ଯନ୍ତାରେ ଧରାପଡିଲାନି, ଶେଷରେ ଟ୍ରାଙ୍କୁଲାଇଜ୍ ହେଲା ସୁନ୍ଦରୀ

ଅନୁଗୁଳ: ସାତକୋଶିଆ ରାଇଗୋଡା ରେଞ୍ଜରେ ଏନକ୍ଲୋଜର ଭିତରେ ଥିବା ସୁନ୍ଦରୀକୁ ଧରିବା ପାଇଁ ଜାରି ରହିଥିବା ଉଦ୍ୟମର ଆଜି ଅନ୍ତ ଘଟିଛି। ଆଜି ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍ କରାଯାଇ ଯନ୍ତାରେ ଭର୍ତ୍ତି କରାଯାଇଛି। ଏ ନେଇ ଆରସିସିଏଫ୍ ପ୍ରଦୀପରାଜ କରାଟ ସୂଚନା ଦେଇଛନ୍ତି।
ଗତ ରବିବାର ଅପରାହ୍ନରୁ ମଧ୍ୟପ୍ରଦେଶର କାହ୍ନା ବ୍ୟଘ୍ର ପ୍ରକଳ୍ପରୁ ଆସିଥିବା ୬ଜଣିଆ ଟିମ ‘ସୁନ୍ଦରୀ’କୁ ଧରିବ ଲାଗି ଯନ୍ତା ବସାଇଥିଲେ। ଏହି ସ୍ୱତନ୍ତ୍ର ଯନ୍ତାକୁ ଖୁଆଡ଼ ଭିତରେ ରଖା ଯାଇଥିଲା। ଯନ୍ତା ଭିତରେ ଖାଇବାକୁ ଦିଆ ଯାଇଥିଲା। ସୁନ୍ଦରୀ ଖାଇବାକୁ ଆସିବା କ୍ଷଣି ଯନ୍ତା ବନ୍ଦ କରିଦିଆଯିବାର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ସୁନ୍ଦରୀ ଯନ୍ତାରେ ଥିବା ଖାଦ୍ଯକୁ ଗ୍ରହଣ କରି ନ ଥିଲା। ସୁନ୍ଦରୀକୁ ପ୍ରଥମେ ଆଦୌ ଟ୍ରଙ୍କୁଲାଇଜ ନ କରିବା ପାଇଁ ନିର୍ଦେଶ ଥିବାରୁ ଏଭଳି ଉପାୟରେ ଧରିବାକୁ ଉଦ୍ୟମ କରା ଯାଇଥିଲା। କାହ୍ନାରୁ ଆସିଥିବା ଜଣେ ଏସିଏଫଙ୍କ ତତ୍ୱବାଧାନରେ ଡାକ୍ତର ଓ ବିଶେଷଜ୍ଞ ଏବଂ ଅନ୍ୟ ସହଯୋଗୀ କର୍ମଚାରୀ ମାନେ ସେଠାରେ ସମ୍ପୂର୍ଣ ନିୟୋଜିତ ରହିଥିଲେ। ତାଙ୍କୁ ସାତକୋଶିଆ ଡ଼ିଏଫଓ ଏବଂ ଏସିଏଫ ଙ୍କ ସମେତ ଅନ୍ୟ ବନ୍ୟ କର୍ମଚାରୀ ମାନେ ମଧ୍ୟପ୍ରଦେଶରୁ ଆସିଥିବା ଟିମକୁ ସାହାଯ୍ୟ କରିଥିଲେ।
ଯଦି ଯନ୍ତାରେ ସୁନ୍ଦରୀ ଧରା ନଦିଏ ତେବେ ସରକାରଙ୍କ ଠାରୁ ଅନୁମତି ଅଣାଯାଇ ତାକୁ ଟ୍ରଙ୍କୁଲାଇଜ କରାଯାଇ ଧରାଜୀବ ତାପରେ ମଧ୍ୟପ୍ରଦେଶରୁ ଆସିଥିବା ସ୍ୱତନ୍ତ୍ର ଯନ୍ତାରେ କାହ୍ନ। ବ୍ୟାଘ୍ର ପ୍ରକଳ୍ପରୁ ପଠା ଯିବ ବୋଲି ସାତକୋଶିଆ ଫିଲଡ଼ ଡ଼ାଇରେକ୍ଟର ପ୍ରକାଶ କରିଥିଲେ।
ସୂଚନା ଅନୁଯାୟୀ, ସୁନ୍ଦରୀ’କୁ ସ୍ୱତନ୍ତ୍ର ଗାଡ଼ିରେ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟକୁ ସ୍ୱତନ୍ତ୍ର ଗାଡ଼ିରେ ନିଆଯାଉଛି । ସେଠାରେ ଗରିଲା ଏନକ୍ଲୋଜରରେ ‘ସୁନ୍ଦରୀ’କୁ ଛଡ଼ାଯିବାର ଯୋଜନା ରହିଛି ।