ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ବିଜେଡିର ୨୬ତମ ଜନ୍ମତିଥି: ଶ୍ରୀକ୍ଷେତ୍ରରୁ ବିକାଶର ନୂଆ ମନ୍ତ୍ର ଘେନି ଜୟଯାତ୍ରାର ନୂତନ ପ୍ରସ୍ଥ ଆରମ୍ଭ କରିବାକୁ ଯାଉଛି ବିଜେଡି

ଭାରତର ସୁପ୍ରତିଷ୍ଠିତ ତଥା ଅପ୍ରତିଦ୍ୱନ୍ଦ୍ୱୀ ଆଞ୍ଚଳିକ ରାଜନୈତିକ ଦଳ ‘ବିଜୁ ଜନତା ଦଳ’(ବିଜେଡି) ଆଜି ୨୬ ବର୍ଷରେ ପଦାର୍ପଣ କରିଛି। ରାଜ୍ୟ ତଥା ଦେଶର ରାଜନୈତିକ ପ୍ରେକ୍ଷାପଟ୍ଟରେ ଏକ ପ୍ରମୁଖ ରାଜନୈତିକ ମଞ୍ଚ ଭାବରେ ପ୍ରତିଷ୍ଠା ଅର୍ଜନ କରିବା ସହିତ ଗତ ୨୫ ବର୍ଷ ମଧ୍ୟରେ ଏହା ଓଡ଼ିଶାର କାୟାକଳ୍ପ କରିଛି ତଥା ଭାରତର ତୁଙ୍ଗ ନେତା ବିଜୁ ପଟ୍ଟନାୟକଙ୍କ ସ୍ମୃତିରେ ନିର୍ମିତ ଏହି ଦଳ ଓଡ଼ିଶାକୁ ବିକାଶର ସିଡ଼ିରେ ବହୁ ଉଚ୍ଚକୁ ନେବା ସହିତ ରାଜ୍ୟର ସାଢ଼େ ଚାରିକୋଟି ଜନସାଧାରଣଙ୍କ ପାଇଁ ଏକ ସୁଯୋଗ୍ୟ ଜନନାୟକଙ୍କ ନେତୃତ୍ୱ ସୃଷ୍ଟି କରିପାରିଛି। ଓଡ଼ିଶା ଆଜି ଭାରତୀୟ ସଂଘରାଜ୍ୟର ଏକ ବରିଷ୍ଠ ତଥା ବିକଶିତ ସଭ୍ୟ ଭାବେ ଦେଶରେ ଓ ଦେଶ ବାହାରେ ପ୍ରତିଷ୍ଠା ଲାଭ କରିପାରିଛି। ୧

୯୯୯ ମହାବାତ୍ୟା ପରବର୍ତ୍ତୀ ବିଧ୍ୱସ୍ତ ଓଡ଼ିଶା ସହ ଆଜିର ଓଡ଼ିଶାର ବିଭିନ୍ନ ସୂଚକାଙ୍କର ତୁଳନା କଲେ ରାଜ୍ୟର ଯେ ଅଭୂତପୂର୍ବ ପରିବର୍ତ୍ତନ ହୋଇଛି, ତାହାକୁ ଅସ୍ୱୀକାର କରିହେବ ନାହିଁ। ରାଜନୈତିକ ସ୍ଥିରତା, ସାମାଜିକ ନ୍ୟାୟ ଓ ଶାନ୍ତି, କୃଷି ବିକାଶ, ମହିଳା ସଶକ୍ତୀକରଣ ପାଇଁ ମିଶନ୍‌‌ ଶକ୍ତି, ଭିତ୍ତିଭୂମି ସମ୍ପ୍ରସାରଣ, ପ୍ରାକୃତିକ ବିପତ୍ତି ନିୟନ୍ତ୍ରଣ, ଖାଦ୍ୟ ସୁରକ୍ଷା ଯୋଗାଣ ତଥା ଦ୍ରୁତ ଶିଳ୍ପାୟନ, କ୍ରୀଡ଼ା ଭିତ୍ତିଭୂମି ବିକାଶ, ହକି ବିଶ୍ୱକପ୍‌‌ ଆୟୋଜନ ଆଦି ଅନେକ ସ୍ତରରେ ଓଡ଼ିଶା ଆଜି କେବଳ ଅଗ୍ରଣୀ ନୁହେଁ, ବରଂ ଦେଶର ଅନ୍ୟ ରାଜ୍ୟ ପାଇଁ ଆଦର୍ଶ ସୃଷ୍ଟି କରିଛି ତଥା ବିଶ୍ୱସ୍ତରରେ ମଧ୍ୟ ପ୍ରଶଂସିତ ହୋଇଛି। ନବୀନ ବାବୁଙ୍କ ଶାସନର ଉପଲବ୍ଧିର ଆକଳନ ମାତ୍ର କେତୋଟି ଶାସନ ନୀତି ଓ ପ୍ରଶାସନ ରଣନୀତିକୁ ଲକ୍ଷ୍ୟ କଲେ ସ୍ପଷ୍ଟ ହୁଏ। ‘ଓଡ଼ିଶା ମୋ ପରିବାର’, ‘ମାଆଙ୍କୁ ସମ୍ମାନ ଗାଁକୁ କାମ’, ‘ପ୍ରତ୍ୟେକଟି ଜୀବନ ମୂଲ୍ୟବାନ’, ‘ବିପର୍ଯ୍ୟୟ ନିୟନ୍ତ୍ରଣରେ ଶୂନ୍ୟ ଜୀବନ ହାନି’, ‘କୃଷି ଓ କୃଷକ ସଶକ୍ତୀକରଣ ପାଇଁ କାଳିଆ’ ଓ ‘ମିଲେଟ୍‌‌ ମିଶନ୍‌‌’, ଗରିବଙ୍କୁ ସହାୟତା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’, ‘ମୋ ସରକାର’, ଲୋକମୁଖୀ ଶାସନ ନୀତି -’୫-ଟି’, ‘ଶ୍ରୀମନ୍ଦିର ପରିକ୍ରମା’, ‘ଅଭଡ଼ା ପ୍ରକଳ୍ପ’ ଓ ‘ଏକାମ୍ର ବିକାଶ ଯୋଜନା’ ଆଦି। ଓଡ଼ିଆ ଅସ୍ମିତାର ପ୍ରସ୍ଫୁଟନ ରାଜ୍ୟ ଇତିହାସର କୌଣସି ନିର୍ଦ୍ଦିଷ୍ଟ କାଳଖଣ୍ଡ ମଧ୍ୟରେ ଏଭଳି ପ୍ରଶଂସନୀୟ ବା ଶୋଭନୀୟ ହୋଇ ନଥିଲା।

୧୯୯୭ର ଆଜିର ଦିନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ତତ୍‌‌କାଳୀନ ଜନତା ଦଳର ସଂଖ୍ୟାଧିକ ବିଜୁ ଅନୁଗତଙ୍କୁ ନେଇ ଏହି ଦଳ ଗଠିତ ହୋଇଥିଲା। ରାଜ୍ୟର ଲୋକପ୍ରିୟ ରାଜନେତା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ନାମରେ ଦଳର ନାମକରଣ କରିବା ପଛରେ ରହିଥିଲା ବିଜୁପ୍ରେମୀ ନେତା ଓ ଜନତାଙ୍କ ଉତ୍ସାହ ଏବଂ ପ୍ରେରଣା। ବିଜୁବାବୁ ତାଙ୍କ ଜୀବଦ୍ଦଶାରେ କଂଗ୍ରେସ ଛାଡ଼ିବା ପରେ ଓଡ଼ିଶାରେ ଆଞ୍ଚଳିକ ଦଳ ଗଠନ କରି ତାହାର ପରୀକ୍ଷା ନିରୀକ୍ଷା କରିଥିଲେ ମଧ୍ୟ ତାଙ୍କୁ ଏଥିରେ ବିଶେଷ ରାଜନୈତିକ ସଫଳତା ମିଳିନଥିଲା। ଶେଷରେ ସେ ଅଣକଂଗ୍ରେସ ବିରୋଧୀ ମେଣ୍ଟରେ ଶେଷପର୍ଯ୍ୟନ୍ତ ରହି ନିଜର ରାଜନୈତିକ କାର୍ଯ୍ୟକ୍ରମ ଚଳାଇଥିଲେ। ଏଥିରେ ତାଙ୍କୁ କେନ୍ଦ୍ର ମନ୍ତ୍ରୀ ଓ ଦ୍ୱିତୀୟବାର ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପରିଣତ ବୟସରେ ମିଳିଥିଲା। ତାଙ୍କ ଅନ୍ତେ ଓଡ଼ିଶା ରାଜନୀତିରେ କଂଗ୍ରେସର ବିକଳ୍ପ ଦେଖାଯାଉନଥିଲେ ମଧ୍ୟ ଏଥିପାଇଁ ରାଜନୈତିକ ସ୍ଥାନ କିନ୍ତୁ ରହିଥିଲା। ବିଜେପି ଏକାକୀ ସେହି ସ୍ଥାନ ଦଖଲ କରିବା ଅବସ୍ଥାରେ ନଥିବାରୁ ନବଗଠିତ ବିଜେଡି ସହିତ ରାଜନୈତିକ ମେଣ୍ଟ କରି ଓଡ଼ିଶାର ଅଣକଂଗ୍ରେସ ରାଜନୀତିକୁ ଏକ ନୂଆ ରୂପ ଦେବାରେ ସହାୟକ ହେଲା। ତେବେ ବିଜେଡି ଯେତେବେଳେ ପ୍ରଥମେ ଗଠିତ ହେଲା ଓ ନବୀନ ବାବୁ ଏହାର ସଭାପତି ନିର୍ବାଚିତ ହେଲେ, ସେତେବେଳେ କେହି ଭାବି ନଥିଲେ ଏକ ନୂଆ ଆଞ୍ଚଳିକ ଦଳ ରାଜନୀତିରେ ନବାଗତ ଜଣେ ନେତାଙ୍କୁ ନେଇ ଏକ ନୂତନ ଇତିହାସ ସୃଷ୍ଟି କରିବ। ୨୦୦୦ରୁ କ୍ରମାଗତ ଭାବେ ନବୀନ ବାବୁଙ୍କ ନେତୃତ୍ୱରେ ଏହି ଦଳ ଓଡ଼ିଶାରେ କ୍ଷମତାରେ ରହିବା ସହ ରାଷ୍ଟ୍ରୀୟ ଓ ପ୍ରାଦେଶିକ ରାଜନୀତି ମଧ୍ୟରେ ଓଡ଼ିଶାର ବିକାଶ ପାଇଁ ଅଦ୍ଭୁତ ସମୀକରଣ ସୃଷ୍ଟି କରିବାରେ ସଫଳ ହୋଇଛି। ଚଉଠେ ଶତକ ସମୟ ଧରି ଏହା ରାଜ୍ୟରେ ନିଜର ବିକଳ୍ପ ସୃଷ୍ଟିର ଅବକାଶ ଅନ୍ୟ ରାଜନୈତିକ ଦଳଙ୍କୁ ଦେଇନାହିଁ। ସମୟକ୍ରମେ ସଂଗଠନ ଓ ଶାସନକୁ ଅଧିକ ସୁଦୃଢ଼ ଏବଂ ଲୋକାଭିମୁଖୀ କରି ଲୋକଙ୍କ ଆସ୍ଥା ଏବଂ ବିଶ୍ୱାସ ଜିତିବାରେ ଲାଗିଛି। ଏସବୁର ଶ୍ରେୟ କେବଳ ଜଣଙ୍କର ଏବଂ ସେ ହେଉଛନ୍ତି ଦଳର ସର୍ବମୟ ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ରାଜନୈତିକ ଆଦର୍ଶକୁ ପ୍ରୟୋଗ କରିବା ପାଇଁ ସୁସଂଗଠିତ ଦଳ ତଥା ଦୃଢ଼ ନେତୃତ୍ୱ ଆବଶ୍ୟକ ହୁଏ। ଦଳକୁ ପ୍ରାସଙ୍ଗିକ, ଗତିଶୀଳ ଓ ଜନତାଙ୍କ ବିଶ୍ୱାସଭାଜନ କରିବା ପାଇଁ ପ୍ରଗତିଶୀଳ ନେତୃତ୍ୱ, ଦୂରଦୃଷ୍ଟି ଓ ସାଂଗଠନିକ କଳାକୌଶଳର ଆବଶ୍ୟକତା ଥାଏ। ପାରମ୍ପରିକ ରାଜନୀତି ଓ ନେତୃତ୍ୱଠାରୁ ଭିନ୍ନ ରାଜନୀତିରେ ବିଶ୍ୱାସୀ ନବୀନବାବୁ ତାଙ୍କ ରାଜନୈତିକ ତତ୍ତ୍ୱ ଓ ପ୍ରୟୋଗରେ ଜନବିଶ୍ୱାସ ଜିତିବାର କଳାରେ ସାର୍ଥକତା ଲାଭ କରିଥିବାରୁ ଦଳ ଓ ନେତା ଏକ ତଥା ଅଭିନ୍ନ ଭାବେ ପରିଗଣିତ ହୋଇଛନ୍ତି। ଲୋକସ୍ୱାର୍ଥ ଏବଂ ରାଜ୍ୟସ୍ୱାର୍ଥ ତାଙ୍କ ଦଳ ଏବଂ ସରକାରର ଶାସନର ମାନଦଣ୍ଡ ପାଲଟିଛି। ଦଳର ଆଦର୍ଶ ‘କେନ୍ଦ୍ର-ବାମ କ୍ଷେତ୍ର’ ହୋଇଥିଲେ ମଧ୍ୟ ସେ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ରାଜନୀତିରେ ଅନ୍ୟ ଦଳଙ୍କ ସହିତ ସମଦୂରତା ରକ୍ଷା ନୀତିରେ ଆବଶ୍ୟକ ପରିବର୍ତ୍ତନ କରିବାକୁ କୁଣ୍ଠାବୋଧ କରିନାହାନ୍ତି। ଅପରପକ୍ଷରେ ରାଜନୈତିକ ମତଭେଦ ଓ ଆଦର୍ଶଗତ ପାର୍ଥକ୍ୟ ଦୃଷ୍ଟିରୁ ବିଜେପି ଏବଂ ଏନ୍‌‌ଡିଏ ସହ ଥିବା ପ୍ରାରମ୍ଭିକ ମୈତ୍ରୀକୁ ସେ ପରିହାର କରିଛନ୍ତି। ରାଜ୍ୟର ସାମଗ୍ରିକ ବିକାଶ, ସୁଶାସନ, ଲୋକଙ୍କ ସହିତ ଯୋଡ଼ି ହୋଇ ରହି ସେମାନଙ୍କ ବିଶ୍ୱାସ ଜିତିବା, ପ୍ରତିଶ୍ରୁତିର ଧୂଆଁବାଣ ନ କରି କଥା ମୁତାବକ କାମ କରି ଦେଖାଇବା, ନିର୍ମଳ ଶାସନ ଯୋଗାଇ ଲୋକଙ୍କ ଦୁଃଖଦୁର୍ଦ୍ଦଶା ଦୂର କରିବା ଏବଂ ରାଜ୍ୟକୁ ଏକ ଦାୟିତ୍ୱବାନ, ଉତ୍ତରଦାୟୀ ଦୁର୍ନୀତିମୁକ୍ତ ଶାସନତନ୍ତ୍ର ପ୍ରଦାନ କରିବା ନବୀନ ବାବୁଙ୍କ ସରକାରର (ନବୀନିଜିମ୍‌‌ ବା ନବୀନ ଶାସନ ତତ୍ତ୍ୱ)ସବୁଠୁ ବଡ଼ ଉପଲବ୍ଧି କହିଲେ ଅତ୍ୟୁକ୍ତି ହେବ ନାହିଁ। ଜନତାଙ୍କ ସହିତ ଏହି ନିବିଡ଼ତା ଫଳରେ ରାଜନୀତିରେ ବିଜେଡିର