ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ୟୁକ୍ରେନର ପୁନରୁଦ୍ଧାର ଯୋଜନା, ଜର୍ମାନୀରେ ଏକାଠି ହେଲେ ଜି-୭ ରାଷ୍ଟ୍ର

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧ ତିନି ମାସ ଛୁଇଁବାକୁ ଯାଉଛି। ଏହି ମହାସଂଗ୍ରାମକୁ ନେଇ ଉଭୟ ପକ୍ଷର କ୍ଷତି ବଢିଚାଲିଛି। ହେଲେ ୟୁକ୍ରେନ ଯୁଦ୍ଧ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ପାଇଁ ‘ଗେମ୍‌ ଚେଞ୍ଜର’ ପାଲଟିଛି। ରୁଷିଆ ବିରୋଧରେ ଶକ୍ତ କଦମ ଉଠାଇବା ଦିଗରେ ଏବେ ଆମେରିକା ସମେତ ବହୁ ପାଶ୍ଚାତ୍ୟ ରାଷ୍ଟ୍ର ଏକାଠି ହେବାରେ ଲାଗିଛନ୍ତି। ଏହିକ୍ରମରେ ଗୁରୁବାର ଜର୍ମାନୀରେ ବିଶ୍ବର ପ୍ରମୁଖ ଅର୍ଥନୈତିକ ରାଷ୍ଟ୍ରର ଅର୍ଥମନ୍ତ୍ରୀ ଓ ପ୍ରମୁଖ କୂଟନୀତିଜ୍ଞଙ୍କ ଦୁଇ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଆମେରିକା ସମେତ ବ୍ରିଟେନ, ଜାପାନ,ଜର୍ମାନୀ, ଫ୍ରାନ୍ସ, କାନାଡ଼ା ଏବଂ ଇଟାଲୀ ଭଳି ଜ-୭ ରାଷ୍ଟ୍ରର ଅର୍ଥମନ୍ତ୍ରୀମାନେ ଏକାଠି ହୋଇ ୟୁକ୍ରେନର ପୁନରୁଦ୍ଧାର ପାଇଁ ଆଲୋଚନା କରିଛନ୍ତି।

ଦୀର୍ଘ ଦିନର ଯୁଦ୍ଧକୁ ନେଇ ୟୁକ୍ରେନ ଧ୍ବସ୍ତ ବିଧ୍ବସ୍ତ ହୋଇପଡ଼ିଥିଲା ବେଳେ ଏହାର ପୁନଃ ପ୍ରତିଷ୍ଠା ଏବଂ ଅର୍ଥନୀତିକୁ ସୁଦୃଢ କରିବା ଲାଗି ଜି-୭ ଗୋଷ୍ଠୀ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି। କେବଳ ଆମେରିକା ୟୁକ୍ରେନକୁ ୪୦ ବିଲିୟନ ଡଲାର ସହାୟତା ଦେବାକୁ ପ୍ରସ୍ତୁତ ରହିଛି। ଏହାବ୍ୟତୀତ ଆଗାମୀ ତିନି ମାସ ପାଇଁ ୟୁକ୍ରେନ ସରକାରଙ୍କ ଦୈନନ୍ଦିନ ଖର୍ଚ୍ଚ ମେଣ୍ଟାଇବାକୁ ବାଇଡେନ ପ୍ରଶାସନ ପକ୍ଷରୁ ଅତିରିକ୍ତ ୫ ବିଲିୟନ ଡଲାର ଯୋଗାଇ ଦିଆଯିବ।

ସେହିପରି ଅନ୍ୟ ଜି-୭ ସଦସ୍ୟ ରାଷ୍ଟ୍ରମାନଙ୍କ ପକ୍ଷରୁ ୟୁକ୍ରେନକୁ ୧୦ ବିଲିୟନ ଡଲାରର ସହାୟତା ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ଯୁଦ୍ଧକୁ ନେଇ ୟୁକ୍ରେନର ରାଜସ୍ବ ଏବଂ ଟିକସ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଯାହାକୁ ନେଇ ସରକାରୀ ପରିଚାଳନ କ୍ଷେତ୍ର ସର୍ବାଧÒକ ପ୍ରଭାବିତ ହୋଇଛି। ତେଣୁ ବିଭିନ୍ନ କ୍ଷେତ୍ରରୁ ୟୁକ୍ରେନକୁ ସହାୟତା ଜୁଟାଇବାକୁ ଏହି ରାଷ୍ଟ୍ରମାନେ ଆଲୋଚନା କରିଛନ୍ତି। ଜି-୭ ରାଷ୍ଟ୍ରଙ୍କ ବ୍ୟତୀତ ୟୁକ୍ରେନକୁ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଏବଂ ବିଶ୍ବ ବ୍ୟାଙ୍କ ପକ୍ଷରୁ ମଧ୍ୟ ସହାୟତା ଯୋଗାଇ ଦେବାକୁ ଆଲୋଚନା କରାଯାଇଛି।

