ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟୁକୁନା ଓ କୁନାଙ୍କ ଭିନ୍ନ ଏକ କାହାଣୀ : ଜଣେ ଘର ପାଇଁ ତ ଆଉ ଜଣେ ପଢା ଖର୍ଚ୍ଚ ପାଇଁ କରୁଛନ୍ତି ଜୋତା ପଲିସ୍

ବାଲେଶ୍ଵର :ଜୀବନ କେତେବେଳେ କାହାକୁ କେଉଁ ମୋଡରେ ଆଣି ଛିଡା କରେ ତାହା କାହାକୁ ଜଣାନଥାଏ। କେବଳ ବଡବଡିଆ ଲୋକଙ୍କର ନୁହେଁ ଗରିବ ଖଟିଖିଆ ଲୋକ ବି ମଧ୍ୟ ସ୍ବପ୍ନ ଦେଖନ୍ତି। ହଁ,ଏଇ ସ୍ବପ୍ନ ତାଙ୍କର କେବେ ପୂରଣ ହୁଏ ତ ପୁଣି କେବେ ଗରିବୀରେ ଚାପି ହୋଇଯାଏ। ତଥାପି ବଞ୍ଚିବା ପାଇଁ ସଂଘର୍ଷ ବନ୍ଦ ହୁଏନାହିଁ। ଆମେ ଏମିତି ଦୁଇ ଭାଇଙ୍କ କଥା କହୁଛୁ ଯିଏକି ନିଜ ସ୍ବପ୍ନ ଓ ଇଚ୍ଛାକୁ ଜଳାଞ୍ଜଳି ଦେଇ ପ୍ରତିଦିନ ସଂଘର୍ଷ କରୁଛନ୍ତି। ଖୁବ ଅଳ୍ପ ବୟସର ଜୀବନ ଓ ଜୀବିକାର ଅର୍ଥ ସେମାନଙ୍କୁ ବେଶ ଭଲରେ ବୁଝାପଡିଛି। ଜୀବିକା ପାଇଁ କାହା ପାଖରେ ହାତ ପତାଇ ସ୍ବାଭିମାନର ସହ ନିଜ ଇଚ୍ଛାରେ ଜୋତା ପଲିସ୍ କାମ କରୁଛନ୍ତି। ସେମାନେ ହେଉଛନ୍ତି ଏନ୍ ଟୁକୁନା ଦାସ(୨୩) ଏବଂ ଏନ୍ କୁନା ଦାସ(୧୮)। ଏନ୍ ଟୁକୁନା ଦାସ ୧୨ ବର୍ଷ ବୟସରେ ଜୋତା ପଲିସ୍ କରିବା ଆରମ୍ଭ କରିଛନ୍ତି। ତାପରେ ସାନ ଭାଇ ଏନ୍ କୁନା ଦାସ ନିଜର ପାଠପଢା ଖର୍ଚ୍ଚ ପାଇଁ ଦୁଇ ବର୍ଷ ହେଲା ଜୋତା ପଲିସ୍ କାମ କରିବା ଆରମ୍ଭ କରିଛନ୍ତି। ବାଲେଶ୍ଵର ସହର ପୋଲିସ ଲାଇନ୍ ଛକ ଏକ୍ସିସ୍ ବ୍ୟାଙ୍କ୍ ସାମ୍ନାରେ ଦୀର୍ଘ ୧୫ ବର୍ଷ ହେବ ଟୁକୁନାଙ୍କ ଜୋତା ପଲିସ୍ କାମ ଚାଲୁରହିଛି।

