ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦେଶବାସୀଙ୍କୁ ଥିଲା ନେତାଜୀଙ୍କ ଶେଷ ବାର୍ତ୍ତା: ମୁଁ ମରିଯିବି, କିନ୍ତୁ ସ୍ବାଧୀନତାର ସ୍ବାଦ ଚାଖିବ ଭାରତ

ନେତାଜୀ ସୁଭାଷ ଚନ୍ଦ୍ର ବୋଷ। ଭାରତୀୟ ସ୍ବାଧୀନତା ସଂଗ୍ରାମର ଅନନ୍ୟ ସଂଗ୍ରାମୀ। ଆଜାଦ୍ ହିନ୍ଦ୍ ଫୌଜର ନେତୃତ୍ବ ନେଇ ବ୍ରିଟିଶ୍ ସରକାରଙ୍କ ନିଦ ହଜାଇ ଦେଇଥିଲେ। ସଶସ୍ତ୍ର ଆନ୍ଦୋଳନରେ ଭାରତର ମୁକ୍ତି ପାଇଁ ସଂକଳ୍ପବଦ୍ଧ ଥିଲେ ନେତାଜୀ । ସଂଗ୍ରାମୀ ସୁଭାଷଙ୍କ ଉଗ୍ରନୀତି ବିଚଳିତ କରିଦେଉଥିଲା ବ୍ରିଟିଶ୍ ସରକାରଙ୍କୁ। ତାଙ୍କର ଆହ୍ବାନ ଥିଲା ‘ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ବାଧୀନତା ଦେବି’। ନେତାଜୀଙ୍କ ସଂଗ୍ରାମୀ ଜୀବନ ଓ ନିର୍ଭିକ ବ୍ୟକ୍ତିତ୍ବକୁ ନେଇ ପ୍ରସ୍ତୁତ ଏଇ ସ୍ବତନ୍ତ୍ର ଆଲେଖ୍ୟ ।

ଦୁଦ୍ଧର୍ଷ ବ୍ରିଟିଶ୍ ଜାତିକୁ ବିତାଡ଼ିତ କରିବାର ସାଧନ ଓ ସଂକଳ୍ପ। ପରାଧୀନ ଭାରତବର୍ଷକୁ ସ୍ଵାଧୀନ କରିବାର ସ୍ଵପ୍ନ। ଅହିଂସା ମାର୍ଗ ନୁହେଁ, ହିଂସାର ପଥ ହିଁ ଅମୋଘ ଅସ୍ତ୍ର। ରକ୍ତ ବଦଳରେ ସ୍ଵାଧୀନତା। ବିରାଟ ସେନାବାହିନୀ ଗଠନ। ମୁଖ୍ୟ ଲକ୍ଷ୍ୟ ଭାରତମାତା ହେବ ପରାଧୀନ ଶୃଙ୍ଖଳରୁ ମୁକ୍ତ । ଏଥିପାଇଁ ହୋଇଥିଲା ଘମାଘୋଟ ଲଢ଼େଇ। ଏଥିରେ ହଜିଯାଇଥିଲା ବ୍ରିଟିଶ୍ ସରକାରର ନିଦ। ସେନାବାହିନୀ ଅଧିକାର କରୁଥିବା ପ୍ରଦେଶ ବା ରାଜ୍ୟରେ ଉଡୁଥିଲା ତ୍ରିରଙ୍ଗା। ଏହାର ନେତୃତ୍ବ ନେଉଥିବା ଦୁଃସାହସୀ ଯୋଦ୍ଧାଙ୍କୁ ଦମନ କରିବା ପାଇଁ ତତ୍କାଳୀନ ବ୍ରିଟିଶ୍ ସରକାର କରିଥିଲା ପ୍ରୟାସ। ବାରମ୍ବାର ବନ୍ଦୀ କରିଥିଲା ଏହି ସଂଗ୍ରାମୀଙ୍କୁ।

