ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବେଦପାଠ ଓ ମନ୍ତ୍ରଧ୍ୱନୀରେ ପ୍ରକମ୍ପିତ ମା’ତାରାତାରିଣୀଙ୍କ ପୀଠ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ

ଆସନ୍ତାକାଲି ଆସୁଛନ୍ତି ମୁଖ୍ୟମନ୍ତ୍ରୀ, ଉତ୍ସାହିତ ଶ୍ରଦ୍ଧାଳୁ

ବ୍ରହ୍ମପୁର,: ଗଞ୍ଜାମର ପ୍ରସିଦ୍ଧ ଶକ୍ତିପୀଠ ତାରାତାରିଣୀ ମନ୍ଦିର ନବକଳେବର ହେବା ପରେ ପ୍ରତିଷ୍ଠା ଉତ୍ସବ ଜାରି ରହିଛି। ବୁଧବାର ଏହି ଉତ୍ସବରେ ସାମିଲ ହେବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଉଛନ୍ତି। ଏଥିପାଇଁ ପୁଲିସ୍‍ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ପ୍ରଶାସନ ମଧ୍ୟ ପକ୍ଷରୁ ବିବିଧ ପଦକ୍ଷେପ ହାତକୁ ନିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଶ୍ରଦ୍ଧାଳୁ ଉତ୍ସାହିତ ଅଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ମୁତାବକ ବୁଧବାର ସକାଳ ୯.୫୦ମିନିଟ୍‍ ସମୟରେ ମୁଖ୍ୟମନ୍ତ୍ରୀ ହେଲିକେପ୍ଟର ତାରାତାରିଣୀ ମନ୍ଦିର ନିକଟରେ ଅସ୍ଥାୟୀ ହେଲିପେଡ଼୍‍ଠାରେ ଅବତରଣ କରିବେ। ଦିନ ୧୦ଟା ସମୟରେ ମନ୍ଦିର ଗସ୍ତ କରି ଉତ୍ସବରେ ଯୋଗଦେବ। ଏଠାରେ ପ୍ରସାଦ ସେବନ ହଲ୍‍, ଇଣ୍ଟରପ୍ରିଟେସନ୍‍ ହଲ୍‍, ମନ୍ଦିର ପ୍ରଶାସନିକ ଗୃହ ଆଦି ଉଦ୍‍ଘାଟନ କରିବେ। ୧୦.୩୦ରେ କାର୍ଯ୍ୟକ୍ରମ ସ୍ଥଳକୁ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଠାରେ ଜନଗଣଙ୍କୁ ଉଦ୍‍ବୋଧନ ଦେବେ। ଏଠାରୁ କାର୍ଯ୍ୟକ୍ରମ ସାରି ଅସ୍ଥାୟୀ ହେଲିପେଡ଼୍‍ ନିକଟକୁ ଆସି ପୁଣି ପର୍ତ୍ତ୍ୟାବର୍ତ୍ତନ କରିବେ ବୋଲି ସୂଚନା ମିଳିଛି।

