ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗମନାଗମନ ବ୍ୟବସ୍ଥାରେ ଆସିବ ରୂପାନ୍ତରଣ: ଗାଁରେ ପହଞ୍ଚିବ ସରକାରୀ ଗାଡ଼ି, ସୁଦୃଢ଼ ହେବ ଗ୍ରାମ୍ୟ ଅର୍ଥନୀତି, ସଶକ୍ତହେବେ ମହିଳା

ଲକ୍ଷ୍ମୀ’ ଜରିଆରେ ହେବ ଓଏସ୍‌‌ଆରଟିସିର ପୁନରୁଦ୍ଧାର

ଭୁବନେଶ୍ୱର : ଗାଁରୁ ସହର ଓ ରାଜଧାନୀକୁ ଗମନାଗମନ ବ୍ୟବସ୍ଥାରେ ଆସିବ ରୂପାନ୍ତରଣ। ଗାଁରେ ପହଞ୍ଚିବ ସରକାରୀ ଗାଡ଼ି। ବଦଳିବ ସାର୍ବଜନୀନ ପରିବହନ ବ୍ୟବସ୍ଥାର ଚେହେରା। ଏହି ଉଦ୍ଦେଶ୍ୟ ନେଇ ବାଣିଜ୍ୟ ଓ ପରିବହନ ବିଭାଗ ଆରମ୍ଭ କରିଛି ଏକ ଅଭିନବ ଯୋଜନା। ହିନ୍ଦୁ ଧର୍ମରେ ସମୃଦ୍ଧିର ପ୍ରତୀକ ମାତା ଲକ୍ଷ୍ମୀଙ୍କ ନାମାନୁସାରେ ଏହି କାର୍ଯ୍ୟକ୍ରମର ନାମ ରଖାଯାଇଛି ‘ଲକ୍ଷ୍ମୀ’। ଏହି କାର୍ଯ୍ୟକ୍ରମ କେବଳ ସହର ଓ ଗ୍ରାମାଞ୍ଚଳ ମଧ୍ୟରେ ପରିବହନ ସୁନିଶ୍ଚିତ କରିବ ନାହିଁ ବରଂ ରାସ୍ତା ଓ ସେତୁ ନିର୍ମାଣ ତଥା ମରାମତି କାର୍ଯ୍ୟକୁ ଗୁରୁତ୍ୱ ଦେବ। ସେହିପରି କାର୍ଯ୍ୟକ୍ରମ ଜରିଆରେ ବିଜୁ ଗାଁ ଗାଡ଼ି ଯୋଜନାକୁ ପୁନରୁଦ୍ଧାର କରାଯିବ।

ଅନ୍ୟପକ୍ଷରେ ଏହି କାର୍ଯ୍ୟକ୍ରମରେ ବ୍ଲକରେ ଅନ୍ୟୂନ ଗୋଟିଏ ‘ଆମ ବସ୍‌‌ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ପରିଣତିସ୍ୱରୂପ ମହିଳା ସଶକ୍ତିକରଣଠାରୁ ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ୍ୟ, ଜୀବନ ଜୀବିକା, କୃଷି, ଶିଳ୍ପ, ପର୍ଯ୍ୟଟନ ଆଦି କ୍ଷେତ୍ର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଲାଭବାନ୍‌‌ ହେବ। ଏହି କାର୍ଯ୍ୟକ୍ରମରେ ୨୦୨୩-୨୪ ବର୍ଷ ପାଇଁ ସରକାର ୧୦୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବା ପାଇଁ ରାଜ୍ୟ ସରକାର ରେଳବାଇ, ରାଜପଥ, ଜଳପଥ ତଥା ଆକାଶ ମାର୍ଗରେ ଗମନାଗମନ ସୁନିଶ୍ଚିତ କରୁଥିବା ବେଳେ ତୃଣମୂଳ ସ୍ତରରେ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବ ଏହି କାର୍ଯ୍ୟକ୍ରମ। ବସ୍‌‌, ରେଳ ଷ୍ଟେସନ୍‌‌, ବାଣିଜ୍ୟିକ କେନ୍ଦ୍ର, ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଶିକ୍ଷାନୁଷ୍ଠାନ ପାଇଁ ଗ୍ରାମରୁ ସହର ପର୍ଯ୍ୟନ୍ତ ନିରବିଚ୍ଛିନ୍ନ ଯାତାୟତାର ସୁଯୋଗ ସୃଷ୍ଟି କରିବା ପାଇଁ ଏହି ଯୋଜନାରେ ଲକ୍ଷ୍ୟ ରହିଛି। ଏଥିନିମନ୍ତେ ଚଳିତ ବର୍ଷ ପରିବହନ ବିଭାଗ ଆରମ୍ଭ କରିଛି ଲୋକେସନ୍‌‌ ଆକ୍ସେସିବଲ୍‌‌ ମଲ୍ଟିମୋଡାଲ ଇନିସିଏଟିଭ୍‌‌ (ଏଲ୍‌‌ଏସିସିଏମ୍‌‌ଆଇ) ଅବା ଲକ୍ଷ୍ମୀ କାର୍ଯ୍ୟକ୍ରମ।