ଜେଲରେ ବନ୍ଦୀ ହୋଇ ପୁଣି ମୁକୁଳିବା ମାତ୍ରେ ସେ ବୁଲୁଥିଲେ ଛଦ୍ମବେଶରେ। ସଂଗଠିତ କରୁଥିଲେ ସେନାକୁ। ଏପରିକି ସଂକଟମୟ ସ୍ଥିତିରେ ସେମାନଙ୍କ ମନରେ ଭରି ଦେଉଥିଲେ ଅଭୂତପୂର୍ବ ସାହସ, ସାମର୍ଥ୍ୟ, ଉତ୍ସାହ ଓ ଉଦ୍ଦାମତା। ଇଂରେଜ ଶତ୍ରୁପକ୍ଷ ରାଷ୍ଟ୍ରକୁ ବହୁବାର ଯାଇ ସେଠାକାର ନେତାଙ୍କ ସହ କରୁଥିଲେ ଗୁପ୍ତ ରଣନୀତି। ଇଂରେଜଙ୍କ ହାତରେ ଧରାପଡ଼ିଯିବା ଭୟରେ ସେ ବୁଲୁଥିଲେ ଛଦ୍ମବେଶରେ। କେତେବେଳେ ବୀମା କମ୍ପାନୀ ଏଜେଣ୍ଟ ଭାବେ ତ ପୁଣି କେତେବେଳେ ମୌଲବୀ ରୂପରେ। ସେ ଥିଲେ ମହାନ୍ ବିପ୍ଳବୀ, ସ୍ଵାଧୀନତା ଆନ୍ଦୋଳନର କର୍ଣ୍ଣଧାର ବୀର ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ଓଡ଼ିଶାରେ ଜନ୍ମ, କିନ୍ତୁ ବିଶ୍ବସ୍ତରରେ ସେ ପରିଚିତ ଜଣେ ମହାନ୍ ରାଷ୍ଟ୍ର ନାୟକ ଭାବେ ।

ଛାତ୍ର ଜୀବନୀ:

କଟକର ଓଡ଼ିଆ ବଜାରରେ ୧୮୯୭ ମସିହା ଜାନୁଆରୀ ୨୩ରେ ଭୂମିଷ୍ଠ ହୋଇଥିଲେ ସୁଭାଷ। ପିତା ଥିଲେ ପ୍ରଖ୍ୟାତ ଆଇନଜୀବୀ ଜାନକୀନାଥ ବୋଷ ଓ ମାତା ପ୍ରଭାବତୀ ଦତ୍ତ । ବର୍ତ୍ତମାନର ଷ୍ଟୁଆର୍ଟ ସ୍କୁଲ କଟକରେ ହୋଇଥିଲା ତାଙ୍କର ବିଦ୍ୟାରମ୍ଭ। ରେଭେନ୍ସା କଲିଜିଏଟ୍ ସ୍କୁଲରେ ପାଠ ପଢିବା ସମୟରେ ସେ ପ୍ରଧାନଶିକ୍ଷକ ବେଣୀମାଧବ ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ। ପରେ କଲିକତାର ପ୍ରେସିଡେନ୍ସି କଲେଜ ଓ ସ୍କଟିସ୍ ଚର୍ଚ୍ଚ କଲେଜରେ ସେ ପାଠ ପଢିଥିଲେ। ଦର୍ଶନ ଶାସ୍ତ୍ରରେ ସେ ହାସଲ କରିଥିଲେ ସ୍ନାତକ ଡିଗ୍ରୀ । ପୁଣି ପିତାଙ୍କ ଅଭିଳାଷ ପୂରଣ କରିବାକୁ ଉଚ୍ଚ ଶିକ୍ଷା ଲାଭ ନିମନ୍ତେ ଯାଇଥିଲେ ସୁଦୂର ଲଣ୍ଡନକୁ। କେମ୍ବ୍ରିଜ ବିଶ୍ବବିଦ୍ୟାଳୟରେ ନାମ ଲେଖାଇଥିଲେ । ଆଇସିଏସ୍ ପରୀକ୍ଷାରେ ଚତୁର୍ଥ ସ୍ଥାନ ଅଧିକାର କରି ସର୍ବଭାରତୀୟ ସିଭିଲ୍ ସର୍ଭିସ୍‌ରେ ଯୋଗଦେଇଥିଲେ। ମାତ୍ର ଏଥିରେ ସେ ପାଇ ନ ଥିଲେ ଆତ୍ମସନ୍ତୋଷ। ସମାଜ ସେବା ତଥା ପରାଧୀନ ଭାରତକୁ ମୁକ୍ତି ଦେବା ଉଦ୍ଦେଶ୍ୟରେ ସେ ଛାଡ଼ି ଦେଇଥିଲେ ସରକାରୀ ଚାକିରି। ଛାତ୍ର ଜୀବନରେ ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରି ବିତାଡ଼ିତ ମଧ୍ୟ ହୋଇଥିଲେ ।

ରାଜନୈତିକ ଜୀବନ:

