ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜିଠୁ ବିଶ୍ୱ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ ୨୦୨୦: ଭାରତରୁ ଭାଗନେଇଛନ୍ତି ୧୨୭ ଖେଳାଳି

ଟୋକିଓ: ମହାମାରୀର ଭୟ ମଧ୍ୟରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ । ଦେଶବାସୀଙ୍କ ବିରୋଧ ଓ ବିକ୍ଷୋଭ ସତ୍ତ୍ୱେ ବିନା ଦର୍ଶକରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱର ଏହି ପୁରାତନ ଓ ସର୍ବଶ୍ରେଷ୍ଠ ପ୍ରତିଷ୍ପର୍ଦ୍ଧା । ଚଳିତ ଥରର ଅଲିମ୍ପିକ୍ସରେ ୨୦୦ରୁ ଅଧିକ ଦେଶର ପାଖାପଖି ୧୧୪୦୦ ପ୍ରତିଯୋଗୀ ନିଜ ଅପୂର୍ବ କ୍ରୀଡ଼ା ଦକ୍ଷତାର ବଳିଷ୍ଠ ନିଦର୍ଶନ ଦେବେ । ୩୩ କ୍ରୀଡ଼ାର ୫୦ ଶୃଙ୍ଖଳା ଓ ୩୩୯ ଇଭେଣ୍ଟରେ ଜାପାନ ରାଜଧାନୀ ଟୋକିଓରେ ଶୁକ୍ରବାରଠାରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି କ୍ରୀନା ମହାସମର । କରୋନା କାରଣରୁ ଅଲିମ୍ପିକ୍ସ ୨୦୨୦ରେ ହେବାକୁ ଥିବା ବେଳେ ଏହାକୁ ଘୁଞ୍ଚାଇ ଚଳିତ ବର୍ଷ କରାଯାଉଛି ।

ତେବେ ଚଳିତ ବର୍ଷର ଅଲିମ୍ପିକ୍ସ ଅନେକ ଦୃଷ୍ଟିରୁ ଅସାଧାରଣ, ଅସ୍ୱାଭାବିକ ଓ ଆହ୍ୱାନପୂର୍ଣ୍ଣ ରହିବ । ଏଥିସହିତ କରମର୍ଦ୍ଦନ, ପଦକ ପ୍ରଦାନ, ଆଲିଙ୍କନ ଭଳି ଅନେକ ପ୍ରକ୍ରିୟା ଉପରେ କଟକଣା ଲାଗୁ କରାଯାଇଛି । ଅପରପକ୍ଷରେ ଏସବୁ ସତ୍ତ୍ୱେ ଆବେଗ ଭିତରେ ଏକତା’ର ବାର୍ତ୍ତା ବହନ କରୁଥିବା ଟୋକିଓ ଅଲିମ୍ପିକ୍ସ ସଫଳତାର ସହ ଶେଷ ହେବ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ଆଶା ରଖିଛି । ତେବେ ପ୍ରଥମ ଥର ପାଇଁ ୧୨୭ ଜଣ ଖେଳାଳିଙ୍କୁ ଭାରତ ଟୋକିଓ ପଠାଇଥିବା ବେଳେ ନିଜ ପଦକ ସଂଖ୍ୟାକୁ ୨ ଅଙ୍କରେ ପହଞ୍ଚାଇବ ବୋଲି ଆଶା ରଖିଛି । ଯଦି ଓଡ଼ିଶା କଥା ଦେଖିବା ଦୌଡ଼ରାଣୀ ଦୂତି ଚାନ୍ଦ ଏବଂ ହକି ତାରକା ବୀରେନ୍ଦ୍ର ଲାକ୍ରା, ଅମିତ ରାହିଦାସ, ଦୀପଗ୍ରେସ ଏକ୍କା, ନମିତା ଟୋପ୍ପୋ ଏଥର ଅଲିମ୍ପିକ୍ସରେ ନିଜ ଯାଦୁ ଦେଖାଇବେ ।

କରୋନା ମହାମାରୀ ଜନିତ ନିରାଶା ମଧ୍ୟରେ ବିଶ୍ୱ କ୍ରୀଡାର ଏହି ମହାକୁମ୍ଭ ଆୟୋଜନ ପାଇଁ ପ୍ରସ୍ତୁତ ଟୋକିଓ ନଗରୀ । ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଚଳିତ ଥରର ସଂସ୍କରଣକୁ ‘ଆଶାର ଅଲିମ୍ପିକ୍ସ’ ଭାବେ ଅଭିହିତ କରିଥିବା ବେଳେ ନିଜ ଇତିହାସରେ ସବୁଠୁ ବଡ଼ ଦଳ ସହ ଯାଇଥିବା ଭାରତ ମଧ୍ୟ ଏଥର ନିଜ କ୍ରୀଡା ସାମର୍ଥ୍ୟର ପ୍ରଦର୍ଶନ ପାଇଁ ଅଣ୍ଟା ଭିଡିଛି । ଏଥର ଟୋକିଓରେ ଏକ ନୂଆ ଇତିହାସ ରଚିବାକୁ ଲକ୍ଷ୍ୟ ରଖିଛି ଭାରତୀୟ ଦଳ । ବିଶେଷକରି ଶୁଟିଂ, ବକ୍ସିଂ, ରେସଲିଂରେ ଏକାଧିକ ପଦକ ସହ ନିଜ ନୈରାଶ୍ୟଜନକ ଅଲିମ୍ପିକ୍ସ ରେକର୍ଡ ସୁଧାରିବାକୁ ଆଉ ଏକ ସୁଯୋଗ ପାଇଛି ଭାରତ ।

କୋଭିଡ୍‌-୧୯ ଯୋଗୁଁ ଗୋଟିଏ ବର୍ଷ ସ୍ଥଗିତ ରହିବା ପରେ ବି ଟୋକିଓ ଅଲିମ୍ପିକ୍ସ ଉପରୁ ଏହି ମହାମାରୀର ବିପଦ ଟଳି ନାହିଁ । ଆୟୋଜକ ନଗରୀ ଟୋକିଓରେ ବି କରୋନା ସ୍ଥିତି ବେଶ୍ ଗମ୍ଭୀର । ଏଠାରେ ପ୍ରତ୍ୟହ ହଜାରେରୁ ଊର୍ଦ୍ଧ୍ୱ ମାମଲା ରେକର୍ଡ କରାଯାଉଛି । ତନ୍ମଧ୍ୟରୁ ଅଲିମ୍ପିକ୍ସରେ ଏଯାବତ ଠାବ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ନଗଣ୍ୟ ଥିଲେ ବି ପ୍ରତିଯୋଗୀଙ୍କ ମନରେ ଭୟ ରହିଛି । ସଂକ୍ରମଣ ଭୟକୁ ଦୃଷ୍ଟିରେ ରଖି ଦର୍ଶକଙ୍କୁ ବାରଣ କରାଯାଇଛି । ଫଳରେ ଏହି କ୍ରୀଡା ମହାକୁମ୍ଭ ସହ ଜଡିତ ସେହି ଉତ୍ସାହ ନାହିଁ । ତଥାପି ଟୋକିଓ ଅଲିମ୍ପିକ୍ସକୁ ଆଶାର ବର୍ତ୍ତିକା ଭାବେ ଉପସ୍ଥାପନ କରିବାକୁ ଆଇଓସି ପକ୍ଷରୁ ଯଥାସମ୍ଭବ ଉଦ୍ୟମ କରାଯାଇଛି ଏବଂ ଏହାର ସକାରାତ୍ମକ ଦିଗ ଉପରେ ଧ୍ୟାନ ଦେବାକୁ ଅଂଶଗ୍ରହଣକାରୀ ଆଥଲେଟ ମାନଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି ।

ଆଇଓସି ସଭାପତି ଥୋମାସ୍ ବାକ୍ କହିଛନ୍ତି ଯେ, କରୋନା ସଙ୍କଟର ମୁକାବିଲା କରିବା ପାଇଁ ଟୋକିଓ ଅଲିମ୍ପିକ୍ସ ଏକ ମାଧ୍ୟମ । ଅଲିମ୍ପିକ୍ସ ପରେ ଆଶାର ଏହି ବାର୍ତ୍ତା ଆତ୍ମବିଶ୍ୱାସର ସନ୍ଦେଶରେ ପରିଣତ ହେବ ।

ଶୁକ୍ରବାର ଉଦଘାଟନୀ ଉତ୍ସବ ସହ ଅଗଷ୍ଟ ୮ ଯାଏଁ ଅନୁଷ୍ଠିତ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସର ଶୁଭାରମ୍ଭ ହେବ । ବାକ୍ ଆଶାବାଦୀ ଯେ ଏହି ଅଲିମ୍ପିକ୍ସ ପ୍ରତିଯୋଗିତା ଆନନ୍ଦ ଓ ଆଶ୍ୱସ୍ତିର ମୁହୂର୍ତ୍ତ ହେବ ।

Leave A Reply

Your email address will not be published.