ଖୋଲିଗଲା ଆମେରିକାର ଗୁମର : କରୋନା ଭୂତାଣୁ ପ୍ରସ୍ତୁତି ପାଇଁ ଚୀନ୍‌କୁ ଦେଇଥିଲା ୮ ଲକ୍ଷ ଡଲାର

ୱାଶିଂଟନ : କରୋନା ଭାଇରସ(ଭୂତାଣୁ) ସମଗ୍ର ବିଶ୍ବରେ ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ଏହି ମହାମାରୀରେ ୩୭ ଲକ୍ଷରୁ ଅଧିକ ଲୋକଙ୍କୁ ଜୀବନ ଗଲାଣି ଏବଂ ୧୫ କୋଟିରୁ ଊର୍ଦ୍ଧ୍ବ ଲୋକ ସଂକ୍ରମିତ ହେଲେଣି। ଏପରି ସମୟରେ କରୋନାର ଉତ୍ପତ୍ତିକୁ ନେଇ ବିବାଦ ଜାରି ରହିଛି। ଆମେରିକା ସମେତ ଅନେକ ରାଷ୍ଟ୍ର ଏହି ଭୂତାଣୁ ଚୀନର ଉହାନରୁ ବ୍ୟାପିଥିବା କହୁଛନ୍ତି। ତେବେ ଚୀନ ଏଥିପାଇଁ ଆମେରିକାକୁ ଦୋଷ ଦେଉଛି। ଆମେରିକାର ଶୀର୍ଷ ମହାମାରୀ ବିଶେଷଜ୍ଞ ତଥା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପରାମର୍ଶଦାତା ଡ.ଆନ୍ଥୋନି ଫାଉସିଙ୍କ ଇମେଲ ଲିକ ଏବଂ ଉହାନ ଲ୍ୟାବର ଗୋପନୀୟ ତଥ୍ୟକୁ ନେଇ ନିରପେକ୍ଷ ତଦନ୍ତ ଦାବି ମଧ୍ୟରେ ବିଶ୍ବବାସୀଙ୍କୁ ଚକିତ କରିଦେବା ଭଳି ଏକ ରିପୋର୍ଟ ସାମ୍ନାକୁ ଆସିଛି। କରୋନା ଭୂତାଣୁ ଉପରେ ଗବେଷଣା ପାଇଁ ଚୀନର ଉହାନ ଇନଷ୍ଟିଚ୍ୟୁଟ ଅଫ ଭିରୋଲୋଜିକୁ ଆମେରିକା ସରକାର ଆର୍ଥିକ ସହାୟତା ଦେଇଥିବା ଜଣାପଡିଛି।

ଭିରୋଲୋଜି ଲ୍ୟାବର ମୁଖ୍ୟ ତଥା ବ୍ୟାଟ ଲେଡି ସି ଝେଙ୍ଗଲୀଙ୍କୁ ଆମେରିକା ପ୍ରାୟ ୬ ଲକ୍ଷ ଡଲାର ସହାୟତା ଦେଇଛି। ୫ ବର୍ଷରେ ଏହି ସହାୟତା ଦିଆଯାଇଛି ବୋଲି ଆନ୍ଥୋନୀ ଫାଉସି କହିଥିଲେ। ତେବେ ଏ ନେଇ ପୁଣି ଏକ ନୂଆ ଇମେଲ ସାମ୍ନାକୁ ଆସିଛି। ଏଥିରେ ୬ ଲକ୍ଷ ଡଲାରରୁ ଅଧିକ ଅର୍ଥ ଦିଆଯାଇଥିବା ଦାବି କରାଯାଇଛି। କନଜରଭେଟିବ ୱାଚଡଗ ଜୁଡିସିଆଲ ୱାଚକୁ ମିଳିଥିବା ବାର୍ତ୍ତାରେ କୁହାଯାଇଛି ଯେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଏଲର୍ଜି ଆଣ୍ଡ ଇନଫେକ୍ସିଅସ ଡିଜିଜ ଲ୍ୟାବକୁ ୨୦୧୯ ପର୍ଯ୍ୟନ୍ତ ୬ ବର୍ଷ ମଧ୍ୟରେ ୮.୨୬ ଲକ୍ଷ ଡଲାର ଦେଇଛି। ଏହି ଅର୍ଥ ନ୍ୟୁୟର୍କ ଇକୋହେଲଥ୍ ଆଲାଏନ୍ସ ଅଧିନରେ ଦିଆଯାଇଥିଲା। କରୋନା ବ୍ୟାପିବାକୁ ନେଇ ସାରା ବିଶ୍ବ ଉହାନ ଲ୍ୟାବକୁ କାଠଗଡାକୁ ଟାଣିଛନ୍ତି। କିନ୍ତୁ ଏବେ ଆମେରିକା ପାଣ୍ଠି ଦେବାକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି। ଏକ ଇମେଲରେ ମିଳିଥିବା ଚାର୍ଟରୁ ଜଣାପଡିଛି ଯେ ଉହାନ ଲ୍ୟାବକୁ ୨୦୧୪ରେ ୧.୩୩ ଲକ୍ଷ ଡଲାର ଏବଂ ୨୦୧୫ରେ ୧.୩୯ ଲକ୍ଷ ଡଲାର ଫଣ୍ଡ ଦିଆଯାଇଛି। ଏହା ପରେ ତିନି ବର୍ଷରେ ୧.୫୯ ଲକ୍ଷ ଡଲାର ଦିଆଯାଇଥିଲା। କିନ୍ତୁ ୨୦୧୯ରେ ଏହାକୁ ୭୬ ହଜାର ଡଲାରକୁ ହ୍ରାସ କରାଯାଇଥିଲା।