ରୁଷକୁ ଶିକ୍ଷା ଦେବାକୁ ମସୁଧା

କେବଳ ୟୁକ୍ରେନକୁ ଆର୍ଥିକ ସହାୟତା ନୁହେଁ, ବରଂ ରୁଷକୁ ପରୋକ୍ଷରେ ଆର୍ଥିକ ଦିଗରୁ କିଭଳି ରୁଗଣ କରାଯିବ ସେଥିନେଇ ମଧ୍ୟ ଏହି ରାଷ୍ଟ୍ରମାନଙ୍କ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଇଥିବା କୁହାଯାଇଛି। ୟୁକ୍ରେନକୁ ବିପୁଳ ଅର୍ଥ ସହାୟତା ରୁଷ ଉପରେ ଯେଭଳି ପରୋକ୍ଷ ଚାପ ସୃଷ୍ଟି କରିପାରିବ ସେଥିନେଇ ବିଚାର ବିମର୍ଷ କରାଯାଇଛି। ପୂର୍ବରୁ ଆମେରିକା ଏବଂ ୟୁରୋପ ସଂଘର ବହୁ ରାଷ୍ଟ୍ର ରୁଷ ବିରୋଧରେ ଆର୍ଥିକ କଟକଣା ଜାରି କରିଛନ୍ତି। କିନ୍ତୁ ଏବେ ୟୁକ୍ରେନକୁ ଅର୍ଥ ସହାୟତା ଦେବା ପାଇଁ ଯେଉଁ ପରିମାଣର ଅର୍ଥର ଆବଶ୍ୟକତା ରହିଛି ସେଥିରୁ ରୁଷ ନିକଟରୁ କିଛି ଅଂଶ ଆଦାୟ କରିବାକୁ ଏହି ଜି-୭ ରାଷ୍ଟ୍ର ଯୋଜନା କରିଛନ୍ତି। ଯୁଦ୍ଧ ପରେ ଆମେରିକା ଏବଂ ବହୁ ୟୁରୋପୀୟ ରାଷ୍ଟ୍ରରେ ରହିଥିବା ରୁଷୀୟ ସମ୍ପତ୍ତି ଜବତ କରାଯାଇଛି। ବିଭିନ୍ନ କମ୍ପାନୀର ସମ୍ପତ୍ତି ସମେତ ବ୍ୟାଙ୍କ ଜମା ରଦ୍ଦ କରିଦିଆଯାଇଛି।

ଏବେ ଏହି ସମ୍ପତ୍ତି ବିକ୍ରି କରି ୟୁକ୍ରେନକୁ ଆର୍ଥିକ ସହାୟତା ଭାବେ ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ବର୍ତ୍ତମାନ ସୁଦ୍ଧା ରୁଷର ଯେତିକି ସମ୍ପତ୍ତି ଜବତ କରାଯାଇଛି ତାହାର ମୂଲ୍ୟ ପ୍ରାୟ ୩୦ ବିଲିୟନ ୟୁରୋ ହେବ ବୋଲି ଆକଳନ କରାଯାଇଛି। ୟୁକ୍ରେନର ପୁନରୁଦ୍ଧାର ପାଇଁ ଅନ୍ୟୂନ ୫୦୦ ରୁ ୨ ଟ୍ରିଲିୟନ ୟୁରୋର ଆବଶ୍ୟକତା ରହିଥିବା ବେଳେ ଏହି ଅର୍ଥ ୟୁକ୍ରେନକୁ ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ଫଳରେ ରୁଷିଆ ବିପୁଳ ଆର୍ଥିକ କ୍ଷତିର ସମ୍ମୁଖୀନ ହେବାର ସମ୍ଭାବନା ଦେଖାଯାଇଛି।

Leave A Reply

Your email address will not be published.