ଅଧିକ ପଢନ୍ତୁ

ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ସୂଚନା ଅନୁସାରେ ପ୍ରତିଟି ପଞ୍ଚାୟତକୁ ରାଜ୍ୟର ପ୍ରମୁଖ ସହରାଞ୍ଚଳ ସହିତ ଯୋଡ଼ିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ। ଅବଶ୍ୟ ଏହା ଏକ ବଡ଼ ଆହ୍ୱାନ। ଆମ ରାଜ୍ୟରେ ଅଧିକାଂଶ ରାସ୍ତାର ସ୍ଥିତି ବହୁତ ଭଲ ଥିବା ବେଳେ ଗାଡ଼ି ଚଳାଇବାର ଆବଶ୍ୟକତା ରହିଛି। ସମ୍ପ୍ରତି ଅନେକ ପଞ୍ଚାୟତକୁ ପରିବହନ ବ୍ୟବସ୍ଥା ନାହିଁ। ସେଠାକାର ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ସହରର ପଞ୍ଚାୟତକୁ ଛୋଟ ଛୋଟ ଗାଡ଼ି ଚଳାଯିବ। ବିଜୁ ଗାଁ ଗାଡ଼ି ଯୋଜନାକୁ ପୁନଃ ଆରମ୍ଭ କରିବା ପାଇଁ ଲକ୍ଷ୍ୟ ରହିଛି। ପୂର୍ବାପେକ୍ଷା ଅଧିକ ପ୍ରୋତ୍ସାହନ ଦେବା ପାଇଁ ଆମେ ଲକ୍ଷ୍ୟ ରଖିଛୁ।