ଦୀର୍ଘ ୩୦ ବର୍ଷରୁ ଅଧିକ ଦିନ ହେବ ଏନ୍ ଶ୍ୟାମସୁନ୍ଦର ଦାସ ଓ ପତ୍ନୀ ଏନ୍ ଭାରତୀ ଦାସ ନିଜର ୩ ଜଣ ପୁଅ ଓ ଜଣେ ଝିଅକୁ ନେଇ ରେଲଓ୍ବେ କଲୋନୀ ନିକଟରେ ରହିଆସୁଥିଲେ।  ମାତ୍ର ଶୋଭାରାମପୁର ଓଭରବ୍ରିଜ୍ ନିର୍ମାଣ ସେଠାରେ ସମସ୍ତ ଲୋକଙ୍କୁ ଉଠାଯାଇଥିଲା। ସେତେବେଳେ ଶ୍ୟାମସୁନ୍ଦରଙ୍କ ଘର ମଧ୍ୟ ଭଙ୍ଗା ଯାଇଥିଲା। ସେଠାରୁ ଉଠିଯାଇ ବର୍ଷେ ହେବ ଗୁଡିପଦାରେ ପରିବାର ସହ ରହୁଛନ୍ତି। ଶ୍ୟାମସୁନ୍ଦରଙ୍କ ବଡ ପୁଅ ଯୁକ୍ତ ତିନି ପର୍ୟ୍ୟନ୍ତ ପାଠପଢି ଭୁବନେଶ୍ୱରରେ ଚାକିରି କରୁଛନ୍ତି। ତାପରେ ଟୁକୁନା ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ପାଠ ପଢିବା ପରେ ଘରର ଆର୍ଥିକ ସ୍ଥିତି ଯୋଗୁଁ ଆଉ ପାଠ ପଢିପାରିନଥିଲେ। ବାଧ୍ୟହୋଇ ମାତ୍ର ୧୨ ବର୍ଷ ବୟସରେ ଜୋତା ପଲିସ୍ କରିବା ଆରମ୍ଭ କରିଦେଇଥିଲେ। ତାପର ଭାଇ କୁନା ଏବେ ଭଦ୍ରକ କଲେଜରେ ଯୁକ୍ତ ଦୁଇ ପାଠ ପଢୁଛନ୍ତି। ମାତ୍ର ଅର୍ଥ ପାଇଁ ଜୋତା ଦୋକାନରେ ମଧ୍ୟ ସମୟ ଦେବାକୁ ପଡୁଛି। ସାନ ଭଉଣୀ ପବ୍ଲିକ ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢୁଛନ୍ତି। ତେବେ ଘରର ଆର୍ଥିକ ସ୍ଥିତିକୁ ଦେଖି ଟୁକୁନା ଓ କୁନା ନିଜସ୍ବ ରୋଜଗାର ପାଇଁ ଲାଗିଛନ୍ତି। ଜୋତା ପଲିସ୍ ଦୋକାନରେ ପ୍ରଥମ ଓଳି ଟୁକୁନା ବସିଲେ ଦ୍ବିତୀୟ ଓଳି କୁନା ସମ୍ଭାଳିଥାନ୍ତି। ଏମିତିକି କରି ଦୁଇ ଭାଇ ଯାହା ରୋଜଗାର କରନ୍ତି ଘର ସହ ନିଜସ୍ବ ଖର୍ଚ୍ଚ ମଧ୍ୟ କରନ୍ତି। ପଢିବାକୁ ଇଚ୍ଛା ଥିଲେ ମଧ୍ୟ ଅର୍ଥ ଅଭାଡ଼ ଯୋଗୁଁ କୁନା ଆଉ ପଢିବାକୁ ମଧ୍ୟ ଚାହୁନାହାଁନ୍ତି। ପାଠପଢା ବନ୍ଦ କରି କାମରେ ଧ୍ୟାନ ଦେବେ ବୋଲି କହିଛନ୍ତି। କେହି ଯଦି ଦୁଇ ଭାଇଙ୍କୁ କିଛି ଅର୍ଥ ସହଯୋଗ କରନ୍ତି ତେବେ ସେମାନେ ଦୋକାନଟେ କରିବାକୁ ଇଚ୍ଛା ରଖିଥିବା କୁନା କହିଛନ୍ତି।

‘ମୋ ବାପା ପ୍ରଥମେ ଜୋତା ପଲିସ୍ କରୁଥିଲେ। ପରେ ଠେଲା ଓ ରିକ୍ସା ବି ଚଲାଇଛନ୍ତି। ବହୁତ ବର୍ଷ ପରେ ରେଳ ଷ୍ଟେସନରେ କୁଲି ଭାବେ କାମ କରୁଛନ୍ତି। ଘରର ଆର୍ଥିକ ସମସ୍ୟା ଯୋଗୁଁ ଏହି କାମ ମାତ୍ର ୧୨ ବର୍ଷ ବୟସରେ ଆରମ୍ଭ କରିଲି ଯାହା ଆଗକୁ ମଧ୍ୟ କରିବି ବୋଲି ଟୁକୁନା କହିଛନ୍ତି। ସେହିପରି କୁନା ନିଜ ମନର ଚାପି ରଖିଥିବା ଅନେକ ଦିନର ବେଦନାକୁ ବେଦନାକୁ ପ୍ରକାଶ କରି କହିଥିଲେ,’ଆମେ ତ ଅନେକ କଷ୍ଟରେ ଅଛୁ। ଅନେକ କଷ୍ଟ ସହିଛୁ। ଆମ ଘର ଭାଙ୍ଗି ଦିଆଗଲା। ପାଠ ପଢିବାକୁ ଇଚ୍ଛା ଥିଲେ ବି ସେତିକି ଅର୍ଥ ନାହିଁ। ପେଟ ପାଇଁ ଖଟିବାକୁ ପଡୁଛି। ଏକାସାଙ୍ଗରେ ପାଠପଢା ଓ କାମ କରିହେଉନାହିଁ। ତେଣୁ ପାଠପଢା ବନ୍ଦ କରିଦେବି ଭାବିଛି’। ତେବେ ଦୁଇ ଭାଇଙ୍କ ଏଭଳି କାମ ଅନ୍ୟମାନଙ୍କୁ ପ୍ରେରଣା ଦେବ ନିଶ୍ଚୟ। କୌଣସି କାମକୁ ଛୋଟ ନଭାବି ଜୀବିକା ଉପାର୍ଜନର ମାଧ୍ୟମ ବନାଇ ସ୍ବାଭିମାନର ବଞ୍ଚିବାକୁ ପସନ୍ଦ କରିଛନ୍ତି ଦୁହେଁ।

Leave A Reply

Your email address will not be published.