ଏନେଇ ଆଜି ସନ୍ଧ୍ୟାରେ ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ ପାଣ୍ଡିଆନ୍‍। ତାରାତାରିଣୀ ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ପୁରୋଧା ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଉଥିବାରୁ ବିଶାଳ ଜନସମାବେଶ ହେବାର ସମ୍ଭାବନା ରହିଛି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଅବ୍ୟବହିତ ପୂର୍ବରୁ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ପାଣ୍ଡିଆନ ମାଁ ତାରାତାରିଣୀଙ୍କ ପୀଠ ପରିଦର୍ଶନ କରି ଆୟୋଜନ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ଏଥିହସିତ ଜିଲ୍ଲା ପ୍ରଶାସନ ସହ ମଧ୍ୟ ଆଲୋଚନା କରିଛନ୍ତି। ଏହି ଅବସରରେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ ମାଁଙ୍କୁ ଦର୍ଶନ କରିବା ସହିତ ପୂଜାର୍ଜନା କରିଛନ୍ତି। ପରେ ମନ୍ଦିର ପରିସର, ମୁଣ୍ଡନ ଗୃହ, ବଡ ପ୍ରସାଦ ସେବନ ଗୃହ, ପ୍ରଶାସନିକ ଭବନ, ଭିୟୁ ପଏଣ୍ଟ ଓ ମନ୍ଦିର ଚତୁପାର୍ଶ୍ବ ଆଦି ବୁଲି ଦେଖିଥିଲେ। ସେବାୟତ ଓ ସ୍ଥାନୀୟ ଜନସାଧାରଣଙ୍କ ସହିତ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ପରିଦର୍ଶନ ସମୟରେ ଜିଲ୍ଲା ପ୍ରଶାସନ ସହିତ ଭିଡ ନିୟନ୍ତ୍ରଣ, ଶାନ୍ତିଶୃଙ୍ଖଳା ରକ୍ଷା, ପାନୀୟ ଜଳ ଯୋଗାଣ, ପ୍ରାଥମିକ ସ୍ୱାସ୍ଥ୍ୟ ବ୍ୟବସ୍ଥା, ଅଗ୍ନି ସୁରକ୍ଷା, ବିଦ୍ୟୁତ ଯୋଗାଣ ଓ ପରିମଳ ବ୍ୟବସ୍ଥା ଆଦି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ପରିଦର୍ଶନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଗଞ୍ଜାମ ଏସ୍‍ପି ବ୍ରିଜେଶ ରୟଙ୍କ ସମେତ ପ୍ରଶାସନିକ ଅଧିକାରୀ ଗଣ ଉପସ୍ଥିତ ଥିଲେ।

ସ୍ଥିତି ସମୀକ୍ଷା କଲେ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ଓ ରାଜ୍ୟ ସରକାରଙ୍କ ଗଣମାଧ୍ଯମ ପରାମର୍ଶଦାତା
ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଜାରି ରହିଛି। ବୁଧବାର ମୁଖ୍ୟମନ୍ତ୍ରୀ ଏହି ଉତ୍ସବରେ ଯୋଗଦେବେ। ମଙ୍ଗଳବାର ସନ୍ଧ୍ୟାରେ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାଶ ଓ ରାଜ୍ୟ ସରକାରଙ୍କ ମିଡ଼ିଆ ପରାମର୍ଶଦାତା ମାନସ ମଙ୍ଗରାଜ ତାରାତାରିଣୀ ମନ୍ଦିର ପରିଦର୍ଶନ କରିଛନ୍ତି। ପ୍ରଥମେ ମାଁଙ୍କୁ ଦର୍ଶନ କରି ପୂର୍ଜାର୍ଚ୍ଚାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସ୍ଥିତି ସମୀକ୍ଷା କରିବା ସହ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି। ସୁରକ୍ଷା ବ୍ୟବସ୍ଥା ଆଦି ସମ୍ପର୍କରେ ପଚାରି ବୁଝିଥିବା ଜଣାଯାଇଛି।

ମାଁଙ୍କ ଦର୍ଶନ କଲେ ବିଭିନ୍ନ ଗଣମାଧ୍ୟମର ସମ୍ପାଦକ ଓ ସାମ୍ବାଦିକ
ଗଞ୍ଜାମର ଆରାଧ୍ୟ ଦେବୀ ମାଁ ତାରାତାରିଣୀଙ୍କ ଦର୍ଶନ କରିଛନ୍ତି ରାଜ୍ୟର ପ୍ରତିଷ୍ଠିତ ବିଭିନ୍ନ ଗଣମାଧ୍ୟମର ସମ୍ପାଦକ ଓ ସାମ୍ବାଦିକମାନେ। ଆଜି ଏକ ସ୍ୱତନ୍ତ୍ର ବସ୍‍ ଜରିଆରେ ଏମାନେ ଭୁବନେଶ୍ୱରରୁ ବାହାରି ଗଞ୍ଜାମ ଅଭିମୁଖେ ଯାତ୍ରା କରି ତାରାତାରିଣୀ ମନ୍ଦିର ଆସିଥିଲେ। ଏଠାରେ ମାଁଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ପରେ ମନ୍ଦିର ବୁଲିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି। ମାଁଙ୍କ ତାରାତାରିଣୀଙ୍କ ମନ୍ଦିର ନବକଳେବର ହେବା ପରେ ଅତି ଚମତ୍କାର ରହିଛି। ସମ୍ପ୍ରତି ଆକର୍ଷଣୀର କେନ୍ଦ୍ରବିନ୍ଦୁ ପାଲୋଟିଛି। ମାଁ’ଙ୍କ ସ୍ଥିତି ଅନୁଭବ ହେଉଛି। ଅପାର ମହିମା କଥା ସମସ୍ତେ ଜାଣନ୍ତି। କାରୁକାର୍ଯ୍ୟ ସୁନ୍ଦର ହୋଇଛି ବୋଲି ଏମାନେ କହିବା ସହ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି।