କଲିକତାର ଦେଶବନ୍ଧୁ ଚିତ୍ତରଞ୍ଜନ ଦାସଙ୍କ ସଂସ୍ପର୍ଶରେ ଆସିଥିଲେ ନେତାଜୀ। ଏତିକିବେଳେ ଜାତୀୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇ ଛାତ୍ର ସମାଜକୁ ଦେଶପ୍ରେମର ବହ୍ନି ଜାଗ୍ରତ କରିଥିଲେ। ମୁଖ୍ୟ ଲକ୍ଷ୍ୟ ଥିଲା ଦେଶକୁ ସ୍ବାଧୀନ କରିବା। ଏଥିପାଇଁ ଆପଣେଇ ନେଇଥିଲେ ରାଜନୀତିକୁ। ୧୯୨୪ ମସିହାରେ କଂଗ୍ରେସ ଦଳର ପ୍ରାର୍ଥୀ ହୋଇଥିଲେ। କଲିକତା ମ୍ୟୁନିସିପାଲିଟିରେ କମିଶନର ଭାବେ ଯୋଗଦେଇଥିଲେ। ଦରମା ପାଉଥିଲେ ୩ ହଜାର। ଏହାର ଅଧା ଟଙ୍କା ସେ ବିନିଯୋଗ କରୁଥିଲେ ରୋଗୀ ଓ ଅସହାୟଙ୍କ ସେବାରେ। ଏହାକୁ ସହଜରେ ହଜମ କରିପାରି ନ ଥିଲା ବ୍ରିଟିଶ୍ ସରକାର। ଅଧ୍ୟାଦେଶ ବଳରେ ଗିରଫ ହୋଇଥିଲେ ସୁଭାଷ । ତାଙ୍କ ଗିରଫଦାରିକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ ହୋଇଥିଲା। ଏହି ଆନ୍ଦୋଳନ ଆଗରେ ହାର ମାନି ୧୯୨୭ ମସିହାରେ ସୁଭାଷଙ୍କୁ କାରାମୁକ୍ତ କରାଯାଇଥିଲା। ଜେଲରୁ ଫେରି ସେ ପୁଣି କଲିକତାର ମେୟର୍ ଭାବେ ନିର୍ବାଚିତ ହୋଇଥିଲେ।

ପରବର୍ତ୍ତୀ ସମୟରେ ସେ ଜାତୀୟ କଂଗ୍ରେସର ସଭାପତି ଆସନ ମଣ୍ଡନ କରିଥିଲେ। କିନ୍ତୁ କଂଗ୍ରେସର କେତେକ ପ୍ରମୁଖ ନେତାଙ୍କ ସହ ମତାନ୍ତର ହେବାରୁ ସେ ଦଳ ଛାଡ଼ିଥିଲେ। ଗଠନ କରିଥିଲେ ଫରୱାର୍ଡ ବ୍ଲକ୍। ସାରା ଦେଶରେ ବୈପ୍ଳବିକ ସଂଗ୍ରାମ କରିବାର ସନ୍ଦେଶ ଦେଇଥିଲେ । ଇଂରେଜ ସରକାରଙ୍କୁ ହଟାଇବାକୁ ହେଲେ ସଂଗ୍ରାମର ଆବଶ୍ୟକତା ରହିଛି, ଏହା ମର୍ମେ ମର୍ମେ ଅନୁଭବ କରିଥିଲେ ନେତାଜୀ। ଏଥିରେ ତାଙ୍କୁ ସହଯୋଗର ହାତ ବଢ଼ାଇଥିଲେ ହିଟଲର୍‌ଙ୍କ ସମେତ ଅନେକ ବିଦେଶୀ ନେତା ।

