ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରୁଷର ଆଣବିକ ଯୁଦ୍ଧ ପ୍ରସ୍ତୁତି: ଆଣବିକ ଆକ୍ରମଣ ପାଇଁ ବାଲିଷ୍ଟିକ୍‌ ଓ କ୍ରୁଜ୍‌ କ୍ଷେପଣାସ୍ତ୍ରର ପରୀକ୍ଷଣ

ମସ୍କୋ: ପ୍ରାୟ ୮ ମାସ ଟପିଥିବା ରୁଷ-ୟୁକ୍ରେନ ଯୁଦ୍ଧ ଏବେ ନୂଆ ରୂପ ନେବାର ଆଶଙ୍କା ଦେଖାଯାଇଛି। ରୁଷ କୌଣସି ମୁହୂର୍ତ୍ତରେ ୟୁକ୍ରେନ ଉପରେ ଆଣବିକ ଯୁଦ୍ଧାସ୍ତ୍ର ପ୍ରୟୋଗ କରିପାରେ ବୋଲି ଆଶଙ୍କା ବଢିଛି। ଏଥିନେଇ ରୁଷ ରାଷ୍ଟ୍ରପତି ପୁତିନ ‘ଡାର୍ଟି ବୋମା’ ଭଳି ଏକ ନୂଆ ଚାଲ ଚଳାଇ ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହୋଇଥିବା କୁହାଯାଉଛି। ୟୁକ୍ରେନ ନିକଟରେ ଏହି ବୋମା ରହିଛି ଏବଂ ‘ଡାର୍ଟି ବୋମା’ ପକାଇ ୟୁକ୍ରେନ ରୁଷକୁ ପ୍ରଭାବିତ କରିବାକୁ ଯୋଜନା କରିଛି ବୋଲି ପୁତିନ କହିଛନ୍ତି। ବାସ୍ତବରେ ଡାର୍ଟି ବୋମା ଆଣବିକ ବୋମା ନ ହେଲେ ମଧ୍ୟ ଏହାର ପ୍ରଭାବ କିଛି କମ୍‌ ନୁହେଁ। ଏଥିରେ ରହିଥିବା ଡିନାମାଇଟ୍‌, ଜୈବିକି ଅସ୍ତ୍ର, ମାରାତ୍ମକ ରାସାୟନିକ ପଦାର୍ଥ ଏବଂ ରେଡିଓ ଆକ୍ଟିଭ୍‌ ପାଉଡର ଆଣବିକ ବୋମା ଭଳି ବିସ୍ଫୋରଣ ନ କଲେ ମଧ୍ୟ ପର୍ଯ୍ୟାପ୍ତ କ୍ଷତି ପହଞ୍ଚାଇବା ସହିତ ଲୋକଙ୍କୁ ଅକର୍ମଣ୍ୟ କରି ଦେବାର କ୍ଷମତା ରଖିଛି। ଆଣବିକ ବୋମା ଭଳି ଏହା ମଧ୍ୟ ସମୂହ ବିନାଶ ପାଇଁ ଯଥେଷ୍ଟ। ତେବେ ୟୁକ୍ରେନ ଏଭଳି ବୋମା ବ୍ୟବହାର କରିବା ପଛରେ ପୁତିନଙ୍କ ଦାବି କେତେ ସତ୍ୟ ତାହା ଏବେ ବଡ଼ ପ୍ରଶ୍ନ ହୋଇଛି।

ପ୍ରକୃତରେ ୟୁକ୍ରେନ ଉପରେ ଏଭଳି ଡାର୍ଟି ବୋମାର ଦୋଷ ଲଦି ରୁଷ ନିଜର ବ୍ରହ୍ମାସ୍ତ୍ର ବ୍ୟବହାର କରିବାକୁ ଯୋଜନା କରିଛି ବୋଲି ସାମରିକ ବିଶାରଦମାନେ କହିଛନ୍ତି। ପ୍ରାୟ ଦୁଇରୁ ତିନି ମାସ ହେଲା ରୁଷ ୟୁକ୍ରେନର ଦକ୍ଷିଣ ପୂର୍ବ ଅଞ୍ଚଳ ଡୋନେସ୍କ, ଲୁହାଂସ୍କ ଏବଂ ଖରସେନ ଆଦିରେ ପ୍ରବଳ ସଂଘର୍ଷର ସମ୍ମୁଖୀନ ହୋଇଥିଲା ବେଳେ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କ ଦ୍ବାରା ୟୁକ୍ରେନକୁ ଯୋଗାଇ ଦିଆଯାଉଥିବା ନିରନ୍ତର ଅସ୍ତ୍ରଶସ୍ତ୍ର ଯୋଗାଣ ରୁଷ ପାଇଁ କାଳ ହୋଇଛି। ତେଣୁ ଆଣବିକ ଅସ୍ତ୍ର ପ୍ରୟୋଗ କରିବା ହିଁ ରୁଷର ଶେଷ ବିକଳ୍ପ ହୋଇଥିବାରୁ ପୁତିନ ଏଭଳି ଚାଲ ଚଳାଇ ଏଥିପାଇଁ ଯୋଜନା ପ୍ରସ୍ତୁତି କରିଥିବା ସେମାନେ କହିଛନ୍ତି।

