ଆଜି ବିଶ୍ୱ ସାଇକଲ ଦିବସ: ରାସ୍ତାକୁ ଫେରୁଛି କ୍ରିଂ କ୍ରିଂ, ଏପଟେ ଅସ୍ତିତ୍ୱ ହରାଇଛି ‘ମୋ ସାଇକଲ’

ଭୁବନେଶ୍ୱର: ଆଜି ବିଶ୍ବ ସାଇକଲ ଦିବସ । ସାଇକେଲର ବ୍ୟବହାରକୁ ବହୁଳ ଭାବେ ବଢାଇବା ପାଇଁ ଜୁନ ୩ ତାରିଖକୁ ବିଶ୍ୱ ସାଇକଲ ଦିବସ ଭାବରେ ଘୋଷଣା କରିଛି “ମିଳିତ ଜାତିସଂଘ” । କୁନି କୁନି ପିଲା ଓ ଯୁବଗୋଷ୍ଠୀଙ୍କୁ ସାଇକେଲ୍ ଚାଳନା ପାଇଁ ପ୍ରୋତ୍ସାହିତ କରିବା ଏହି ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ।

ବଦଳିଛି ସମୟ। ସମୟ ବଦଳିବା ସହ ଲୋକମାନଙ୍କର ଗମନାଗମନର ପରିଭାଷା ବି ବଦଳିଛି। ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ସବୁଆଡ଼େ ଦିନେ କେବଳ ଶୂନ ଗାଡ଼ିର ଚାହିଦା ଥିଲା। ଏବେ ମଟର ସାଇକଲ୍‍ର ଘୁଁ ଘାଁ ଶବ୍ଦରେ ଆଜି ବି ସାଇକଲ୍‍ର ଚାହିଦା ରହିଛି। ଏବେ ସାଇକଲ୍‍ କାହା ପାଇଁ ଫିଟ୍‍ନେସ୍‍ର ମନ୍ତ୍ର ପାଲଟିଛି ତ ଆଉ କାହା ପାଇଁ ପେଟ୍ରୋଲ ଡିଜେଲ ଦରରୁ ମୁକ୍ତି ପାଇବାର ପଥ। ସାଇକଲ୍‍ କେବଳ ବ୍ୟକ୍ତିର ପରିବହନର ବାହନ ନୁହେଁ, ବରଂ ଉତ୍ତମ ସ୍ୱାସ୍ଥ୍ୟର ସାଥୀ ପାଲଟିଯାଇଛି।

