୪୦ ଦିନରେ ରୁଷ- ୟୁକ୍ରେନ ଯୁଦ୍ଧ: ରାସ୍ତା ଉପରେ ପଡ଼ିଛି ସାଧାରଣ ଲୋକଙ୍କ ଶବ

ନୂଆଦିଲ୍ଲୀ: ରୁଷ- ୟୁକ୍ରେନ ସଂଘର୍ଷ ଇତିମଧ୍ୟରେ ୪୦ ଦିନରେ ପହଞ୍ଚିଛି। ଦିନକୁ ଦିନ ଉଭୟ ପକ୍ଷର ରଣନୀତି ବଦଳୁଥିଲେ ହେଁ ଯୁଦ୍ଧ ବିରତି ନେଇ କୌଣସି ସଙ୍କେତ ମିଳୁନାହିଁ। ଗୋଟିଏ ପକ୍ଷରେ ୟୁକ୍ରେନର ଉତ୍ତର ଭାଗରୁ ରୁଷ ସେନା ଆଂଶିକ ଭାବେ ହଟିଥିବା କୁହାଯାଉଥିବା ବେଳେ ଅନ୍ୟାନ୍ୟ ସହରରେ ଆକ୍ରମଣ ଜାରି ରହିଥିବା କୁହାଯାଇଛି। ଏହାକୁ ନେଇ ରୁଷ ସେନା ନିଜ ରଣନୀତିରେ ପରିବର୍ତ୍ତନ କରିଥିବା କୁହାଯାଉଛି। ଅନ୍ୟପକ୍ଷରେ ପ୍ରଥମଥର ପାଇଁ ଦୁଇଦିନ ତଳେ ୟୁକ୍ରେନ ସେନା ପକ୍ଷରୁ ରୁଷ ମାଟିରେ ଆକ୍ରମଣ କରାଯିବା ଘଟଣା ମଧ୍ୟ ୟୁକ୍ରେନ ରଣନୀତିର ପରିବର୍ତ୍ତନକୁ ସୂଚାଉଛି। କେବଳ ସେତିକି ନୁହେଁ, ରବିବାର ୟୁକ୍ରେନ ସୀମା ନିକଟରେ ରୁଷ ସହର ବେଲଗୋରୋଡରେ ଦୁଇଟି ବିସ୍ଫୋରଣ ଘଟିଛି। ତେବେ ଏହି ବିସ୍ଫୋରଣର କାରଣ ସ୍ପଷ୍ଟ ଜଣା ପଡିନାହିଁ। ଏହାର ଦୁଇ ଦିନ ପୂର୍ବରୁ ଏହି ସହରରେ ତୈଳ ଡିପୋ ଉପରେ ଏୟାର ଷ୍ଟ୍ରାଇକ୍ ହୋଇଥିଲା। ରୁଷର ମାଟିରେ ତିନି ଦିନ ଭିତରେ ଦୁଇଟି ଆକ୍ରମଣର ରୁଷ ସେନାକୁ ବିଚଳିତ କରିଥିଲା ବେଳେ ଏହାପରେ ରାଷ୍ଟ୍ରପତି ପୁତିନ କିଭଳି ପଦକ୍ଷେପ ନେଉଛନ୍ତି ତାହା ଉପରେ ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ରହିଛି।