୨୦୨୦ ଏପ୍ରିଲ ୧୩ରେ ଏନଆଇଏଆଇଡି ଅଧିକାରୀ ଡାକ୍ତର ଏମିଲି ଅର୍ବେଲଡିଙ୍ଗଙ୍କ ଏକ ମେଲରୁ ଜଣାପଡିଛି ଯେ ୨୦୧୯ର ଫଣ୍ଡିଂ ଇକୋହେଲଥକୁ ନୂଆ ଅନୁମୋଦନ ସହ ପ୍ରଥମ କିସ୍ତି ଥିଲା। ଏଥିରେ ଲ୍ୟାବକୁ ୬ ବର୍ଷରେ ଆଉ ୭.୫ ଲକ୍ଷ ଡଲାର ଦିଆଯାଇଥାନ୍ତା। ୨୦୧୪-୧୯ ମଧ୍ୟରେ ବାଦୁଡିରୁ କରୋନା ଭାଇରସ ବାହାରିବା ଅଧ୍ୟୟନ ପାଇଁ ଇକୋହେଲଥରୁ ୩୦.୭୯ ଲକ୍ଷ ଡଲାରର ଅନୁମୋଦିତ ପାଣ୍ଠିକୁ ଖର୍ଚ୍ଚ କରାଯାଇଥାନ୍ତା। ଫାଉସି ଉହାନ ଲ୍ୟାବକୁ ପାଣ୍ଠି ଦେବାକୁ ଚୀନ ବୈଜ୍ଞାନିକଙ୍କ ସହ ସହଭାଗିତା ବୋଲି କହିଛନ୍ତି। ସେମାନେ କରୋନା ବିଶେଷଜ୍ଞ ଭାବେ ବିଶ୍ବ ପ୍ରସିଦ୍ଧ। ଏକ ଇମେଲରେ ଇକୋହେଲଥର ଅଧ୍ୟୟନ କରାଯାଇଥିବା ସ୍ଥାନ ବିଷୟରେ ସୂଚନା ଦିଆଯାଇଥିଲା। ଏହା ମଧ୍ୟରେ ଉହାନ ମଧ୍ୟ ସାମିଲ ଥିଲା। ଏହା ବ୍ୟତୀତ ଥାଇଲ୍ୟାଣ୍ଡ, କମ୍ବୋଡିଆ, ଲାଓସି, ଭିଏତନାମ, ମାଲେସିଆ, ଇଣ୍ଡୋନେସିଆ ଏବଂ ମିଆଁମାରକୁ ମଧ୍ୟ ଚୟନ କରାଯାଇଥିଲା। ଏହି ଇମେଲ ବିଷୟରେ ଜଣାପଡିବା ପରେ ପୂର୍ବ ଅନୁମୋଦିତ ପାଣ୍ଠି ଆଉ ଦିଆଯିବ ନାହିଁ ବୋଲି ଏନଆଇଏଚ ଇକୋହେଲଥ ଆଲାଏନ୍ସକୁ କହିଥିଲା।

ଏହା ପୂର୍ବରୁ ଫାଉସିଙ୍କ ଲିକ ହୋଇଥିବା ଇମେଲରୁ ଅନେକ ତଥ୍ୟର ପର୍ଦ୍ଦାଫାସ ହୋଇଥିଲା। ୮୬୬ ପୃଷ୍ଠାର ଏହି ଇମେଲରେ ଚୀନର ଶୀର୍ଷ ବୈଜ୍ଞାନିକଙ୍କ ସହ ଫାଉସିଙ୍କ ସମ୍ପର୍କ ଥିଲା ବୋଲି ଜଣାପଡିଛି। ଏଥିଯୋଗୁଁ ସେ ଉହାନ ଲ୍ୟାବ ଥିଓରୁକୁ ଖଣ୍ଡନ କରିଚାଲିଥିଲେ। ଏବେ କରୋନା ନାଟକର ଗୋବର୍ଦ୍ଧନ ଫାଉସି ଜଣାପଡିବା ପରେ ଆମେରିକାରେ ବବାଲ ଜାରି ରହିଛି। ବିରୋଧୀ ଦଳଗୁଡିକ ସହିତ ଟ୍ରମ୍ପ ଫାଉସିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ଏବଂ ମାମଲାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ପୂର୍ବରୁ ଟ୍ରମ୍ପ ମଧ୍ୟ ଏଥିପାଇଁ ଚୀନକୁ ଦାୟୀ କରିଥିଲେ। ଏହି ମହାମାରୀ ଲାଗି ବେଜିଂ ଆମେରିକା ଏବଂ ବିଶ୍ବକୁ ୧୦ ଟ୍ରିଲିୟନ ଡଲାର ଜୋରିମାନା ଦେଉ ବୋଲି ଟ୍ରମ୍ପ ଦାବି କରିଥିଲେ। ଗତ ବର୍ଷ ମାର୍ଚ୍ଚ ୨୮ ତାରିଖରେ ଚାଇନିଜ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନର ନିର୍ଦ୍ଦେଶ ଜର୍ଜ ଗାଓ ଫାଉସିଙ୍କୁ ପଠାଇଥିବା ଇମେଲ ଲିକ ହୋଇଥିଲା।

ଏଥିରେ ମାସ୍କ ନ ପିନ୍ଧିବାକୁ ପ୍ରୋତ୍ସାହନ ନ କରିବାକୁ ସମାଲୋଚନା କରିଥିବାରୁ ଗାଓ ଫାଓସିଙ୍କୁ କ୍ଷମା ମାଗିଥିଲେ। ଏହା ପୂର୍ବରୁ ଆମେରିକା ନିଜ ଲୋକଙ୍କୁ ମାସ୍କ ନ ପିନ୍ଧିବାକୁ କହି ବଡ ଭୁଲ କରୁଛି ବୋଲି ଗାଓ କହିଥିଲେ। ସେ ଲେଖିଥିଲେ ଯେ ଅନ୍ୟମାନଙ୍କ ବିଷୟରେ ବଡ ଭୁଲ ପରି ଶଦ୍ଦ କେମିତି ବ୍ୟବହାର କରିପାରିବେ। ମିଡିଆ ଏପରି କରିଛି। ଆପଣ ବୁଝିପାରୁଥିେବ ବୋଲି ଆଶା କରୁଛି। ମିଳିମିଶି ଏହି ଭୂତାଣୁକ ପୃଥିବୀରୁ ବାହାର କରିବା। ଏହାର ଜବାବରେ ଫାଉସି ଲେଖିଥିଲେ ଯେ ସେ ସମ୍ପୂର୍ଣ୍ଣ ଭାବେ ବୁଝିଛନ୍ତି। ଏଥିରେ କୌଣସି ସମସ୍ୟା ନାହିଁ। ଏହି ଲକ୍ଷ୍ୟକୁ ଆମେ ଏକା ସାଥିରେ ହାସଲ କରିବା। ୱାଶିଂଟନ ପୋଷ୍ଟ ଦାବି କରିଛି ଯେ ୨୦୨୦ ମାର୍ଚ୍ଚ-ଏପ୍ରିଲ ମଧ୍ୟରେ ଗାଓ ଏବଂ ଫାଉସିଙ୍କ ଇମେଲ ୮୬୬ ପୃଷ୍ଠାର ଅଧିକ ପୃଷ୍ଠାରୁ ଗୋଟିଏ ଅଂଶ। ଫ୍ରିଡମ ଅଫ ଇନଫରମେସନ ଆକ୍ଟ ଅନୁଯାୟୀ ଏହା ମିଳିଥିଲା।

ଲିକ୍ ଇମେଲରେ ଫାଉସି ବିଲ ଆଣ୍ଡ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନର ଜଣେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ କଥା ହୋଇଥିଲେ। ପରେ ଏହି ବିବାଦରେ ବିଲ ଗେଟ୍ସଙ୍କ ନାମ ମଧ୍ୟ ସାମିଲ ହୋଇଛି। ଅପରପକ୍ଷେ ଫାଉସି ରିପୋର୍ଟକୁ ନିରର୍ଥକ କହି ଖାରଜ କରିଦେଇଛନ୍ତି। ଏହାକୁ ନେଇ ବିରୋଧୀ ରିପବ୍ଲିକାନ ପାର୍ଟିର ନେତାମାନେ ତାଙ୍କୁ ବ୍ୟକ୍ତିଗତ ଆକ୍ଷେପ କରିଛନ୍ତି। ଫାଉସି ତୁରନ୍ତ ଇସ୍ତଫା ଦେଇଦିଅନ୍ତୁ ବୋଲି ସେମାନେ ଦାବି କରିଛନ୍ତି। ରିପବ୍ଲିକାନ ନେତା ରାଣ୍ଡ ପାଉଲ ଫାଉସିଙ୍କୁ ଧୋକାବାଜ ଡାକ୍ତର ଆଖ୍ୟା ଦେଇଛନ୍ତି। ପୂର୍ବରୁ ଟ୍ରମ୍ପ ଏବଂ ତାଙ୍କ ପାର୍ଟିର ଅଧିଂକାଶ ନେତା ଫାଉସିଙ୍କୁ ଖଳନାୟକ ପରି ଦେଖୁଥିଲେ। ଏଥିଯୋଗୁଁ ଟ୍ରମ୍ପ ଅନେକ ସମୟରେ ଫାଉସିକୁ ଖୋଲାଖୋଲି ଭାବେ ସମାଲୋଚନା କରିଥିଲେ।

Leave a comment