ସାଇକଲ୍‍କୁ ନେଇ ସାମାଜିକ ପରିବର୍ତ୍ତନ ସହ ସାଇକଲ୍‍ ଚାଳନାକୁ ଲୋକଙ୍କ ଭିତରେ ଆଦୃତି କରିବା ପାଇଁ ସେ ଧରିଛନ୍ତି ମଙ୍ଗ। ସାଇକଲ୍‍ ଚାଳନା ସାଙ୍ଗକୁ ସାଇକଲ୍‍ ସମ୍ପର୍କିତ ପୁସ୍ତକ, କଫି ପିଇ ବିଭିନ୍ନ ସ୍ଥାନରୁ ସାଇକଲ୍‍ ଚାଳକଙ୍କ ସହ ବାର୍ତ୍ତାଳାପ କରିବାର ମିଳୁଛି ସୁଯୋଗ। ସାଇକଲିଂ ସଂସ୍କୃତିକୁ ହୃଦୟଙ୍ଗମ କରିବା ସହିତ ଲୋକଙ୍କ ଭିତରେ ଅଭ୍ୟାସ ଜାରି ରଖିବାର ପ୍ରୟାସ ଜାରି ରଖିଛନ୍ତି। ସାଇକଲ୍‍ ଦୋକାନ କରି ନିଜକୁ ଉଦ୍ୟୋଗୀର ପରିଚୟ ଦେବା ସହ ସାଇକଲ୍‍ଚାଳନାକୁ ଲୋକ ଆପଣାଇବା ପାଇଁ ସେ ପ୍ରବର୍ତ୍ତାଉଛନ୍ତି। ଏମିତି ଏକ ଅନୁଚିନ୍ତାରେ ସେ ଆରମ୍ଭ କରିଥିଲେ ‘୨୨ ବାଇକ୍ସ୍‍’। ପୁରୁଣା ଓ ନୂଆ ସାଇକଲ୍‍କୁ ନେଇ ତାଙ୍କର ଏହି ପ୍ରୟାସ। ୨୦୧୫ ମସିହାରେ ଭୁବନେଶ୍ୱରରେ ସାଇକଲ୍‍ ଚାଳନାର ସଂସ୍କୃତିକୁ ଫେରାଇ ଆଣିବା ପାଇଁ ଅଜୟ କୁମାର ନନ୍ଦ ଆରମ୍ଭ କରିଥିଲେ ଏହି ପ୍ରୟାସ। ଏହି ପ୍ରୟାସ ମାଧ୍ୟମରେ ଲୋକଙ୍କୁ ସଚେତନ କରିବା ସହିତ ଅନାଥ ଓ ବସ୍ତି ପିଲାଙ୍କୁ ମାଗଣାରେ ସାଇକଲ୍‍ ପ୍ରଦାନ କରୁଛନ୍ତି। ଏବେ ସୁଦ୍ଧା ସେ ୨୦ରୁ ଊର୍ଦ୍ଧ୍ବ ପିଲାଙ୍କୁ ମାଗଣାରେ ସାଇକଲ୍‍ ଦେଇଛନ୍ତି। ପୁରୁଣା ସାଇକଲ୍‍ର ପୁନରୁଦ୍ଧାର ପାଇଁ ଆରମ୍ଭ କରିଛନ୍ତି ପ୍ରୟାସ। ପୁରୁଣା ସାଇକଲ୍‍କୁ ଆଣି ସେସବୁକୁ ସଜାଡ଼ି ନୂଆ ରୂପରେ ପିଲାମାନଙ୍କୁ ମାଗଣରେ ଦେଉଛନ୍ତି।

କେବଳ ସେତିକିରେ ସୀମିତ ନୁହେଁ, ତାଙ୍କର ଏହି ସାଇକଲ୍‍ ଅନୁଚିନ୍ତା। ଏହାସହିତ ବିଦ୍ୟାଳୟ ସ୍ତରରେ ପିଲାମାନଙ୍କ ମଧ୍ୟରେ ସାଇକଲିଂ ବିଷୟରେ ସଚେତନା କରୁଛନ୍ତି ଅଜୟ। ଏସମ୍ପର୍କରେ ଅଜୟ କୁହନ୍ତି, ୨୦୧୫ ମସିହାରେ ଦୁବାଇରୁ ଆସି ଭୁବନେଶ୍ୱରରେ ପହଞ୍ଚିବା ପରେ ସାଇକଲ୍‍ ଚଲାଉଥିବାବେଳେ ସାଇକଲ୍‍ ସଜାଡ଼ିବା ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲୁ। ଏଥିପାଇଁ ସାଇକଲ୍‍ ଦୋକାନ ସହ ସାମାଜିକ କାର୍ଯ୍ୟକଳାପ ସହ ଜଡ଼ିତ ହେବାର ପ୍ରୟାସ କରାଯାଇଛି। ଯେଉଁଠାରେ ସାଇକଲ୍‍ ସମ୍ପର୍କରେ ବହି ପଢ଼଼ିବାର ସୁଯୋଗ ମିଳିବା ସହ ଏକାଠି ବସି ଆଲୋଚନା କରିବାର ବ୍ୟବସ୍ଥା ରହିଛି। ୩୦ଜଣଙ୍କୁ ନେଇ ସାଇକଲିଂ ଗ୍ରୁପ୍‍ ମଧ୍ୟ କରାଯାଇଛି। ବିଭିନ୍ନ ସଚେତନତାର ବାର୍ତ୍ତା ଦେଇ ସାଇକଲ୍‍ ମାଧ୍ୟମରେ ଦୂରଦୂରାନ୍ତକୁ ଯାଉଛନ୍ତି। କେବଳ ସାଇକଲ୍‍ ବିକ୍ରି ନୁହେଁ, ପୁରୁଣା ସାଇକଲ୍‍ ସ୍ମୃତିକୁ ପୁଣିଥରେ ଫେରାଇଆଣିବାର ପ୍ରୟାସ କରାଯାଉଛି ବୋଲି ସେ କହିଛନ୍ତି।

ପିଲାଟିବେଳୁ ସାଇକଲ୍‍କୁ ନେଇ ଅନେକଙ୍କର ରହିଛି ଅଭୁଲା ସ୍ମୃତି। ପ୍ରଥମେ କିଏ ସାଇକଲ୍‍ ଚଳାଇ ସାଇକଲରୁ ପଡ଼ି ଖଣ୍ଡିଆ ହୋଇଛନ୍ତି ତ ଆଉ କିଏ ବାପାଙ୍କ ସାଇକଲ୍‍ ଧରି ସାଙ୍ଗମାନଙ୍କ ସହ ଦୂରକୁ ଯାଇଛନ୍ତି। ସାଇକଲ୍‍କୁ ନେଇ ସାଉଁଟା ସ୍ମୃତିକୁ ନେଇ ସାମାଜିକ ଗଣମାଧ୍ୟମରେ କରାଯାଉଛି ରୋମନ୍ଥନ। ବୟସ୍କଠାରୁ ଆରମ୍ଭ କରି ଯୁବପିଢ଼ି ସମସ୍ତେ ଏବେ ଫେସ୍‍ବୁକ୍‍, ଟୁଇଟର୍‍ରେ ଲେଖୁଛନ୍ତି। କିଏ ନିଜର ପୁରୁଣା ସାଇକଲ୍‍ ସହ ପୁରୁଣା ଫଟୋକୁ ଅପ୍‍ଲୋଡ୍‍ କରୁଛି ତ କିଏ ନିଜର ଦୈନନ୍ଦିନ ଜୀବନରେ ସାଇକଲ୍‍ ଯାତ୍ରାକୁ ନେଇ ଲେଖୁଛନ୍ତି। ଏବେ ବି ପୁରୁଣା ସାଇକଲ୍‍କୁ ସାଇତି ରଖିଛନ୍ତି ଅନେକ ଲୋକ।

ଅସ୍ତିତ୍ୱ ହରାଇଛି ‘ମୋ ସାଇକେଲ’