ସେହିପରି ଲକ୍ଷ୍ମୀ ଯୋଜନାର କାର୍ଯ୍ୟାନ୍ୱୟନ ଉପରେ ସଡ଼କ ଓ ସେତୁର ସ୍ଥିତି ନିର୍ଭର କରୁଛି। ତେଣୁ ଆମେ ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ଏବଂ ପଞ୍ଚାୟତିରାଜ ବିଭାଗର ସହଯୋଗ ନେବୁ। ଲକ୍ଷ୍ମୀ ଯୋଜନାକୁ ଦୃଷ୍ଟିରେ ରଖି ରାସ୍ତା ଅବା ସେତୁ ନଥିବା ସ୍ଥାନକୁ ଅଗ୍ରାଧିକାର ଭିତ୍ତିରେ ଚିହ୍ନଟ କରାଯାଇ ନିର୍ମାଣ ନିମନ୍ତେ ପଦକ୍ଷେପ ନିଆଯିବ। ବର୍ତ୍ତମାନ ଏହି ଯୋଜନାର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରାଯାଉଛି ବୋଲି ଶ୍ରୀମତୀ ପାଢ଼ୀ କହିଛନ୍ତି। ସ୍ଥାନୀୟ ଗୀତ ଗୋବିନ୍ଦ ସଦନ ଠାରେ ବାଣିଜ୍ୟ ଓ ପରିବହନ ବିଭାଗ ସଂକ୍ରାନ୍ତ ବଜେଟ ବ୍ୟୟବରାଦ ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏବଂ ପ୍ରମୁଖ ସଚିବ ଶ୍ରୀମତୀ ପାଢ଼ୀ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ କ୍ରମଶଃ ଦୁର୍ବଳ ହୋଇ ପଡ଼ିଥିବା ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌‌ଆରଟିସି)କୁ ମଧ୍ୟ ଲକ୍ଷ୍ମୀ ଯୋଜନାରେ ସାମିଲ କରିବା ଲକ୍ଷ୍ୟ ରହିଛି। ନିଗମ ନୂଆ ବସ୍‌‌ କିଣିବା ପରିବର୍ତ୍ତେ ଲିଜ୍‌‌ ସୂତ୍ରରେ ବସ୍‌‌ ଆଣି ଚଳାଇବ। ନିଗମର କ୍ଷତି ଭରଣା କରିବାରେ ଏହା ସହାୟକ ହେବ। ନିଗମର ବସ୍‌‌ ସଂଖ୍ୟା ବଢ଼଼ିଲେ ସେଥିରୁ ବଡ଼ ପରିମାଣର ଗାଡ଼ିକୁ ଲକ୍ଷ୍ମୀ ଯୋଜନାରେ ଚଳାଇବା ପାଇଁ ଲକ୍ଷ୍ୟ ରହିଛି। ପରିବହନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସମ୍ପ୍ରତି ରାଜ୍ୟରେ ୫୫ଟି ନୂଆ ବସ୍‌‌ଷ୍ଟାଣ୍ଡ ନିର୍ମାଣ କରାଯାଉଛି। ସେହିପରି ଆଉ ୬୦ଟି ବସ୍‌‌ଷ୍ଟାଣ୍ଡ ନିର୍ମାଣ ପାଇଁ ଜିଲ୍ଲାପାଳମାନଙ୍କ ଜରିଆରେ ଜମି ଚିହ୍ନଟ ହୋଇଛି। ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ନୂଆ ବସ୍‌‌ଷ୍ଟାଣ୍ଡ ନିର୍ମାଣ କରାଯିବ। ଲକ୍ଷ୍ମୀ ଯୋଜନାରେ ଗାଁକୁ ଗାଡ଼ି ଚଳାଇଲେ ଏହା ବସ୍‌‌ ଷ୍ଟାଣ୍ଡର ଆବଶ୍ୟକତା ପୂରଣ କରିବ। ନୂଆ ବସ୍‌‌ଷ୍ଟାଣ୍ଡ ନିର୍ମାଣ ହେଲେ ୭୦ ଲକ୍ଷ ଲୋକ ସିଧାସଳଖ ଉପକୃତ ହେବେ।

ସେହିପରି ଆମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନିଜର କାରବାର କ୍ଷେତ୍ରରେ ମଧ୍ୟ ଲାଭବାନ୍‌‌ ହେବେ। ଅପରପକ୍ଷେ ନୂଆ ବସ୍‌‌ଷ୍ଟାଣ୍ଡର ପରିଚାଳନା ଦାୟିତ୍ୱ ମହିଳା ଏସ୍‌‌ଏଚ୍‌‌ଜିଙ୍କ ଉପରେ ନ୍ୟସ୍ତ କରାଯିବ। ଆସନ୍ତା ଦୁଇ ସପ୍ତାହ ଭିତରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସେ ସୂଚନା ଦେଇଛନ୍ତି। ଦୁଇ ଦଶନ୍ଧି ତଳେ ରାଜ୍ୟର ଗ୍ରାମାଞ୍ଚଳରେ ଟ୍ରେକର୍‌‌, ମାଟାଡୋର୍‌‌ ଭଳି ଛୋଟ ଗାଡ଼ି ଚାଲୁଥିଲା। ତେବେ ଦୁର୍ଘଟଣା ବୃଦ୍ଧି ଦୃଷ୍ଟିରୁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ଛୋଟ ଗାଡ଼ି ପ୍ରତ୍ୟାହାର କରାଯାଇ ଆରଟିଭି ଭଳି ମଧ୍ୟମ ଧରଣର ଗାଡ଼ି ଚଳାଯାଇଥିଲା। ତେବେ ସୁଚିନ୍ତିତ ଯୋଜନା ଅଭାବରେ ଏହି ସେବା ଲାଭଦାୟୀ ହୋଇପାରି ନ ଥିଲା। ତେବେ ଚଳିତ ବର୍ଷରୁ ଲକ୍ଷ୍ମୀ ଯୋଜନା ଜରିଆରେ ଗ୍ରାମାଞ୍ଚଳକୁ ଯୋଡ଼ିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି।

Leave A Reply

Your email address will not be published.