ତେବେ ଏହାରି ମଧ୍ଯରେ ଲକ୍ଷ ଲକ୍ଷ ଲୋକ ନିଜ ଘର ଛାଡି ପଡୋଶୀ ଦେଶକୁ ପଳାୟନ କରିଛନ୍ତି। ରୁଷ ମଧ୍ୟ ୟୁକ୍ରେନର ବୁଚାରେ ଥିବା ଲକ୍ଷ ଲକ୍ଷ ସାଧାରଣ ନାଗରିକଙ୍କୁ ଗୁଳିମାରିଛି। କିନ୍ତୁ ରୁଷ କୌଣସି ସାଧାରଣ ନାଗରିକଙ୍କୁ ମାରିନାହିଁ ବୋଲି କହିଛି। ଏହା ମଧ୍ୟରେ ବୁଚା ସହରର ଏକ ଫଟୋ ଭାଇରଲ ହେବାରେ ଲାଗିଛି। ଯେଉଁଠି ରାସ୍ତା ଉପରେ ସାଧାରଣ ଲୋକଙ୍କ ଶବ ପଡିଥିବା ନଜର ଆସିଛି। ମିଳିଥିବା ଏକ ଫଟୋରେ ସାଧାରଣ ନାଗରିକଙ୍କ ଶବ ପଡିଥିବା ନଜର ଆସିଛି। ଏହି ଫଟୋରେ ଲୋକଟିର ହାତ ପିଠି ପଛରେ ବନ୍ଧା ହୋଇଥିବା ଦେଖିବାକୁ ମିଳିଛି। ଆଉ ମୁଣ୍ଡରେ ଗୁଳି ବାଜିଥିବା ଦେଖିବାକୁ ମିଳିଛି। ଏହି ବ୍ୟକ୍ତି ଜଣକର ଫଟୋ ୫ ସପ୍ତାହ ତଳର ବୋଲି ଜଣାପଡିଛି। ଫଟୋରେ ବ୍ୟକ୍ତି ଜଣକର କ୍ଷତ ବିକ୍ଷତ ଶବ ଦେଖିବାକୁ ମିଳିଛି।
ରୁଷ ଯେତେବେଳେ ବୁଚା ସହର ଦଖଲ କରିଥିଲା ସେତେବେଳେ ସାଧାରଣ ଲୋକଙ୍କ ଚିହ୍ନଟ ପାଇଁ ଧଳା ରଙ୍ଗର ହ୍ୟାଣ୍ଡବ୍ୟାଣ୍ଡ ଲଗାଇବାକୁ କହିଥିଲା। ଏବେ ଉକ୍ତ ଧଳା ବ୍ୟାଣ୍ଡ ଦ୍ୱାରା ହିଁ ରାସ୍ତାକଡ଼ରେ ପଡ଼ିଥିବା ବ୍ୟକ୍ତିଙ୍କ ହାତ ବନ୍ଧା ହୋଇଛି। ତେଣୁ ଏହା ପଛରେ ରୁଷ ସେନାର ହାତ ଥିବା ଆଶଙ୍କା କରାଯାଉଛି।
ବୁଚା ପ୍ରଶାସନ କହିଛି ଯେ ରୁଷ ସେନା ଏଠାରୁ ଯିବା ପରେ ୩୦୦ରୁ ଅଧିକ ମୃତଦେହ ମିଳିଛି। ଏହା ମଧ୍ୟରୁ ରୁଷ ସେନା ୫୦ ଜଣଙ୍କୁ ହତ୍ୟା କରିଥିବା ଆମ ପାଖରେ ପ୍ରମାଣ ରହିଛି। ବାକି ଲୋକ ଯୁଦ୍ଧ ସମୟରେ ଗୁଳିମାଡ଼ର ଶିକାର ହୋଇ କିମ୍ବା ଅନ୍ୟ କୌଣସି କାରଣ ପାଇଁ ପ୍ରାଣ ହରାଇ ଥାଇପାରନ୍ତି। ଏହାର ଯାଞ୍ଚ କରାଯାଉଥିବା ପ୍ରଶାସନ ସୂଚନା ଦେଇଛି।
ଅନ୍ୟପକ୍ଷରେ ରୁଷ ଏହି ନରସଂହାର ହୋଇଥିବା କଥାକୁ ଅବମାନନା କରିଛି। ୟୁକ୍ରେନ ଏପରି ଫଟୋ ଭାଇରଲ କରି ଲୋକଙ୍କୁ ଉସକାଉଛି ବୋଲି ରୁଷ କହିଛି।