ବିଜେପିର କୁଶାସନ ପାଇଁ ପଶ୍ଚାତାପ କରି ଲଣ୍ଡା ହେଲେ ବିଜେପି ବିଧାୟକ, ଶ୍ରାଦ୍ଧ ଦେଇ ଛାଡିଲେ ଦଳ

ଗୗେହାଟି: ବିଜେପି ଦଳକୁ ଛାଡି ଶୁଦ୍ଧି ହେଲେ ବିଧାୟକ। ଦଳ ଛାଡିବା ପୁର୍ବରୁ ପ୍ରଥମେ ଲଣ୍ଡା ହେଲେ ଆଉ ତାପରେ ମନ୍ଦିରରେ ଶୁଦ୍ଧିକରଣ ଯଜ୍ଞ କରି ବିଜେପି ଛାଡିଛନ୍ତି ସୁମାରୁ ବିଧାୟକ ଆଶିଷ ଦାସ। ବିଧାୟକ ଆଶିଷ ଦାସଙ୍କ ଏଭଳି ପଦକ୍ଷେପ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।

ତ୍ରିପୁରା ବିଜେପି ବିଧାୟକ ଆଶିଷ ଦାସ ନିଜ ଭୁଲ୍ ପାଇଁ ଲଣ୍ଡା ହୋଇ ପ୍ରାୟଶ୍ଚିତ କରିଛନ୍ତି। ସୁମା ନିର୍ବାଚନମଣ୍ଡଳୀରୁ ଦୀର୍ଘ ବର୍ଷ ଧରି ବିଧାୟକ ହୋଇ ଆସିଥିବା ଆଶିଷ କୋଲକାତାର ପ୍ରସିଦ୍ଧ କାଳୀଘାଟ ମନ୍ଦିର ଯାଇ ସେଠାରେ ଯଜ୍ଞ କରିବା ସହ ଲଣ୍ଡା ହୋଇଥିଲେ। ମା’ କାଳୀଙ୍କ ପାଖରେ ହୋମଯଜ୍ଞ କରି ପ୍ରାୟଶ୍ଚିତ କରିଥିବା ଆଶିଷ କହିଛନ୍ତି। ରାଜ୍ୟର ବିଜେପି ସରକାରଙ୍କ ବିରୋଧରେ ବିଷୋଦଗାର କରି ସେ ଏଭଳି କରିଥିବା କହିଛନ୍ତି। ଏହାସହ ସେ ଦଳ ଛାଡ଼ିବା ନେଇ ମଧ୍ୟ ଘୋଷଣା କରିଛନ୍ତି। ତ୍ରିପୁରାରେ ଶାସକ ବିଜେପିକୁ ରାଜ୍ୟରେ “ରାଜନୈତିକ ଅରାଜକତା”କୁ ପ୍ରୋତ୍ସାହନ ଦେଉଥିବା ଆଶିଷ ଅଭିଯୋଗ କରିଛନ୍ତି। ସେ କହିଛନ୍ତି,ସରକାରଙ୍କ କାମକୁ ନେଇ ରାଜ୍ୟବାସୀ ଆଦୌ ଖୁସି ନାହାନ୍ତି । ଯେଉଁଥିପାଇଁ ମୁଁ ଦଳ ଛାଡୁଛି । ବିଜେପି ସରକାରର କୁଶାସନକୁ ପଶ୍ଚାତାପ କରିବା ସହ ଦଳ ଛାଡୁଥିବା କହିଛନ୍ତି ଆଶିଷ। ମୁଖ୍ୟମନ୍ତ୍ରୀ ବିପ୍ଳବ ଦେଓଙ୍କ ଶାସନରେ ରାଜ୍ୟରେ ଅଶାନ୍ତି ଓ ଗଣ୍ଡଗୋଳ ବୃଦ୍ଧି ପାଉଥିବା ବେଳେ, ସରକାରକୁ ସମର୍ଥନ କରି ସେ ଭୁଲ୍ କରିଥିଲେ ବୋଲି କହିଛନ୍ତି। ୨୦୨୩ରେ ନିର୍ବାଚନରେ ତ୍ରିପୁରାରୁ ବିଜେପି ସରକାରକୁ ନ ହଟାଇବା ଯାଏଁ ମୁଣ୍ଡରେ କେଶ ରଖିବିନି ବୋଲି କହିଛନ୍ତି ଆଶିଷ ।


ଏହାସହ ଆଶିଷ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ପଦ ପାଇଁ ମମତା ବାନାର୍ଜୀ ସବୁଠାରୁ ଅଧିକ ଯୋଗ୍ୟ ବୋଲି ଆଶିଷ କରିଛନ୍ତି। ଅନ୍ୟପଟେ ଆଶିଷ ତୃଣମୂଳ କଂଗ୍ରେସ(ଟିଏମ୍‌ସି)ରେ ଯୋଗଦେବେ ବୋଲି ଶୁଣିବାକୁ ମିଳୁଛି। ତ୍ରିପୁରା ନିର୍ବାଚନକୁ ଦୃଷ୍ଟିରେ ରଖି ସେ ଟିଏମ୍‌ସି ଯୋଗ ଦେଇପାରନ୍ତି ବୋଲି ଜଣାପଡ଼ିଛି। ୨୦୨୩ ପ୍ରାରମ୍ଭରେ ତ୍ରିପୁରା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଆଶିଷଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ବିଜେପି କହିଛି।

Leave a comment