କର୍ମଜୀବୀ କିନ୍ନରଙ୍କୁ ମିଳିବ ଘର, ଶ୍ରମିକ ଦିବସରେ ହୋଇପାରେ ଘୋଷଣା

ଭୁବନେଶ୍ୱର : କର୍ମଜୀବୀ କିନ୍ନରଙ୍କ ମୁଣ୍ଡକୁ ଛାତ ଯୋଗାଇବେ ରାଜ୍ୟ ସରକାର। ୱାର୍କିଂ ହଷ୍ଟେଲ ଢାଞ୍ଚାରେ ଘର ନିର୍ମାଣ କରି କିନ୍ନରଙ୍କ ରହଣି ବ୍ୟବସ୍ଥା କରାଯିବ। ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ବର୍ତ୍ତମାନ ବହୁ କିନ୍ନର ପୌର ସଂସ୍ଥା ସହିତ ଅନୁବନ୍ଧିତ ହୋଇ କାର୍ଯ୍ୟ କରୁଛନ୍ତି। ସମାଜର ମୁଖ୍ୟସ୍ରୋତରେ ରହି କାର୍ଯ୍ୟ କରୁଥିବା ଏହି କିନ୍ନରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଖୁବଶୀଘ୍ର ଏହି ଯୋଜନା ଘୋଷଣା କରିବା ପାଇଁ ରାଜ୍ୟ ସରକାର ବିଚାର ବିମର୍ଶ କରୁଥିବା ଜଣାପଡ଼ିଛି। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ବିଭିନ୍ନ ବିଭାଗ ସହ ଆଲୋଚନା ଆରମ୍ଭ ହୋଇଥିବା ବେଳେ କିନ୍ନରମାନଙ୍କ ଆବଶ୍ୟକତା ସମ୍ପର୍କରେ ସେମାନଙ୍କଠାରୁ ମତାମତ ସଂଗ୍ରହ କରାଯାଇଛି। ସମ୍ଭବତଃ ଆସନ୍ତା ମେ ୧ ଅର୍ଥାତ ଶ୍ରମିକ ଦିବସରେ ଏହି ଘୋଷଣା କରାଯିବାର ସମ୍ଭାବନା ରହିଛି।
ମିଳିଥିବା ସୂଚନା ଅନୁଯାୟୀ ପାଇଲଟ ପ୍ରକଳ୍ପ ଭାବେ ପ୍ରଥମେ ପୁରୀରେ ଏହି କର୍ମଜୀବୀ ହଷ୍ଟେଲ ନିର୍ମାଣ କରାଯିବ। ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ନିଗମ ସଂସ୍ଥା ଏହି ପ୍ରକଳ୍ପ ସମ୍ପର୍କରେ ଡିପିଆର୍ ପ୍ରସ୍ତୁତ କରିବ। ଏଥିପାଇଁ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିବା ବେଳେ ନିର୍ଦ୍ଧାରିତ ସମୟରେ ଏହି କାର୍ଯ୍ୟ ସାରି ବିଭାଗ ଡିପିଆର୍ ନଗର ଉନ୍ନୟନ ବିଭାଗକୁ ପ୍ରଦାନ କରିବ। ଏହା ପରେ ଜିଏ ଡିପାର୍ଟେମେଣ୍ଟ ପକ୍ଷରୁ ଆବଶ୍ୟକୀୟ ଜାଗା ମିଳିବା ରେ ଏହି ହେଷ୍ଟଲ ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି। ରାଜ୍ୟର ବହୁ କିନ୍ନର ନିଜ ଘରଠାରୁ ଦୂରରେ ରହୁଛନ୍ତି। ରାଜ୍ୟ ସରକାର କିନ୍ନରମାନଙ୍କୁ ମୁଖ୍ୟ ଶ୍ରୋତରେ ସାମିଲ କରାଇବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି।
ମୁଖ୍ୟତଃ ରାଜ୍ୟ ନଗର ଉନ୍ନୟନ ବିଭାଗରେ, ପରିମଳ ବ୍ୟବସ୍ଥାରେ ସେମାନଙ୍କୁ ବଡ଼ ନିଯୁକ୍ତି ଦିଆଯାଉଛି। ସ୍ୱଚ୍ଛ କର୍ମୀ, ମଳ ଉପଚାର କେନ୍ଦ୍ର ପରିଚାଳନା ସହିତ ଟିକସ ଆଦାୟ, ଜଳସାଥୀ ଏବଂ ୱାଟର ଏଟିଏମ ପରିଚାଳନା ଭଳି ଦାୟିତ୍ୱ ଦିଆଯାଉଛି। ଏଥିପାଇଁ ସେମାନଙ୍କୁ ଆବଶ୍ୟକୀୟ ପାରଶ୍ରମିକ ପ୍ରଦାନ କରାଯାଉଥିବା ବେଳେ କିନ୍ନରଙ୍କ ସଂଖ୍ୟା ମଧ୍ୟ କାର୍ଯ୍ୟକ୍ଷେତ୍ରରେ ବୃଦ୍ଧି ହେଉଛି। ଏହା ବ୍ୟତୀତ କିନ୍ନରମାନଙ୍କୁ ବିଭିନ୍ନ ପ୍ରକାର ବୀମାରେ ଅନ୍ତର୍ଭୁର୍କ୍ତ କରାଯାଇଥିବା ବେଳେ ସେମାନଙ୍କୁ ନିୟମିତ ବ୍ୟବଧାନରେ ତାଲିମ ପ୍ରଦାନ ସହିତ ସେମାନଙ୍କ ଦକ୍ଷତା ବୃଦ୍ଧିକୁ ଗୁରୁତ୍ୱ ଦିଆଯାଉଛି। ମାତ୍ର ବହୁ କିନ୍ନର ରହିବା ସ୍ଥାନଠାରୁ ସେମାନଙ୍କ କର୍ମସ୍ଥଳୀ ଦୂର ହେବା ଓ ଅନ୍ୟାନ୍ୟ କାରଣକୁ ଦୂର କରିବା ପାଇଁ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ସହାୟକ ହେବ ବୋଲି କିନ୍ନରମାନେ ଆଶା ରଖିଛନ୍ତି। ଗତ ବର୍ଷ ରାଜ୍ୟ ପୁଲିସ ବିଭାଗରେ ବାହାରିଥିବା ନିଯୁକ୍ତିରେ କିନ୍ନରମାନଙ୍କ ପାଇଁ ସଂରକ୍ଷଣ ଦିଆଯାଇଥିଲା। ଏହାକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଥଲା। ନଗର ଉନ୍ନୟନ ବିଭାଗରେ କିନ୍ନରଙ୍କୁ ଦିଆଯାଉଥିବା ନିଯୁକ୍ତି ପାଇଁ ମଧ୍ୟ ରାଜ୍ୟ ସରକାର ଅନେକ ସମୟରେ ପ୍ରଶଂସିତ ହୋଇଛନ୍ତି।