କେବଳ ସେତିକି ନୁହେଁ, ରୁଷ ମଧ୍ୟ ଇତିମଧ୍ୟରେ କୂଟନୈତିକ ଚାଲ ଖେଳିସାରିଛି। ଯୁଦ୍ଧ ଆରମ୍ଭ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ରୁଷ କଦାଚିତ ଆମେରିକା, ନାଟୋ କିମ୍ବା ଅନ୍ୟ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କ ସହ ଆଲୋଚନା କରି ନଥିବା ବେଳେ ଗତ ଦୁଇ ଦିନ ମଧ୍ୟରେ ଅଧିକାଂଶ ରାଷ୍ଟ୍ରଙ୍କ ସହ ଆଲୋଚନା କରିଛି। ରୁଷ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେ ସୋଇଗୁ ଇତିମଧ୍ୟରେ ଆମେରିକା ସମେତ ନାଟୋ, ବ୍ରିଟେନ, ଫ୍ରାନ୍ସ ଏବଂ ଜର୍ମାନୀ ଆଦି ରାଷ୍ଟ୍ର ସହ ଆଲୋଚନା କରିସାରିଛନ୍ତି। ସେହିପରି ବୁଧବାର ଚୀନ ଏବଂ ଭାରତ ସହ ମଧ୍ୟ ସେ ଏନେଇ ଆଲୋଚନା କରିଛନ୍ତି। ରୁଷର ଏଭଳି ଆଭିମୁଖ୍ୟକୁ ଆନ୍ତର୍ଜାତିକ ମହଲ ଭିନ୍ନ ଦୃଷ୍ଟିରେ ଆକଳନ କରିଛି। ରୁଷ ନିଜର ଦୋଷ ଛଡାଇ ଏବେ ୟୁକ୍ରେନ ଉପରେ ଆଣବିକ ଅସ୍ତ୍ର ପ୍ରୟୋଗ କରିବାକୁ ଯାଉଛି ବୋଲି ବିଭିନ୍ନ ରାଷ୍ଟ୍ର ଚିନ୍ତା ପ୍ରକଟ କରି କହିଛନ୍ତି। ଏହିକ୍ରମରେ ରୁଷ ଆଣବିକ ଯୁଦ୍ଧ ପାଇଁ ସାମରିକ ଅଭ୍ୟାସ ଆରମ୍ଭ କରିଦେଇଛି। ବୁଧବାର ନିଜେ ପୁତିନ କଣ୍ଟ୍ରୋଲ ରୁମ୍‌ରେ ବସି ଆଣବିକ ଯୁଦ୍ଧରେ ସାମିଲ ହେବାକୁ ଥିବା ଜଳ, ସ୍ଥଳ ଏବଂ ବାୟୁସେନାର ଯବାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରଖିଛନ୍ତି। ଏଥିରେ ବାଲିଷ୍ଟକ୍‌ ଏବଂ କ୍ରୁଜ୍‌ କ୍ଷେପଣାସ୍ତ୍ର ବ୍ୟବହାର କରାଯାଇଛି। ଫଳରେ ୟୁକ୍ରେନ ଉପରେ କୌଣସି ମୁହୂର୍ତ୍ତରେ ରୁଷ ସେନା ଆଣବିକ ଅସ୍ତ୍ର ପ୍ରୟୋଗ କରିପାରେ ବୋଲି ଏକପ୍ରକାର ନିଶ୍ଚିତ ହୋଇଯାଇଛି।

 

Leave A Reply

Your email address will not be published.