ଆଜିଠାରୁ ତୋଷାଳି ମେଳା

ଭୁବନେଶ୍ୱର : ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ଅଧୀନରେ ଆଜିଠାରୁ ୧୭ତମ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା ଆରମ୍ଭ ହେବ। ପ୍ରତିବର୍ଷ ଭଳି ଏଥର ମଧ୍ୟ ଜନତା ମୈଦାନଠାରେ ଅନୁଷ୍ଠିତ ହେବ ଏହି ଜାତୀୟ ହସ୍ତଶିଳ୍ପ ମେଳା। ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (ସିଡାକ୍‌‌) ଏବଂ ବୟନ ଶିଳ୍ପ ମନ୍ତ୍ରଣାଳୟ ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ କମିଶନର ସହାୟତାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ମେଳା ଆୟୋଜିତ ହେଉଛି। ଏହି ମେଳା ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ୧୨ ଦିନ ବ୍ୟାପୀ ଚାଲିବ। ଏଥର ମେଳାରେ ୪ଶହରୁ ଅଧିକ ହସ୍ତଶିଳ୍ପ ଷ୍ଟଲ୍‌‌ ଖୋଲିବ। ଯେଉଁଠି ଓଡ଼ିଶା ଏବଂ ଓଡ଼ିଶା ବାହାରର ପାରମ୍ପରିକ କଳା, କାରିଗରୀର ଚମକ ଦେଖିବାକୁ ମିଳିବ। ସେହିପରି ୨୫୦ରୁ ଅଧିକ ହସ୍ତତନ୍ତ ଷ୍ଟଲ୍‌‌ରେ ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି ହେବ।

ଏଥି ସହ ରାଜ୍ୟ ଓ ରାଜ୍ୟ ବାହାରର ୨୦ରୁ ଅଧିକ ଖାଦ୍ୟ ଷ୍ଟଲ୍‌‌ ଖୋଲାଯିବ। ହସ୍ତଶିଳ୍ପ କ୍ଷେତ୍ରରେ ବିଭିନ୍ନ ପୁରସ୍କାରର ଘୋଷଣା କରାଯାଇଛି। ପଦ୍ମବିଭୂଷଣ ଡଃ ସୁଦର୍ଶନ ସାହୁ, ବେଣୁଧର ମହାପାତ୍ର ଓ ଦେବେନ୍ଦ୍ର ମିଶ୍ରଙ୍କୁ ୨୦୧୯, ୨୦୨୦ ଓ ୨୦୨୧ବର୍ଷ ପାଇଁ ଜୀବନବ୍ୟାପୀ ହସ୍ତଶିଳ୍ପ କୃତି ପୁରସ୍କାର ପାଇଁ ସମ୍ବର୍ଦ୍ଧିତ କରାଯିବ। ସେହିପରି ପଥର ଶିଳ୍ପ ପାଇଁ ଉଦୟ ମହାନ୍ତି, ତାଳପତ୍ର ଖୋଦେଇ ସାମଗ୍ରୀ ପାଇଁ ନିର୍ମଳ ଚନ୍ଦ୍ର ଦାସ, ପଟ୍ଟଚିତ୍ର ସାମଗ୍ରୀ ପାଇଁ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ୨୦୨୦ ବର୍ଷ ପାଇଁ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ପ୍ରଦାନ କରାଯିବ। ଅନୁରୂପ ଭାବରେ ପଟ୍ଟଚିତ୍ର ବବିତା ପ୍ରଧାନ, ତାଳପତ୍ର ଖୋଦେଇ ପ୍ରମୋଦ କୁମାର ମହାରଣା, ପଥର ଖୋଦେଇରେ ପ୍ରମୋଦ କୁମାର ମହାରଣା, ଲାଖ କମା ପାଇଁ ପ୍ରଭାତ ପାତ୍ର, କତା ଶିଳ୍ପ ପାଇଁ ଅମୀୟ ପୋଦାର, ମାଟି ମୂର୍ତ୍ତି କାମ ପାଇଁ ଉର୍ବଶୀ ମହାରଣାଙ୍କୁ ୨୦୨୧ ବର୍ଷ ନିମନ୍ତେ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ପାଇଁ ସମ୍ବର୍ଦ୍ଧିତ କରାଯିବ।

କାଠ ଖୋଦେଇ ପାଇଁ ପ୍ରଫୁଲ୍ଲ କୁମାର ମହାରଣା, ଚାନ୍ଦୁଆ କାମ ପାଇଁ ସୁରେଶ ଚନ୍ଦ୍ର ମହାପାତ୍ର, କାଠଖୋଦେଇରେ ନଳିନୀ କାନ୍ତ ଓଝା, ନଡ଼ା ହସ୍ତଶିଳ୍ପରେ କୁନି ପାତ୍ରଙ୍କୁ ୨୦୨୦ ବର୍ଷ ପାଇଁ କଳାକୃତି ପୁରସ୍କାର ପାଇଁ ସମ୍ବର୍ଦ୍ଧିତ କରାଯିବ। ସେହିପରି ପଟ୍ଟଚିତ୍ରରେ ରଶ୍ମିତା ସାହୁ, ପଥର ଖୋଦେଇରେ ଅନନ୍ତ ମହାରଣା, ଲାଖ କାମରେ କନକ ଲତା ଦାସ, ବେତ ଓ ବାଉଁଶ କାମ ପାଇଁ ସରୋଜିନୀ ଦାସଙ୍କୁ ୨୦୨୧ବର୍ଷ ପାଇଁ କଳାକୃତି ପୁରସ୍କାର ପାଇଁ ସମ୍ବର୍ଦ୍ଧିତ କରାଯିବ।

ଚୟନ କରାଯାଇଥିବା ହସ୍ତଶିଳ୍ପୀଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର ପାଇଁ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ସହିତ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇ ସମ୍ମାନିତ କରାଯିବ। ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ନିମନ୍ତେ ପୁରସ୍କାର ରାଶି ରୂପରେ ୧ଲକ୍ଷ ଟଙ୍କା, ପ୍ରମାଣପତ୍ର ଓ ଉପଢୌକନ ଏବଂ କଳାକୃତି ପୁରସ୍କାର ପାଇଁ ଚୟନ ହୋଇଥିବା ହସ୍ତଶିଳ୍ପ କାରିଗରମାନଙ୍କୁ ୧୦ହଜାର ଟଙ୍କାର ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯିବ। ଏହି କୃତି ହସ୍ତଶିଳ୍ପୀମାନଙ୍କୁ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଉଦ୍‌‌ଘାଟନୀ ସନ୍ଧ୍ୟାରେ ସମ୍ବର୍ଦ୍ଧିତ କରାଯିବ।

Leave a comment