ଦୁର୍ଦ୍ଧର୍ଷ ଆଜାଦ୍ ହିନ୍ଦ ଫୌଜ

ବର୍ଲିନ୍‌ରେ ହିଟ୍‌ଲରଙ୍କୁ ସାକ୍ଷାତ କରି ସେ ନେତୃତ୍ବ ନେଇଥିଲେ ଆଜାଦ୍ ହିନ୍ଦ୍ ଫୌଜ ବା ଭାରତୀୟ ସେନା ବାହିନୀର। ଆହ୍ବାନ ଦେଇଥିଲେ ‘ଦିଲ୍ଲୀ ଚଲୋ’ ଅଭିଯାନର। ସିଙ୍ଗାପୁରରେ ସ୍ଥାପନ ହୋଇଥିଲା ଆଜାଦ୍ ହିନ୍ଦ୍ ସରକାର। ବହୁ ଦୁର୍ଗମ ଅଞ୍ଚଳରେ ଇଂରେଜ ସେନାଙ୍କ ସହ ବୀରତ୍ଵର ସହ ଲଢିଥିଲା ଆଜାଦ୍ ହିନ୍ଦ୍ ଫୌଜ। ରକ୍ତାକ୍ତ ସଂଘର୍ଷ କରି ବିଦେଶୀ ସେନାଙ୍କ ପାଇଁ ଆତଙ୍କର କାରଣ ହୋଇଥିଲା। କେତେକ ସ୍ଥାନରେ ବିଜୟୀ ହୋଇଥିଲା ଫୌଜ। ଜୟଯୁକ୍ତ ହେଉଥିବା ଅଞ୍ଚଳରେ ଫରଫର୍ ହୋଇ ଉଡୁଥୁଲା ତ୍ରିରଙ୍ଗା | ସମଗ୍ର ଦେଶରେ ଚର୍ଚ୍ଚାକୁ ଆସିଥିଲା ଆଜାଦ୍ ହିନ୍ଦ୍ ଫୌଜ, ଯାହାର ହିରୋ ଥିଲେ ନେତାଜୀ ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପ୍ରକୃତିର ତାଣ୍ଡବ କରିଦେଲା ସବୁ କିଛି ଓଲଟପାଲଟ। ଯୋଗାଯୋଗ  ବ୍ୟବସ୍ଥା ବିଚ୍ଛିନ୍ନ ହୋଇପଡ଼ିଲା। ଦୁର୍ବଳ ହୋଇପଡ଼ିଲା ଆଜାଦ୍ ହିନ୍ଦ୍ ଫୌଜ। ଖାଦ୍ୟାଭାବ ସତ୍ତ୍ବେ ବୀରତ୍ଵର ସହ ଲଢିଥିଲେ ଫୌଜୀ। ଅସୀମ ସାହସର ସହ ଯୁଦ୍ଧ କରି ଦେଶ ପାଇଁ ପ୍ରାଣବଳି ଦେଇଥିଲେ। ଏଭଳି ପରିସ୍ଥିତିରେ ନେତାଜୀ ଲୋଡ଼ିଥିଲେ ଅନ୍ୟ ଦେଶର ସହାୟତା । କିନ୍ତୁ ଭାଗ୍ୟ ଏହି ମହାନ୍ ବିପ୍ଳବୀଙ୍କୁ ସାଥ୍ ଦେଲା ନାହିଁ । ୧୯୪୫ ଅଗଷ୍ଟ ୧୬ ତାରିଖ ସିଙ୍ଗାପୁରରୁ ବ୍ୟାଙ୍କକ୍ ଅଭିମୁଖେ ଯାତ୍ରା କରିଥିଲେ ସୁଭାଷ। ୧୮ ତାରିଖରେ ସେ ଓ ତାଙ୍କର ଅନୁଗାମୀ ବିମାନରେ ଦାର୍ରେ ଅଭିମୁଖେ ଯାଇ ଇ ଆଉ ଫେରି ନ ଥିଲେ। ନେତାଜୀ ହୋଇଯାଇଥିଲେ ନିଖୋଜ । ସେହି ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଏ। କିନ୍ତୁ ଏ ସଂପର୍କରେ କୌଣସି ପ୍ରାମାଣିକ ତଥ୍ୟ ନାହିଁ । ସେ ଜୀବିତ କି ମୃତ ତାହା ଆଜିବି ଅସ୍ପଷ୍ଟ ।

ମୁଁ ମରିଯିବି , କିନ୍ତୁ ସ୍ବାଧୀନତାର ସ୍ବାଦ ଚାଖିବ ଭାରତ

ନେତାଜୀଙ୍କର ଦେଶବାସୀଙ୍କୁ ଥିଲା ଶେଷ ବାର୍ତ୍ତା। ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଆହତ ଅବସ୍ଥାରେ ସେ ତାଙ୍କର ଏକାନ୍ତ ଅନୁଗତ ହବିବୁର ରହମାନଙ୍କୁ କହିଥିଲେ-‘ହବିବ, ମୁଁ ଅନୁଭବ କରୁଛି ଯେ, ଖୁବ୍ ଶୀଘ୍ର ମରିଯିବି । ମୁଁ ଭାରତୀୟ ସ୍ବାଧୀନତା ସଂଗ୍ରାମରେ ଶେଷ ପର୍ଯ୍ୟନ୍ତ ଲଢିଛି । ମୋ ଦେଶବାସୀମାନଙ୍କୁ କହିବ ଭାରତ ବହୁ ପୂର୍ବରୁ ନିଶ୍ଚୟ ସ୍ବାଧୀନ ହେବ। ସ୍ବାଧୀନ ଭାରତ ଅମର ରହେ ।’ ଏହା ‘ଆଧୁନିକ ଭାରତ ଇତିହାସ’ ପୁସ୍ତକରେ ଉଲ୍ଲେଖ ରହିଛି। ନେତାଜୀ ଏଭଳି ଏକ ବ୍ୟକ୍ତିତ୍ଵ ଯାହାଙ୍କ ମୃତ୍ୟୁ ନାହିଁ, ସେ ଚିର ଅମର, ଅମ୍ଳାନ ଓ ଅବିସ୍ମରଣୀୟ। ଆଜିର ଯୁବପିଢିଙ୍କ ପାଇଁ ସେ ଏକ ଉଚ୍ଛ୍ବାସ , ଆହ୍ବାନ ଓ ଭାବପ୍ରବଣତା।

Leave A Reply

Your email address will not be published.