ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ୟୁକ୍ରେନର ଦାବି : ୧୦ ହଜାରରୁ ଊର୍ଦ୍ଧ୍ବ ଋଷ ସୈନିକ ନିପାତ

କିଭ୍ : ରୁଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଦଶମ ଦିନରେ ପହଞ୍ଚିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଉଭୟ ପକ୍ଷର ବିପୁଳ କ୍ଷତି ଘଟିଛି। ରୁଷର ଘନ ଘନ ଆକ୍ରମଣ ଦ୍ବାରା ୟୁକ୍ରେନର ବହୁ ଅଞ୍ଚଳ ଧ୍ବସ୍ତ ବିଧ୍ବସ୍ତ ହୋଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା ରୁଷର ମଧ୍ୟ ବ୍ୟାପକ କ୍ଷତି ଘଟିଥିବା ୟୁକ୍ରେନ ସରକାର ଦାବି କରିଛନ୍ତି। ରୁଷ ଆକ୍ରମଣରେ ୟୁକ୍ରେନର ପ୍ରାୟ ସବୁ ସହର ବିଧ୍ବସ୍ତ ହୋଇଛି ସତ, ହେଲେ କିଭ୍‌ ପାଲଟା ଜବାବ ଦେବାରେ ମଧ୍ୟ କୌଣସି ଅବହେଳା କରିନି। ୟୁକ୍ରେନର ପାଲଟା କାର୍ଯ୍ୟାନୁଷ୍ଠାନରେ ରୁଷ ବର୍ତ୍ତମାନ ସୁଦ୍ଧା ୧୦ ହଜାରରୁ ଅଧିକ ଯବାନଙ୍କୁ ହରାଇଲାଣି।

ସେହିପରି ରୁଷର ୨୫୦ଟି ଟ୍ୟାଙ୍କକୁ ୟୁକ୍ରେନ ସେନା ଧ୍ୱଂସ କରିଦେବା କିମ୍ବା କବଜା କରିଥିବା ୟୁକ୍ରେନ ସରକାରଙ୍କ ପକ୍ଷରୁ କୁହାଯାଇଛି। ଶନିବାର ସକାଳ ୯ଟା ସୁଦ୍ଧା ଯୁଦ୍ଧରେ ରୁଷର କ୍ଷୟକ୍ଷତି ସମ୍ପର୍କରେ ୟୁକ୍ରେନ ଆର୍ମଡ ଫୋର୍ସ ପକ୍ଷରୁ ବିସ୍ତୃତ ତଥ୍ୟ ଦିଆଯାଇଛି। ଏଥିରେ କୁହାଯାଇଛି ଯେ ୟୁକ୍ରେନ ସେନା ଗତ ୧୦ ଦିନ ମଧ୍ୟରେ ରୁଷର ୧୦ ହଜାର ରୁଷ ସୈନିକଙ୍କ ସହ ୪୦ ହେଲିକପ୍ଟର, ୨୬୯ ଟ୍ୟାଙ୍କ, ୩୯ ମିଲିଟ୍ରି ପ୍ଲେନ, ୯୩୯ଟି ଯୁଦ୍ଧ ଗାଡ଼ି, ୫୦ଟି ଏମଏଲଆର, ୨ଟି ଡଙ୍ଗା, ୪୦୪ଟି କାର, ୬୦ଟି ତୈଳ ପରିବହନ ଟ୍ୟାଙ୍କ, ୩ଟି ଡ୍ରୋନ ଓ ୧୮ଟି ବିମାନ ଧ୍ୱଂସକାରୀ ସିଷ୍ଟମକୁ ୟୁକ୍ରେନ ସେନା ସଂପୂର୍ଣ୍ଣ ଭାବେ ନଷ୍ଟ କରିଦେଇଛନ୍ତି ବୋଲି କିଭ୍ ପକ୍ଷରୁ ଦାବି କରାଯାଇଛି।

ଅନ୍ୟପକ୍ଷରେ ରୁଷ ହମଲାରେ ମଧ୍ୟ ୟୁକ୍ରେନ ବ୍ୟାପକ କ୍ଷତି ସହିଛି। ୟୁକ୍ରେନର ଏକାଧିକ ସାମରିକ ମୁଖ୍ୟାଳୟ, ହସ୍ପିଟାଲ, ସ୍କୁଲ ଓ ଆବାସିକ କୋଠାକୁ ରୁଷ ସେନା ମାଟିରେ ମିଶାଇ ଦେଇଛନ୍ତି। ସେହିପରି ଦେଶର ୪ ପ୍ରମୁଖ ସହର ମଧ୍ୟ ରୁଷ କବଜାକୁ ନେଇଛି। ୟୁକ୍ରେନର ଦ୍ବିତୀୟ ବୃହତ ସହର ଭାବେ ଖାରକିଭର ୭୦ ପ୍ରତିଶତ ଅଞ୍ଚଳ ରୁଷ ଅକ୍ତିଆର କରି ନେଇଛି।ରାଜଧାନୀ କିଭ୍ ସହରକୁ ରୁଷ ସେନା ଚାରିପଟୁ ଘେରି ରହିଥିବା ବେଳେ ଏହାକୁ ମଧ୍ୟ କୌଣସି ମୁହୂର୍ତ୍ତରେ ଅକ୍ତିଆର କରିପାରେ ବୋଲି କୁହାଯାଇଛି। ଏହାଛଡ଼ା ୟୁକ୍ରେନର ଏକାଧିକ ଆଣବିକ ପାୱାର ପ୍ଲାଣ୍ଟରେ ମଧ୍ୟ ରୁଷ ସେନା ପ୍ରବେଶ କରି ସାରିଛନ୍ତି।

Leave A Reply

Your email address will not be published.