ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜିଠାରୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ଶୃଙ୍ଖଳା: ପାଣ୍ଡ୍ୟାଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

ମୁମ୍ବଇ:ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା। ମୁମ୍ବଇର ୱାଙ୍ଖଡେ ଷ୍ଟାଡିୟମରେ ପ୍ରଥମ ମ୍ୟାଚ୍‌‌ ଖେଳାଯିବ। ପାରିବାରିକ କାରଣ ଯୋଗୁ ଅଧିନାୟକ ରୋହିତ ଶର୍ମା ଏହି ମ୍ୟାଚ୍‌‌ରେ ଖେଳିବେ ନାହିଁ। ତାଙ୍କ ଅନୁପସ୍ଥିତିରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦଳର ନେତୃତ୍ୱ ନେବେ। ପ୍ରଥମଥର ପାଇଁ ପାଣ୍ଡ୍ୟା ଦିନିକିଆରେ ଭାରତର ନେତୃତ୍ୱ ନେବେ। ଅବଶ୍ୟ ସେ ଟି-୨୦ ଫର୍ମାଟ୍‌‌ରେ ନିୟମିତ ଅଧିନାୟକ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି ଓ ଦିନିକିଆ ଦଳର ଉପଅଧିନାୟକ ରହିଛନ୍ତି। ଚଳିତ ବର୍ଷ ଅକ୍ଟୋବର- ନଭେମ୍ବରେ ଭାରତରେ ଦିନିକିଆ ବିଶ୍ୱକପ୍‌‌ ଖେଳାଯିବ। ତେଣୁ ବିଶ୍ୱକପ୍‌‌ ପସ୍ତୁତିକୁ ନଜରରେ ରଖି ଏହି ଶୃଙ୍ଖଳା ଖେଳିବ। ବିଶ୍ୱ ମାନ୍ୟତାରେ ଭାରତ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆ ୨ ନଂ ସ୍ଥାନରେ ରହିଛି।

୨୦୧୧ରେ ଭାରତ ବିଶ୍ୱକପ୍‌‌ ଖେଳି ଘରୋଇ ପରିବେଶରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଶେଷଥର ପାଇଁ ଚାମ୍ପିଅନ ହେବାର ଗୌରବ ଅର୍ଜନ କରିଥିଲା। ଏବେ ସମାନ ପ୍ରକାର ଫଳାଫଳ ରୋହିତ ଶର୍ମା ଓ ତାଙ୍କ ଦଳଠାରୁ ଆଶା କରାଯାଉଛି। ଘରୋଇ ପରିବେଶରେ ଭାରତ ଏକ ଶକ୍ତିଶାଳୀ ଦଳ ବିବେଚିତ ହେଉଛି। ତେଣୁ ଭାରତ ଅଶାଠାରୁ ଅଧିକ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି। ଗତ ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଶୃଙ୍ଖଳାରେ ଭାରତ ଦମ୍‌‌ଦାର ପ୍ରଦର୍ଶନ କରି ମୋଟ ଉପରେ ୬ଟି ବିଜୟ ହାସଲ କରିଥିଲା। ରୋହିତଙ୍କ ଅନୁପସ୍ଥିତିରେ ଯୁବ ଓପନର ଶୁବମାନ ଗିଲ ଚମକ ଦେଖାଇବେ। ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌‌ରେ ଚମତ୍କାର ଶତକ ଅର୍ଜନ କରିଥିବା ଗିଲ ଏହି ଶୃଙ୍ଖଳାରେ ଏହି ପ୍ରଦର୍ଶନକୁ ଦୋହାରାଇବେ ବୋଲି ଆଶା କରାଯାଉଛି। ସେହିପରି ଏହି ମ୍ୟାଚ୍‌‌ରେ ବୃହତ୍‌‌ ଶତକ ହାସଲ କରିଥିବା ତାରକା ବ୍ୟାଟର ବିରାଟ କୋହଲି ପୁଣି ଥରେ ନିଜର ଦକ୍ଷତା ପ୍ରମାଣ କରିବାର ସୁଯୋଗ ପାଇବେ। ଅନ୍ତର୍ଜାତୀୟ କ୍ରିକେଟରେ ସେ ୭୫ଟି ଶତକ ଅର୍ଜନ କରିସାରିଛନ୍ତି। ଅଷ୍ଟ୍ରେଲୀୟ ଲେଗ୍‌‌ ସ୍ପିନର ଆଦାମ ଜାମ୍ପା ଓ କୋହଲିଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱୀତା ଦେଖିବାକୁ ମିଳିବ ଓ ଏହା ବେଶ୍‌‌ ମଜାଦାର ହେବ। ଦୁଇ ରିଷ୍ଟ ସ୍ପିନର କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ଅନ୍ତିମ ଏକାଦଶରେ ସାମିଲ ହେଲେ ଭାରତୀୟ ବୋଲିଂ ବିଭାଗ ଆହୁରି ଶାଣିତ ହେବ। ଗତ ୫ଟି ଦିନିକିଆ କୁଲଦୀପ ୧୧ଟି ୱିକେଟ ହାସଲ କରି ଦଳର ଶ୍ରେଷ୍ଠ ସ୍ପିନର ସାବ୍ୟସ୍ତ ହୋଇଛନ୍ତି। ସେହିପରି ଦ୍ରୁତ ବୋଲର ମହମ୍ମଦ ସିରାଜ ସମାନ ୫ଟି ମ୍ୟାଚ୍‌‌ ଖେଳି ୧୪ଟି ୱିକେଟ ନେଇ ଶ୍ରେଷ୍ଠ ଫର୍ମରେ ରହିଛନ୍ତି।

ଭାରତୀୟ ଦଳ: ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଶୁବମାନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ଲୋକେଶ ରାହୁଲ, ଇଶାନ କିସାନ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୱାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମ୍ରାନ ମଲିକ, ଶାର୍ଦ୍ଦୁଳ ଠାକୁର, ଅକ୍ଷର ପଟେଲ ଓ ଜୟଦେବ ଉନାଦକତ।

ଅଷ୍ଟ୍ରେଲିଆ ଦଳ: ଷ୍ଟିଭେନ ସ୍ମିଥ (ଅଧିନାୟକ), ଡେଭିଡ୍‌‌ ୱାର୍ଣ୍ଣର, ଟ୍ରାଭିସ ହେଡ୍‌‌, ମାର୍ନସ ଲାବୁସେନ, ମିଚେଲ ମାର୍ଶ, ମାର୍କସ ଷ୍ଟୋଇନିସ, ଆଲେକ୍ସ କେରି, ଗ୍ଲେନ ମ୍ୟାକ୍ସୱେଲ, କାମେରନ ଗ୍ରୀନ, ଜୋଶ ଇଂଗ୍ଲିଶ, ସିନ୍‌‌ ଆବୋଟ, ଆଷ୍ଟନ ଅଗର, ମିଚେଲ ଷ୍ଟାର୍କ, ନାଥନ ଏଲିସ ଓ ଆଦାମ ଜାମ୍ପା।

Leave A Reply

Your email address will not be published.