ସାଇକଲଚାଳନାକୁ ପ୍ରୋତ୍ସାହନ ଦେବାକୁ ଭୁବନେଶ୍ୱରରେ ମୋ ସାଇକଲ ଆରମ୍ଭ ହୋଇଥିଲା। ମୋ ସାଇକଲ ଯୋଜନାରେ ୨ ହଜାର ସାଇକଲ ଅଣାଯାଇଥିବା ବେଳେ ବର୍ତ୍ତମାନ ଏହି ସାଇକଲ ନିଜର ଅସ୍ତିତ୍ୱ ହରାଇଛି। ୨ ହଜାର ସାଇକଲରୁ ଅନେକ ଭାଙ୍ଗିରୁଜି ଯାଇଥିବା ବେଳେ ଅନେକ ଚୋରୀ ମଧ୍ୟ ହୋଇଯାଇଛି। ଯାହାପାଇଁ ଗୋଟେ ସମୟରେ ସମସ୍ତଙ୍କ ଆଦର ସାଉଣ୍ଟିଥିବା ‘ମୋ ସାଇକଲ’ ଏବେ ନିଜର ଅସ୍ତିତ୍ୱ ରକ୍ଷା ପାଇଁ ସଂଘର୍ଷ କରୁଛି। ବର୍ତ୍ତମାନ ସାଇକଲ୍‍ ଟ୍ରାକ୍‍ରୁ ନାଲି ରଙ୍ଗ ଲିଭିଯାଇଥିବା ବେଳେ ସାଇକଲ ଆରୋହୀଙ୍କ ପାଇଁ ରାସ୍ତାରେ ବାଟ ନାହିଁ। ଏହାସହିତ ଯେଉଁ ଷ୍ଟାଣ୍ଡଗୁଡ଼ିକରେ ମୋ ସାଇକଲ ରହୁଥିଲା ସେଥିରେ ବି ଅଧାରୁ ଅଧିକ ଫାଙ୍କା ପଡୁଛି। ଯେଉଁ କିଛି ଜାଗାରେ ସାଇକଲ ରହିଛି, ତାହା ତଳେ ପଡୁଥିବା ଓ ଧୂଳି ଗଦାରେ ରହିଥିବା ଦେଖିବାକୁ ମିଳୁଛି। ୨୦୧୮ ମସିହା ହକି ବିଶ୍ୱକପ୍‍ ସମୟରେ ଆରମ୍ଭ ହୋଇଥିବା ଏହି ଯୋଜନା ବିଭାଗୀୟ ଅଧିକାରୀମାନଙ୍କ ଅବହେଳା ଯୋଗୁଁ ନିଜର ସ୍ଥିତି ହରାଇଥିବା ବେଳେ କବାଡ଼ି ଖାନାରେ ଶହ ଶହ ସାଇକଲ କଟା ହୋଇ ବିକ୍ରି ମଧ୍ୟ ହୋଇଛି। ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ‘ମୋ ସାଇକଲ’ ଯୋଜନା କରିଥିଲେ। ସାଇକଲ ଚାଳନା ପ୍ରତି ଲୋକଙ୍କ ଆଗ୍ରହ ସୃଷ୍ଟି କରିବାକୁ ଉଭୟ ବିଏମ୍‍ସି ଓ ସ୍ମାର୍ଟସିଟି ଢୋଲ ପିଟୁଥିବା ବେଳେ ବାସ୍ତବ କ୍ଷେତ୍ରରେ ଏହାର ଫଳ ସମ୍ପୂର୍ଣ୍ଣ ଓଲଟା ଦେଖିବାକୁ ମିଳିଛି। ‘ମୋ ସାଇକଲ’ ଆରମ୍ଭ ହେବା ବେଳେ ୩ଟି ଘରୋଇ ସଂସ୍ଥାକୁ ଏଥିରେ ନିୟୋଜିତ କରାଯାଇଥିଲା। ଏଥିରେ ସର୍ବାଧିକ ସାଇକଲ ଯୋଗାଇଥିବା ହେକ୍ସି କମ୍ପାନୀକୁ କାର୍ଯ୍ୟରେ ଅବହେଳା କରୁଥିବା ଦର୍ଶାଇ କମ୍ପାନୀକୁ ହଟାଇ ଦିଆଯାଇଥିଲା। ସମ୍ପୃକ୍ତ କମ୍ପାନୀ ପରିଚାଳନା କରୁଥିବା ୧ ହଜାର ସାଇକଲକୁ ସ୍ମାର୍ଟସିଟି ନିଜ ପସନ୍ଦର କମ୍ପାନୀକୁ ଦେଇଥିଲା। ମାତ୍ର ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ। ସ୍ଥିତି ଯଥା ପୂବଂ ତଥା ପରଂ ଅବସ୍ଥାରେ ଥିବା ବେଳେ ଶହ ଶହ ସାଇକଲ ଏଣେ ତେଣେ ପଡ଼ି ରହିଛି। କେଉଁଠି ଡ୍ରେନ୍‍ରେ ସାଇକଲ ପଡ଼ି ରହିଥିବା ବେଳେ କିଛି ସାଇକଲ ଅଳିଆ ଗଦାରେ ପଡ଼ି ରହିଛି। ଏଥିପ୍ରତି ପରିଚାଳନା ସଂସ୍ଥା ବା ବିଏମସି ଓ ସ୍ମାର୍ଟସିଟି କୌଣସି ପଦକ୍ଷେପ ନେଉ ନ ଥିବା ଦେଖିବାକୁ ମିଳିଛି।

Leave a comment