କମିବ କେବୁଲ୍ ଏବଂ ଡିଟିଏଚ୍‌ ବିଲ୍ : ବ୍ରଡକାଷ୍ଟିଂ ଓ କେବୁଲ୍ ସର୍ଭିସ୍ ପାଇଁ ନିୟାମକ ବ୍ୟବସ୍ଥାରେ ସଂଶୋଧନ

ନୂଆଦିଲ୍ଲୀ : ଆଗାମୀ ଦିନରେ ଆପଣଙ୍କର କେବୁଲ୍ ଏବଂ ଡିଟିଏଚ୍‌ ବିଲ୍‌ରେ ହ୍ରାସ ହୋଇପାରେ। କାରଣ ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ଏହାର ବ୍ରଡକାଷ୍ଟିଂ ଓ କେବୁଲ୍ ସେବା ନିୟାମକ ବ୍ୟବସ୍ଥାରେ କେତେକ ଗୁରୁତ୍ବପୂର୍ଣ୍ଣ ସଂଶୋଧନ ଘଟାଇଛି। ଏହାଫଳରେ ଆସନ୍ତାବର୍ଷ ଫେବୃଆରୀ ପହିଲାରୁ ଦର୍ଶକଙ୍କ ପାଇଁ ଟିଭି ଦେଖିବା ଶସ୍ତା ହୋଇଯିବ। ଟ୍ରାଇ ଏହାର ନୂଆ ଟାରିଫ୍ ଅର୍ଡର(ଏନ୍‌ଟିଓ) ୨.୦ରେ ସଂଶୋଧନ ପୂର୍ବକ ଏକ ଟିଭି ଚ୍ୟାନେଲ ଲାଗି ମୂଳ୍ୟ ସୀମା ଧାର୍ଯ୍ୟ କରିଛନ୍ତି।

ଏହି ଅନୁଯାୟୀ, ଟିଭି ଚ୍ୟାନେଲଗୁଡିକ ସେମାନଙ୍କର ବୁକେରେ ୧୯ ଟଙ୍କାରୁ କମ୍ ମୂଲ୍ୟର ଚ୍ୟାନେଲକୁ ସେମାନଙ୍କର ବୁକେରେ ସାମିଲ କରିପାରିବେ। ପୂର୍ବରୁ ଏହି ସୀମା ୧୨ ଟଙ୍କା ରହିଥିଲା। ଜଣେ ବ୍ରଡକାଷ୍ଟର ଏକ ବୁକେ ପେ ଚ୍ୟାନେଲରେ ମୂଲ୍ୟ ନିର୍ଦ୍ଧାରଣ କରିବା ସମୟରେ ଏମଆରପି ଉପରେ ସର୍ବାଧିକ ୪୫% ରିଆତି ପ୍ରଦାନ କରିପାରିବେ। ଏହାପୂର୍ବରୁ ୨୦୨୦ ଜାନୁଆରୀରେ ଏନ୍‌ଟିଓ ୨.୦ ଆଣାଯିବାର ଦୀର୍ଘ ୩ ବର୍ଷ ପରେ ଟ୍ରାଇ ଏହି ସଂଶୋଧନ କରିଛି। ସମସ୍ତ ପ୍ରସାରଣକାରୀମାନେ କୌଣସି ନାମ, ପ୍ରକୃତି, ଭାଷା, ଚ୍ୟାନେଲର ମାସିକ ଏମଆରପି ଓ ଗଠନ ତଥା ଚ୍ୟାନେଲ ବୁକେର ଏମଆରପି ବିଷୟରେ କର୍ତ୍ତୃପକ୍ଷଙ୍କୁ ୧୬ ଡିସେମ୍ବର ୨୦୨୨ ସୁଦ୍ଧା ଅବଗତ କରାଇବେ।

ଏହା ସହିତ ଏହି ସୂଚନାକୁ ୱେବସାଇଟରେ ପ୍ରଦର୍ଶିତ କରିବେ। ବ୍ରଡକାଷ୍ଟର ଯେଉଁମାନେ ପୂର୍ବରୁ ନୂଆ ନିୟାମକ ରୂପରେଖ ୨୦୨୦ ଅନୁସାରେ ସେମାନଙ୍କର ଆରଆଇଓ ଦାଖଲ କରିଛନ୍ତି ସେମାନେ ତାଙ୍କର ଆରଆଇଓକୁ ୧୬ ଡିସେମ୍ବର ୨୦୨୨ ସୁଦ୍ଧା ସଂଶୋଧନ କରିପାରିବେ। ଟେଲିଭିଜନ ଚ୍ୟାନେଲଗୁଡିକର ସମସ୍ତ ବିତରକମାନେ ପ୍ରାଧିକରଣଙ୍କୁ ପେ’ ଚ୍ୟାନେଲଗୁଡିକର ବୁକେର ଗଠନ ସମ୍ପର୍କରେ ୨୦୨୩ ଜାନୁୟାରୀ ପହିଲା ସୁଦ୍ଧା ରିପୋର୍ଟ କରିବେ।

Leave a comment