ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୫ଟି ସଚିବଙ୍କ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତ, ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ମୟୂରଭଞ୍ଜ: ରାଜ୍ୟ ସରକାରଙ୍କ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତ। ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ଜିଲ୍ଲାର ବିଭିନ୍ନ ଉପଖଣ୍ଡର ବିଭିନ୍ନ ଅଞ୍ଚଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ଜିଲ୍ଲା ପ୍ରଶାସନ ଚଳଚଞ୍ଚଳ ହେବା ସହିତ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ସୂଚନାଯୋଗ୍ୟ, ୫ଟି ସଚିବ ଭିକେ ପାଣ୍ଡିଆନ ବିଗତ ଦିନରେ ଏହି ମୟୂରଭଞ୍ଜ ଜିଲ୍ଲାରେ ଜଣେ ସଫଳ ଜିଲ୍ଲାପାଳ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ସେଥିପାଇଁ ତାଙ୍କର ମୟୂରଭଞ୍ଜ ଜିଲ୍ଲାକୁ ମାରାଥନ ଗସ୍ତ ଜିଲ୍ଲାର ଜନସାଧାରଣଙ୍କ ଭିତରେ ଅନେକ ଆଶା ଓ ବିଶ୍ବାସ ସୃଷ୍ଟି କରିପାରିଥିବା ଲକ୍ଷ କରାଯାଉଛି। ଆଜି ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଆସି ପ୍ରଥମେ ଉଦଳା ନିର୍ବାଚନ ମଣ୍ଡଳୀର ଦେବକୁଣ୍ଡ ଠାରେ ପହଞ୍ଚି ସେଠାରେ ଥିବା ପର୍ଯ୍ୟଟନର ଭିତ୍ତିଭୂମି ଓ ସମ୍ଭାବନାର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ପରେ ପରେ ସେ କରଞ୍ଜିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଠାକୁରମୁଣ୍ଡା ନିକଟରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଭୀମକୁଣ୍ଡ ପର୍ଯ୍ୟଟନସ୍ଥଳି ବୁଲି ଦେଖିବା ସହ ସେଠାରେ ଆରମ୍ଭ ହୋଇଥିବା ବିକାଶ କାର୍ଯ୍ୟ ର ସମୀକ୍ଷା କରିବେ। ଏହା ପରେ ସେ ଯଶିପୁର ନିର୍ବାଚନ ମଣ୍ଡଳୀର ପ୍ରସିଦ୍ଧ ଶକ୍ତିପୀଠ ମା’ କୀଚକେଶ୍ୱରୀଙ୍କ ମନ୍ଦିର ପରିଦର୍ଶନ କରି ସେଠାରେ ଥିବା ବିଭିନ୍ନ ସମସ୍ୟା ଓ ସମ୍ଭାବନା ସମ୍ପର୍କରେ ସେବାୟତ ମାନଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ଏହି ଅବସରରେ ସେ ଖିଚିଙ୍ଗ ଯିବା ରାସ୍ତାରେ ଥିବା କୀଚକେଶ୍ୱରୀ ହାଇସ୍କୁଲ ପରିଦର୍ଶନ କରି ୫ଟି ଯୋଜନାରେ ବିକଶିତ ହୋଇଥିବା ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କ ସହ କିଛି ସମୟ କଟାଇବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ସେ ଯଶିପୁର ଠାରେ ଥିବା ଖଇରୀ ଓ ଭଣ୍ଡନ ନଦୀର ମିଳନ ସ୍ଥଳୀରେ ନିର୍ମାଣାଧୀନ ଥିବା ଖଇରୀ ଭଣ୍ଡନ ବ୍ୟାରେଜର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିବେ। ଅପରାହ୍ନରେ ରାଇରଙ୍ଗପୁର ଗସ୍ତ କରି ଦାଣ୍ଡବୋଷ ଠାରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମସ୍ଥଳୀ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଅଲଚିକି ଲିପିର ସ୍ରଷ୍ଟା ତଥା ଆଦିବାସୀ ଭାଷା ଓ ସାହିତ୍ୟକୁ ତାଙ୍କର ଅବଦାନ ଅତୁଳନୀୟ। ସେଥିପାଇଁ ତାଙ୍କର ଜନ୍ମ ପୀଠକୁ ଏକ ସ୍ମାରକୀସ୍ଥଳୀରେ ପରିଣତ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଆସିଛି। ସେ ଦୃଷ୍ଟିରୁ ୫ ଟି ସଚିବଙ୍କ ଗସ୍ତ ଯଥେଷ୍ଟ ଗୁରୁତ୍ବ ରହିଛି।

ଏହାପରେ ସେ ରାଇରଙ୍ଗପୁର ନିକଟରେ ଥିବା ଏକ ପ୍ରାଚୀନ ଜଳାଶୟ ବଡବନ୍ଧ ପରିଦର୍ଶନ କରି ତାର ସୌନ୍ଦର୍ଯ୍ୟକରଣ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆଜିର ଏହି ସବୁ କାର୍ଯ୍ୟକ୍ରମ ପରେ ସେ ରାଇରଙ୍ଗପୁର ଠାରେ ରାତ୍ରୀ ଯାପନ କରିବାର କାର୍ଯ୍ୟକ୍ରମ ରହିଛି। ପୁଣି ଆସନ୍ତା କାଲି ବାରିପଦା ଉପଖଣ୍ଡର ବିଭିନ୍ନ ସ୍ଥାନ ପରିଦର୍ଶନ କରି କାର୍ଯ୍ୟକ୍ରମ ସମୀକ୍ଷା କରିବେ। ମୟୂରଭଞ୍ଜ ଜିଲ୍ଲା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର। ସେଥିପାଇଁ ଅନେକ ଆଶା ଓ ସମ୍ଭାବନାକୁ ଅପେକ୍ଷା କରିଛନ୍ତି ମୟୂରଭଞ୍ଜ ଜିଲ୍ଲାର ଜନସାଧାରଣ।

Leave A Reply

Your email address will not be published.