପରେ ବୁଧବାର କୋର୍ଟ ଏହି ରାୟ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ୟୁକ୍ରେନ ସହିତ ଶାନ୍ତି ସମାଧାନ ପାଇଁ ବାଟ ଖୋଲୁଛି ବୋଲି ରୁଷିଆ ବୈଦେଶିକ ମନ୍ତ୍ରୀ ସର୍ଜି ଲାଭରୋଭ ବୁଧବାର ସୂଚନା ଦେଇଛନ୍ତି। ସାମରିକ ଦୃଷ୍ଟିରୁ ୟୁକ୍ରେନର ନିରପେକ୍ଷତା ପାଇଁ ମଧ୍ୟସ୍ଥକାରୀଙ୍କ ମଧ୍ୟରେ ଆଲୋଚନା ସଫଳ ହୋଇଥିବାରୁ ସାମଧାନର ବାଟ ଅଣାଯାଇ ଯୁଦ୍ଧ ବନ୍ଦ କରାଯାଇପାରେ ବୋଲି ସେ କହିଛନ୍ତି। ଏହାସତ୍ତ୍ବେ ଏବେ ମଧ୍ୟ ୟୁକ୍ରେନର ବିଭିନ୍ନ ସହରରେ ରୁଷ ସେନାର ଆକ୍ରମଣ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୟୁକ୍ରେନର ବହୁ ସହର ଏବେ ଧ୍ବଂସସ୍ତୁପରେ ପରିଣତ ହୋଇଛି। ତେବେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଦ୍ବିତୀୟ ବୃହତ ସହର ଖାରକିଭ୍‌ ଏବଂ ମାରିଓପୋଲ।

କେବଳ ମାରିଓପୋଲରେ ବର୍ତ୍ତମାନ ସୁଦ୍ଧା ୨୫୦୦ ରୁ ଅଧିକ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଖାରକିଭ୍‌ରେ ୫୦୦ ଲୋକଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି। ଏହାବ୍ୟତୀତ କିଭ୍‌ ଓଡେଶା ଏବଂ ନିକୋଲିବ୍‌ ସହରରେ ରୁଷ ସେନାର ଆକ୍ରମଣ ଜାରି ରହିଛି। ସେହିପରି ଅନ୍ୟ କେତେକ ସହରରେ ଜୋରଦାର ଆକ୍ରମଣ ପାଇଁ ବୁଧବାର ରୁଷ ସେନାକୁ ଆଲର୍ଟ କରାଯାଇଛି। ଫଳରେ ଉଭୟ ପକ୍ଷର ଏହି ମହାସଂଗ୍ରାମରେ ବିରତି ପଡ଼ିବା ଅପେକ୍ଷା ଏହା ଆଗକୁ ଆହୁରି ତୀବ୍ର ହେବାର ଆଶଙ୍କା ବଢିଛି। ଯୁଦ୍ଧରେ ରୁଷିଆ ସେନାର ବିପୁଳ କ୍ଷତି ଘଟିଥÒବା ୟୁକ୍ରେନ ପକ୍ଷରୁ ଦାବି କରାଯାଇଥିବା ବେଳେ ରୁଷ ନିକଟରେ ଦିନକୁ ଦିନ ଅସ୍ତ୍ରଶସ୍ତ୍ର କମିବାରେ ଲାଗିଛି ବୋଲି ଏକ ବ୍ରିଟିଶ ଏଜେନ୍ସି ପକ୍ଷରୁ କୁହାଯାଇଛି। ବତ୍ତର୍ମାନ ରୁଷ ନିକଟରେ ଯେତିକି ଅସ୍ତ୍ରଶସ୍ତ୍ର ରହିଛି ତାହା ଆଉ ୧୪ ଦିନ ମଧ୍ୟରେ ଶେଷ ହୋଇଯିବ ବୋଲି ଏହି ଏଜେନ୍ସି କହିଛି। କିଛି ଦିନ ତଳେ ରୁଷ ଚୀନ୍‌କୁ ଅସ୍ତ୍ର ସହାୟତା ମାଗିବା ଏହି ବିଷୟକୁ ପୁଷ୍ଟ କରୁଥିବା କୁହାଯାଉଛି।

