ଆଜି ଉତ୍କଳ ଦିବସ; ପ୍ରତିଟି ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ
ଉତ୍କଳ ହେଉଛି କଳା, ସଂସ୍କୃତି ଓ ବାଣିଜ୍ୟର ଏକ ପ୍ରମୁଖ ସ୍ଥାନ। ଜଙ୍ଗଲ ଓ ବିଭିନ୍ନ ପ୍ରାକୃତିକ ସମ୍ପଦ ଏହାର ଅନ୍ୟ ଏକ ବିଶେଷତ୍ୱ। ଓଡ଼ିଶାର ମନ୍ଦିରଗୁଡ଼ିକର କଳା ଭାସ୍କର୍ଯ୍ୟ, ଓଡ଼ିଶୀ ନୃତ୍ୟ, ବାନ୍ଧକଳା ସାରା ବିଶ୍ୱରେ ଓଡ଼ିଶାକୁ ଦେଇଛି ସ୍ବତନ୍ତ୍ର ପରିଚୟ । ତ୍ୟାଗ, ତିତିକ୍ଷା, ବୀରତ୍ବ, ବଳିଦାନର ଏହି ଭୂମି ଏକଦା ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ପରିଣତ କରିଥିଲା। ଅତୀତରେ ଓଡ଼ିଶା ୧୮୬୬ ନ’ଅଙ୍କ ଦୁର୍ଭିକ୍ଷ, ୧୯୯୯ ମହାବାତ୍ୟା, ବନ୍ୟା ଭଳି ଅନେକ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିଥିଲେ ସୁଦ୍ଧା ଏବେ ଏହା ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ସାରା ବିଶ୍ବ ପାଇଁ ରୋଲ୍ ମଡେଲ ସାଜିଛି। ଓଡ଼ିଶା ସରକାର ପ୍ରାକୃତିକ ବିପର୍ଯ୍ୟୟକୁ ମୁୁକାବିଲା ପାଇଁ ଯେଉଁ ‘ଶୂନ୍ୟ ମୃତହାତ’ ମଡେଲ ଆଣିଛନ୍ତି, ତାହାକୁ ଆଜି ବିଶ୍ୱସ୍ତରରେ ପ୍ରଶଂସା କରାଯାଉଛି।
ଆଜି ପବିତ୍ର ଉତ୍କଳ ଦିବସ । ପ୍ରତିଟି ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ । ୧୯୩୬ ମସିହା ଏପ୍ରିଲ ମାସ ୧ ତାରିଖ । ଓଡ଼ିଆ ଜାତିର ତେଜୋଦୀପ୍ତ ଅସ୍ମିତାର ସୁରକ୍ଷା ନେଇ ଏକ ସୁଦୀର୍ଘ ସଂଗ୍ରାମର କାହାଣୀ କୁହେ ଏହି ତାରିଖ । ଓଡ଼ିଆ ଜାତିର ଗର୍ବ ଓ ଗୌରବ ବହନ କରୁଥିବା ଏହି ତାରିଖଟିକୁ ‘ଉତ୍କଳ ଦିବସ’ ଭାବେ ପାଳନ କରିଆସୁଛି ସମ୍ପୂର୍ଣ୍ଣ ରାଜ୍ୟ । ଏହି ଦିନ ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ଜନ୍ମ ନେଇଥିଲା। ପୂର୍ବରୁ ଉତ୍କଳ ଖଣ୍ଡ ବିଖଣ୍ଡିତ ହୋଇ ପଡ଼ି ରହିଥିଲା। ପଶ୍ଚିମରେ ସମ୍ବଲପୁର ମଧ୍ୟପ୍ରଦେଶ ସହିତ ମିଶିଥିବାବେଳେ ଉତ୍ତରରେ ବାଲେଶ୍ବରରେ ବଙ୍ଗଳାର ପ୍ରଭାବ, କେତେକ ଅଞ୍ଚଳ ବିହାରରେ, ଦକ୍ଷିଣରେ ଗଞ୍ଜାମ ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ଥିଲା।
ଉତ୍କଳ ଗୌରବ ମଧୁସୂଦନ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ଉତ୍କଳମଣି ଗୋପବନ୍ଧୁ ଦାସ, ବ୍ୟାସକବି ଫକୀରମୋହନ ସେନାପତି, ରାଧାନାଥ ରାୟ, ସ୍ବଭାବକବି ଗଙ୍ଗାଧର ମେହେରଙ୍କ ପରି ଓଡ଼ିଶାର ବୀରପୁତ୍ରମାନେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ସଂଘର୍ଷ କରିଥିଲେ। ଏହି ବୀରପୁତ୍ରଙ୍କ ଉଦ୍ୟମରେ ୧୯୦୩ରେ ପ୍ରଥମେ ଗଠନ ହେଲା ‘ଉତ୍କଳ ସମ୍ମିଳନୀ’। ଅବିଶ୍ରାନ୍ତ ସଂଗ୍ରାମ ପରେ ୧୯୩୬ ମସିହା ଏପ୍ରିଲ୍ ୧ରେ ଗଠନ ହେଲା ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ। ପ୍ରଥମେ ଓଡ଼ିଶା ରାଜ୍ୟ ୬ଟି ଜିଲ୍ଲା କଟକ, ପୁରୀ, ବାଲେଶ୍ବର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ଗଠନ କରାଯାଇଥିଲା। । ୧୯୫୦ ମସିହା ଜାନୁଅାରୀ ୨୬ ତାରିଖରେ ଓଡ଼ିଶାରେ ଆଉ ୭ଟି ଜିଲ୍ଲା ଯୋଗ ହୋଇ ମୋଟ ୧୩ଟି ଜିଲ୍ଲା ହେଲା। ୧୯୯୩ ମସିହାରେ ଓଡ଼ିଶାର ୧୩ଟି ଜିଲ୍ଲାକୁ ପୁନଃବିଭାଜନ କରି ୩୦ଟି ଜିଲ୍ଲାରେ ବିଭକ୍ତ କରାଗଲା। ‘ଉତ୍କଳ ଦିବସ’ ଅବସରରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାରମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରାଯାଏ।