ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ବିଶ୍ବ ସାଇକଲ୍ ଦିବସ

ଆଜି ବିଶ୍ବ ସାଇକଲ ଦିବସ । ସାଇକେଲର ବ୍ୟବହାରକୁ ବହୁଳ ଭାବେ ବଢାଇବା ପାଇଁ ଜୁନ ୩ ତାରିଖକୁ ବିଶ୍ୱ ସାଇକଲ ଦିବସ ଭାବରେ ଘୋଷଣା କରିଛି “ମିଳିତ ଜାତିସଂଘ” । କୁନି କୁନି ପିଲା ଓ ଯୁବଗୋଷ୍ଠୀଙ୍କୁ ସାଇକେଲ୍ ଚାଳନା ପାଇଁ ପ୍ରୋତ୍ସାହିତ କରିବା ଏହି ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ପୂର୍ବରୁ ଯିବା ଆସିବା ପାଇଁ ସାଇକଲର ଅଧିକ ବ୍ୟବହାର କରାଯାଉଥିଲା। ମଟର ସାଇକଲ ଆସିବା ପରେ ସାଇକଲ୍‌ର ବ୍ୟବହାର କମି ଯାଇଛି । କିନ୍ତୁ ସାରା ବିଶ୍ବରେ ନେଦରଲ୍ୟାଣ୍ଡ ଏକମାତ୍ର ଦେଶ ଯେଉଁଠି ଆଜିବି ସାଇକଲ୍ ଅଧିକ ଭାବେ ବ୍ୟବହାର କରାଯାଇଥାଏ। ଏହି ଦେଶର ସରକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଅକ୍ଷୁଣ୍ଣ ରଖିବା ପାଇଁ ସାଇକଲ୍‌ ଚଳାଇବା ଉପରେ ସେଠାକାର ନାଗରିକଙ୍କୁ ପରାମର୍ଶ ଦେଇଥାନ୍ତି। ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ସାଇକଲ୍ ଚଳାଇ ତାଙ୍କ କାର୍ଯ୍ୟାଳୟକୁ ଆସନ୍ତି।

ସାଇକଲକୁ ଓଡ଼ିଆରେ ଆଗରୁ “ଶୁନଗାଡ଼ି” କୁହାଯାଉଥିଲା । ଏବେ ଏହି ଶବ୍ଦ ପ୍ରାୟତଃ ମୃତ । ଏହି ସାଇକେଲଟି ଯେତେବେଳେ ନିର୍ମାଣ ହେଲା ତାହା ଦେଖିବାକୁ ବର୍ତ୍ତମାନର ଏକ ସ୍କେଟବୋର୍ଡ଼ ପରି ଥିଲା । ୧୭୯୧ରେ ଫ୍ରାନ୍ସର ନାଗରିକ କୋମେଟ ମେଡେ ଡି ସିଭରାକ୍ ନିର୍ମାଣ କରିଥିଲେ ଏକ ଭିନ୍ନ ଧରଣର ସାଇକେଲ, ଏହାର ସିଟ୍ ବହୁତ ଉଚ୍ଚରେ ରହୁଥିଲା । ଏଥିରେ ପେଡ଼ାଲ ନଥିଲା ଏହାକୁ ଲୋକମାନେ ନିଜଗୋଡରେ ଠେଲିଠେଲି ଚଳାଉଥିଲେ । ପ୍ରାୟ ୧୮୧୭ ମସିହା ବେଳକୁ ଜର୍ମାନୀର ବେରୋନ କାର୍ଲବାନ୍ ଡ୍ରେସ୍ ହ୍ୟାଣ୍ଡେଲ ରହିଥିବା ଏକ ସାଇକେଲ ନିର୍ମାଣ କରିଥିଲେ । ଏହାର ନାମ ଥିଲା “ଡ୍ରେସିନେ” । ଦୁଇଟି ସମାନ ଆକାରର କାଠ ଚକା, ବସିବା ପାଇଁ ଏକ ସିଟ ସହିତ ହ୍ୟାଣ୍ଡେଲ ରହିଥିଲା । ଗୋଡ଼ରେ ଠେଲି ଠେଲି ଚଳାଯାଉଥିବା ଏହି ସାଇକେଲଟି ସମ୍ପୂର୍ଣ୍ଣ ଭାବେ କାଠରେ ତିଆରି ହୋଇଥିବାରୁ ଲୋକମାନେ ଏହାକୁ ସେତେବେଳେ ‘କାଠଘୋଡା’ ବୋଲି କହୁଥିଲେ । ୧୮୧୮ରେ ପ୍ୟାରିସରେ ଆୟୋଜିତ ଏକ ପ୍ରଦର୍ଶନୀରେ ଲୋକମାନେ ଏହି ଅଦ୍ଭୁତ ସାଇକେଲକୁ ପ୍ରଥମଥର ଲାଗି ଦେଖିଥିଲେ, କିନ୍ତୁ ଏହା ସେତେବେଳେ ଲୋକପ୍ରିୟତା ଅର୍ଜନ କରିପାରି ନଥିଲା । ୧୮୩୯ରେ ସାଇକେଲ ନିର୍ମାଣରେ ବହୁତ ପରିବର୍ତ୍ତନ ଆସିଥିଲା, କାରଣ ସ୍କଟଲାଣ୍ଡର ଜଣେ ଲୁହାର ସାଇକେଲର ଆଗ ଚକାରେ ଏକ ପେଡାଲ ଲଗାଇଥିଲେ । କ୍ରିକପ୍ୟାଟ୍ରିକ ମ୍ୟାକମିଲାନ ସାଇକେଲର ଆଗ ଚକାରେ ଏକ ପେଡାଲ ଲଗାଇ ପାହାଡ଼ ଚଢିପାରୁଥିଲେ । ଏହା ସେତେବେଳେ ପରିବହନ କ୍ଷେତ୍ରରେ ବ୍ୟବହୃତ କରାଯାଉଥିଲା । କିନ୍ତୁ ଏଥିରେ ବ୍ରେକ୍ ନଥିବାରୁ ଗଡାଣିଆ ସ୍ଥାନରେ ରୋକିବା ଅତ୍ୟନ୍ତ କଷ୍ଟକର ହେଉଥିଲା ।

ସମୟ ସହ ତାଳ ଦେଇ ସାଇକେଲରେ ଅନେକ ପରିବର୍ତ୍ତନ ଆସିଛି । ଦିନ ଥିଲା ରାଲେ, ଆଟଲାସ, ହରକ୍ୟୁଲେସ୍ଏବଂ ହିରୋ ପରି କିଛି କମ୍ପାନୀ ନିଜ ସାଇକେଲ ବ୍ରାଣ୍ଡ ଭାବେ ଲୋକମାନଙ୍କ ମଧ୍ୟରେ ଛାପ ସୃଷ୍ଟି କରିଥିଲେ । କିନ୍ତୁ ଏବେ ବିଶ୍ୱର ନାମୀଦାମୀ କମ୍ପାନୀର ସାଇକେଲ ଏବେ ହାତ ପାହାନ୍ତରେ ମିଳି ପାରୁଛି । ସାଇକେଲର ମୂଲ୍ୟ ଅତିକମରେ ପାଞ୍ଚ ହଜାରରୁ ଆରମ୍ଭ କରି ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ବଜାରରେ ବିକ୍ରି ହେଉଛି । ଅଳ୍ପ ଦୂରରେ ଥିବା ସ୍ଥାନଗୁଡ଼ିକୁ ଯିବା ଆସିବା ପାଇଁ ବାଇକ୍ କିମ୍ବା ପେଟ୍ରୋଲ୍‌-ଡିଜେଲ୍ ଚାଳିତ ଗାଡ଼ି ପରିବର୍ତ୍ତେ ସାଇକେଲ୍ ବ୍ୟବହାର କରିବା ଦ୍ବାରା ଦିନକୁ ହଜାର ହଜାର ଲିଟରର ପେଟ୍ରୋଲ୍‌ ଓ ଡିଜେଲ୍‌ ଅପଚୟ ହେବାରୁ ରକ୍ଷା ମିଳିବା ସହ ପ୍ରଦୂଷଣ ସ୍ତର ମଧ୍ୟ ହ୍ରାସ ପାଇବ। ବର୍ତ୍ତମାନ କରୋନା କାଳରେ ଯାନବାହନଗୁଡ଼ିକ ବନ୍ଦ କରି ଦିଆଯାଇଥିବାରୁ ପୁଣିଥରେ ସାଇକଲ୍‌ର ଆଦର ବଢିଛି।

Leave A Reply

Your email address will not be published.