ଜାରି ରହିଛି ବେଦପାଠ, ମନ୍ତ୍ରଧ୍ୱନୀରେ ପ୍ରକମ୍ପିତ ପୀଠ
ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଆରାଧ୍ୟ ଦେବି ମାଁ ତାରାତାରିଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ତଥା ଜୀର୍ଣ୍ଣୋଦ୍ଧାର ଓ ପ୍ରାସାଦର ସଂସ୍କାର କାର୍ଯ୍ୟ ଆଜି ତୃତୀୟ ଦିବସ। ମନ୍ଦିରର ମୂଖ୍ୟ ପୂରହିତ ପଣ୍ଡିତ ସୀମାଞ୍ଚଳ ଦାଶ ଶର୍ମାଙ୍କ ତତ୍ତ୍ୱାବଧାନରେ ଗଞ୍ଜାମ ଓ ପୁରୀ ଅଞ୍ଚଳର ବରିଷ୍ଠ ଜୋତିଷବିଷାରଦ ଓ ପଣ୍ଡିତମାନେ ଯୋଗଦେଇ ସୂର୍ଯ୍ୟ ପୂଜା, ଗୋପୂଜା, ଚଣ୍ଡୀ ପାଠ,ମହା ରୁଦ୍ରାଭିଷେକ, ଧ୍ୱଜ, ତ୍ରୀଶୁଳ, ପାର୍ଶ୍ୱ ଦେବଦେବୀଙ୍କ ସପ୍ତାଧିବାମ ଆଦି ପୂଜାର୍ଚ୍ଚନା କରିବାରେ ଲାଗିଛନ୍ତି। ପଣ୍ଡିତମାନଙ୍କ ମନ୍ତ୍ରଧ୍ୱନୀ ଓ ବେଦପାଠରେ ରତ୍ନଗିରି ପାହାଡ଼ ପ୍ରକମ୍ପିତ ହେଉଛି। ମନ୍ଦିର ପ୍ରତିଷ୍ଠା, ହୋମଯଜ୍ଞ ଆଦି ଦର୍ଶନ କରିବା ପାଇଁ ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବାରେ ଲାଗିଛି। ଯଜ୍ଞ ଆରମ୍ଭ, ବ୍ରାହ୍ମଣ ବରଣ, ଅଗ୍ନି ସଂସ୍କାର, ସାଲା ସଂସ୍କାର, ପୂଜା ହୋମ ଆଦି କାର୍ଯ୍ୟ ପର୍ଯ୍ୟାୟ କ୍ରମେ ଆରମ୍ଭ ହୋଇଛି। ଏଥିରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା, ପୁରୁଷୋତ୍ତମପୁର ତହସିଲଦାର ନିତିଶ କୁମାର ତ୍ରିପାଠୀ, ଅତିରିକ୍ତ ତହସିଲଦାର ସୁନିଲ୍‍ କୁମାର ଟୁଡୁ, ଜିଲ୍ଲା ପ୍ରଶାସନର ବରିଷ୍ଠ କର୍ମଚାରୀ ଅଖିଳକୁମାର ସାବତ, ବିଡିଓ ବିଜୟ କୁମାର ବେହେରା, ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ, ଥାନା ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ, ଏନ୍‍ଏସି ନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ର, ଅଗ୍ନିଶମ ଅଧିକାରୀ ଉମାଚରଣ ଭଟ୍ଟମିଶ୍ର, ମନ୍ଦିର ନିର୍ବାହୀ ଅଧିକାରୀ ଟିକେ ରେଡି, ସେବାୟତ ବାପୁଜୀ ରଣାଙ୍କ ସମେତ ସମସ୍ତ ସେବାୟତ ଉପସ୍ଥିତ ରହିଛନ୍ତି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୨୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

Leave A Reply

Your email address will not be published.