ତେବେ ରୁଷ ସେନାର ଏଭଳି ସ୍ଥିତି ଆଗକୁ ଭିନ୍ନ ସ୍ଥିତି ଉତ୍ପନ୍ନ କରିବାରେ ଭୟ ବଢାଇଛି। ନିଜ ଜିଦ୍‌ରେ ଅଟଳ ରହିଥିବା ରାଷ୍ଟ୍ରପତି ପୁତିନ ଏଭଳି ସ୍ଥିତିରେ ରାସାୟନିକ କିମ୍ବା ପରମାଣୁ ଅସ୍ତ୍ର ବ୍ୟବହାର କରିପାରନ୍ତି ବୋଲି କୁହାଯାଉଛି। ଫଳରେ ଏହା କେବଳ ୟୁକ୍ରେନ ନୁହେଁ, ବରଂ ୟୁରୋପ ସମେତ ସାରା ବିଶ୍ବ ପାଇଁ ଭୟାବହ ପରିସ୍ଥିତି ସୃଷ୍ଟି କରିବ ବୋଲି ସାମରିକ ବିଶେଷଜ୍ଞମାନେ ଆଶଙ୍କିତ ହୋଇପଡ଼ିଛନ୍ତି। ଏହାମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେଁସ୍କି ବୁଧବାର ଆମେରିକୀୟ ସଂସଦକୁ ସମ୍ବୋଧିତ କରି ରୁଷର ଅମାନବୀୟ ଆକ୍ରମଣ ସମ୍ପର୍କରେ ଅବଗତ କରିଛନ୍ତି। ୟୁକ୍ରେନ ଉପରେ ରୁଷର ଆକ୍ରମଣ ଦ୍ବିତୀୟ ବିଶ୍ବଯୁଦ୍ଧ ଠାରୁ କମ୍‌ ନୁହେଁ ବୋଲି ଜେଲେଁସ୍କି କହିଛନ୍ତି। ଭର୍ଚୁଆଲ୍‌ ମୋଡ୍‌ରେ ଆମେରିକୀୟ ସାଂସଦମାନଙ୍କୁ ସମ୍ବୋଧିତ କରି ସେ ଦ୍ୱିତୀୟ ବିଶ୍ୱଯୁଦ୍ଧର ସ୍ମରଣ କରାଇବା ସହିତ ଏହି ସମୟରେ ପର୍ଲ ହାର୍ବରରେ ସୃଷ୍ଟି ହୋଇଥିବା ସ୍ଥିତି ସମ୍ପର୍କରେ ସୂଚାଇଛନ୍ତି।

ୟୁକ୍ରେନକୁ ତୁରନ୍ତ ‘ନୋ ଫ୍ଲାଏ ଜୋନ’ ଭାବେ ଘୋଷଣା କରିବାକୁ ଜେଲେଁସ୍କି ଦାବି କରିଛନ୍ତି। ଯଦି ଏହା ସମ୍ଭବ ନ ହୁଏ ତେବେ ୟୁକ୍ରେନକୁ ପର୍ଯ୍ୟାପ୍ତ ଯୁଦ୍ଧ ବିମାନ ଯୋଗାଇ ଦେବାକୁ ଜେଲେଁସ୍କି କହିଛନ୍ତି। ରୁଷିଆ କେବଳ ଆମ ସହର ଉପରେ ଆକ୍ରମଣ କରୁନାହିଁ ବରଂ ୟୁକ୍ରେନବାସୀଙ୍କ ଅଧିକାର ଏବଂ ମୁକ୍ତ ଜୀବନଯାପନ ଉପରେ ଆକ୍ରମଣ କରିଛି ବୋଲି ସେ କହିଛନ୍ତି। ୟୁକ୍ରେନ ଉପରେ ରୁଷିଆର ଅମାନବୀୟ ଆକ୍ରମଣକୁ ନେଇ ଆମେରିକା ସିନେଟରେ ରାଷ୍ଟ୍ରପତି ପୁତିନଙ୍କୁ ଯୁଦ୍ଧ ଅପରାଧୀ ଘୋଷଣା କରାଯାଇଛି। ଆମେରିକୀୟ ସଂସଦରେ ଏ ସମ୍ପର୍କରେ ଏକ ପ୍ରସ୍ତାବ ପାରିତ ହୋଇଛି। ସିନେଟର ଲିଣ୍ଡସେ ଗ୍ରାହମଙ୍କ ଦ୍ବାରା ଅଣାଯାଇଥିବା ପ୍ରସ୍ତାବରେ କୁହାଯାଇଛି ଯେ, ପୁତିନଙ୍କ ନିର୍ଦ୍ଦେଶରେ ରୁଷ ସେନା ଦ୍ୱାରା ଚାଲିଥିବା ମାନବିକତା ବିରୋଧରେ ହିଂସା, ଯୁଦ୍ଧ ଅପରାଧ’କୁ ସିନେଟ ଦୃଢ ନିନ୍ଦା କରୁଛି। ଏଭଳି ଯୁଦ୍ଧ ଅପରାଧ ପାଇଁ ଅନ୍ତର୍ଜାତୀୟ ଅପରାଧିକ ଅଦାଲତ ପୁତିନ ଏବଂ ତାଙ୍କ ସୁରକ୍ଷା ପରିଷଦ ବିରୋଧରେ ତଦନ୍ତ କରନ୍ତୁ ବୋଲି ଏହି ପ୍ରସ୍ତାବରେ ଆହ୍ବାନ କରାଯାଇଛି।

Leave a comment