ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ, ସର୍ବସାଧାରଣଙ୍କ ପାଇଁ ଦର୍ଶନ ମନା

ପୁରୀ : ପବିତ୍ର ଧର୍ମ ମାସ କାର୍ତ୍ତିକର ପଞ୍ଚୁକ ଆଜି (ସୋମବାର)ଠାରୁ ଆରମ୍ଭ ହୋଇଛି। ଆଜି ମଧ୍ୟ ହରି ଉତଥାପନ ଏକାଦଶୀ ପାଳନ କରାଯାଉଛି । ଶ୍ରୀମନ୍ଦିରରେ ବିଶେଷ ନୀତିକାନ୍ତି ହେଉଛି । ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ ଓ ଠିଆକିଆ ବେଶ ହେବ । ୨୩ ପ୍ରକାର ସୁବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହେବେ ଶ୍ରୀଜିଉ । ତେବେ ଭିଡ ଦୃଷ୍ଟିରୁ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ଚଳିତ ମାସ ୧୬ ତାରିଖରେ ବାଙ୍କଚୂଡ଼ ତଥା ବାମନ ବେଶ ଓ ଗରୁଡ଼ ନୀତି, ୧୭ ତାରିଖରେ ଡାଳିକିଆ ତଥା ତ୍ରିବିକ୍ରମ ବେଶ, ୧୮ ତାରିଖରେ ଲକ୍ଷ୍ମୀନୃସିଂହ ବେ‌ଶ ଏବଂ ୧୯ ତାରିଖରେ ରାଜାଧିରାଜ ବେଶ ଅନୁଷ୍ଠିତ ହେବ। ପଞ୍ଚକ ପାଞ୍ଚ ଦିନ ନିଷ୍ଠାର ସହ ବ୍ରତ ପାଳନ କଲେ ଅଜସ୍ର ପୁଣ୍ୟ ଅର୍ଜନର ବିଶ୍ବାସ ରହିଛି। ଅନାଦି କାଳରୁ ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳନର ମହାତ୍ମ୍ୟ ରହିଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ବ୍ୟାପକ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ପୁଲିସ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। ପୁରୀ ଏସ୍‌ପି କେ ବିଶାଲ ସିଂହ କହିଛନ୍ତି, ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ବ୍ୟବସ୍ଥା ବୃଦ୍ଧି କରାଯାଇଛି। ଅତ୍ୟଧିକ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଞ୍ଚୁକ ପାଞ୍ଚ ଦିନ ମଧ୍ୟରୁ  ସୋମବାର ଓ ଶୁକ୍ରବାର ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିଥିବା ବେଳେ ଅନ୍ୟ ତିନିଦିନ ଭକ୍ତମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବାଙ୍କଚୁଡା, ଡାଳିକିଆ ଓ ଲଷ୍ମୀନୃସିଂହ ବେଶ ଦର୍ଶନ କରିପାରିବେ

ପଞ୍ଚକ ଦୃଷ୍ଟିରୁ ଶ୍ରୀକ୍ଷେତ୍ରରେ ବ୍ୟାପକ ଜନ ସମାଗମ ହେବା ସମ୍ଭାବନା ଥିବାରୁ ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ କରିବାକୁ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ୨୦ ପ୍ଲାଟୁନ ପୁଲିସ ନିୟୋଜିତ ହେବେ । ମରିଚିକୋଟ ଛକଠାରୁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ତେବେ, କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ବି ଶ୍ରୀମନ୍ଦିର ସବସାଧାରଣଙ୍କ ପାଇଁ ବନ୍ଦ ରହିବ ।

Leave a comment