ୟୁକ୍ରେନ କଲା ବଡ ଦାବି : ଖାର୍କିଭରେ ଋଷର ମେଜର ଜେନେରାଲ ଭିଟାଲୀ ଜେରାସିମୋଭଙ୍କୁ ମାରିଛୁ

କିଭ୍‌ : ୟୁକ୍ରେନ ଏବଂ ଋଷ ମଧ୍ୟରେ ଯୁଦ୍ଧ ୧୩ତମ ଦିନରେ ପହଞ୍ଚିଛି । ୟୁକ୍ରେନକୁ ଦଖଲ କରିବା ପାଇଁ ଋଷ ଘନଘନ ମିସାଇଲ ମାଡ କରୁଛି। ଗୋଟିଏ ପରେ ଗୋଟିଏ ବିଲ୍ଡିଂ ଉପରେ କରୁଛି ବିସ୍ଫୋରଣ। ୟୁକ୍ରେନ୍‌କୁ ଦଖଲ କରିବା ପାଇଁ ଜୋରଦାର ଉଦ୍ୟମ ଚଳାଇଛି। ସେପଟେ ୟୁକ୍ରେନ ମଧ୍ୟ ଋଷକୁ ଦେଉଛି କଡା ଟକ୍କର। ଏହାରି ଭିତରେ ଗୁଳିମାଡରେ ଶତ୍ରୁ ଦେଶର ମେଜର ଜେନେରାଲଙ୍କ ମୃତ୍ୟୁ ହୋଇଥିବା ନେଇ ଏବେ ୟୁକ୍ରେନ୍‌ ଦାବି କରୁଛି ।

ୟୁକ୍ରେନର ଖାର୍କିଭ ସହରରେ ସଂଘର୍ଷ ବେଳେ ଋଷର ମେଜର ଜେନେରାଲ ଭିଟାଲୀ ଜେରାସିମୋଭଙ୍କୁ ନିହତ ହୋଇଥିବା ସୂଚନା ସାମ୍ନାକୁ ଆସିଛି। ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖ୍ୟ ଗୁଇନ୍ଦା ନିର୍ଦ୍ଦେଶାଳୟ ଏହି ଦାବି କରିଥିବା ‘କିଭ୍ ଇଣ୍ଡିପେଣ୍ଡେଣ୍ଟ’ ଏହାର ରିପୋର୍ଟରେ କହିଛି।ଦି କିଭ ଇଂଡିପେଣ୍ଡେଣ୍ଟ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ ଖାର୍କୀଭରେ ୟୁକ୍ରେନ ସେନାର ଆକ୍ରମଣରେ ମେଜର ଜେନେରାଲ ଭିଟାଲୀ ଜେରାସିମୋଭଙ୍କ ମୃତ୍ୟୁ ହୋଇଛି। ଜେନେରାଲ ଭିଟାଲୀ ଜେରାସିମୋଭ ଋଷ ସେନାର ଜଣେ ବରିଷ୍ଠ ସେନା ଅଧିକାରୀ ହୋଇଥିବାବେଳେ ସିରିଆ ଯୁଦ୍ଧରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ଜେରାସିମୋଭ ଋଷର ଜଣେ ବରିଷ୍ଠ ସେନା ଅଧିକାରୀ ଦ୍ୱିତୀୟ ଚେଚେନ ଯୁଦ୍ଧରେ ଭାଗ ନେଇଥିଲେ ଏବଂ ୟୁକ୍ରେନର କ୍ରିମିୟା କବଜା ପାଇଁ ତାଙ୍କୁ ରୁଷ ସରକାର ସମ୍ମାନିତ କରିଥିଲେ ।

ଅନ୍ୟପକ୍ଷେ ସୋମବାର ବେଲାରୁଷରେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଶାନ୍ତି ଆଲୋଚନାର ତୃତୀୟ ରାଉଣ୍ଡ ମଧ୍ୟ ବିଫଳ ହୋଇଛି । ଅସ୍ତ୍ରବିରତି ଉଲ୍ଲଂଘନ ଏବଂ ସୁରକ୍ଷା ଗ୍ୟାରେଣ୍ଟି ପ୍ରସଙ୍ଗରେ ଆଲୋଚନା ଅଟକଛି ବୋଲି ୟୁକ୍ରେନ ପ୍ରତିନିଧୀ ସଦସ୍ୟ ମାଇଖାଇଲୋ ପୋଡୋଲିକ କହିଛନ୍ତି। ଅନ୍ୟପକ୍ଷେ ୟୁକ୍ରେନରେ ମାନବିକ କରିଡର ଦିଗରେ ସାମାନ୍ୟ ଅଗ୍ରଗତି ହୋଇଛି ବୋଲି କୁହାଯାଇଛି । ଏଥି ସହିତ ଋଷର ରାଷ୍ଟ୍ରପତିଙ୍କ ସହକାରୀ ତଥା ରୁଷର ପ୍ରତିନିଧୀଙ୍କ ମୁଖ୍ୟ ଭ୍ଲାଡିମିର୍ ମେଡିନସ୍କି କହିଛନ୍ତି ଯେ “ରାଜନୈତିକ ଏବଂ ସାମରିକ ଦିଗ ଉପରେ ଆଲୋଚନା ଜାରି ରହିଛି। ତଥାପି ଏହା କଷ୍ଟସାଧ୍ୟ ରହିଛି। କିଛି ସକାରାତ୍ମକ କଥା କହିବା ଏତେ ଶୀଘ୍ର ସମ୍ଭବ ନୁହେଁ। କିନ୍ତୁ ଆମେ ଆଶା କରୁଛୁ ଯେ ପରବର୍ତ୍ତୀ ସମୟରେ ଆମେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ସମର୍ଥ ହେବୁ।” ଋଷ-ୟୁକ୍ରେନ ଆଲୋଚନା ପ୍ରାୟ ୩ ଘଣ୍ଟା ଧରି ଚାଲିଥିଲା ​​।

Leave a comment