ଚଳନ୍ତା ଅଟୋ ଉପରେ ପଡିଲା ଶୁଖିଲା ଗଛ : ମହିଳା ମୃତ, ଦୁଇ ଗୁରୁତର

ପାଳଲହଡା : ଚିକିତ୍ସା ସାରି ଅଟୋରେ ଘରକୁ ଫେରୁଥିଲେ। ରାସ୍ତାରେ ଆସୁଥିବା ସମୟରେ ଏକ ବିରାଟ ଶୁଖିଲା ଗଛ ଅଚାନକ ଚଳନ୍ତା ଅଟୋ ଉପରେ ପଡିଗଲା। ଯାହା ଫଳରେ ଘଟଣାସ୍ଥଳରେ ଅଟୋରେ ବସିଥିବା ଯାତ୍ରୀଙ୍କ ମଧ୍ୟ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଆଉ ଦୁଇ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନାଅନୁସାରେ ଏଭଳି ଏକ ଘଟଣା ଘଟିଛି ପାଳଲହଡା ଜାତୀୟ ରାଜପଥ ୧୪୯ ବାଲିପଶି ଗ୍ରାମ ନିକଟରେ। ପାଲଲହଡ଼ା ବ୍ଲକ ଖମାର ଥାନା ତିଳେଇପଶି ଗାଁର କୁନା ପରିଡ଼ାଙ୍କ ତାଙ୍କ ସ୍ତ୍ରୀ ଅମାନୁ ସାହୁ ୯ ମାସର ଗର୍ଭବତୀ ଥିଲେ। ଆଜି ଅମାନୁଙ୍କୁ ମେଡିକାଲ ଚେକ୍‌ଅପ୍‌ ପାଇଁ ଖୁଡ଼ିଙ୍କ ସହ ଅଟୋରେ ତାଙ୍କ ସ୍ବାମୀ କୁନା ପରିଡ଼ା ପାଲଲହଡ଼ା ଡାକ୍ତରଖାନାକୁ ନେଇ ଯାଇଥିଲେ। ମେଡିକାଲରେ ଦେଖାଇବା ପରେ ସେମାନେ ଅଟୋରେ ଘରକୁ ଫେରୁଥିଲେ। ଫେରିବା ସମୟରେ ଜାତୀୟ ରାଜପଥ ୧୪୯ ବାଲିପଶି ଗ୍ରାମ ନିକଟରେ ହଠାତ ରାସ୍ତା କଡରେ ଥିବା ଏକ ଶୁଖିଲା ଶାଳ ଗଛ ଅଟୋ ଉପରେ ପଡିଯାଇଥିଲା।

ବିରାଟ ଶୁଖିଲା ଶାଳ ଗଛଟି ଅଟୋ ଉପରେ ପଡିଯିବା ଫଳରେ ଘଟଣାସ୍ଥଳରେ କୁନା ପରିଡ଼ାଙ୍କ ଖୁଡି ଜେମା ପରିଡ଼ାଙ୍କର ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକମାନେ ଗଛ ପଡିବା ପରେ ଅଟୋରେ ଥିବା କୁନା ପରିଡା ଏବଂ ତାଙ୍କ ୯ମାସର ଗର୍ଭବତୀ ସ୍ତ୍ରୀ ଅମାନୁ ସାହୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପାଲଲହଡ଼ା ଡାକ୍ତରଖାନାରେ ଭିର୍ତିି କରିଛନ୍ତି। ଅନ୍ୟପଟେ ଅଟୋ ଚାଳକ ସତ୍ୟାନନ୍ଦ ବିଶ୍ୱାଳ ଆହତ ଥିବା ଜଣାପଡିଛି।

Leave a comment