ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭିଜିଲାନ୍ସ ଜାଲରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଦୁଇ କିରାଣୀ

ଅବସରପ୍ରାପ୍ତ ଲ୍ୟାବ୍‌ ଆଟେଣ୍ଡାଣ୍ଟ ପେନ୍‌ସନ୍‌ ପାଇଁ ୧୦ ହଜାର ଲାଞ୍ଚ

ବ୍ରହ୍ମପୁର: ଜଣେ ଅବସରପ୍ରାପ୍ତ ଲ୍ୟାବ୍‌ ଆଟେଣ୍ଡାଣ୍ଟ୍‌ଙ୍କ ପେନ୍‌ସନ୍‌ ଟଙ୍କା କରାଇଦେବା ପାଇଁ ଲାଞ୍ଚ ନେବା ବେଳେ ଜିଲ୍ଳା ଶିକ୍ଷାଧିକାରୀ କାର୍ଯ୍ୟାଳୟର ଦୁଇ ଜଣ କିରାଣୀ ସୁଶିଲ କୁମାର ପଟ୍ଟନାୟକ ଓ ଆସିକାସ୍ଥିତ ଜୟପୁର ନୋଡାଲ୍‌ ଉଚ୍ଚ ବିଦ୍ୟାଳୟର କନିଷ୍ଠ ସହାୟକ ପ୍ରଦୀପ କୁମାର ମହାନ୍ତି ଆଜି ଭିଜିଲାନ୍ସ ଜାଲରେ ପଡିଛନ୍ତି । ସେମାନଙ୍କଠାରୁ ନଗଦ ଟଙ୍କା ଜବତ ହେବା ପରେ ଉଭୟଙ୍କୁ ବ୍ରହ୍ମପୁର ଭିଜିଲାନ୍ସ ଟିମ୍‌ ଗିରଫ କରି ପଚରା ଉଚରା କରୁଛି । ଉଭୟଙ୍କ ବାସଭବନରେ ମଧ୍ୟ ଚଢଉ ଜାରି ରହିଛି ।

ସୂଚନାଯୋଗ୍ୟ ଯେ, ଆସିକା ଜୟପୁର ନୋଡାଲ୍‌ ଉଚ୍ଚ ବିଦ୍ୟାଳୟର ପୂର୍ବତନ ଲ୍ୟାବ୍‌ ଆଟେଣ୍ଡାଣ୍ଟ କାଳିଚରଣ ପାଣ୍ରିଗାହୀ ଗତ ମେ ମାସ ୨୨ ତାରିଖ ଦିନ ଅବସର ନେଇଥିଲେ । ଅବସର ପରେ କାଳିଚରଣ ବିଭିନ୍ନ ବକେୟା ବିଲ୍‌ ସହ ପେନ୍‌ସନ୍‌ ବାବଦ ଟଙ୍କା ପାଇଁ ଜିଲ୍ଳା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ଆସିକା ସ୍କୁଲର କନିଷ୍ଠ ସହାୟକ ପ୍ରଦୀପଙ୍କ ଜରିଆରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କିରାଣୀ ସୁଶୀଲଙ୍କ ନିକଟରେ ତାଙ୍କ ଆବେଦନପତ୍ର ପହଞ୍ଚିଥିଲା । କାଳୀଚଣଙ୍କ ପେନ୍‌ସନ୍‌ ଏବଂ ଅନ୍ୟାନ୍ୟ କାର୍ଯ୍ୟ କରାଇଦେବା ପାଇଁ ପ୍ରଦୀପ ଓ ସୁଶିଳ ଉଭୟେ ୧୦ ହଜାର ଟଙ୍କା ମାଗିଥିଲେ । ଏତେ ଟଙ୍କା କିପରି ଦେବେ ବୋଲି ଭାବି କାଳିଚରଣ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ୮ ତାରିଖ ଦିନ କାଳିଚରଣ ଲାଞ୍ଚ ଟଙ୍କା ଦେବେ ବୋଲି ଉଭୟ କିରାଣୀଙ୍କ ସହ କଥାବାର୍ତ୍ତା ହୋଇଥିଲେ । ପୂର୍ବ ଯୋଜନା ମୁତାବକ ଆଜି ଭିଜିଲାନ୍ସ ଟିମ୍‌ ୬ଟା ସମୟରେ ସ୍ଥାନୀୟ ଗିରିରୋଡସ୍ଥିତ ଜିଲ୍ଲା ଶିକ୍ଷାଧୀକାରୀଙ୍କ କାର୍ଯ୍ୟାଳୟରେ ଛପି ରହିଥିଲେ । କାଳିଚରଣ ଉକ୍ତ କାର୍ଯ୍ୟାଳୟକୁ ଆସି ପ୍ରଥମେ ପ୍ରଦୀପଙ୍କୁ ରସାୟନ ବୋଳା ୧୦ ହଜାର ଟଙ୍କା ଦେଇଥିଲେ । ସେଥିରୁ ପ୍ରଦୀପ ୩ ହଜାର ଟଙ୍କା ରଖି ବାକି ୭ ହଜାର ଟଙ୍କା ଶୁଶିଲ୍‌ଙ୍କୁ ଦେଇଥିଲେ। ଏହି ସମୟରେ ସେଠାରେ ଛପି ରହିଥିବା ଭିଜିଲାନ୍ସ ଟିମ୍‌ ଉଭୟଙ୍କୁ କାବୁ କରିବା ସହ ସେମାନଙ୍କଠାରୁ ରସାୟନ ବୋଳା ଲାଞ୍ଚ ଟଙ୍କା ଜବତ କରିଥିଲେ । ଉଭୟଙ୍କୁ ଭିଜିଲାନ୍ସ୍‌ କାର୍ଯ୍ୟାଳୟକୁ ନିଆଯାଇଛି । କାର୍ଯ୍ୟାଳୟରୁ ଅନ୍ୟାନ୍ୟ କାଗଜପତ୍ର ମଧ୍ୟ ଜବତ ହୋଇଛି । ଉଭୟଙ୍କ ଘରେ ବର୍ତ୍ତମାନ ଭିଜିଲାନ୍ସ୍‌ ଚଢ଼ଉ ଜାରି ରହିଥିବା ସୂଚନା ମିଳିଛି । ଡିଇଓଙ୍କ କାର୍ଯ୍ୟାଳୟରେ ଲାଞ୍ଚ କାରବାରାକୁ ନେଇ ବହୁ ବାର ଅଭିଯୋଗ ହୋଇଛି । କିନ୍ତୁ କେହି ଭିଜିଲାନ୍ସ ନିକଟରେ ଅଭିଯୋଗ କରୁନଥିବା ଯୋଗୁଁ ବହୁ କର୍ମଚାରୀ ବର୍ତ୍ତି ଯାଉଥିବା ପ୍ରକାଶ ।

Leave A Reply

Your email address will not be published.