ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜିଠୁ ସଂସଦର ଦ୍ବିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ

ନୂଆଦିଲ୍ଲୀ : ଆଜିଠାରୁ ସଂସଦରେ ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ଏପ୍ରିଲ ୬ ତାରିଖ ଯାଏ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୧୭ଟି କାର୍ଯ୍ୟ ଦିବସ ରହିବ। ପ୍ରଥମ ପର୍ଯ୍ୟାୟ ଶେଷ ହେବାର ପ୍ରାୟ ଏକ ମାସ ପରେ ଦ୍ବିତୀୟ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାରୁ ପୁଣି ରାଜନୈତିକ ସରଗରମ ହେବାକୁ ଯାଉଛି। ବିଶେଷକରି ଆଦାନୀ ପ୍ରସଙ୍ଗ ସମେତ ଇଡି ଏବଂ ସିବିଆଇ କାର୍ଯ୍ୟକଳାପକୁ ନେଇ ବିରୋଧୀ କେନ୍ଦ୍ର ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଥିବାରୁ ଏହି ଅଧିବେଶନ ସରଗରମ ରହିବ ବୋଲି ରାଜନୈତିକ ବିଶାରଦମାନେ କହିଛନ୍ତି। ଏହି କାଳରେ ବିଭାଗୀୟ ସଂସଦୀୟ ସ୍ଥାୟୀ କମିଟି, ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗୀୟ ଅନୁଦାନ ସମ୍ପର୍କିତ ଆଲୋଚନା ହେବାର ରହିଛି। ଉଲ୍ଲେଖଯୋଗ୍ୟ ଯେ,ବଜେଟ୍ ଅଧିବେଶନ ଗତ ଜାନୁଆରୀ ୩୧ରେ ଆରମ୍ଭ ହୋଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଂସଦର ଉଭୟ ଗୃହର ମିଳିତ ବୈଠକକୁ ସମ୍ବୋଧିତ କରିବା ପରେ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବୃଆରୀ ୧୩ ପର୍ଯ୍ୟନ୍ତ ଚାଲିଥିଲା।

କେନ୍ଦ୍ରକୁ ଘେରିବାକୁ ବିରୋଧୀଙ୍କ ସଜବାଜ
ସୋମବାରଠାରୁ ସଂସଦର ଦ୍ବିତୀୟ ଅଧିବେଶନ ଆରମ୍ଭ ହେବା ପରିପ୍ରେକ୍ଷୀରେ କଂଗ୍ରେସ ସମେତ ବହୁ ବିରୋଧୀ ଦଳ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହିକ୍ରମରେ ଆସନ୍ତାକାଲି ସକାଳେ କଂଗ୍ରେସ ସାଂସଦ ତଥା ରାଜ୍ୟସଭା ବିରୋଧୀ ଦଳ ନେତା ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ନେତୃତ୍ବରେ ସବୁ ଦଳୀୟ ସାଂସଦ ଏକାଠି ହେବେ ବୋଲି ଜଣାପଡ଼ିଛି। ସେହିପରି କଂଗ୍ରେସ ସହିତ ଅନ୍ୟ ବିରୋଧୀ ଦଳ ମଧ୍ୟ ବୈଠକ କରି କେନ୍ଦ୍ରକୁ ଘେରିବା ନେଇ ଆବଶ୍ୟକ ରଣନୀତି ପ୍ରସ୍ତୁତ କରିବେ। ବିରୋଧୀ ଦଳ ନେତାଙ୍କ ବିରୋଧରେ ସିବିଆଇ, ଇଡି ଭଳି କେନ୍ଦ୍ରୀୟ ଏଜେନ୍ସିଗୁଡିକର କ୍ଷମତା ଅପବ୍ୟବହାର କରାଯିବା,ଆଦାନୀ ପ୍ରସଙ୍ଗ, ମହଙ୍ଗାମାଡ଼, ବୋକାରୀ ସମସ୍ୟା ଏବଂ ସୀମାରେ ଚୀନ୍‌ର ଅନୁପ୍ରବେଶକୁ ନେଇ ବିରୋଧୀ ନେତା ମାନେ ଶାସକ ଦଳ ସହ ମୁହାଁମୁହିଁ ହୋଇପାରନ୍ତି ବୋଲି କୁହାଯାଉଛି। ଏହିସବୁ ପ୍ରସଙ୍ଗରେ କଂଗ୍ରେସ ସମେତ ଆମ ଆଦମୀ ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି), ଟିଏମସି, ଡିଏମକେ, ବାମପନ୍ଥୀ, ସମାଜବାଦୀ ପାର୍ଟି ଏବଂ ଅନ୍ୟ ବହୁ ବିରୋଧୀ କେନ୍ଦ୍ର ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି।

Leave A Reply

Your email address will not be published.