ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚିଲକୁ ଉଦ୍ଧାର କରିବା ବେଳେ କାର୍ ମାଡ଼ିଯାଇ ୨ ଜଣଙ୍କ ମୃତ୍ୟୁ

ମୁମ୍ବାଇ : ଏକ ପକ୍ଷୀକୁ ଗାଡ଼ି ତଳୁ ଉଦ୍ଧାର କରିବାକୁ ଯାଇ ଦୁଇ ଜଣଙ୍କ ପ୍ରାଣ ଯାଇଛି। ଏଭଳି ଏକ ଘଟଣା କିଛି ଦିନ ତଳେ ମୁମ୍ବାଇରେ ଘଟିଥିଲା ବେଳେ ଶୁକ୍ରବାର ଏ ସମ୍ପର୍କରେ ସୂଚନା ମିଳିଛି। ମିଳିଥିବା ଖବର ଅନୁସାରେ ମୁମ୍ବାଇର ବାନ୍ଦ୍ରା-ୱର୍ଲି ସାଗର ଲିଙ୍କ ରାସ୍ତାରେ ଗତ ୩୦ ତାରିଖରେ ଅମର ମନୀଷ ଜରିୱାଲା (୪୩)ନିଜ ଗାଡ଼ିରେ ଡ୍ରାଇଭର ସହ ଯାଉଥିଲେ। ଏହି ସମୟରେ ଗୋଟିଏ ଚିଲ ତାଙ୍କ ଗାଡ଼ି ତଳକୁ ଚାଲି ଆସିଥିଲା। ଏହା ଦେଖି ଜରିୱାଲା ତାଙ୍କ ଡ୍ରାଇଭର ଶ୍ୟାମ ସୁନ୍ଦର କାମାତଙ୍କୁ ଗାଡ଼ି ଅଟକାଇବାକୁ କହିଥିଲେ। ଏହାପରେ ଉଭୟ ଗାଡ଼ିରୁ ଓହ୍ଲାଇ ଏହା ତଳେ ଫସିଥିବା ଚିଲକୁ ବାହାର କରିବା ପାଇଁ ଚେଷ୍ଟା କରିଥିଲେ। ସେମାନେ ଚିଲକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଥିବା ବେଳେ ମାଲଦା ଆଡ଼େ ଯାଉଥିବା ଗୋଟିଏ ଦ୍ରୁତଗାମୀ ଟ୍ୟାକ୍ସି ଉଭୟଙ୍କୁ ଧକ୍କା ଦେଇଥିଲା।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଉଭୟ ପେଣ୍ଡୁ ଭଳି ଉପରକୁ ଉଠି ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ଜରିୱାଲାଙ୍କ ମୃତ୍ୟୁ ହୋଇଥିଲା ବେଳେ ଡ୍ରାଇଭର ଶ୍ୟାମ ସୁନ୍ଦରଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଶ୍ୟାମ ସୁନ୍ଦରଙ୍କ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଘଟଣାର ଏକ ସିସିଟିଭି ଫୁଟେଜ୍ ଏବେ ଭାଇରାଲ ହେବାରେ ଲାଗିଛି। ଗାଡିଟି ଉଭୟଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଉଥିବା ଦେଖାଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ଭିଡିଓ ଫୁଟେଜକୁ ଆଧାର କରି ସଂପୃକ୍ତ ଗାଡି ଡ୍ରାଇଭରକୁ ଖୋଜିବା ଆରମ୍ଭ କରିଛି।

Leave A Reply

Your email address will not be published.