ବିକଳ୍ପ ଭାବେ କୌଣସି ଦଳର ଉତ୍‌‌ଥାନ ହୋଇପାରୁ ନାହିଁ। ଓଡ଼ିଶା ରାଜନୀତିରେ ଜଣେ ଯାଦୁକର ପରି ନିଜର ପ୍ରଭାବ ବିସ୍ତାର କରି ରଖିଛନ୍ତି। ତେଣୁ ଏକ ଅବିକଳ୍ପ ରାଜନୈତିକ ପରିବେଶରେ ଓଡ଼ିଶାରେ ତାଙ୍କ ବିକଳ୍ପ ଖୋଜିବା ସମ୍ଭବ ହେଉନାହିଁ। ଜନସେବା, ରାଜ୍ୟ ସ୍ୱାର୍ଥକୁ ଗୁରୁତ୍ୱ ଦେଇ କାମ କରୁଥିବା ଏହି ନେତା ନିଜେ ନିଜର ଉଦାହରଣ ଓ ଆଦର୍ଶ। ତେଣୁ ଜନଶ୍ରଦ୍ଧା ଲାଭ କରିବାକୁ ସେ ହକ୍‌‌ଦାର। ଦେଶର ଅନ୍ୟାନ୍ୟ ପ୍ରଦେଶରେ ଆଞ୍ଚଳିକ ଦଳମାନେ କ୍ଷମତାରେ ରହିବାକୁ ସଂଘର୍ଷ କରୁଥିବାବେଳେ ଓଡ଼ିଶାରେ ବିଜେଡି ତାହାର ସ୍ଥିତିକୁ ଅଧିକରୁ ଅଧିକ ସୁଦୃଢ଼ କରିପାରିଛି।

୨୦୩୬ରେ ଓଡ଼ିଶା ତାହାର ସ୍ଥାପନାର ୧୦୦ ବର୍ଷ ପୂର୍ତ୍ତି ପାଳନ କରିବ। ୨୦୨୪ ନିର୍ବାଚନ ସେ ଦୃଷ୍ଟିରୁ ଏହି ପ୍ରସ୍ତୁତି ପାଇଁ ଏକ ଏକ ବିଶେଷ ପ୍ରବେଶ ସୋପାନ ସୃଷ୍ଟି କରିବ। ଓଡ଼ିଶାକୁ ନିଜ ପରିବାର ଭଳି ଦୃଷ୍ଟିରେ ଦେଖୁଥିବା ନବୀନ ବାବୁଙ୍କ ବଳିଷ୍ଠ ନେତୃତ୍ୱ ଆଗାମୀ ବର୍ଷମାନଙ୍କରେ ଦଳକୁ ସଠିକ ମାର୍ଗରେ ପରିଚାଳିତ କରିବାକୁ ଦିଗ୍‌‌ଦର୍ଶନ ଦେବା ଇତିମଧ୍ୟରେ ଆରମ୍ଭ କରିଦେଇଛି। ଏବେଠାରୁ ୨୦୨୪ ଓ ପରବର୍ତ୍ତୀ କାଳଖଣ୍ଡର ସମୀକ୍ଷା ତଥା ରଣନୀତି ବିମର୍ଶ ଏହାର ଦୃଢ଼ ସୂଚନା ଦିଏ। ପ୍ରତିଷ୍ଠାର ରୌପ୍ୟ ଜୟନ୍ତୀ ପାଳୁଥିବା ବିଜେଡି ଏବେ ଯେଉଁ ଢଙ୍ଗରେ କାର୍ଯ୍ୟ କରୁଛି, ସେଥିରୁ ମନେ ହେଉଛି, ଏହାର ଭବିଷ୍ୟତ ଆହୁରି ଉଜ୍ଜ୍ୱଳ ଓ ଅପ୍ରତିଦ୍ୱନ୍ଦ୍ୱୀ। ପବିତ୍ର ଧାମ ଶ୍ରୀକ୍ଷେତ୍ରରୁ ବିକାଶର ନୂଆ ମନ୍ତ୍ର ଘେନି ବିଜେଡି ଜୟଯାତ୍ରାର ନୂତନ ପ୍ରସ୍ଥ ଆରମ୍ଭ କରିବାକୁ ଯାଉଛି।

Leave A Reply

Your email address will not be published.